ଅଚ୍ୟୁତାନନ୍ଦ ଧଳ
ପାଦକୁ ଧୋଉଛି ବିଶାଳ ଦରିଆ
ଶୀତଳ ପରଶ ଦେଇ,
ଶରୀରେ ରହିଛି ସବୁଜ ବନାନୀ
ସେହି ମୋ ଉତ୍କଳ ଭୁଇଁ।
ଓଢଣୀ ଯାହାର ଗିରି ଶୃଙ୍ଗମାଳ
ନୀଳଗିରି କପିଳାସ,
ଖଣ୍ଡଗିରି ଆଉ ଧଉଳି ପାହାଡ
ରଚିଅଛି ଇତିହାସ।
ଯା’ବକ୍ଷେ ଖେଳୁଛି ସବୁଜ ଫସଲ
ଚୀର ପ୍ରସବିନି ନଦୀ,
କଟକ ସହର ବାରବାଟି ଗଡ଼
ନୀଳାମ୍ବୁ ଚିଲିକା ଆଦି।
ଯାହାର ମାଲିକ ସ୍ଵୟଂ ପରଂବ୍ରହ୍ମ
ଶ୍ରୀମନ୍ଦିରେ ପୂଜା ପାଏ,
ପୃଥିବୀ ବିଖ୍ୟାତ ପ୍ରଭୁ ଜଗନ୍ନାଥ
ଉତ୍କଳ ଗାରିମା ଗାଏ।
ଘୋଷ ଯାତ୍ରା ତାଙ୍କ ପୃଥିବୀ ବିଖ୍ୟାତ
ଭକତକୁ ଆଣେ ଟାଣି,
ସବୁଠୁ ବୃହତ ତାର ରୋଷ ଶାଳ
ନିଆରା ଟଙ୍କ ତୋରାଣି।
ମନ୍ଦିର ମାଳିନୀ ଭୁବନେଶ୍ୱର ଯେ
ପୃଥିବୀରେ ରଖି ଖ୍ୟାତି,
ଖେଳ ମାନଚିତ୍ରେ ସ୍ଥାନ ପାଇଅଛି
ଉତ୍କଳର ସ୍ମାର୍ଟ ସିଟି ।
ଇତିହାସ ଯାର ଗୌରବ ମୟ
ସାଧବ ପୁଅକୁ ନେଇ,
ଯାଆନ୍ତି ବୋଇତେ ଜାଭା ସୁମାତ୍ରା କୁ
ବଣିଜ ବେପାର ପାଇଁ।
କେତେ କେତେ ବୀର ଜନମ ଲଭିଣ
ରଖିଲେ ଉତ୍କଳ ଟେକ,
ପରାଧୀନ କଣ ଜାଣିନି ଏ ମାଟି
ହେଉ ସେ ଦୃଷ୍ଟ ଅଶୋକ।
ସାଧୁ ସନ୍ଥଙ୍କର ଏ ଆରାଧ୍ୟ ପୁର
ଜ୍ଞାନୀ ଗୁଣୀ ଜନ୍ମଭୂମି,
ଜଗନ୍ନାଥ ଦାସ ଶାରଳା ଦାସ ଯେ
ରଚିଲେ କାବ୍ୟ କାବ୍ୟାଣୀ।
କାରୁକାର୍ଯ୍ୟ ଯାହା କୋଣାର୍କ ବଖାଣେ
ସପ୍ତାଶ୍ଚର୍ଯ୍ୟ ସ୍ଥାନ ପାଏ,
ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉଦୟଟି
ସବୁରି ମନକୁ ଭାଏ।
ବାର ମାସେ ତେର ପରବ ଯାହାର
ଓଡ଼ିଆ ଯାହାର ଭାଷା,
ଭାଇଚାରା ଭାବେ ସବୁ ଧର୍ମ ସାଥେ
ଗର୍ବିତ ଆମ ଓଡ଼ିଶା ।
ବନ୍ଦେ ଉତ୍କଳ ଜନନୀ ରଚିଲେ
କାନ୍ତ କବି ଲକ୍ଷ୍ମୀକାନ୍ତ,
ଗାଇବା ଆମେରେ ସଭା ସମିତିରେ
ପ୍ରିୟ ଉତ୍କଳ ସଙ୍ଗୀତ।
Comments are closed.