ଚେନ୍ନାଇ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରିତୁରାଜ ଗାଏକ୍ୱାଡ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଏବେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି । କ୍ରିକବିଜରେ ପ୍ରକାଶିତ ରିପୋର୍ଟ ମୁତାବକ ରିତୁରାଜଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ଯୁବ ବ୍ୟାଟ୍ସମ୍ୟାନ ଆୟୂଷ ମାହାତ୍ରେଙ୍କୁ ଦଳରେ ସାମିଲ କରିଛି । ଆୟୂଷ ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀଙ୍କ ବନ୍ଧୁ ଅଟନ୍ତି । ୧୭ ବର୍ଷୀୟ ଆୟୂଷ ଭଲ ବ୍ୟାଟିଂ କରିବା ସହ ଉପଯୋଗୀ ଅଫବ୍ରେକ ବୋଲିଂ କରିଥାନ୍ତି । ସେ ୧୬ଟି ପ୍ରଥମଶ୍ରେଣୀ ମ୍ୟାଚରେ ୩୧.୫୦ ଆଭରେଜରେ ୫୦୪ ରନ ସଂଗ୍ରହ କରିଛନ୍ତି । ସେହିପରି ଲିଷ୍ଟ ଏ କ୍ରିକେଟରେ ୭ଟି ଇନିଂସରେ ୪୫୮ ରନ କରିଛନ୍ତି ।
ପ୍ରଥମ ଶ୍ରେଣୀରେ ସେ ୱିକେଟ ପାଇ ନ ଥିବା ବେଳେ ଲିଷ୍ଟ ଏରେ ୭ଟି ୱିକେଟ ନେଇଛନ୍ତି । ଚେନ୍ନାଇ ତାଙ୍କୁ ୩୦ ଲକ୍ଷ ବେସ ପ୍ରାଇସରେ ଦଳ ସହିତ ଯୋଡିପାରେ ବୋଲି ଅନୁମାନ କରାଯାଉଛି । ସେ ଆଇପିଏଲର ଚଳିତ ସଂସ୍କରଣରେ ଖେଳିବା ମାତ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପରେ ଦ୍ୱିତୀୟ ଯୁବ ଖେଳାଳି ଭାବେ ଏହି ଗୌରବ ଅର୍ଜନ କରିବେ । ବୈଭବ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବେ ଖେଳୁଛନ୍ତି । ତାଙ୍କ ବୟସ ୧୪ ବର୍ଷ ୧୮ ଦିନ (ଏପ୍ରିଲ ୧୪, ୨୦୨୫ ସୁଦ୍ଧା) ରହିଛି ।
Comments are closed.