Latest Odisha News

ଟି୨୦ ଇତିହାସରେ ସର୍ବାଧିକ ରନ ଚେଜ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ବ୍ୟର୍ଥ ହେଲା ଚାର୍ଲସଙ୍କ ରେକର୍ଡ ଶତକ

ସେଂଚୁରିଆନ: ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ୨୫୯ ରନର ବିଶାଳ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ମାତ୍ର କ୍ୱିଂଟନ ଡିକକ ୪୪ ବଲରେ ୧୦୦ ରନ କରି ଦଳରେ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦକ୍ଷିଣଆଫ୍ରିକା ହାତରେ ଆଉ ୭ଟି ବଲ ବାକି ଥାଇ ବିଜୟ ହାସଲ କରି ନେଇଥିଲା । ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏଥିସହ ଦକ୍ଷିଣ ଆଫ୍ରିକା ସର୍ବାଧିକ ରନ ଚେଜ କରିବାରେ ରେକର୍ଡ କରିଛି । ରୀଜା ହେଣ୍ଡ୍ରିକ୍ସ ୨୮ ବଲରେ ବିସ୍ଫୋରକ ୬୮ ରନ କରିଥିଲେ । ପୂର୍ବରୁ ଜନଶନ ଚାର୍ଲସ ସ୍ମରଣୀୟ ଶତକ ହାସଲ କରିଥିଲେ ମଧ୍ୟ ତାହା ବ୍ୟର୍ଥ ହୋଇଛି । ସେ ମାତ୍ର ୩୫ ବଲରେ ଶତକ କରି ନିଜ ଦେଶର କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଥିଲେ । ଗେଲ ୩୯ ବଲରେ ଶତକ ହାସଲ କରିଥିଲେ ।

ବିଶ୍ୱ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର, ଭାରତର ରୋହିତ ଶର୍ମା ଓ ଚେକ ରିପବ୍ଲିକର ସୁଦେଶ ୱିକ୍ରମସେକରା ୩୫ ବଲରେ ଶତକ ହାସଲ କରି ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ଚାର୍ଲସଙ୍କ ୪୬ ବଲରୁ ୧୧୮ ରନ ସହାୟତାରେ ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିଥିଲା ପୁରୁଷ ଟି୨୦ରେ ଏହା ସେମାନଙ୍କ ସର୍ବାଧିକ ସ୍କୋର । ସେ ତାଙ୍କ ଇନିଂସରେ ୧୦ ଚୌକା ଓ ୧୧ ଛକା ମାରିଥିଲେ । ୨୩ ବଲରେ ୫୦ ରନ ପୂର୍ଣ୍ଣ କରିବା ପରେ ଚାର୍ଲସ ମାତ୍ର ୧୨ ବଲରେ ବାକି ୫୦ ରନ କରିଥିଲେ । କ୍ରିସ ଗେଲଙ୍କ ନାମରେ ପ୍ରଫେଶନାଲ ଟି୨୦ କ୍ରିକେଟ ଦ୍ରୁତ ଶତକ ରେକର୍ଡ ରହିଛି । ସେ ଆଇପିଏଲରେ ୩୦ ବଲରେ ଶତକ ହାସଲ କରିଥିଲେ । ଚାର୍ଲସ କିନ୍ତୁ ନିଜ ଦେଶର ଷ୍ଟାର ମହିଳା ଖେଳାଳି ଦିନ୍ଦ୍ରୋ ଡୋଟ୍ଟିନଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଡୋଟ୍ଟିନ ୩୮ ବଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିଲେ ।

Leave A Reply

Your email address will not be published.