ଭାରତୀ ସରିତା ମହାନ୍ତି
ଯାହାକୁ ପାଇଛି ଆଜି ସିଏ ମୋର
ସପନ ରାଇଜ ରାଜ କୁମାର
ବିଜନ ରଜନୀ ଗାଇଲା କାହାଣୀ
ଦୁଃଖର ସାଗର ହେଲି ମୁଁ ପାର।
ଚାନ୍ଦିନୀ ରାତିରେ ରୂପା ଜହ୍ନ ପରି
ତୋଫା ଦିଶେ ତୁମ ଦେହ ଓ ମନ
ପ୍ରତି ରାତି ଲାଗେ ପୂର୍ଣ୍ଣିମାର ରାତି
ଦିବସେ ରଜନୀ ଦେଖେ ସପନ।
ମଉଳା ଫୁଲଟି ହେଲା ପ୍ରସ୍ଫୁଟିତ
ଅସମ୍ଭବ ଆଜି ହେଲା ସମ୍ଭବ
ତନୁରେ ତନୁରେ ଭାବ ବିନିମୟ
ଛୁପା ସତ୍ୟ ଏବେ ହେଲା ଉଦ୍ଭବ ।
ଉଜ୍ଜୀବିତ ହେଲା ସୁନେଲି ସପନ
ଓଠ ଦୁଇ ଧାରେ ଫୁଟିଲା ହସ
ମାନ ଅଭିମାନ ଦେହ ଛୁପା ଦେଇ
ମନେ ଆଣି ଦିଏ ଶକ୍ତି ସାହସ।
ଭଅଁର ଗାଇଲା ପ୍ରେମର ସଙ୍ଗୀତ
ଫୁଲଟିଏ ସଦା ହେଲା ସତେଜ
ମନ ପ୍ରଜାପତି ଖଣ୍ଡି ଉଡା ଦେଇ
ବୁଣିଲା ସବୁଠି ପ୍ରୀତି ମୁରୁଜ।
ଚାନ୍ଦିନୀ ରାତିରେ କଇଁ ଚନ୍ଦ୍ରମାର
ଶୁଭ ଲଗନରେ ହେଲା ମିଳନ
ଶ୍ରାବଣରେ ସେହି ସାଧବ ବୋହୂଟି
ପିନ୍ଧି ଦେଇଥାଏ ନାଲି ବସନ।
ବିଶ୍ୱାସରେ ସଦା ରହିଲା ନିଃଶ୍ୱାସ
ପ୍ରତୀକ୍ଷାର ଦୀପ ଦେଲି ଜଳାଇ
ସଳିତା ସାଜି ମୁଁ ସଦା ଜଲୁଥିବି
ଆସିବା ପଥକୁ ରହି ଅନାଇ।
ବାଲିଆପାଳ
ବାଲେଶ୍ୱର
Comments are closed.