ନୂଆଦିଲ୍ଲୀ: ପହଲଗାମ୍ ଆଟାକ ପରେ ପାକିସ୍ତାନକୁ ମାତ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ସେପଟେ ଚାଲିଛି ଭାରତ ବିପକ୍ଷରେ ଷଡଯନ୍ତ୍ର। ଭାରତ ବିରୋଧରେ ଅସ୍ତ୍ର ଏକାଠି କରିବାକୁ ଚୀନ ପାଖରେ କାକୁତି ମିନତି କରୁଛି ପାକିସ୍ତାନ ! ମାଗୁଛି ରୁଷର S-400 କ୍ଷେପଣାସ୍ତ୍ରର ସୂତ୍ର । ଭାରତର ସୁରକ୍ଷା ରଣନୀତିରେ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଏକ ନିର୍ଣ୍ଣାୟକ ଅସ୍ତ୍ର। ରୁଷରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ନେଇ ଶତ୍ରୁ ଦେଶ ମନରେ ଛନକା ପଶିଛି । ଯେକୌଣସି ବାୟୁ ଆକ୍ରମଣକୁ ରୋକିବା ପାଇଁ ସୀମାରେ ନିୟୋଜିତ ରହିଛି ୩ ଏସ-୪୦୦। ତେବେ ଚର୍ଚ୍ଚା ହେଉଛି, ଏହାକୁ ନେଇ ଚକ୍ରବ୍ୟୂହ ରଚୁଛି ପାକିସ୍ତାନ। ପ୍ରତିରକ୍ଷା ପ୍ରଣାଳୀକୁ ଜାଣିବା ପାଇଁ ଜି ଯାନ ଲଗେଇଛି। କୁହାଯାଉଛି, ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସିକ୍ରେଟ୍ ଡିଲ୍ ନେଇ କାଳେ ଜୋରସୋର ଆଲୋଚନା ଚାଲିଛି। ପାକିସ୍ତାନ ସହ S-400 ତଥ୍ୟ ଚୀନ୍ ବାଣ୍ଟିପାରେ ବୋଲି ଆଶଙ୍କା କରୁଛି ଭାରତ ।
କ’ଣ ଏହି S-400 ସିଷ୍ଟମ?
S-400 ଟ୍ରାୟମ୍ଫ ହେଉଛି ରୁଷିଆର ଆଲମାଜ୍-ଆଣ୍ଟେ କମ୍ପାନୀ ଦ୍ୱାରା ବିକଶିତ ଏକ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଏହି କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ଏହା ଯୁଦ୍ଧବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଭଳି ବାୟୁ ଆକ୍ରମଣ ବିପଦକୁ ଟ୍ରାକ୍ କରିବା ସହ ସମୂଳେ ନିପାତ କରିବାରେ ସକ୍ଷମ।
ଭାରତ-ରୁଷ ମଧ୍ୟରେ S-400 ଚୁକ୍ତି?
S-400 ପାଇଁ ଭାରତ ୨୦୧୮ ମସିହାରେ ରୁଷ ସହିତ ୫.୪୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ଯେଉଁଥିରେ ଭାରତକୁ ୫ଟି ସ୍କ୍ୱାର୍ଡନ୍ S-୪୦୦ ମିଳିବାର ଯୋଜନା ରହିଥିଲା । ଏପର୍ଯ୍ୟନ୍ତ ୨୦୨୩ ସୁଦ୍ଧା ଭାରତ ପାଖରେ ୩ଟି ସ୍କ୍ୱାର୍ଡନ ପହଞ୍ଚିସାରିଛି । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବାକି ୨ଟି ସ୍କ୍ୱାର୍ଡନ ହୋଲ୍ଡରେ ରହିଛି । ଭାରତ ପାକିସ୍ତାନ ଏବଂ ଚୀନ ସୀମାରେ ଏହି S-400 ମୁତୟନ କରିଛି ।
ଚୀନ୍ ପାଖରେ ମଧ୍ୟ ଅଛି S-400
ଖାଲି ରୁଷ କି ଭାରତ ନୁହେଁ ଚୀନ ପାଖରେ ମଧ୍ୟ ରହିଛି S-400 । ଚୀନ୍ ୨୦୧୪ ମସିହାରେ ରୁଷଠାରୁ S-400 କିଣିଥିଲା । ସେବେଠାରୁ ଡ୍ରାଗନ ସେନା ଏହି ପ୍ରଣାଳୀର କ୍ଷମତା ଏବଂ ଦୁର୍ବଳତା ବିଷୟରେ ଜାଣିଛି। ଯାହା ଏବେ ଭାରତର ଚିନ୍ତାର କାରଣ ପାଲଟିଛି। ଭାରତ ଆଶଙ୍କା କରୁଛି, ଚୀନ୍ ପାକିସ୍ତାନକୁ S-400 ବିଷୟରେ ସୂଚନା ପ୍ରଦାନ କରିପାରେ । ଯେଉଁଥିରେ ରାଡାର ଫ୍ରିକ୍ୱେନ୍ସି, ଇଣ୍ଟରସେପ୍ସନ ଲଜିକ୍, ଦୁର୍ବଳତା ଏବଂ ବ୍ଲାଇଣ୍ଡ ସ୍ପଟ୍, ଏବଂ ଇଲେକ୍ଟ୍ରୋନିକ୍ ଜାମିଂ ଭଳି କୌଶଳ ଅନ୍ତର୍ଭୁକ୍ତ । ଯଦି ଏପରି ହୁଏ, ତେବେ ପାକିସ୍ତାନ ଜାମର୍, କମ୍ ଉଡ଼ୁଥିବା କ୍ରୁଜ୍ ମିସାଇଲ୍ କିମ୍ବା ଡ୍ରୋନ୍ ଆକ୍ରମଣ ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭାରତର ବାୟୁ ପ୍ରତିରକ୍ଷାକୁ ପ୍ରତିହତ କରିପାରିବ ।
ପାକିସ୍ତାନର ଷଡଯନ୍ତ୍ର?
ପାକିସ୍ତାନ ପାଖରେ ଏପର୍ଯ୍ୟନ୍ତ କୌଣସି S-400 ଭଳି ନିଜସ୍ୱ ପ୍ରଣାଳୀ ନାହିଁ, ତେବେ ଏଲଓସି ଦେଇ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ରୋକିବାକୁ ଚାହୁଁଛି ପାକିସ୍ତାନ। ଏଥିସହ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ପାଇଁ ମାର୍ଗ ସୃଷ୍ଟି କରିବାକୁ ପ୍ରୟାସ କରୁଛି । ଏଭଳି ସ୍ଥିତିରେ ଯଦି ଚୀନ ଦ୍ବାରା ପାକିସ୍ତାନ ହାତରେ S-400 ବିଷୟରେ ସୂଚନା ଲାଗିଯାଏ । ତେବେ ଭାରତର ବାୟୁସେନା ମିଶନକୁ ଝଟକା ଲାଗିବ ।
Comments are closed.