ବିଶ୍ବରଞ୍ଜନ ଦାଶ
ଚିହ୍ନା ଚିହ୍ନା କେହିଜଣେ ଅଚିହ୍ନା ଋତୁରେ ଆସି
ବୋଳିଦିଏ ମୋ କପାଳେ ଅଫୁଟା ଫୁଲର ମୁହଁ
ଅନ୍ଧାରପଣର ମାୟା ପାପୁଲିରେ ଆଙ୍କିଦେଇ
ଅଲୋଡା ପଥର ଦେହେ ଖୋଜିବୁଲେ ଛାୟା ଦିଅଁ ।।
ଲିଭି ଲିଭି ଆସୁଥିବି ଜାଳିବାର ବାହାନାରେ
କେହିଜଣେ ଶୋଷିନିଏ ବଳକା ମୋ ଆୟୁଷକୁ
ସମୟର ସୁଅକାଟି ଅସମୟେ ଡେଣାଛାଟି
ଗଭୀରତା ନମାପି ବି ପାଦଥାପେ ଭାସିବାକୁ ।।
ଦୂର ଆକାଶର ଜହ୍ନ କି ଜାଣେ ପୁନିଅଁ-ଉଆଁସ
ସାତସିଆଁ ସମ୍ପର୍କରେ ଦରଜର ଭାଗ ମାପ
ଛାତିତଳ ମୁଖା ତଳେ ଲୁଚିରହେ କେତେ କଥା
ନିଃଶବ୍ଦ ପୃଥିବୀ ବକ୍ଷେ ରହେ ନାହିଁ କେବେ ଛାପ ।।
ଅଭିମାନୀ ଇନ୍ଦ୍ରଧନୁ ଲାଜର ଗହଣା ନାଇ
ଅମାନିଆ ରଙ୍ଗ ଟୋପେ ଛିଞ୍ଚିଦିଏ ଓଠ ଚାପି
ଝରକା ଫାଙ୍କରେ ଦେଖି ଅସଂଖ୍ୟ ପ୍ରେମର ଚିହ୍ନ
ପ୍ରୀତି ଜୋଛନା ଫଗୁଣ ନିଜ ଦେହେ ଦିଏ ଲେପି ।।
ଚିହ୍ନା ଚିହ୍ନା କେହିଜଣେ ଅଚିହ୍ନା ରୂପରେ ଆସି
ଜାଳିଦିଏ ମୋ ଆଖିରେ ଆଦେଖା ସ୍ୱପ୍ନର ଜହ୍ନ
ବିଭୋରପଣର ଛନ୍ଦ ହୃଦୟରେ ବାନ୍ଧିଦେଇ
ନିରୋଳାରେ ସ୍ମୃତି ତିରେ ଖୋଜିବୁଲେ ପାଦଚିହ୍ନ ।।
ବୀରମହାରାଜପୁର, ସୁବର୍ଣ୍ଣପୁର
Comments are closed.