ଭାରତ ମାଝୀ
ତୁ ତମେ ଦେବତା କହିବୁନି କେବେ, ପ୍ଲିଜ୍!
ମହାଳୟାରେ ଆଇଁଷ ଖାଇଚି
ପିତୃଙ୍କୁ ଦେଇନି ପିଣ୍ଡ,
ଜାଣିଜାଣି ଅରଷ୍ଟି, ଯମର ଦୁରୁଦଣ୍ଣ!
ହେଲେ ଆ’, ତତେ ଦେବୀ କରିଦେବି,
ମୁଁ ମହୀଷ ହୁଏ ପଛେ
ତୋ ‘ଜାନୁ ଯଉବନ ଖୋଲା ଅଙ୍ଗେ ନାହିଁ ବାସ’ ତ ଦେଖିବି!
ତୁ ମତେ ଦେବତା କହିବୁନି କେବେ, ପ୍ଲିଜ୍!
ମୁଁ ଶଂକିତ ହେଲା ବେଳେ
ତତେ ଭାବିଚି ନାରୀ, ଛୋଟଲୋକ,
ଭାବିଚି, ତୋ ପଢାଶୁଣା କମ୍
(ମା’, ଜେତେମା’, ଆଈକି ଭୁଲିଯାଇଚି!)
ତୋ ଦେହରେ ଆଉ କାହାର ଭଣତି,
ଭାବିଚି, ତୋର ଆଉ କୋଉ ଜାତି!
ଏ’ଠି ସମସ୍ତେ ଦେବୀ
ଧରିନେ’ ଆଜିଠାରୁ,
ପ୍ରତିମା ନାୟକ, ଅଳକା ସାନ୍ୟାଲ୍ ଓଗେର୍
ସଭିଏଁ ଦେବୀ,
କବିମାନଙ୍କର ଦାବି!
ହେଲେ ତୁ ମତେ କବି କହିବୁନି କେବେ, ପ୍ଲିଜ୍!
ବିଲୁଆଖାଇ ନଈପଠାରେ ତୁ ଧର୍ଷିତା ହେଲାବେଳେ
ମୁଁ ଲେଖିଚି ରାଧା, ଦୂତୀ, ପ୍ରେମ ଚଉପଦୀ,
ଫାନ୍ଦିଚି କବିତା, ପାଲାର ବାଦୀ!
ତୁ କୁମାରୀ, ତୁ ଜୁଆରୀ
ଦେହଜୀବୀ କି ଦାହଜୀବୀ-
ମୁଁ ଜାଣେନା,
ଦୟାକରି ମତେ ପୁରୁଷ କହନା!
ତୁ କେବଳ ତିଳପୁଷ୍ପ ନାସା, ତୋର ଓଲଟ ରମ୍ଭା ଜଘନ,
ତୋ ଭ୍ରୂଲତା କାମ କମାଣ
ତୁ କେବଳ ଓଠ, ଆଖି, ନିତମ୍ବ, କନ୍ଦର୍ପ ଫାଶ-
ଭାବେ ମୁଁ, ଯେମିତି ଭାବୁଥିଲା ମୋର ବାପା,
ମୁଁ ରାବଣ, ଦୁର୍ଯ୍ୟୋଧନ, ମୁଁ ମହୀଷ, ମୁଁ ପୁତ୍ର, ମୁଁ ବାପା !
Comments are closed.