Latest Odisha News

BREAKING NEWS

ସାବରିମାଳା ମନ୍ଦିର ପ୍ରସଙ୍ଗ: ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେରଳର ସାବରିମାଳା ମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନର୍ବିଚାର ଯାଚିକା ଏକ ବୃହତ୍ତର ଖଣ୍ଡପୀଠ ଦ୍ୱାରା କରାଇବାକୁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍‌ କରିଛନ୍ତି।

ସାବରିମାଳା ମାମଲାରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାର ପ୍ରଭାବ କେବଳ ମନ୍ଦିର ନୁହେଁ ମସଜିଦରେ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରଭାବ ପକାଇବ। ପରମ୍ପରା ଧର୍ମର ସର୍ବୋଚ୍ଚ ସର୍ବମାନ୍ୟ ନିୟମ ଆଧାରରେ ହେବା ଉଚିତ୍।

କେରଳର ସାବରିମାଳା ମନ୍ଦିରରେ ସବୁ ଆୟୁ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଯାଇଥିଲା। ଏହାକୁ ନେଇ ମହିଳା ସଙ୍ଗଠନଙ୍କ ଦ୍ଵାରା ସୁପ୍ରିମକୋର୍ଟରେ ଏହି ମାମଲା ଉଠାଯାଇଥିଲା। ଯାହାପରେ ସୁପ୍ରିମକୋର୍ଟ ମହିଳାଙ୍କ ପକ୍ଷରେ ଶୁଣାଣି କରିଥିଲେ। ଏହି ଶୁଣାଣିରେ ସବୁ ଆୟୁ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ଅନୁମତି ଦିଆଯାଇଥିଲା।

ମାମଲାର ବିଚାର ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵାଲିକର୍‌ ଏବଂ ଇନ୍ଦୁ ମାଲହୋତ୍ରା ସାବରିମାଲା ମାମଲା ୭ ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଦ୍ବାରା ବିଚାର ହେଉ ବୋଲି ମତ ରଖିଥିଲେ। ଏହି ତିନି ଜଣ ନିଜ ରାୟରେ କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏବଂ ପ୍ରଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଥିବାରୁ ଏହା ୭ଜଣିଆ ଖଣ୍ଡପୀଠଙ୍କ ବିଚାର ଆବଶ୍ୟକ କରୁଛି। ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଭିନ୍ନ ମତ ପୋଷଣ କରିଥିଲେ।

ସୂଚନାଯୋଗ୍ୟ, ୧୦ ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାମାନଙ୍କ ଲାଗି ବାରଣ କରାଯାଇଥିବା ମନ୍ଦିର ପ୍ରବେଶ ନିୟମକୁ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ନିଷିଦ୍ଧ କରିଥିଲେ। ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିଲା। ୪:୧ ଅନୁପାତ ସଂଖ୍ୟା ଗରିଷ୍ଠତା ରାୟ ଭିତ୍ତିରେ ସୁପ୍ରିମ୍‌ କୋର୍ଟ ମହିଳାଙ୍କୁ ସାବରିମାଲା ମନ୍ଦିର ବାରଣ ପ୍ରଥାକୁ ବେଆଇନ ଏବଂ ଅଣସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ଗତ କିଛି ଦିନ କେରଳରେ ରାଜନୈତିକ ମାହୋଲ ମଧ୍ୟ ବେଶ୍ ସରଗରମ ଥିଲା।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗୁରୁବାର ଦିନ ସାବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.