Latest Odisha News

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା

ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି
ପଡୋଶୀ ସାଜି ଆମ ଆଖ ପାଖରେ
ଅବେଳରେ କରୁଥାନ୍ତି କିଚିରି ମିଚିରି।
ଆମର ତ ମୋଟାମୋଟି ଯନ୍ତ୍ର ଜୀବନ
ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ
ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି।

ସେମାନେ ତ ଏମିତି ଓଳିଆରୁ ଗଜା
ସହଜରେ ଦିଅନ୍ତିନି କାହାକୁ ବି ଧରା,
ଧରିବାକୁ କେତେ କ୍ଲିଷ୍ଟ କସରତ ପରେ
ଆସନ୍ତି ଅୟସର ଦୋଳିରେ ଝୁଲି ଝୁଲି
ସତେ କେଉଁ ଅଳସୀ ରାଜକନ୍ୟା ପରା !

ଅନୁଚ୍ଚ ଆକଟ କରି ବସାଇ ବି ଦେଲେ
ଚପଳଛନ୍ଦାମାନେ କି ଶୁଣନ୍ତେ ଟିକିଏ?
ନୂଆ ନୂଆ ଖଡ଼ି ଛୁଉଁଥିବା ଶିଶୁ ପରି
ବସିଥିଲେ ଅବଧାନୀ ଚାଞ୍ଚର ପିଠିରେ।
ଚାଲିଥିବ କେତେ ରଙ୍ଗଢଙ୍ଗ ନଟଖଟ
ଗାରାଗୁରି ଠାରାଠୁରି ଭିତରେ ଭିତରେ।

ଆଖି ପଲକରେ ହୋଇ ପାରନ୍ତି ଅଦୃଶ୍ୟ
ମିଛ ଖୁସିର ସ୍ବପ୍ନରେ କରି ଆତ୍ମହରା
ଚିରକାଳ ଖେଳି ଖେଳି ଏମିତି ଏମିତି
ନାନା ରଙ୍ଗେ ପରଷନ୍ତି ଭାବର ପସରା।

ଅଢେଇଗୁଣ୍ଡି, କାନପୁର
କଟକ, ପିନ୍-୭୫୪୦୩୭
ମୋ-୯୩୪୮୦୪୨୦୬୬

Comments are closed.