Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଜନସେବକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୭

ମୂଳ ବଙ୍ଗଳା: ସତୀନାଥ ଭାଦୁଡ଼ି 

ପୂର୍ଣ୍ଣିଆର ଗୋପାଳପୁର ପୁଲିସ ଜିଲ୍ଲା ଓ ଦୀନାଜପୁରର ଶ୍ରୀପୁର ମଧ୍ୟ ଦେଇ ନାଗର ନଈଟି ପ୍ରବାହିତ । ପାହାଡ଼ୀ ଝରଣାଟି ଏ ଅଞ୍ଚଳରେ ବେଶୀ ବେଗରେ କି ଅଙ୍କାବଙ୍କା ହୋଇ ବହୁ ନ ଥିଲା । ସେଇଥିଲାଗି ନଈଟା ଯେତେ ବଢ଼ୁ କି କମୁ, ତା’ଉପରେ ଥିବା କାଠ ପୋଲଟା ଅନେକ ଦିନୁ ସେମିତି ଅତୁଟ ଅବସ୍ଥାରେ ଥିଲା । ଏ ପୋଲଟି ଢେର୍‍ ଦିନ ପୂର୍ବେ ଏଠାରେ ନିର୍ମିତ ହୋଇଥିଲା ଓ ଦଦରା ହୋଇସାରିଥିଲା । ଏଇ ପୋଲ ଉପର ଦେଇ ଉତ୍ତର ବଙ୍ଗଳାରୁ ଦକ୍ଷିଣ ବିହାରକୁ ପୂର୍ବେ ସୈନ୍ୟମାନେ ଯା’ଆସ କରୁଥିଲେ । ସେଇ ବାଟରେ ଏ ପୋଲଟି ପଡ଼େ । ପୋଲର ଉଭୟ ପାଶ୍ୱର୍ରୁ ବିପରୀତ ଦିଗକୁ ରାସ୍ତା ଲମ୍ବି ଯାଇଥିଲା । କିନ୍ତୁ ଏ ରାସ୍ତାର ଓ ଏ ପୋଲର ମହତ୍ତ୍ୱ ଅନେକ ଦିନୁ କମି ସାରିଥିଲା । ଗତ କେଇ ବର୍ଷ ଭିତରେ ଗୋପାଳପୁର ନିକଟବର୍ତ୍ତୀ ଆରୁଆଖୋଆ ବଜାରକୁ ଛାଡ଼ି ଏ ଇଲାକାରେ ଆଉ କିଛି ଆଖିଦୃଶିଆ ଭାବେ ବୃଦ୍ଧି ପାଇ ନ ଥିଲା ।

ଯୁଦ୍ଧ ପରେ ଏଇ ବାଟ ଦେଇ ଚୋରାରେ ଜିନିଷପତ୍ର କାରବାର ଅବଶ୍ୟ ବଢ଼ିଥିଲା । ମାଲଦା ଆଡ଼ୁ ଅନ୍ୟ ଗୋଟିଏ ରାସ୍ତା ଆସି ବଜାର ପାଖରେ ମିଶିଥିଲା । ପୋଲର ପଶ୍ଚିମ ପଟକୁ ସାପ୍ତାହିକ ହାଟ ବସେ । ମାଲଦା ଆଡ଼ୁ ଆସିଥିବା ରାସ୍ତାଟି ମାଲଦା ଓ ଜଳପାଇଗୁଡ଼ି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରେ । ସେ ରାସ୍ତାଟି ସେଠାରୁ ସିଲିଗୁଡ଼ି ପର୍ଯ୍ୟନ୍ତ ଲମ୍ବିଥିଲା । ବେଳେବେଳେ ମାଲଦା, ଦୀନାଜପୁର ଓ ଜଳପାଇଗୁଡ଼ି ଆଡୁ ତିନିପଟୁ ଅଜସ୍ର ମାଲବୋଝେଇ ଶଗଡ଼ ଆସି ଏଇ ପୋଲ ପାଖରେ ଏକଜୁଟ ହୁଅନ୍ତି । ଗଲା ବର୍ଷ ବକ୍‌ରୀ ଇଦ୍ ପୂର୍ବରୁ ସ୍ଥାନୀୟ ଏସଡିଓ ଯେତେବେଳେ ବଜାରର ଇଜରାଦାରଙ୍କ ନିକଟରୁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସରକାରୀ କାଗଜପତ୍ରରେ ଲେଖେଇ ନେବାକୁ ଆସିଥିଲେ ତାଙ୍କ ସରକାରୀ ଜିପ୍‍ଟା ବାଟରେ ଅଟକି ଯାଇଥିଲା । ସେଇ ଘଟଣା ପରେ ରାସ୍ତାର ସବୁ
ଖାଲଖମାକୁ ତୁରନ୍ତ ମରାମତି କରି ଦିଆଯାଇଥିଲା । ସୁଧାନୀ ରେଳ ଷ୍ଟେସନ ଏ ଇଲାକାକୁ ବାହାର ଦୁନିଆ ସହିତ ସଂଯୋଗ କରେ । କିନ୍ତୁ ସୁଧାନୀ ଏ ପୋଲଠାରୁ ପ୍ରାୟ ଷୋହଳ ମାଇଲ ଦୂରରେ ଅବସ୍ଥିତ ।

ଆର୍ରୁଆଖୋଲ ହେଲା କଳାବଜାରୀଙ୍କ ପେଣ୍ଠସ୍ଥଳୀ । ସେଠାରୁ ଗାଈ, ମଇଁଷି, ଘିଅ, ଚିନି ପୋଲ ପଟ ଡେଇଁ ବଙ୍ଗଳାରୁ ବାହାରକୁ ଚାଲାନ ହୁଏ ଓ ବାହାରୁ ଧାନ, ଚାଉଳ ବଙ୍ଗଳା ଭିତରକୁ ଆସେ । ଏ ଇଲାକାରେ ହିନ୍ଦୁ, ମୁସଲମାନ ଲୋକସଂଖ୍ୟା ପ୍ରାୟ ସମାନ । ସମସ୍ତେ ମିଳିମିଶି ଚଳନ୍ତି । ଅଧିକାଂଶ ହିନ୍ଦୁ ରାଜବଂଶୀ । ଗତ ବର୍ଷ କଲିକତା, ବିହାର ଓ ନୂଆଖାଲି ଆଡ଼ୁ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା
ଖବର ଆସି ଏଠାରେ ପହଞ୍ଚିଥିଲା,  ତା’ପରେ ଏ ଇଲାକାରେ ବି ବେଶ୍ ଦଙ୍ଗା ଲାଗିଥିଲା । ହେଲେ ସେ ଦଙ୍ଗା ଯେମିତି ଆକସ୍ମିକ ଭାବରେ ଆରମ୍ଭ ହୋଇଥିଲା, ସେମିତି ଆପେ ଆପେ ଥମି ଯାଇଥିଲା । ଦୁଇ ସମ୍ପ୍ରଦାୟର ଲୋକେ ପରସ୍ପର ଭିତରେ ଥିବା ବିବାଦକୁ ପୁଣି ଭୁଲି ଯାଇଥିଲେ । ସ୍ୱାଭାବିକତା ଫେରି ଆସିଥିଲା । ଉଭୟ ସମ୍ପ୍ରଦାୟ ପରସ୍ପର ଉପରେ ନିର୍ଭରଶୀଳ । ତେଣୁ ବେପାର ବଣିଜଠାରୁ ଆରମ୍ଭ କରି ସବୁ କାମରେ ଉଭୟେ ମିଳିମିଶି ଚଳିବାକୁ ବାଧ୍ୟ । ହେଲେ ଆଉ ଥରେ ସେଇ ପୁରୁଣା କ୍ଷତକୁ କିଏ ଯେପରି ଉଖାରି ଦେଇଥିଲା । ପୁଣିଥରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ନିଆଁଟା ହୁତ୍‌ହୁତ୍‌ ହୋଇ ଜଳି ଉଠିଥିଲା ।

ଜୋହରମଲ ଡୋକନିଆର ସ୍ଥାନୀୟ ଏଜେଣ୍ଟ ହେଲେ ମୁନୀମ୍ ସା’ବ୍ । ଜୋହରମଲ ହେଲେ ସ୍ଥାନୀୟ ବଜାରରେ ସୁଧାନୀ ଡିପୋର ମାଲିକ । ଦିନେ ଶନିବାର ରାତିରେ ମୁନିମ୍ ସାବ୍ ଶଗଡ଼ରେ ଜିନିଷପତ୍ର ଲଦି ବାହାରିଥାଆନ୍ତି । ଶଗଡ଼ରେ ଲଦା ହାଇଥିାବ ଚିନିବସ୍ତା ଉପରେ କାନଭାସ କବଡ଼ା ଖଣ୍ଡେ ଘୋଡ଼ା ହୋଇଥାଏ । ରାତିରେ ଖାଇସାରି ବାହାରିବାର ଅର୍ଥ ହେଲା, ତା’ପର ଦିନ ସକାଳୁ ସକାଳୁ ଆରୁଆଖୋଆରେ ପହଞ୍ଚିହେବ । ଶଗଡ଼ରେ ବସି ବିଡ଼ି ଖଣ୍ଡେ ଟାଣି ଶେଷର ତାକୁ ସେ ଶଗଡ଼ିଆ ବିଲାତ ହାତକୁ ବଢ଼େଇଦେଲେ । ବିଲାତ ଅଧଟଣା ବିଡ଼ିଖଣ୍ଡକ ପାଇ ମନେ ମନେ କୃତକୃତ୍ୟ ହୋଇଗଲା ।

‘ମୁନୀମଜୀ, ଆପଣ କ’ଣ ଶୋଇବେନି? ଆରୁଆଖାଆ ବଜାର ହେଲା ପର୍ଯ୍ୟନ୍ତ ଆପଣ ଚେଇଁବାର କିଛି ଦରକାର ନାହିଁ । ଏ ରାସ୍ତାରେ ତ ଘଣ୍ଟାକୁ ଦି’ମାଇଲ ବାଟ ଶଗଡ଼ରେ ଯାଇପାରିବା । ରାତି ଅନ୍ଧାର ଲାଗି ଆମକୁ ଆଉ ଘଣ୍ଟାଏ ଅଧିକ ସମୟ ଲାଗିବ । ସେଇ ହିସାବରେ ଆରୁଆଖୋଆ ଆଗରୁ ଆପଣ ନିଦ ଭାଙ୍ଗି ସକାଳ ହାତମୁହଁ ଧୋଇ ପାରିବେନି ।’

ମୁନୀମଜୀଙ୍କ ମିଜାଜ ଆଜି ବେଶ୍ ଖୁସି ଥିଲା । ଆରୁଆଖୋଆରେ ପହଞ୍ôଚବା ପରେ ଦେଶ ଦୁନିଆର ହାଲଚାଲ କଥା କେତେ ଲୋକ ତାଙ୍କୁ ପଚାରିବେ । ବାଟରେ ଯେଉଁମାନେ ଭେଟିବେ ସେମାନେ ବି ତାଙ୍କଠାରୁ ସେସବୁ ଜାଣିବାକୁ ଚାହିଁବେ । କୋନସୀ ଏଲ.ପି. ସ୍କୁଲର ମାଷ୍ଟର ତ ନିଶ୍ଚେ ସବୁ କଥା ପାଚାରି ବୁଝିବେ । ଯେତେହେଲେ ସିଏ ହେଲେ ଏତେ ବଡ଼ ଡିପୋର ମୁନୀମ୍ । ଲେଖାପଢ଼ାରେ ଧୂରନ୍ଧର । ତା’ଛଡ଼ା ତାଙ୍କ ମାଲିକଙ୍କ ଘରେ ଟେଲିଫୋନ୍ ଯନ୍ତ୍ର ଲାଗିଚି । ସେଥିରେ ବାହାର ଦୁନିଆର କେତେକେତେ ତାଜା ଖବର ଆସୁଚି । ସେଇ ଯନ୍ତ୍ରରେ ଦୋକାନିଆଜୀଙ୍କ ସାଙ୍ଗରେ ଖୋଦ୍ ବଡ଼ଲାଟ କଥାବାର୍ତ୍ତା ହୁଅନ୍ତି । ଆହୁରି କେତେ କେତେ ଲୋକ ଦୋକାନିଆଜୀଙ୍କ ପାଖକୁ ଢେର୍ ଖବର ପଠାନ୍ତି । ତାଙ୍କୁ ଖୁସ୍ କରିବା ସକାଶେ କେତେ କେତେ ମହିଳା ଗୀତ ଗାଆନ୍ତି, ନାଟ ତାମସା କରନ୍ତି । ତେଣୁ ମୁନୀମଜୀଙ୍କ କଥା ସେ ଇଲାକାର ଲୋକଙ୍କପାଇଁ ହୁକୁମ୍‌ଭାବରେ ଗ୍ରହଣୀୟ ହୋଇଥାଏ ।

‘ଯଦି କେହି ବାଟରେ ପଚାରନ୍ତି ଯେ ଆମେ ଶଗଡରେ କ’ଣ ନେଉଛେ, ଆଳୁ ଯାଉଛି ବୋଲି ତୁ କହିବୁ । ଆଳୁବସ୍ତାକୁ ତୁ ଆଗରେ ରଖିଛୁ ତ?’
:‘ଜୀ ହଜୁର୍ ।’
:‘ମୁଁ ପଛପଟେ ଲଦା ହୋଇଥିବା ଚିନିବସ୍ତା ଉପରେ ଟିକେ ଗଡ଼ିପଡ଼ୁଛି । ଆଗରେ
ଚିନିବସ୍ତା ରଖିଥିଲେ, ଶଗଡ଼ଟା ଗଡ଼ିବାକୁ ସୁବିଧା ହୋଇଥାଆନ୍ତା ।’
:‘ଜୀ ।’

: ନିଘା ରଖିଥିବୁ

ଆମେ କେତେବେଳେ ମୀରପୁରରେ ପହଞ୍ଚୁଛେ । ସେଠାକାର ଗାଆଁ ଉପଦେଷ୍ଟା କମିଟିର ସଂପାଦକଟା ପୂରା ବଦମାସ୍ । ଆଜିକାଲି ସବୁ ମୂର୍ଖ ଏମିତିକିଆ ସମ୍ପାଦକ ହେବାକୁ ଗୋଡ଼ କାଢ଼ି ବାହାରିଚନ୍ତି । ତୋତେ ଯଦି ସେଠାରେ କେହି କିଛି ପଚାରେ, ତା’ହେଲେ ମୋତେ
ନିଦରୁ ଉଠେଇଦେବୁ । ଆଉ ସେଇ ଗାଆଁ ଦେଇ ଗଲାବେଳେ, ବଡ଼ ପାଟିରେ ଗୀତ ବୋଲି ବୋଲି ଯିବୁ । ଆମେ ତୁନି ପଡ଼ିଗଲେ ସେମାନଙ୍କ ମନରେ ଅଯଥା ସନ୍ଦେହ ହେବ । ତୁଚ୍ଛାଟାରେ କିଏ ଟଙ୍କା ଖର୍ଚ୍ଚ କରିବ କହିଲୁ? ଗାଁ ସମ୍ପାଦକଙ୍କ ମୁଣ୍ଡପିଛା ଦଶଟଙ୍କା! ମୀରପୁର ସମ୍ପାଦକ ତ ପଚାଶଟଙ୍କା ତଳକୁ ନେବାକୁ ରାଜି ହେବନି । ତେଣୁ ହୁସିଆର ଥିବୁ ।’

: ମତେ ଏକଥା ଚେତେଇବା ଦରକାର ନାହିଁ ହଜୁର! ମୁଁ ସବୁ ଜାଣିଚି । ଆପଣ ନିଶ୍ଚିନ୍ତରେ ଶୋଇ ଯାଆନ୍ତୁ । ମୁଁ ସବୁ ସମ୍ଭାଳିନେବି । ବାଟରେ କିଛି ଅସୁବିଧା ହେବନି ।’ କିନ୍ତୁ ମୁନୀମଜୀଙ୍କ ଆଖିକୁ ନିଦ ଆସୁ ନ ଥିଲା । ସେ ଯେଉଁ ଖବର ନେଇ ଯାଉଛନ୍ତି, ବଜାରରେ
ସମସ୍ତେ ଆବାକାବା ହୋଇଯିବେ । ଏ ଇଲାକାର କେହି କେବେ ଏମିତିକା ଚାଞ୍ଚଲ୍ୟକର ଖବର ଆଗରୁ ଶୁଣିନାହାନ୍ତି … ଓଃ! ଏ ପିମ୍ପୁଡ଼ିଗୁଡ଼ାକ ମରୁ ନାହାନ୍ତି କାହିଁକି, ମଣିଷକୁ ଟିକେ ଶାନ୍ତିରେ ଶୁଆଇ ଦେଉ ନାହାନ୍ତି । ଶଳା ବିଲାତ୍ କ’ଣ ଅଖାକୁ ଝାଡ଼ି ଲଦି ନଥିଲା?’

: ହେ ବିଲାତ୍‌, ଶୋଇଗଲୁ ନା କ’ଣ?

: ନାଇଁ ହଜୁର୍ । ମୋ ଆଖିପତା ଟିକେ ଲାଗି ଆସୁଥିଲା ।

ମୁନୀମଜୀଙ୍କୁ ଜଣାଥିଲା ଯେ ଏବେ ବିଲାତ ତାଙ୍କଠାରୁ ଖଣ୍ଡେ ବିଡ଼ି ଅସୁଲ କରିବ । ବିଚରାକୁ ଶଗଡ଼ ଆଗରେ ସାରାରାତି ସେମିତି ଉଜାଗରରେ ବସିବାକୁ ପଡ଼ିବ । ତାକୁ ବିଶ୍ୱାସ କରିବା କଥା ଯେ ସିଏ ଯେମିତି ବାଟସାରା ଦରଶୁଣା କଥାକୁ ଅନ୍ୟମାନଙ୍କ ଆଗରେ ପ୍ରଘଟ ନ କରେ ।

‘ଏଇ ନେ, ବିଡ଼ି ଆଉ ଦିଆଶିଲି । ହଁ, ଆଜି ଆମେ ସୁଧାନୀରେ ଯେଉଁ କଥା ଶୁଣିଲେ, ସେକଥା କାହାରି ଆଗର କହିବୁନି । ତୋତେ ହୁସିଆର କରିଦେଉଚି ।’ ସେପର୍ଯ୍ୟନ୍ତ ବିଲାତ ସେ ଖବର ପ୍ରତି ବେଶୀ ଧ୍ୟାନ ଦେଇ ନ ଥିଲା । ଏବେ ସେ ମନେ ପକାଇବାକୁ
ଚେଷ୍ଟାକଲା, ସେ କ’ଣ ଶୁଣିଥିଲା ।

: ଆପଣ ମୋ ଉପରେ ଭରସା ରଖନ୍ତୁ ମୁନୀମ ସା’ବ୍ । ମୁଁ ଏତେ ବର୍ଷ ଧରି ଆପଣଙ୍କ ଲୁଣ ଖାଇଚି । କେବେ ଆପଣଙ୍କୁ ଧୋକା ଦେଇଚି ନା ଦେବି? ଆମେ ହେଲୁ ଗରିବ ଲୋକ, ଆମକୁ ଏମିତିକା ଖବରରୁ କ’ଣ ମିଳିବ କହିଲେ?

ଏତିକି କହି ସେ ମୁନୀମଜୀଙ୍କ ହାତରୁ ବିଡ଼ି ଖଣ୍ଡିକ ନେଇ ଖୁସିରେ ସେଥିରେ ନିଆଁ ଧରେଇଲା । ଏଥର ବଳଦ ଦିହିଁଙ୍କ ଲାଞ୍ଜକୁ ସାମାନ୍ୟ ମୋଡ଼ି ସେ ଶଗଡ଼ଟାକୁ ବାଁ ଦିଗକୁ ମୁହାଁଇଲା ଓ ବଳଦ ଦି’ଟାଙ୍କ ଉଦ୍ଦେଶ୍ୟରେ ସାମାନ୍ୟ ଗାଳି ଦେଲା ।

ମୁଶାର ସାହୁ ଦୋକାନ ପାଖରେ ଶଗଡ଼ଟା ପହଞ୍ଚିଲା ବେଳକୁ ସକାଳ ଯାଇ ଦିନ ଦଶଟା ବାଜି ସାରିଥିଲା ।

: ରାମ, ରାମ, ମୁନୀମଜୀ!’
:‘ଜୟ ଗୋପାଲ, ଜୟ ଗୋପାଲ!’

ମୁଶାର ସାହୁ ଓ ତା’ପୁଅ ଦିହେଁ ମିଶି ଶଗଡ଼ରୁ ଚିନିବସ୍ତାସବୁ ଅଗଣାକୁ ବୋହିନେଲେ । ଅନ୍ୟମାନେ ଯଥାଶୀଘ୍ର ଆସି ସେଠାରେ ପହଞ୍ଚିଯିବେ ।
:‘ମାତ୍ର ଚାରିବସ୍ତା?’

‘ଜାଣିଛ, ଆଜିକାଲି ଜିନିଷପତ୍ର ନେବା ଆଣିବା କିପ୍ରକାର କଷ୍ଟକର ବ୍ୟାପାର ହେଲାଣି?

ପୁଣି ଏ ଚିନିବସ୍ତା ଆଣିବା ଆହୁରି କଷ୍ଟକର । ଆଜିକାଲି ସମୟ ଭଲ ନାହିଁ । ଗୋଟିଏ ମିଲ୍‌ରେ ସିଲ୍‍କରା ବ୍ରାଣ୍ଡ୍ ବସ୍ତା ଉପରେ ଆଉ ଗୋଟିଏ ସାଦା ବସ୍ତାକୁ ଲଦିବାକୁ ପଡ଼ୁଛି । ସବୁ ବସ୍ତାକୁ ଦି’ଟା ବସ୍ତାରେ ପୁରେଇ ଆଣିବାକୁ ହେଉଛି ।’

ସାହୁଜୀ ଆଳୁବସ୍ତାକୁ ଅଗଣାକୁ ନେବାଲାଗି ଚାହିଁଲେନି । ‘ଏବେ ଶୁଣାଅ, ବାହାରେ ସବୁ ହାଲଚାଲ କ’ଣ?’

ମୁନୀମଜୀ ଗମ୍ଭୀର ଦିଶିଲେ । ସାହୁଜୀଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେ ଖଣ୍ଡେ ଦାନ୍ତକାଠି ମାଗିଲେ । ସାହୁଜୀ ମନେମନେ ଭାବିଲେ, ନିଶ୍ଚେ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଏଥର ଜଣ ଜଣ ହୋଇ ସମସ୍ତେ ରୁଣ୍ଡ ହେବା ଆରମ୍ଭ କଲେ । ସେମାନେ ସଭିଏଁ ପ୍ରାୟ ଏଇ ବଜାରର ବ୍ୟବସାୟୀ । ଆଉ କେଇଜଣ ଦୂର ଦୂରାନ୍ତ ଗାଆଁରୁ ସେମାନଙ୍କ ଚାଉଳ ବୋଝେଇ ଶଗଡ଼ ଧରି ଆସି ଏଠାରେ ଥିଲେ । ମୁନୀମଜୀ ସ୍ଥିର ନିଶ୍ଚଳ ହୋଇ ନିଜ ଦାନ୍ତ ଘଷିବାରେ ବ୍ୟସ୍ତ ଥାଆନ୍ତି । ଅନ୍ୟମାନଙ୍କ ସ୍ୱାଗତ ସମ୍ଭାଷଣ, ‘ରାମ ରାମ ମୁନୀମଜୀ’କୁ ଯେମିତି ଭାବରେ ମୁଣ୍ଡ ଟୁଙ୍ଗାରି ଗ୍ରହଣ କରୁଥାଆନ୍ତି ସେଥିରୁ ଲାଗୁଥିଲା, ଯେମିତି ସଂସାର ଉପରେ ଏକ ମସ୍ତବଡ଼ ବିପଦ ଦେଖାଦେଇଛି । ଏଥର ସେ ନିଜ ଦାନ୍ତଘଷା ଓ ମୁହଁଧୁଆରେ ବ୍ୟସ୍ତ ରହିଲେ । ସମସ୍ତେ ଅପେକ୍ଷା କରି ରହିଥାଆନ୍ତି ତାଙ୍କ ତୁଣ୍ଡରୁ କିଛି ବଡ଼ ଖବର ଶୁଣିବାକୁ । ଏବେ ସେ ନିଜ ମୁହଁ ଧୋଉଥିଲେ … ତା’ପରେ ହୁଏତ ଗାଧୋଇବା ଲାଗି ତେଲ ମାଗିବେ… ଅନ୍ୟ ଯେକୌଣସି ଦିନ ହୋଇଥିଲେ ସାହୁଜୀ ତାଙ୍କୁ ପ୍ରଥମେ ଗାଧୋଇବା ଲାଗି କହିଥାଆନ୍ତେ ।

ଆଜି କିନ୍ତୁ ସେ ପ୍ରଥମେ ମୁନୀମଜୀଙ୍କ ତୁଣ୍ଡରୁ ପ୍ରଥମେ କିଛି ଖବର ଶୁଣିବାକୁ ଚାହୁଁଥିଲେ । ତେଣୁ ବେଳକୁ ବେଳ ତାଙ୍କ ମନ ବ୍ୟଗ୍ର ହୋଇ ଉଠୁଥିଲା । ମୁନୀମଜୀ ବିଲାତ ହାତକୁ କେଇଟା ପଇସା ବଢ଼େଇଦେଇ ବଜାରରୁ ଚୁଡ଼ା ଓ ଦହି କିଣି ଆଣିବାକୁ କହିଲେ ।

:‘ଭଲ ଗୁଡ଼ ଦେଖି ଆଣିବୁ । ଚିନି ଖୋଜିବା କିଛି ଦରକାର ନାହିଁ । ଏଇ କଂଗ୍ରେସବାଲା ସରକାର ଗଢ଼ିବା ଦିନଠାରୁ ଚିମୁଟାଏ ଚିନି ସୁଦ୍ଧା କୁଆଡ଼େ ମିଳୁନି ।’

ଏତିକି କହି ମୁନୀମଜୀ କାହାରି ଆଡ଼କୁ ନ ଚାହିଁ ତାଙ୍କ ଅଣ୍ଟାରେରେ ଆଉ କେଇଟା ପଇସା ଖୋସିଦେଲେ ଓ କହିଲେ, ‘ହଁ, ଦିନାଜପୁର ପାକିସ୍ତାନର ଗୋଟିଏ ଜିଲ୍ଲା ହେବ । ତାଙ୍କ ଖାମଖିଆଲ ଭାବ ଓ କଣ୍ଠସ୍ୱରରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ସତେ ଯେମିତି ପ୍ରତି ଦିନେ ଦି’ଦିନରେ ଗୋଟାଏ ଲେଖା ଜିଲ୍ଲା ପାକିସ୍ତାନରେ ମିଶିଯାଉଚି! ଏତିକି କହି ତାଙ୍କ ଚାରିକଡ଼େ ଘେରି ରହିଥିବା ଲୋକମାନଙ୍କ ମୁହଁର ଭାବକୁ ସେ ଲକ୍ଷ୍ୟ କଲେ । ସତେ ଯେମିତି ଜଣେ ଟାଣୁଆ ରାଜନେତା ଭଳିଆ ସେ କୌଣସି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଛନ୍ତି ।

କିଛି ସମୟପାଇଁ ତାଙ୍କୁ ଘେରି ରହିଥିବା ଲୋକଙ୍କ ତୁଣ୍ଡରୁ କିଛି ବାକ୍ୟ ସ୍ଫୁରିଲାନି । ସେମାନେ କ’ଣ କହିବେ କିଛି ସୁଦ୍ଧା ବୁଝିପାରୁ ନ ଥିଲେ । ଶ୍ରୀପୁରର ରାଜବଂଶୀ ଦର୍ପଣ ସିଂହ ମୁଣ୍ଡ ଉପରେ ସତେକି ସାରା ଆକାଶଟା ଘୂରିବାକୁ ଆରମ୍ଭ କଲା । ଅନ୍ୟମାନେ ନିଃଶ୍ୱାସ ବନ୍ଦ୍ କରି ଭାବିବାକୁ ଲାଗିଲେ, କିଏ ଜାଣେ ସେମାନଙ୍କ ଜିଲ୍ଲାର ଦଶା କ’ଣ ହେବ! ଏବେ ମୁନୀମଜୀ ସେମାନଙ୍କ ଗାଆଁ କଥା କହିବେନି ତ? ସାହୁଜୀଙ୍କ ମୁହଁ ତ ଗୋଟାପଣେ ଶେତା ପଡ଼ି ସାରିଥିଲା -ତାଙ୍କର ଏତେ ବଡ଼ ଦୋକାନ । ତା’ ଅବସ୍ଥା କ’ଣ ହେବ? ତା’ଛଡ଼ା ସ୍ତ୍ରୀ ପିଲା, ଘରଦ୍ୱାରକୁ ନେଇ ସେ ଯିବେ କୁଆଡ଼େ? ମନେ ମନେ ସାହସ କୁଳେଇ ସେ ପଚାରିଲେ, ‘ଆଉ ଆରୁଆଖୋଆ?’

: ଆରୁଆଖୋଆ ତ ପୂର୍ଣ୍ଣିଆ ଜିଲ୍ଲାରେ । ତେଣୁ ହିନ୍ଦୁସ୍ତାନର । ଇଏ ତ ବଙ୍ଗଳା ନୁହେଁ, ବିହାର ପରା । ଏଠି ସେମାନଙ୍କର କୌଣସି ଚାଲ୍ କାମ କରିବନି ।’

ଦୋକାନୀମାନେ ଆଶ୍ୱସ୍ତିର ଦୀର୍ଘଶ୍ୱାସଟିଏ ଲେଖାଏଁ ଛାଡ଼ିଲେ । କିନ୍ତୁ ମୁନୀମଜୀ ଏକା ଥରେ ସବୁ ଖବର ଖୋଲି କହିବା ଲୋକ ନୁହନ୍ତି । ଧୀରେ ଧୀରେ, ଗୋଟିଏ ଲେଖାଏଁ କଥା କହି ସମସ୍ତଙ୍କୁ ହତଚକିତ କରିବା ତାଙ୍କର ଅଭ୍ୟାସ । କେତେ ଲୋକଙ୍କ ନଜର ତାଙ୍କ ଉପରେ ନିବଦ୍ଧ । କେତେ ଲୋକ ତାଙ୍କ ତୁଣ୍ଡରୁ କଥା ପଦେ ଶୁଣିବା ଲାଗି ଚାତକ ପରି ଉତ୍କଣ୍ଠାର ସହ ଅପେକ୍ଷାରତ । ସେମାନଙ୍କ ଲାଗି ତାଙ୍କ
ତୁଣ୍ଡର କଥା ବଡ଼ଲାଟଙ୍କ ରେଡିଓ ବାର୍ତ୍ତା ପରି ଗୁରୁତ୍ୱପୂର୍ଣ୍ଣ । କ୍ଷମତାର ଏମିତିକା ଐଶ୍ୱର୍ଯ୍ୟକୁ ଉପଭୋଗ ଓ ଉପଯୋଗ କରିବାର ଲୋକ ସମ୍ବରଣ କରିବା ତାଙ୍କ ପକ୍ଷେ ମୁସ୍କିଲ ।

ଦୂର ଦୂରାନ୍ତର ଗାଆଁରୁ ଚାଉଳ ବିକିବାକୁ ଆସୁଥିବା ଲୋକମାନେ ସାଧାରଣତଃ ବଜାରରେ ପହଞ୍ଚିବାରେ ପ୍ରଥମ ଥିଲେ । ସେମାନଙ୍କ ଭିତରୁ କେଇଜଣ ବି ଏଇ ଶ୍ରୋତାମାନଙ୍କ ଭିତରେ ସାମିଲ ଥିଲେ । ଅଚ୍ଛିମଡ଼ି ନିଜକୁ ସମ୍ଭାଳି ନ ପାରି ପଚାରିଲା, ‘ହଜୁର, ମୀରପୁର କେଉଁ ପଟେ ରହିବ?’

: ସେଇଟା କେଉଁ ଜିଲ୍ଲାରେ? ’

‘ହରିଶ୍ଚନ୍ଦ୍ରପୁର ଥାନାରେ ହଜୁର ।’ ଡରି ଡରି ଅଚ୍ଛିମଡ଼ି କହିଲା । ସାହୁଜୀ ତା’କଥାରେ ପାଳିଧରି କହିଲେ, ‘ସେଇଟା ମାଲଦା ଜିଲ୍ଲାରେ ।’

:‘ମାଲଦା ତ ପାକିସ୍ତାନ ଭାଗରେ ପଡ଼ିଛି।’

ଏକଥା ଶୁଣି ଅଚ୍ଛିମଡ଼ି ଗୋଟାପଣେ କୁରୁଳି ଉଠିଲା । କ’ଣ କହିବ ବୋଲି ତା’ତୁଣ୍ଡରୁ ବାକ୍ୟ ସ୍ଫୁରିଲାନି । ଏହାକୁ ସେ ଆଲ୍ଲାଙ୍କ ଅସୀମ କରୁଣାର ଫଳ ବୋଲି ମନେ ମନେ ଭାବୁଥିଲା । ବାଜର ଗାଆଁର ପୋଡ଼ା ଗୋସେଇଁ ଲୋକମାନଙ୍କୁ ଠେଲିପେଲି ଆଗକୁ ଆସିଲେ । ସେ ହେଲେ ରାଜବଂଶୀଙ୍କର କୁଳ ପୁରୋହିତ । ଏ ଇଲାକାରେ ତାଙ୍କର ଆଉ କେଇ ଘର ଯଜମାନ ବି ଅଛନ୍ତି । ସାହୁଜୀ ତାଙ୍କୁ ଆଗକୁ ଯାଇ ଖଟ ଉପରେ ବସିବାକୁ ଇଙ୍ଗିତ କଲେ । ହେଲେ ଗୋସେଇଁଙ୍କର ସେଥି ପ୍ରତି ଆଦୌ ନିଘା ନ ଥିଲା । ସେ ସିଧାସଳଖ ମୁନୀମଜୀଙ୍କ ପାଖକୁ ଯାଇ ପଚାରିଲେ ।, ‘ଆଚ୍ଛା ବାଜରଗାଆଁ କୁଆଡ଼େ ଯିବ? ଜଳପାଇଗୁଡ଼ି ଜିଳ୍ଲାର ତିତଲିଆ ଥାନାରେ ସେ
ଗାଆଁ ପଡ଼ୁଛି ।’

‘ବାବାଜୀ, ଆପଣ ନିଶ୍ଚିନ୍ତ ରହିଥାଆନ୍ତୁ । ରାମଜୀଙ୍କ କୃପାରୁ ଜଳପାଇଗୁଡ଼ି ହିନ୍ଦୁସ୍ତାନରେ ହିଁ ରହିବ ।’

‘କାଇଁକି ନ ରହିବ କହୁନ? ମୋ ଜାଣତରେ, ଜେଜେବାପାଙ୍କ ଅମଳରୁ ଆମେ ବାଜରଗାଆଁରେ ରହିଆସୁଛୁ । ଆଉ ଆଜି ଉଁ କରି ତାକୁ କିଏ ପାକିସ୍ତାନରେ ମିଶେଇଦେବ କହୁନ? ସିଏ ପରା ହେଲା ଜଳ୍ପେଶ୍ୱରଙ୍କ ପବିତ୍ର ଭୂଇଁ । ମହାକାଳଙ୍କ ରାଜ୍ୟ । ତାକୁ କିଏ ପାକିସ୍ତାନକୁ ଦେବ ଭଲା ?

ଆମ ବଡ଼ଲାଟ ଜଣେ ବିଚାରବନ୍ତ ଲୋକ । ଭଗବାନଙ୍କୁ ଧନ୍ୟବାଦ । ନାରାୟଣ, ନାରାୟଣ!’ ଭଗବାନଙ୍କ ନାମ ନେଇ, ତାଙ୍କୁ ଧନ୍ୟବାଦ ଦେଇ ପୋଡ଼ା ଗୋସେଇଁ ଅଚ୍ଛିମଡ଼ି ଆଡ଼େ କେମିତିକା ଏକ କ୍ରୋଧ ଓ ଘୃଣାଭରା ଦୃଷ୍ଟିରେ ଚାହିଁଲେ । ସତେକି ସେତେବେଳକୁ ଏଇ ଦେଶବଣ୍ଟା  ଉଦ୍‌ବେଗରେ ସଭିଏଁ ନିଜ ନିଜର ଉପସ୍ଥିତିକୁ ସୁଦ୍ଧା ଭୁଲି ଯାଇଥିଲେ । କେବଳ କାଶୀମକୁ ଛାଡ଼ି ଅନ୍ୟ ସମସ୍ତେ ତାକୁ ଦୋଷୀ ବୋଲି ଭାବୁଥିଲେ । ତାଙ୍କ ଗାଆଁର ଲିଜ୍‍ଦାର ଅସଗର ଅଲ୍ଲୀ ହୁଏତ ସେ ଗାଆଁଟିକୁ ପାକିସ୍ତାନ ପଟକୁ ନେବ ବୋଲି ଭିତରେ ଭିତରେ କିଛି ଫନ୍ଦିଫିକର କରିଥିବ । ଚାଲ୍ ଚଳେଇଥିବ ।

ଅଚ୍ଛିମଡ଼ିର ଦୋଷଟି ହେଲା କେବଳ ଏତିକି ଯେ ଖବର ଶୁଣିଲାପରେ ସେ ଖୁସି ହୋଇପଡ଼ିଥିଲା । ତାକୁ ଲାଗିଲା ସେ ଏ ସ୍ଥାନରେ ସମ୍ପୂର୍ଣ୍ଣ ଅଲୋଡ଼ା । ସେମାନେ ଆସି ତା ଶଗଡ଼ ପାଖରେ ପହଞ୍ଚିଲା ପରେ, ଅଚ୍ଛିମଡ଼ି ମୁହଁରେ ଆଶ୍ୱସ୍ତିର ହସ ହସି କହିଲା, ‘ଅସଗର ଅଲ୍ଲୀ ହେଲା ବାପ୍ କା ବେଟା ।

ପଟ୍ଟାନିଦାର । ସେ ଯାହା କହିଥିଲା, ତା’କଥା ଅବଶ୍ୟ ରଖିଲା । ଏତକ ଚାଉଳ ବିକି ଏବେ ମୁଁ ଶାନ୍ତିରେ ଘରକୁ ଫେରିଯିବା ଦରକାର । ଚାଉଳ ଦାମ୍ ଯେତେ ଶସ୍ତା କି ମହରଗ ହେଉ, ଆଜି ମୋର ଖାତିର ନାହିଁ । ଆଗ ଗାଆଁକୁ ଫେରି ପଟ୍ଟାନିଦାରକୁ ବଧେଇ ଜଣେଇବି ।’
ଏକଥା ଶୁଣି କାଶୀମ୍ ପଚାରିଲା,‘ଏବେ ଫେରିଗଲେ କ୍ଷତି କ’ଣ? ଆଜି ଏଠାରେ ଏତେଗୁଡ଼ାଏ ଲୋକ ଜମିଛନ୍ତି । ଆମେ ଏଠାରେ ବେଶୀ ସମୟ ରହିବା ଠିକ୍ ନୁହେଁ ।’ ‘ଚାଉଳତକ ନ ବିକିଲେ ଔଷଧପତ୍ର କିଣିବା କେମିତି? ଦି’ ଦି’ଟା ଜିଲ୍ଲା ପାର ହୋଇ ଆସିଲାବେଳେ ପରା ପୁଲିସବାଲାଙ୍କୁ ମହଣ ପିଛା ଦି’ଟଙ୍କା ଲେଖାଏଁ ଅଌକ୍ଷଗ୍ଧ;ାଗୁଞ୍ଜା ଦେଇଚେ । ଚାଉଳ ଫେରେଇନେଲେ ସେମାନଙ୍କୁ ପୁଣି ଥରେ ସେତିକି ଲାଞ୍ଚ ଦେବାକୁ ପଡ଼ିବ । ଏଯାଏ ତ ଗୋଟିଏ ପଇସା ରୋଜଗାର ହୋଇନି । ଏଠାରେ ପରା ହାଜି ସା’ବ ଇଜରାଦାର? ଏ ବଜାରକୁ ବି ସେଇ ନିଲାମ ଧରିଛନ୍ତି । ତେଣୁ ଆମର ଡର କାହାକୁ? କିଛି ସୁବିଧା ଅସୁବିଧା ହେଲେ, ତାଙ୍କ ଗୁଣ୍ଡାମାନେ ଏମାନଙ୍କୁ ସାବାଡ କରିଦେବେ ।’

ଏକଥା ଶୁଣି ହାଜି ସା’ବଙ୍କ ଅଫିସକୁ ଯିବା ଲାଗି କାଶୀମ ସାହସ କୁଳେଇଲା । ଯେତେହେଲେ ଇଜରାଦାର ଜଣେ ମୁସଲମାନ । ଆଉ କେତେବେଳେ ହୋଇଥିଲେ ସେ ସେଠାକୁ ଯିବାକୁ ସାହସ କରି ନ ଥାନ୍ତା । ହେଲେ ଗଲା ବର୍ଷ ବିହାରରେ ଘଟିଥିବା ଘଟଣା ପରଠାରୁ ଜଣେ ମୁସଲମାନ ଆଉ ଜଣେ ମୁସଲମାନ ଭାଇର ଘରକୁ ବିନା ପଚରାଉଚରାରେ ପଶିଯିବା ଲାଗି ମନରେ ତିଳେହେଲେ ସଂକୋଚ କରୁ ନାହିଁ । ଇଜରାଦାରଙ୍କ ଘର ଆଗରେ ସେମାନେ ପହଞ୍ଚିଲା ବେଳକୁ କାଶୀମ୍ ଦେଖିଲା ସେମାନଙ୍କ ପୂର୍ବରୁ ପଞ୍ଝାଏ ଲୋକ ଆସି ସେଠାରେ ରୁଣ୍ଡ ହୋଇ ସାରିଥିଲେ । ଇଜରାଦାରଙ୍କ ଉଦ୍ଦେଶ୍ୟରେ ସେମାନେ ବଡ଼ ପାଟିରେ ଧମକ ଚମକ ଦେଉଥିଲେ । ହାଜି ସା’ବ ସେମାନଙ୍କୁ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଦୂର ଦୂରାନ୍ତରୁ ଯେଉଁମାନେ ଆସିଛନ୍ତି ସେମାନେ ତୁରନ୍ତ ନିଜ ନିଜ ଘରକୁ ଲେଉଟି ଯିବାକୁ କହୁଥିଲେ । ‘ଦେଖ, ସବୁଆଡ଼େ ହିନ୍ଦୁ ଲୋକଙ୍କ ଘରଦ୍ୱାର ଅଛି । ତେଣୁ ତୁମେ ପାଦେ ପାଦେ ସତର୍କ ରହିବା ଦରକାର ।’ ଯାହାକିଛି ମେଳି କି ବୈଠକ କରିବ, ସେସବୁ ରାତିରେ କର । ସେମାନେ କଦାପି ଏତେ ସହଜରେ କିଷନଗଞ୍ଜକୁ ହିନ୍ଦୁସ୍ତାନକୁ ନେଇ ଯାଇ ପାରିବେନି । ମୁଁ ସେକଥା ବୁଝିବି ।

ଏପର୍ଯ୍ୟନ୍ତ ତ ସତକଥା କ’ଣ ଆମେ ଜାଣିନେ । କେବଳ ମୁନୀମଙ୍କ କଥାରେ ଆମେ ଭରସା କରି ପାରିବାନି ।’

ହାଜି ସା’ବଙ୍କ କଥାର ଶେଷ କେଇଟି ଶବ୍ଦ ସତେ ଯେମିତି କାଶୀମ ଓ ଅଚ୍ଛିମଡ଼ିଙ୍କ ମନରେ ଭୟର ଏକ ଅଜଣା ଛନକା ସୃଷ୍ଟି କଲା । ଦିହିଙ୍କ ମଞ୍ଜ ଥରେଇଦେଲା । ସେମାନେ ଏକା ସ୍ୱରରେ ପ୍ରତିବାଦ  କରିଉଠିଲେ । ଅନ୍ୟମାନଙ୍କ ଦୃଷ୍ଟି ସେମାନଙ୍କ ଉପରେ ଆସି ନିବଦ୍ଧ ହେଲା । ହାଜି ସା’ବଙ୍କୁ ସେମାନଙ୍କ ଚାଉଳତକ କିଣିନେବାକୁ ଗୁହାରି କଲେ । ଚାଉଳର ଯାହା ଭାଉ ଦିଅନ୍ତୁ ପଛେ । ଇଜରାଦାରଙ୍କର
ଚାଉଳ କିଣିବାର କିଛି ଆବଶ୍ୟକତା ନ ଥିଲା । ତଥାପି ସେ ତାଙ୍କର ଜଣେ ଲୋକକୁ ମୂଲଚାଲ କରି ସେତକ ଚାଉଳ କିଣିବା ଲାଗି କହିଲେ । ବିଚରା ଦି’ଜଣ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଦରକାର । ଯେତେହେଲେ ସେମାନେ ତାଙ୍କ ନିଜ ସମ୍ପ୍ରଦାୟର । ‘ମାସୁମ୍‌, ଦର ମୂଲେଇ ଠିକ୍ କର । କ’ଣ ବୁଝି ପାରୁଚୁ ତ?’ ମାସୁମ ଜଣେ ପୁରୁଖା ଲୋକ । ମୁନୀବଙ୍କ ଇଙ୍ଗିତର ଅର୍ଥକୁ ସେ ଠିକ୍ ଠଉରାଇ ପାରିଲା ।

ହାଜି ସା’ବ ଲୋକମାନଙ୍କୁ ବୁଝାଶୁଝା କରୁଥାଆନ୍ତି ‘ଆରେ ମିଆଁ, ଏତେ ବ୍ୟସ୍ତ ହେବାର କିଛି ନାହିଁ । ତାଙ୍କ ଉପରେ ଚାପ ପଡ଼ିଲେ ଖୋଦ୍ ବଡ଼ଲାଟ ବି ନିଜ ନିଷ୍ପତ୍ତି ବଦଳେଇବେ । ଆଜି ରାତିରେ ମୁଁ ଟାଉନକୁ ଯିବି । ପାକିସ୍ତାନ ଜିଲ୍ଲା କମିଟି ଲାଗି ସେମାନେ ମୋ’ଠୁ
ପଚିଶ ଟଙ୍କା ଚାନ୍ଦା ନେଇଚନ୍ତି । ସଡର ସା’ବ୍ ତ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଚନ୍ତି । ଏତେ ଶୀଘ୍ର କ’ଣ ସେମାନେ ମତ ବଦଳେଇ ନେବେ ଆଉ ଏ ଜିଲ୍ଲାକୁ ହିନ୍ଦୁସ୍ତାନକୁ ଦେଇଦେବେ? ହଁ, ଆମକୁ ଆଉ ଅଧିକ କିଛି ଖର୍ଚ୍ଚ କରିବାକୁ ପଡ଼ିପାରେ । ଠିକ୍ ଅଛି, ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ ।’

ଆଜି ବଜାରରେ ଲୋକମାନଙ୍କର ସେମିତି ଗହଳଚହଳ ଦିଶୁ ନ ଥିଲା କି ସେମାନଙ୍କ ମନରେ ସବୁ ଦିନ ପରି ସରାଗ ବାରି ହେଉ ନ ଥିଲା । ମୁନୀମଜୀ ଯେଉଁ ଖବର ଆଣି ଆସିଥିଲେ ସେ ସମ୍ବାଦ ଚଟାପଟ ସମସ୍ତଙ୍କ ପାଖରେ ପହଞ୍ଚି ସାରିଥିଲା । ହଠାତ୍ ସାହୁଜୀଙ୍କ ଦୋକାନରେ ଲୋକଙ୍କ ଭିଡ଼ ଜମିଲା । ମୁନୀମଙ୍କୁ ଲୋକମାନେ ସେଇ ପ୍ରଶ୍ନ ବାରମ୍ବାର ପଚାରି ଚାଲିଥିଲେ । ସମସ୍ତେ ଘୋଡ଼ା ମୁହଁରୁ ହିଁ ଅସଲ କଥା ଜାଣିବାକୁ ବ୍ୟଗ୍ର ଥିଲେ । ତାଙ୍କ ପରାମର୍ଶ ଲୋଡ଼ିବାକୁ ଦିନାଜପୁର ଓ ମାଲଦାର ହିନ୍ଦୁ ବ୍ୟବସାୟୀମାନେ ଦଳ ଦଳ ହୋଇ ଆସୁଥିଲେ । ସେ ସାହୁଜୀଙ୍କ ଏମିତିକା ଭିଡ଼ ତାଙ୍କ ଦୋକାନ ସାମ୍ନାରୁ ହଟାଇବାକୁ ବାରମ୍ବାର ତାଗିଦ କରୁଥାଆନ୍ତି । କିଏ ଜାଣେ, ଏଇ ଗହଳି ଭିତରେ ଯଦି ଜଣେ ମୁସଲମାନ ପଶି ଆସିଥିବ! ତା’ରି ଭିତରେ ସେ ଦିନାଜପୁର ଓ ମାଲଦାର ହିନ୍ଦୁ ବ୍ୟବସାୟୀଙ୍କ ସହ ଢେର୍ ସମୟ ଧରି ଗୁପ୍ତ ମନ୍ତ୍ରଣା କରି ଚାଲିଥାଆନ୍ତି । ଏଭଳି ବିପଦ ମୁହୂର୍ତ୍ତରେ ମୁନୀମଜୀଙ୍କ ପରାମର୍ଶ ଓ ସହାୟତା ସେମାନଙ୍କ ମନୋବଳକୁ ବଢ଼ାଇବାରେ ସହାୟକ ହେଉଥାଏ । କାରଣ,ସେମାନଙ୍କ ପରିବାରମାନଙ୍କ ଲାଗି ସେସବୁ ସ୍ଥାନ ନିରାପଦ ଲାଗୁ ନ ଥିଲା । ଯେକୌଣସି ମତେ ସେମାନଙ୍କୁ ସେଠାରୁ ପଳାଇ ଆସିବାକୁ ପଡ଼ିବ । ବଜାରରେ ବିକ୍ରିବଟା ଜମିବା ପୂର୍ବରୁ ସେମାନେ ନିଜ ନିଜ ଘରକୁ ଲେଉଟି ଯିବାକୁ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ । ସେମାନଙ୍କ ଭାବାବେଗକୁ ସମର୍ଥନ କରି ମୁନୀମଜୀ ସେମାନଙ୍କୁ ଅଯଥାରେ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସମୟ ନଷ୍ଟ ନ କରିବାସକାଶେ ପରାମର୍ଶ ଦେଉଥାଆନ୍ତି । ଏଇ ମଉକାରେ ସେ ସେମାନଙ୍କ ଠାରୁ ବସ୍ତାପିଛା ଷୋ’ଳ ଟଙ୍କାରେ ଚାଉଳ କିଣି ଚାଲିଥାଆନ୍ତି । ଗଲା ପାଳି ବସ୍ତାପିଛା ଉଣେଇଶ ଟଙ୍କାରେ ବିକ୍ରି ହେଉଥିଲା । ଗଲାକାଲି ସୁଧାନୀ ବଜାରରେ ବସ୍ତା
ବାଇଶ ଟଙ୍କା ଥିଲା । ଆଉ ଆଜି… ଏଇ ଘଟଣାର କିଛି ସମୟ ପରେ ଜଣେ ଆସି ଖବର ଦେଲାଯେ ଇଜରାଦାର ଆଜି ସା’ବ ମୁନୀମଜୀଙ୍କ ସାଙ୍ଗରେ କିଛି କଥାବାର୍ତ୍ତା ହେବାକୁ ଚାହୁଁଚନ୍ତି । ଏଥର ମୁନୀମଜୀ ଚାଲିଲେ ହାଜି ସା’ବଙ୍କ ବଙ୍ଗଳାଆଡ଼େ । ମୁନୀମଜୀଙ୍କୁ ଦେଖୁ ଦେଖୁ ହାଜି ସା’ବ ତାଙ୍କୁ ଗୋଟିଏ ଅଲଗା କୋଠରିକୁ ଡାକିନେଇ କହିଲେ,‘ଏଥର ମୋ ବଜାରଟା ବରବାଦ ହୋଇଗଲା ।’ଏତିକି କହି ସେ ଦୀର୍ଘଶ୍ୱାସଟିଏ ଛାଡ଼ିଲେ । ଏଥର ଦୁହେଁ ରେଡିଓରୁ ମିଳୁଥିବା ଖବର ବିଷୟରେ ନାନା କଥା ଗପସପ ହେଲେ । ଶେଷରେ
ହାଜି ସା’ବ କହିଲେ, ‘କେହି ତ ଭାଗ୍ୟ ସହ ଲଢ଼ି ପାରିବନି । ଲାଗୁଚି, ଏମିତି ଅବସ୍ଥା କିଛି ଦିନ ଧରି ଲାଗିରହିବ । ସେକଥା ଛାଡ଼ି ଆମେ ବେପାର ବଣିଜ କଥା କଥାବାର୍ତ୍ତା ହେବା ଭଲ । ଆଜି କେତେ ବସ୍ତା ଚିନି ଆଣି ଆଣିଛ?’

‘ମୋଟେ ଚାରିଟା ବସ୍ତା । ଗୋଟିଏ ବସ୍ତା ସାହୁଜୀଙ୍କର । ଆଉ ତିନି ବସ୍ତା ଆପଣଙ୍କ ଲାଗି । ଏଥର ପର ମହଣ ପି ଅଶୀ ଟଙ୍କା କିଣା ପଡ଼ିଗଲା ।’ ‘ଜମା ନୁହଁ । ସଦାବେଳେ ତ ଷାଠିଏ ଟଙ୍କା ଥିଲା । ଆପଣ ମନଇଚ୍ଛା ଏମିତି ଦାମ୍ ବଢ଼େଇ ପାରିବେନି । ତା’ଛଡ଼ା ସାହୁଜୀଙ୍କ ଲାଗି ବସ୍ତାଏ କାଇଁକି? ତାଙ୍କୁ ଅଧ ବସ୍ତାଏ ଦିଅ । ବାକି ସାଢ଼େ ତିନିବସ୍ତା ମୋର । ଗଲାଥର ଯେଉଁ ଚିନି ଦେଇଥିଲ, ସେ ଚିନି ଓଦା ଲାଗୁଥିଲା ।’

‘ସାହୁଜୀ ଗୋଟିଏ ବସ୍ତା ରଖନ୍ତୁ, ଆଉ ତୁମେ ତୁମ ପାକିସ୍ତାନ ଭାଗ ବି ନେଇନିଅ । ଏଇଟା ତ ଠିକ୍ କଥା ନୁହଁ । ଏମିତି କେବେ ହୋଇ ପାରିବନି । ତାଙ୍କୁ ଗୋଟିଏ ବସ୍ତା ତ ଯେମିତିହେଲେ ଦେବାକୁ ପଡ଼ିବ । ମୁଁ ଥରେ ତାଙ୍କୁ କଥା ଦେଇଚି ମାନେ ସେ ପ୍ରତିଶ୍ରୁତିରୁ କଦାପି ଓହରିବିନି । ଆଉ ରହିଲା ଚିନି କଥା । ଚିନି ଓଦା ହେଲା କେମିତି? ଚିନି ତ କାନଭାସ ବ୍ୟାଗରେ ଭର୍ତ୍ତିହୋଇ ଆସିଥିଲା । ତା’ଛଡ଼ା ଯେଉଁ ଦି’ଗାଣ୍ଠିଲି ଝୋଟବସ୍ତା ମୋଫତରେ ପାଇଲ? ମୁଁ ଭାବୁଚି, ଆପଣ ଚାହାନ୍ତି ସେ ପଇସା ମୋ ହାତରୁ ବାଜୁ । ମୁଁ ନିଜ ପକେଟରୁ ସେ ପଇସା ଗଣେ । ହଉ ହେଲା, ଚିନି ଓଦା ଥିଲା, ମୁଁ ମାନିଲି । ଆଚ୍ଛା, ଖୁବ୍ ଶୀଘ୍ର ଦିନାଜପୁର ଓ ମାଲଦା ତ ପାକିସ୍ତାନରେ ମିଶିବ ।

ସେଠାରେ ଆପଣମାନେ କିଛିଦିନ ମଉଜ ମସ୍ତି କରିବେ । ଆଜିଠାରୁ ସେମାନେ ଇଦ୍‌ ପାଇଁ ଚିନି ଲୁଚେଇବା ଆରମ୍ଭ କଲେଣି । ସେର ପିଛା ତୁମେ ଖୁସିରେ ଅଢ଼େଇ ଟଙ୍କାରେ ବିକିପାରିବ ।’

ଏମିତି ଭିଡ଼ାଓଟରା କଥାବାର୍ତ୍ତା ଭିତରେ ହାଜି ସା’ବଙ୍କ କଥାରେ ଅଲଗା ମୋଡ଼ ଧରିଲା । ସେ କେବଳ ନାଁକୁ ମାତ୍ର ପ୍ରତିବାଦର ସ୍ୱର କାଢ଼ି କଥାକୁ ଚଳେନେବାକୁ କହିଲେ, ‘ଆପଣ ସେକଥା କେମିତି କହିପାରିବେ, ମୁନୀମଜୀ? ଆମ ମୁସଲମାନ ଭାଇମାନଙ୍କ ପାଖରେ ଏତେ ପଇସା କୁଆଡ଼ୁ ଆସିବ?’

‘ଆଚ୍ଛା, ଠିକ୍ ଅଛି । ତା’ହେଲେ ଦାମ୍ ଦି’ଟଙ୍କା କମେଇଦେବ । ଇଜରାଦାର ସା’ବ୍ । ଏଥିରେ ମଧ୍ୟ ଆପଣଙ୍କୁ ମୋତେ ଗୋଟିଏ ସାହାଯ୍ୟ କରିବାକୁ ପଡ଼ିବ । ମୋ ଲାଗି କେଇଟା ଶଗଡ଼ ସ୍ଥାୟୀଭାବେ ଯୋଗାଡ଼ କରିଦେବ । ମୋତେ ସୁଧାନୀ ଡିପୋକୁ ଚାଉଳ ନେଇ ପହଞ୍ଚାଇବାର ଅଛି । ଏଠାରେ ସେସବୁ ଲାଗି ଜାଗା ନାହିଁ । ଏମିତି ଖୋଲାମେଲାରେ ତ ଚାଉଳ ବସ୍ତାକୁ ରଖି ହେବନି । ପୁଣି ଏ ବର୍ଷା ମାସରେ । ଆପଣଙ୍କର ତ ଅନେକ ଶଗଡ଼ିଆ ଚିହ୍ନାଜଣା ଅଛନ୍ତି । ଡାକିବା ମାତ୍ରେ ଆସି ପହଞ୍ଚିଯିବେ ।’

: ଠିକ୍ ଅଛି । ସେ ବନ୍ଦୋବସ୍ତ ହୋଇଯିବ । ମୁଁ ସେ ଦାୟିତ୍ୱ ନେଲି । ରାତି ପାହିବା ପୂର୍ବରୁ ଆପଣଙ୍କ ଯିବା ବ୍ୟବସ୍ଥା କରାଯିବ ।’

ଏତିକିବେଳେ ମାସୁମ ଆସି ଖବରଦେଲା ଯେ ବଜାରର ଅନେକ ଦୋକାନୀ ହାଜି ସା’ବଙ୍କ ଉପରେ ଖପ୍ପା । ସେତେବେଳକୁ ହାଜି ସା’ବଙ୍କ ହତା ଭିତରେ ଆସି ପଞ୍ଝାଏ ଲୋକ ପହଞ୍ଚି ସାରିଥିଲେ । ସେମାନେ ମୁନୀମଜୀଙ୍କ ଫେରସ୍ତ ଚାହୁଁଥିଲେ । ସେମାନଙ୍କ କିଏ ଖବର ଦେଇଥିଲା ଯେ ହାଜି ସା’ବ ମୁନୀମଜୀଙ୍କୁ ଜୀଅନ୍ତା ଛାଡ଼ିବେନି ।

ହତା ଭିତରେ ଏବେ ଲୋକଙ୍କ ହୋହଲ୍ଲା ଶୁଭୁଥିଲା । ବେଳକୁ ବେଳ ତାହା ବଢ଼ୁଥିଲା । ‘ଏ ଲୋକଗୁଡ଼ାକ କ’ଣ ପାଗଳ ହୋଇଗଲେ ନା କ’ଣ?’ ହାଜି ସା’ବ ସ୍ୱଗତୋକ୍ତି କଲେ । କିନ୍ତୁ ସେତେବେଳକୁ ତାଙ୍କ ମୁହଁ ଭୟରେ ପୂରା ଶେତା ପଡ଼ି ସାରିଥିଲା । ଏବେ ଦିହିଁକି ଦିହେଁ କୋଠରୀ ଭିତରୁ ପଦାକୁ ବାହାରିଲେ । ହାଜି ସା’ବଙ୍କୁ ଦେଖି ବଜାରର ଆଉ କିଛି ଦୋକାନୀ ତାଙ୍କ ବଙ୍ଗଳା ହତା ଭିତରକୁ ଠେଲିପେଲି ଧସେଇ ପଶି ଆସିଲେ । ଯେତେହେଲେ ମୁନୀମଜୀ ତାଙ୍କର ଜମିଦାର । ମୁନୀମ ସା’ବ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୋଧଶୋଧ କଲେ । ତାଙ୍କ ପାଖକୁ ଲାଗି ଠିଆ ହୋଇଥିବା ଲୋକଟି କାନ ପାଖରେ ଅନୁଚ୍ଚ ସ୍ୱରରେ କହିଲେ, ‘ତୁମେ କେମିତି ଭାବି ପାରିଲ ଯେ ସେ ମୋ ଦେହରେ ଟିପ ଛୁଆଇଁ ପାରିବେ ବୋଲି? ତୁମେ ସବୁ ଯେଝା ଯେଝା ଘରକୁ ଏଯାଏ ଫେରିନ କାଇଁକି? ଆଜିକାଲି ବେଳକାଳ ଯାହା ସେଥିରେ ଘରଠାରୁ ଅଧିକ ସମୟ ବାହାରେ  ରହିବା ନିରାପଦ ନୁହେଁ । ତୁମେମାନେ ତ ଜାଣିଚ ଏବେ ଅବସ୍ଥା କେତେ ଖରାପ । ମୁଁ ଅବା ତୁମମାନଙ୍କୁ କି ନୂଆ ପରାମର୍ଶ ଦେବି? ନିଜ ନିଜ ଗାଆଁ ମୁଖିଆମାନଙ୍କ ସହ ବିଚାରବିମର୍ଶ କରି ଯାହା ନିଷ୍ପତ୍ତି ନେବା କଥା ନିଅ । ଆମମାନଙ୍କୁ ସ୍ତ୍ରୀଲୋକଙ୍କ କଥା ପ୍ରଥମେ ଚିନ୍ତା କରିବାକୁ ପଡ଼ିବ । ସାବଧାନ! ସୁଧାନୀରେ ସୁଦ୍ଧା ଆମମାନଙ୍କୁ ମହିଳାଙ୍କ ସହିତ ଭାଗ୍ୟକୁ ବିପଦ ମୁହଁକୁ ଠେଳିଦେବାକୁ ପଡ଼ିନି । ଏଇ ମାସରେ ଆମେ ସେ ମହିଳାମାନଙ୍କୁ ରାଜପୁତନା ନେଇଯାଇଚୁ । ଯଦି ସେ ବୋକା ବଡ଼ଲାଟ ଭୁଲରେ ସୁଦ୍ଧା ‘ପୂର୍ଣ୍ଣିଆ’ ନାଁ ତୁଣ୍ଡରେ ଧରିଥିବେ ତା’ହେଲେ ଏବେ ପରିସ୍ଥିତି ଭିନ୍ନ ମୋଡ଼ ନେଇ ସାରିଲାଣି । ଆମକୁ ଆଉ କେତେ ହୁସିଆର ହେବାକୁ ପଡ଼ିବ!’

ଏକଥା ଶୁଣି ରାଜବଂଶୀଙ୍କ ଛୋଟ ଛୋଟ ଆଖିଯୋଡ଼ିକ ଭୟରେ ଆହୁରି ସଂକୁଚିତ ହୋଇଗଲା । ପାଖରେ ଠିଆ ହୋଇଥିବା ପୋଲିଆ ମହିଳା ଜଣକ ରଡ଼ିଛାଡ଼ି ବାହୁନିବାକୁ ଆରମ୍ଭ କଲା ।

:‘ଲୁଣ କିଣିବାକୁ ଆଉ ହାତରେ ସମୟ ନାହିଁ ।’
:‘ହେ ବଚ୍ଛିଦାଇ, ଆଲୋ ତୁ କୁଆଡ଼େ ଗଲୁ? ଜଲଦି ଆସ ।’
:‘ଜଲଦି ଆସ, ନବାବ ପୁଅ । ଆଉ ବିଳମ୍ବ କରିବାକୁ ତର ନାହିଁ ।’
:‘ଆଜି ଟଙ୍କା ନେବା ଦରକାର ନାହିଁ । ଖାଲି ଓଜନ କରି ମାଲ୍‌ତକ ନେଇଯାଅ ।’
:‘ମୁନୀମଜୀ, ଆପଣ ଟିକେ ଦୟାକରି ଟଙ୍କାଟା ପୈଠ କରିଦେବେ? ମୁଁ ସାଙ୍ଗରେ ଟଙ୍କା ଧରି ଯିବାକୁ ଭଲ ଭାବୁନି ।’

ଏବେ ଲୋକମାନେ ଏତେ ଛାନିଆ ହୋଇ ପଡ଼ିଥିଲେ ଯେ ମହା ମହା ବଳୁଆ ଲୋକ ବି ମନେ ମନେ ଭୟ କରିବା ଆରମ୍ଭ କରିଥିଲେ । କିଛି ସମୟ ଧରି ଏମିତି କୋଳାହଳ ପରେ ସେ ସ୍ଥାନଟା ପୁଣି ଜନଶୂନ୍ୟ ହୋଇଗଲା । ଠିକ୍ ପରଦିନ ଠାରୁ ଆରୁଆଖୋଆ ଇଲାକାର ସବୁକିଛି ଯେମିତି ବଦଳିଗଲା । ସପ୍ତାହକୁ ଏଠାରେ ଥରେ ମାତ୍ର ହାଟବଜାର ବସୁଥିଲା । ଏବେ କିନ୍ତୁ ଫି’ଦିନ ଦିନ ରାତି ପୁରୁଷ ଓ ମହିଳାଙ୍କ ଆତଯାତ ଲାଗିଲା । ସମସ୍ତେ ଆତଙ୍କିତ; ସମସ୍ତଙ୍କ ମନରେ ଭୟ ଓ ଅନିଶ୍ଚିତତା ବସା ବାନ୍ଧିଥିଲା । ଶ୍ରୀପୁର ପୋଲ ଆଡ଼ୁ ଶଗଡ଼ ପରେ ଶଗଡ଼ ପିମ୍ପୁଡ଼ି ଧାର ଭଳି ଗଡ଼ିଚାଲିଲା । ତା’ ସାଙ୍ଗକୁ ପୁରୁଷ, ମହିଳା, ପିଲାଛୁଆ, ଗାଈଗୋରୁ, ଛେଳିମେଣ୍ଢା ପାଦରେ ଚାଲି ଚାଲି ଯିଏ ଯୁଆଡ଼େ ପାଇଲା ନିରାପଦ ସ୍ଥାନ ସନ୍ଧାନରେ ଚାଲିଲା । ଏପରିକି ଛୋଟ ଛୋଟ ପିଲାମାନେ ସୁଦ୍ଧା ମୁଣ୍ଡରେ ବାସନକୁସନ କି ଅନ୍ୟ କିଛି ଘରକରଣା ଜିନିଷ ମୁଣ୍ଡେଇ ଚାଲିଲେ । ସେଇ ଲୋକଙ୍କ ଭିତରେ କଳାଜରରେ ଥରୁଥିବା ଲୋକଟିଏ ଟଳମଳ ପାଦରେ ଆଗକୁ ଚାଲୁଥିଲା । ମଝିରେ ମଝିରେ ଦୀର୍ଘଶ୍ୱାସଟିଏ ଲେଖାଏଁ ଛାଡ଼ୁଥିଲା । ସେ କାଖରେ କଳା ବିଲେଇଟିଏ କାଖେଇଥିଲା । ଧଇଁ ପେଲିହେଉଥିବା ଲୋକଟିଏ ମଝିରେ ମଝିରେ ଏମିତି କାଶୁଥିଲା ଯେ ଲାଗୁଥିଲା, ସତେକି ତା’ ଜୀବନ ଦୁହିଁ ହୋଇଯାଉଛି । ଏଇ ମୁହୂର୍ତ୍ତରେ ଅଛି, ପର ମୁହୂର୍ତ୍ତରେ ଜୀବନ ଛାଡ଼ିଯିବ । ସମସ୍ତେ ପାକିସ୍ତାନମୁହାଁ । ଏପର୍ଯ୍ୟନ୍ତ ଏ ଲୋକମାନଙ୍କ ଦୁନିଆ ଖୁବ୍ କ୍ଷୁଦ୍ର ଓ ସଂକୀର୍ଣ୍ଣ ଥିଲା । ଆଜି କିନ୍ତୁ ସେମାନଙ୍କ ଭିତରୁ କେଇଜଣ ଆହତ ହରିଣୀଙ୍କ ପରି ଏକ ଅନିଶ୍ଚିତ ଠିକଣା ଉଦ୍ଦେଶ୍ୟରେ ଚାଲିଥାଆନ୍ତି । ଏଇ ବଜାର ପାଖରେ କିଛି ସମୟ ଅଟକିଯାଇ ପୁଣି ଏକମୁହାଁ ଆଗକୁ ପାଦ  ବଢ଼ାଉଥାଆନ୍ତି । ସେମାନଙ୍କୁ ଜଣା ନ ଥିଲା, କେତେଦିନ ଅବା କେତେ ବାଟ ସେମାନଙ୍କୁ ଏମିତି ଆଗକୁ ଯିବାକୁ ପଡ଼ିବ । ସେମାନଙ୍କ ଭିତରୁ କିଛି ସମ୍ଭବତଃ କ୍ଷେତବାଡ଼ିରେ କାମଧନ୍ଦା ମିଳିଯିବା ଆଶାରେ ରହିଯିବେ । ବାଟରେ ଅବଶ୍ୟ ଖାଇବା ପିଇବାରେ ସେମାନଙ୍କୁ କିଛି ଅସୁବିଧା ହେବନି । ଏବେ ତାଳ ପାଚିବା ବେଳ । ଆଉ ବାଟସାରା ତାଳବଣ ମାଳମାଳ । ନାଗର ନଈରେ ଏ ଦଦରା ପୋଲଟିର ମରାମତି କରିବା ଲାଗି ପୂର୍ଣ୍ଣିଆ କି ଦିନାଜପୁର ଜିଲ୍ଲା ବୋର୍ଡ କେହି ହେଲେ ରାଜି ନ ଥିଲେ । ଗଲା କେଇଦିନ ହେଲା ସେ କାଠପୋଲଟା ଆହୁରି ଦୁର୍ବଳ
ଲାଗୁଥିଲା । ଆଜିକାଲି ପୋଲର ଉଭୟ ପଟେ ଶିବିରମାନ ସ୍ଥାପନ ହୋଇଥିଲା ।

ଆରୁଆଖୋଆ ଠାରେ ଶରଣାର୍ଥୀମାନଙ୍କ ସକାଶେ ରିଲିଫ୍ କ୍ୟାମ୍ପଟିଏ ଖୋଲିବା ଲାଗି ମୁନୀମଜୀ କଲିକତାର କେଉଁ ଗୋଟିଏ ରିଲିଫ ସଂସ୍ଥା ସାଙ୍ଗରେ କଥାବାର୍ତ୍ତା କରିଥିଲେ । ସ୍ଥାନୀୟ ବୋର୍ଡକୁ କହି ଜଣେ ଡାକ୍ତରଙ୍କ ବନ୍ଦୋବସ୍ତ ବି କରେଇଥିଲେ । ତାଙ୍କରି ସାହାଯ୍ୟ ସହଯୋଗରେ ହିଁ ସବୁ କାମ ଚାଲିଥିଲା ।

ସଦାବେଳେ ପଞ୍ଝାଏ ଲେଖାଏଁ ଲୋକ ମୁନୀମଜୀଙ୍କ ପାଖକୁ ଆସି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଉଥିଲେ । କିଛି ସାହାଯ୍ୟ ସହଯୋଗ ଅବା ପରାମର୍ଶ ନେଇ ନିଜ ମନର ଦୁଃଖକୁ ହାଲୁକା କରୁଥିଲେ । କାହାକୁ ମୁନୀମଜୀ ସହାୟତାର ନିର୍ଭର ଭରସା ଦେଉଥିଲେ ଅବା ଆଉ କାହାକୁ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରିବା ଲାଗି ପରାମର୍ଶ ଦେଉଥିଲେ । ଆଉ କାହା ଆଗରେ କଂଗ୍ରେସ ସରକାରଙ୍କ ପୁଷି ମାଉସୀ ଭଳି ଧୀର ମନ୍ଥର ଆଚରଣ ବଖାଣୁଥିଲେ । ପୁଣି ସମସ୍ତଙ୍କ ହାତରେ ଖଇ- ଦହିପାଇଁ ଟୋକନଟିଏ ଲେଖାଏଁ ଧରେଇ ଦେଉଥିଲେ । ତାଙ୍କ ତୁଣ୍ଡରୁ କେବଳ ‘କେତେ ଜଣ’ ବୋଲି ପଦଟିଏ ବାହାରୁଥିଲା । ‘ପାଞ୍ଚଜଣ ଓ ସାନ ପିଲାଟିଏ’ କିଏ କହୁଥିଲା ତ ଆଉ କିଏ ଆଉ କିଛି ।
ସେ ସେମାନଙ୍କୁ କହି ଚାଲିଥାଆନ୍ତି, ‘ତମ୍ବୁକୁ ଯାଇ ଏ ଗାଗଜରେ ଷ୍ଟାମ୍ପ୍ ବାଡ଼େଇନେ । ସେଇ ଆଗରେ ଯେଉଁଠି ପତାକା ଉଡ଼ୁଛି, ସେଇ ତମ୍ବୁରେ…, ତା’ପରେ ସାହୁଜୀଙ୍କ ଦୋକାନକୁ ଯାଇ ଖାଦ୍ୟସାମଗ୍ରୀ ନେଇଯିବୁ । ସବୁକିଛି ଠିକ୍ ହୋଇଯିବ ।’ ଶରଣାର୍ଥୀମାନେ କୃତଜ୍ଞତାର ଦଣ୍ଡବତଟିଏ ଲେଖାଏଁ ପକେଇ ତାଙ୍କଠାରୁ ବିଦାୟ ନେଉଥିଲେ । କାହାରି ତୁଣ୍ଡରୁ କିଛି ସୁଖବର ବାହାରୁ ନ ଥାଏ । ସମସ୍ତେ ଏବେ ସମସ୍ୟା ଭିତରେ ଗୋଟାପଣେ ଡୁବି ରହିଥିଲେ ।

ପୋଲର ଗୋଟିଏ ମୁଣ୍ଡରେ ଉଡ଼ୁଥିଲା ମୁସଲିମ ଲିଗର ସବୁଜ ପତାକା । ତା’ଦେହରେ ଅର୍ଦ୍ଧଚନ୍ଦ୍ର ଓ ତାରକା ଚିହ୍ନ । ଆରମୁଣ୍ଡକୁ କଂଗ୍ରେସର ତ୍ରିରଙ୍ଗା । ଗୋଟିଏ ମୁଣ୍ଡରୁ ଲୋକମାନେ ଚିତ୍କାର ଛାଡ଼ୁଥାଆନ୍ତି, ‘ଆମେ ଜୋର ଜବରଦସ୍ତ ପାକିସ୍ତାନ ହାସଲ କରିନେଲୁ । ହିନ୍ଦୁସ୍ତାନରେ ଆଉ ରହିଲା କ’ଣ?’ ଅନ୍ୟ ମୁଣ୍ଡରେ ଠିଆ ହୋଇଥିବା ଲୋକମାନେ ଉଚ୍ଚ ସ୍ୱରରେ ସ୍ଲୋଗାନ ଦେଉଥିଲେ, ‘ବନ୍ଦେ
ମାତରମ୍‌, ଜୟ ହିନ୍ଦ୍‌!’

ମାତ୍ର କେଇଟି ମିନିଟ ଭିତରେ ସେଠାରେ ଉତ୍ତେଜନା ଦେଖାଦେଲା । ଯେକୌଣସି ମୁହୂର୍ତ୍ତରେ ପରିସ୍ଥିତି ଅଣଆୟତ୍ତ ହୋଇପାରେ! ଉଭୟ ପାଶ୍ୱର୍ର ଲୋକ କାଠପୋଲଟିରେ ନିଆଁ ଲଗେଇ ଦେବାକୁ ପ୍ରସ୍ତୁତ ହୋଇ ରହିଥାଆନ୍ତି । କିଏ କାହା କାନରେ ଫୁସୁଫୁସୁ ହୋଇ କହୁଥିଲା, ‘ଆର ପଟକୁ କିଛି ଜିନିଷପତ୍ର ପଠେଇବାନି କି ସେମାନଙ୍କଠାରୁ କିଛି ଆଣିବାନି । ସମସ୍ତଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟିଏ କଥା, ‘ପୋଲଟାକୁ ପ୍ରଥମେ ପୋଡ଼ିଦେବା । ଆଉ କେହି ଆମ ଗାଈଗୋରୁଙ୍କୁ ବି ଆରପଟକୁ ନେଇ ପାରିବେନି ।’ ଏପଟେ ମୁନୀମଜୀ ଲୋକମାନଙ୍କୁ ବୁଝାଶୁଝା କରୁଥିଲାବେଳେ ଆରପଟେ ହାଜି
ସା’ବ ତାଙ୍କ ଲୋକଙ୍କୁ ତୁନି କରାଉଥାଆନ୍ତି । ଯଦି ପୋଲଟା ପୋଡ଼ିଯିବ, ତା’ହେଲେ ଏ ବଜାରର କ’ଣ ହେବ? ଲୋକେ ନିଜ ନିଜ ଖାଦ୍ୟପଦାର୍ଥ ଓ ଅନ୍ୟ ସାମଗ୍ରୀ ପାଇବେ କେଉଁଠୁ?’ ମୁନୀମଜୀ ତାଙ୍କ ଲୋକଙ୍କୁ ବୁଝାଇ ଚାଲିଥାନ୍ତି, ‘ଆଉ କିଛି ଦିନ ଅପେକ୍ଷା କର । ପରିସ୍ଥିତି ଉପରେ ନଜର ରଖ । ତୁମେମାନେ କ’ଣ ଭାବୁଚ ଏ ଜିଲ୍ଲାକୁ ସେମାନଙ୍କୁ ନେଇଯିବାକୁ ମହାତ୍ମାଜୀ ରାଜି ହେବେ? ବଡଲାଟଙ୍କୁ କହି ସେ ପରା କମିଶନ ବସେଇଚନ୍ତି । ବଡ଼ଲାଟ ଛୋଟକାଟିଆ ଲୋକ ନୁହନ୍ତି । ପୁରା ରାଜ ପରିବାରର । ତାଙ୍କ ଶିରାରେ ରାଜରକ୍ତ ପ୍ରବାହିତ ହେଉଚି ।’

ଏ କଥାଟା ତୁରନ୍ତ ସମସ୍ତଙ୍କ ନିକଟରେ ପହଞ୍ôଚଗଲା । ‘କମିଶନ’ ବସିଚି । କମିଶନ ବଌକ୍ଷଗ୍ଧ;ାକୁଌକ୍ଷଗ୍ଧ;ା ନେଇ ଫଇସଲା
କରିବ । ଶିରପୁରର ଚୁଆଲାଲ ରାଜବଂଶୀ ଭାରି ଚାଲାକ ଲୋକ । ତାକୁ ଲାଗିଲା ମୁନୀମଜୀ ସତ କଥାଟି କ’ଣ ସେକଥା ଫିଟେଇ କହୁ ନାହାନ୍ତି । ତା’ପଛରେ ଆଉ କିଛି ରହସ୍ୟ ଅଛି । ଅନ୍ୟମାନେ ବି ସେଇ ସନ୍ଦେହ କଲେ । ତେଣୁ ସେମାନେ ଗୋଟିଏ ଚାଉଳ ବୋଝେଇ ଶଗଡ଼ରେ ଚୁଆଲାଲକୁ ବସେଇ ସୁଦାନୀ ଷ୍ଟେସନକୁ ପଠେଇଲେ ‘କମିଶନ’ ବସିବା ସଂପର୍କରେ ଅଧିକ କିଛି ଖବର ସଂଗ୍ରହ କରିବା ସକାଶେ ।

ଚୁଆଲାଲ ଏଣେତେଣେ ଅଣ୍ଡାଳି ହେବା ଲୋକ ନୁହଁ । ସେ ସିଧା ଅସଲ ଲୋକ ପାଖରେ ପହଞ୍ôଚ ଠିକ୍ କଥା ପଚାରିବ ବୋଲି ସମସ୍ତଙ୍କର ବିଶ୍ୱାସ ଥିଲା । ଚୁଆଲାଲ ଯେତେବେଳେ ସୁଦାନୀଠାରେ ସରକାରୀ ଅଧିକାରୀଙ୍କୁ ଭେଟି ଏକଥା ପଚାରିଲା, ଅଧିକାରୀ ତା’କଥାରେ ଆଶ୍ଚର୍ଯ୍ୟ ହେଲେ । କମିଶନଙ୍କ ରିପୋର୍ଟ ତ ବାହାରି ସାରିଚି । ସେଇଥିଲାଗି ଏବେ ଚାରିଆଡ଼େ ଦରଦାମ୍ ହୁ ହୁ ହୋଇ ବଢ଼ି
ଚାଲିଥିଲା । ଶିରପୁର ଲୋକ ଜାଣି ନ ଥିଲେ ଏଥିରୁ କେମିତି ଫାଇଦା ଉଠେଇବାକୁ ହେବ । ‘କମିଶନ’? ଭୂଇଁରେ ନିଜ ବେତବାଡ଼ିଟିକୁ ଠୁକେଇ ଇଜରାଦାରଙ୍କ ବୁଢ଼ା ଇସରାଇଲା ପଚାରିଲା । ‘ଆରେ କମିଶନୀ ହେଲା ତୁମେ ଡିପୋରେ ଯେଉଁ ଟିକସ ପଇଠ କର । ସିଏ ହେଲା ଧର୍ମ ଟିକସ । ମୁସଲମାନ ଲୋକଙ୍କୁ ଆଉ ତୁମମାନଙ୍କୁ ସେ କର ଦେବାକୁ ପଡ଼ିବନି । ସେମାନେ ଏବେ ନିଜ ପକେଟରେ ସେ କମିଶନକୁ ଭରିବେ । ଆମେ ବି ଦେଖିବୁ ସେମାନେ ହିନ୍ଦୁସ୍ତାନକୁ କେମିତି ଜିନିଷପତ୍ର ପଠେଇ ବିକ୍ରିି କରିବେ ।’

ଦର୍ପଣ ସିଂହର ବାପା ଦଉଡ଼ିଆ ଖଟିଆ ଉପରେ ବସି ନିଜ ଜଙ୍ଘକୁ ଥାପୁଡ଼େଇ କହି ଚାଲିଥିଲେ, ‘ଆଜିଠାରୁ ଆଉ ତୁମମାନଙ୍କୁ କୌଣସି ମୁସଲମାନ ଇଜରାଦାରଙ୍କୁ କିଛି କର ଦେବାକୁ ପଡ଼ିବନି । ଆମେ ତ ଚୁଲିଚାଳ, ଘରଦ୍ୱାର ସବୁକିଛି ହରେଇଚୁ । ଭିଟାମାଟି ଠାରୁ ଆରମ୍ଭ
କରି ଜମିବାଡ଼ି ସବୁକିଛି ହରେଇ ହିନ୍ଦୁସ୍ତାନ ଆସିଛୁ । କ’ଣ ପାଇଁ? ମୁଁ ତ ଶୁଣିଚି, ସେମାନେ କାଳେ ଶପଥ ନେଇଛନ୍ତି, କୌଣସି ଜଣେ ହେଲେ ହିନ୍ଦୁଙ୍କୁ ସେମାନଙ୍କ ପିଲାଛୁଆ କି ବାପମାଆଙ୍କ ସାଙ୍ଗରେ ରଖେଇ ଦେବେନି ବୋଲି । ପୁଣି ଏଠିକୁ ଆସିଲା ପରେ କ’ଣ ସେଇ
ମୁସଲମାନଙ୍କୁ ଆଉ ଥରେ କର ଦେବୁ?’ ସେ ଆହୁରି କିଛି କହି ଚାଲିଥାଆନ୍ତେ । ଦର୍ପଣ ସିଂହର ମାଆ ତା’ର ହାତ ଧରି ଟାଣି ନେଇ ଯାଉ ଯାଉ ଆକଟ କଲା ଭଳି କହିଲା, ‘ଏ ଗଣ୍ଡଗୋଳିଆ ଲୋକଗୁଡ଼ାଙ୍କୁ କାହିଁକି ତେଜୁଚୁ କହିଲୁ?’

ସେଇ ଦିନଠାରୁ ଦୋକାନୀମାନେ ସେମାନଙ୍କ ମାହାସୁଲ ଦେବା ବନ୍ଦ୍ କରିଦେଲେ । ମୁନୀମଜୀ ସାହୁଜୀଙ୍କୁ ପଚାରିଲେ, ‘ଆପଣ ଗୋଟିଏ କଥା ଲକ୍ଷ୍ୟ କରିଚନ୍ତି? ଆଜିକାଲି ଇଜରାଦାର ଆଉ ରାତିବେଳା ଏପଟେ ରହୁ ନାହାନ୍ତି । ନଈ ଆରପଟେ ଥିବା ଶରଣାର୍ଥୀ ଶିବିରପାଇଁ ସେଇ ଟଙ୍କା ଖର୍ଚ୍ଚ କରୁଚନ୍ତି ନା କ’ଣ?’ ‘ନାଇଁ, ନାଇଁ । ସିଏ ଅନ୍ୟମାନଙ୍କ ଠାରୁ ଚାନ୍ଦାଭେଦା କରି ଚଳାଉଚନ୍ତି । ଢେର୍ ଟଙ୍କା ଚାନ୍ଦା
ଉଠେଇଚନ୍ତି । କିନ୍ତୁ ଅନ୍ୟମାନଙ୍କୁ କହି ହେଉଚନ୍ତି ଯେ କମିଶନଙ୍କୁ ଲାଞ୍ଚ ଦେବାକୁ ପଡ଼ିବ । ତା’ହେଲେ ଗୋପାଲପୁର ପାକିସ୍ତାନରେ ମିଶିପାରିବ ।’

ଏକଥା ଶୁଣି ମୁନୀମଜୀଙ୍କ ଆଖି ହଠାତ୍ ଉଜ୍ଜ୍ୱଳ ହୋଇଉଠିଲା – ସମ୍ଭବତଃ ଈର୍ଷାରେ, କିମ୍ବା ତାଙ୍କ ପ୍ରଶଂସା ଶୁଣି । ସାହୁଜୀ ପୁଣି ତାଙ୍କ କଥା ଜାରି ରଖିଲେ, ‘ଆଚ୍ଛା ମୁନୀମଜୀ, ଆମେ ବି ଚାହିଁଲେ କିଛି ଚାନ୍ଦା ଅସୁଲ କରିପାରନ୍ତେ, ମାନେ ଗୋପାଳପୁରକୁ ଆମ ପଟେ ରଖିବା ଲାଗି? ହାଜୀ ସା’ବ କୋକିଶିଆଳି ପରି ଧୂର୍ତ୍ତ । କିଏ ଜାଣେ କେତେବେଳେ କମିଶନଙ୍କୁ ହାତ କରି ନ ନେବେ? ଆପଣ
ହିଁ ଚାହିଁଲେ ଆମକୁ ବଞ୍ଚେଇ ପାରିବେ । ପୂର୍ଣ୍ଣଆ ଜିଲ୍ଲାଟ ବି ବର୍ତ୍ତିଯିବ ।’ ମୁନୀମଜୀ ମଧ୍ୟ ମନେ ମନେ ସେମିତି କିଛି ଚିନ୍ତା କରି ଚାଲିଥିଲେ । ତାଙ୍କ ଅନୁମାନ କଦାପି ଭୁଲ୍‌ ହେବନି । ଏବେ ଆଉ ଫାଇଦା ଉଠେଇବା ଭଳି ରିସ୍କ ନେଇ ହେବନି । ତେବେ ଗୋଟିଏ କଥା ନିଶ୍ଚିତ କରିହେବ । ଚାନ୍ଦା ଅସୁଲ କରି ଚୁପ୍ ହୋଇ ବସି ପଡ଼ିବା । ଯଦି ଗୋପାଳପୁର ପାକିସ୍ତାନଆଡ଼େ ଯିବ, ଲୋକଙ୍କୁ ବୁଝେଇ ଦେଇହେବ ଯେ ହାକିମଗୁଡ଼ାକ ଭାରି ଦଣ୍ଠା । ଜମ୍ମା ରାଜି ହେଲେନି । ଆଉ ଯଦି ଗୋପାଳପୁର ଭାରତରେ ରହିଲା, ତା’ହେଲେ କମିଶନଙ୍କୁ ଘୁସ୍ ଦେଇ ସେ ଏତେ କାମ କରେଇଚନ୍ତି ବୋଲି କୁହାଯାଇପାରିବ । ବରଂ କିଛି ବିଶ୍ୱାସଯୋଗ୍ୟ ଉପାୟ ଚିନ୍ତା କରିବା ଭଲ ହେବ ।

ନା, ସାହୁଜୀ, ମୁଁ ଏତେ ସବୁ ଧନ୍ଦାରେ ପଶିବାକୁ ଚାହେଁନି । ଆମପାଇଁ କଂଗ୍ରେସ ସରକାର ଅଛି, ମାହତ୍ମାଜୀ ଅଛନ୍ତି । ମୋ ନିଜ ହାକିମ ଅଛନ୍ତି । ସେମାନେ ଏମିତିକା ସମସ୍ୟାର କିଛି ସମାଧାନ ବାଟ ଅବଶ୍ୟ ବାହାର କରିବେ । ବରଂ ଆମେ ଚିନ୍ତା କରିବା ଯେ ନଈର ଦି’ପଟେ ଏବେ ଯେଉଁ ମାଲମତା ଅଟକି ରହିଚି, ସେସବୁକୁ କେମିତି ନେବାଅଣା କରାଯାଇପାରିବ । ଏବେ ବର୍ଷା ଦିନ । ପୁଣି ତା’ ସାଙ୍ଗକୁ ଭରା ନଈ । ଅନ୍ୟ ସମୟ କଥା ହୋଇଥିଲେ ଆମେ କିଛି ଗୋଟିଏ ଉପାୟ କରି ପାରିଥାଆନ୍ତେ ।’

‘ଏବେ ତ ଉଭୟ ପଟର ଚାଉଳ ବେପାରୀମାନେ ନିଜକୁ ଗୋଟା ତୁଳସୀ ବୋଲି ଦେଖେଇ ହଉଚନ୍ତି । ଆଜି ପୁଲିସବାଲା ମୁଜାଫରପୁରରୁ ମୈମନପୁରକୁ ଶହେ ପଚାଶ ପଟ ଗାଈ ଓ ମଇଁଷିଙ୍କୁ ଯିବାକୁ ଅନୁମତି ଦେଲେ । ଅନ୍ୟଦିନ ହୋଇଥିଲେ ଦେଢ଼ଶହ ଟଙ୍କ ଅଣ୍ଟାଗୁଞ୍ଜା ମାଗିଥାଆନ୍ତେ । ଗଲା କେଇଦିନ ହେଲା ଆରପଟ ଚାଉଳ ନିରୀକ୍ଷକ ଅଧିକାରୀଙ୍କର ତ ଯେମିତି ପେଟରୁ ଭୋକ ମରିଯିବା ପରି ଲାଗୁଛି । ଏମିତି ହେଲେ ତ ଦିନ କେଇଟାରେ ଏ ବଜାର ବନ୍ଦ୍ ହେଇଯିବ । ତେଣୁ ହାଜି ସା’ବ ଏପଟେ ରାତି ନ କଟେଇ ପୋଲ ଆରପଟେ ରହିବା ତ ସ୍ୱାଭାବିକ କଥା ।’ ‘ହୋଇଥାଇପାରେ, ସେମାନେ ମାଜିଷ୍ଟ୍ରେଟଙ୍କ ଗସ୍ତ ଆଶଙ୍କାରେ ଏମିତି କରୁଥାଇପାରନ୍ତି! ଏତେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । ଧୈର୍ଯ୍ୟ ରଖ । ଦିନ କେଇଟା ପରେ ପୁଣି ସବୁ ସ୍ୱାଭାବିକ ହୋଇଯିବ । ତୁମ ଷ୍ଟୋରରୁ ତ ରିଲିଫ ଜିନିଷ ଯାଉଚି । ତେଣୁ ତୁମର ବ୍ୟସ୍ତ ହେବାର କ’ଣ ଅଛି? ଆମେ ବେପାରୀ ଲୋକ । ଆମକୁ ସବୁ କଥା ଚଳେଇ ନେବାକୁ ପଡ଼ିବ ।’ ସାହୁଜୀ ମୁଣ୍ଡ ଟୁଙ୍ଗାରି ସମ୍ମତି ଭରିଲେ । କିନ୍ତୁ ତାଙ୍କ ମୁହଁର ଭାବରୁ ବୁଝାପଡ଼ୁଥିଲା ଯେ ତାଙ୍କ ମନ ବୁଝି ନ ଥିଲା । ରିଲିଫ ସାମଗ୍ରୀ କାରବାରରୁ ଟଙ୍କାକେ ଯେଉଁ ଚାରିଅଣା ମୁନାଫା ସେ କମାନ୍ତି, ସେ ପଇସା ତ ମୁନୀମଜୀଙ୍କ ପକେଟକୁ ଯିବ- ଆଉ କ’ଣ ବଞ୍ଚିଥିବ ଯେ ସିଏ ନେବେ?

:‘ଆପଣ ଜାଣିଚନ୍ତି ନା ନାଇଁ, ନଳିତା ଗଛସବୁ ପୁରୁଷେ ଲେଖାଏଁ ଉଚ୍ଚା ହୋଇଥିଲା ।’
:‘ମୋ ଜ୍ୱାଇଁଟା ରହିଗଲା । ବୋକା କୋଉଠିକାର!’
:‘ବିଚାରୀ ଝିଅଟା ଜୀବନା ଆଉ ଶାନ୍ତିରେ କଟିବନି । ‘
:‘ତାଙ୍କ ଗାଆଁରେ ହଇଜା ଲାଗି ସମସ୍ତେ ପଦା ହେଲାବେଳେ ସୁଦ୍ଧା ସେ ଗାଆଁ ଛାଡ଼ି ନ ଥିଲା ।’
ଦୁହିଙ୍କ ମନରେ ଦୁଃଖ ଭରି ରହିଥିଲା, କିନ୍ତୁ ସେ ଦୁଃଖ ଥିଲା ପରସ୍ପରଠାରୁ ଭିନ୍ନ । ତେଣୁ ସେମାନଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିଲା ।

ଦର୍ପଣ ସିଂହ ତା’ର ମା’କୁ ବୁଝେଇବାକୁ ଚେଷ୍ଟା କରୁଥିଲା । ଯେତେହେଲେ ସ୍ତ୍ରୀଲୋକଗୁଡ଼ାଙ୍କ ଇଜ୍ଜତ ତ ସୁରକ୍ଷିତ ରହିଛି । ବିଚାରୀ ବୁଢ଼ୀ ଆଖିରୁ ଝରଝର ହୋଇ ଲୁହ ଗଡ଼ିପଡ଼ିଲା । ସେ କହିଲା, ‘ଇର୍ଫାନ ମୋରି ଘରେ ଚାକର ଥିଲା । ଏବେ ସେ ପଚାଶ ବିଘା ଜମିର ମାଲିକ ହେବ । ଭଗବାନଙ୍କର କ’ଣ ନ୍ୟାୟ ଏଇଆ?’

ନିଜ ଅଫିସରେ ବସି ହାଜି ସା’ବ କଂଗ୍ରେସ ପତାକାକୁ ସ୍ପଷ୍ଟ ଦେଖିପାରୁଥିଲେ । ସକାଳୁଆ ପବନରେ ପତାକାଟି ଫରଫର ହୋଇ ଉଡ଼ୁଥିଲା । ସତେ ଯେମିତି ତ୍ରିରଙ୍ଗାର ତିନି ରଙ୍ଗ ହାଜି ସା’ବଙ୍କ ମନ ଭିତରେ ହତାଶା, ଘୃଣା ଓ ଭୟର ବିଷ ହୋଇ ଚରି ଯାଉଥିଲା । ପୋଲ ଆରପଟେ ଥିବା ଶରଣାର୍ଥୀ ଶିବିରରେ ଉଡ଼ୁଥିବା ସବୁଜ ପତାକା ନିକଟକୁ ଯିବା ଲାଗି ତାଙ୍କ ମନ ଉଚ୍ଛନ୍ନ ହୋଇ ଉଠୁଥିଲା । ଦୂରତ୍ୱ ଖୁବ୍ କମ୍‌, କିନ୍ତୁ କେତେ ତଫାତ୍‌! ଦିଓଟି ପତାକା ଭିତରୁ ତାଙ୍କର ଗୋଟିଏ । ସେଇ ପତାକା ତଳେ ଶାନ୍ତି, ଆନନ୍ଦ ଓ ଅସରନ୍ତି ସୁଖ- ଅର୍ଦ୍ଧଚନ୍ଦ୍ର ତଳେ ନିରାପତ୍ତା । ଅଲ ହିଲାଲର ଛାୟା । ଯଦି ନିଜ ଗଡ଼ରୁ ତାଙ୍କୁ ଏ ରାଜବଂଶୀମାନେ ବିଦା କରିଦେବେ? ଭବିଷ୍ୟତରେ କ’ଣ ଆଉ ଟୋଲ ମାହାସୁଲ ଆଦାୟ କରିହେବ? କମିଶନ କ’ଣ ଫଇସଲା କରୁଚନ୍ତି ସେକଥା କିଏ କହିବ? ସବୁ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ ।

‘ପାକିସ୍ତାନ ଗଠନ ହେବା ପରେ ତୁମେ ସେଠାରେ କିଛିଦିନ ବିତାଅ । ଆଚ୍ଛା କହିଲୁ, ଏଠି କେଉଁଠି ଶୁଖିଲା ଲଙ୍କା ଛୁଙ୍କ ହେଉଛି କି? ତୋତେ ବାସ୍ନା ଜଣାପଡ଼ୁଛି?’ ସାହୁଜୀଙ୍କ ମା’ ଦର୍ପଣ ସିଂହର ପତ୍ନୀକୁ ପଚାରିଲେ । ‘ସେ ଲୋକଗୁଡ଼ାକ କ’ଣ ତୁମମାନଙ୍କ ମାଂସ ଖାଇବାକୁ ସେଦିନ ରାତିର ବାଧ୍ୟ କରୁଥିଲେ, ମୁଁ ଭଲ ଭାବରେ ଜାଣିଚି, ସେମାନେ ନିଶ୍ଚେ ତୁମମାନଙ୍କୁ ହଇରାଣ କରୁଥିବେ ।’

ଦର୍ପଣ ସିଂହର ସ୍ତ୍ରୀ ପାଖରେ ଏଭଳି ପ୍ରଶ୍ନର କୌଣସି ନିର୍ଦିଷ୍ଟ ଉତ୍ତର ନଥିଲା । ସେ ମନକୁ ମନ ଗୁଣୁଗୁଣୁ ହେଲା,‘ଏଥର ତରତରରେ ଆସିବାକୁ ପଡ଼ିଲା ଯେ କଅଁଳିଆ କଖାରୁ ଡଙ୍କ ଖଣ୍ଡେ ସୁଦ୍ଧା କାଟି ଆଣିବାକୁ ତର ସହିଲାନି । ଶେଷକୁ ତାକୁ ମୂଳରୁ ଓପାଡ଼ି ଆଣିବାକୁ
ପଡ଼ିଲା । ଭଗବାନଙ୍କୁ ଜଣା ସେ ବଳଦ ହଳକ କ’ଣ ଇସାରା ପାଇଲେ କେଜାଣି; ସେମାନେ ବି ସେ ଡଙ୍କକୁ ଥରେ ଶୁଙ୍ଘି ପୁଣି ମୁହଁ ବୁଲେଇନେଲେ । ମୁଁ ମୋ ଚୂଲିଟାକୁ ବି ଭାଙ୍ଗିଦେଇ ଆସିଚି । କେଡ଼େ ସୁନ୍ଦର ମାଟି ଚୂଲିଟା! ନିଜ ହାଜରେ ପକେଇଥିଲି । ଭଗବାନଙ୍କୁ ଜଣା ଇର୍ଫାନର ମାଉସୀ ସେଥିରେ କ’ଣ ରାନ୍ଧିବ! ଆଉ ଏ ଦିଅଁଙ୍କୁ ରଖି ମୁଁ ଭଲ କ’ଣ କରିବି? ତାଙ୍କ ଲାଗି ମନ ଭାରି ବ୍ୟସ୍ତ । ଭଗବାନ ତାଙ୍କ ନିଜ କଥା ସମ୍ଭାଳନ୍ତୁ । ଆମେ ଅଜ୍ଞାନ ଲୋକ, ସେଇଥିଲାଗି ଏତେ ହଇରାଣ ହେଉଚୁ । ଦେଖାଯାଉ, କୁଳ ପୁରୋହିତେ କ’ଣ କହୁଛନ୍ତି । ଏ ଜାଗାରେ ରାନ୍ଧିବାକୁ ଭଗବାନ କେଉଁ ସୁବିଧା କରିଚନ୍ତି ଯେ ମୁଁ କରିବି?’

ସିଏ ଭଗବାନଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ପ୍ରଣାମ କରିବାକୁ ଉଦ୍ୟତ ହେଉଥିବାବେଳେ ସାହୁଜୀଙ୍କ ପତ୍ନୀ, ନିଜ ଜାତିକଥା ଭୁଲି ତାଙ୍କ ହାତ ଦିଓଟିକୁ ଜାବୁଡ଼ି ଧରିଲେ । କେବଳ ଆଶ୍ୱାସନା ଦେବା ତାଙ୍କର ଅଭିପ୍ରାୟ । ଦର୍ପଣର ପତ୍ନୀ ବି ସ୍ନେହର ସେଇ ଉଷ୍ମ ସ୍ପର୍ଶକୁ ପ୍ରତ୍ୟାଖ୍ୟାନ କରି ନିଜ ହାତକୁ ମୁକୁଳାଇ ନେବା ଲାଗି ଚାହିଁଲାନି । ଏପରିକି ଭଗବାନଙ୍କୁ ପ୍ରଣିପାତ କରିବା ଲାଗି ଉଠୁଥିବା ହାତ ସେଇଠି ଅଟକିଗଲା । ମାତ୍ର ତିନିଦିନ ହେଲା ସେ ଏ ମହିଳାଙ୍କୁ ଜାଣିଥିଲା । ହେଲେ ସେତିକି ଭିତରେ ସେ ତାଙ୍କଠାରୁ ଅଯାଚିତ ଶ୍ରଦ୍ଧା ପାଇଥିଲା । ତେଣୁ ତାଙ୍କ ଛାତିରେ ମୁହଁଗୁଞ୍ଜି ସେ କଇଁ କଇଁ ହୋଇ କାନ୍ଦିଉଠିଲା । ସତେ ଯେମିତି ତା’ ମନର ସବୁ ଦୁଃଖକୁ ସେ କେଇବୁନ୍ଦା ଲୁହ
ଭିତରେ ମନରୁ ନିଗାଡ଼ି ଦେବାକୁ ଚାହୁଁଥିଲା ।

ପ୍ରଥମ କେଇ ଦିନ ତ ଏଭଳି ଦୁର୍ଦିନର ଦୁର୍ଦଶା ଲୋକଙ୍କୁ ଏପରି ଆକ୍ରାନ୍ତ କରିରଖିଲା ଯେ ସେମାନେ ହତବାକ ହୋଇପଡ଼ିଲେ । କିଛିଦିନ ଗତ ହେବା ପରେ, ସତେ ଯେମିତି ଅନିଶ୍ଚିତତା ସେମାନଙ୍କ ଜୀବନର ଏକ ଧାରା ପାଲଟିଗଲା! ଭୟର ସେ କ୍ଷୁରଧାର ବି ଧୀରେ ଦନ୍ଥଡ଼ା ହୋଇଗଲା । ଶଗଡ଼ଭଡ଼ା, ଖାଦ୍ୟସାମଗ୍ରୀ ଦର ଦି’ଗୁଣ ବଢ଼ି ସାରିଥିଲା । କିନ୍ତୁ ଏବେ ପୁଣି ଥରେ ସେ ଦର କମିଗଲା । ପୁଲିସବାଲା ମାତ୍ର ତିନିଦିନ ଭିତରେ ସବୁ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିନେଲେ । ପୁଣି ଥରେ ଚାଉଳବସ୍ତା ବୋଝେଇ ଶଗଡ଼ ପୋଲ ଆରପଟୁ ଏପଟକୁ ଆସିବା ଆରମ୍ଭ କଲା । ଅନ୍ୟ ପଟକୁ ଶହ ଶହ, ହଜାର ହଜାର ଗାଈଗୋରୁ, ମଇଁଷିଙ୍କୁ ଅଡ଼େଇ ନିଆଚାଲିଲା ।

ଏତେ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଲୋକମାନେ ତଥାପି କମିଶନଙ୍କ ରିପୋର୍ଟ କଥା ଜାଣିବା ଲାଗି ଆଗ୍ରହୀ ଥିଲେ । ପ୍ରତିଦିନ ଅସଂଖ୍ୟ ଶଗଡ଼ରେ ଚାଉଳ ବୋଝେଇ ହୋଇ ସୁଧାନୀ ଆସୁଥିଲା । ମୁନୀମଜୀ ସେସବୁ ଚାଉଳ ଚଟାକଟ କିଣି ନେଉଥିଲେ । ମୁନୀମଜୀଙ୍କ କଥା ନିଆରା । ତେଣୁ ସେ ସବୁଠୁ କମ୍‍ ଶଗଡ଼ ଭଡ଼ା ଦେଉଥିଲେ । ଲୋକମାନେ ତାଙ୍କ ପ୍ରତି ଏତେ ମାତ୍ରାରେ କୃତଜ୍ଞ ଥିଲେ ଯେ ସେ ଯଦି ମାଗଣାରେ ତାଙ୍କ ଲାଗି ଚାଉଳ ବୋହିବାକୁ କହିଥାଆନ୍ତେ, ତଥାପି ସେମାନେ ନିଜକୁ ଭାଗ୍ୟବାନ ବୋଲି ଭାବିଥାଆନ୍ତେ ।

‘ନା, ନା ମୁନୀମଜୀ କଦାପି ଠକ ହୋଇ ପାରିବେନି । ସେ ଜଣେ ହିନ୍ଦୁ । ତୁମ ଭଳିଆ ଆଇଁଷଖିଆ ନୁହନ୍ତି । ତାଙ୍କ ଘର ରାଜପୁତନାରେ । କେଡ଼େ କେଡ଼େ ବୀର, ଯୋଦ୍ଧା ସେଠାରେ ଜନ୍ମ ନେଇଛନ୍ତି! ସେମାନେ କେବେ ମୁସଲମାନଙ୍କ ଆଗରେ ଥରେ ସୁଦ୍ଧା ମୁଣ୍ଡ ନୁଆଇଁ ନାହାନ୍ତି । ତେଣୁ ତୁମମାନଙ୍କ ଶଗଡ଼କୁ ସେ ମାଗଣାରେ କଦାପି ନେବେନି । କେବଳ ଜଣେ ମୁସଲମାନ ଇଜରାଦାର ସେମିତି କରିପାରନ୍ତି । ମୁନୀମଜୀ କିନ୍ତୁ ସେମାନଙ୍କ ଉଚିତ ଭଡ଼ା ଦେବେ ।’

: ସାହୁଜୀ, ଆମେ କ’ଣ ସେ କଥା ଜାଣିନୁ? ଆଚ୍ଛା କହିଲେ, କମିଶନଙ୍କ ରିପୋର୍ଟ କେବେ
ଜଣାପଡ଼ିବ?’
:‘କିଏ କହିବ? ମୋର ବିଶ୍ୱାସ, ଆଉ କେଇଟା ଦିନ ଭିତରେ ବାହାରିପାରେ । ମୁନୀମଜୀ ବି ସେଇ
କଥା ସେଠାରେ କହୁଥିଲେ । ମୁସଲମାନ ଲୋକେ ଗଣ୍ଡଗୋଳ କରୁଚନ୍ତି ।’
:‘ସାହୁଜୀ, ମୁଁ ଆଜି ମୁନୀମଜୀଙ୍କ ଚିଠି ନେଇ ଯିବି । ମୋତେ ଦିଅନ୍ତୁ ।’
:‘ତୁ ପରା ଗଲା ପଅରିଦିନ ନେଇ ଯାଇଥିଲୁ, ସୁଖଦେବ ।’
:‘ସାହୁଜୀ, ଆଜି ଚିଠି ମୁଁ ନେବି ।’

ସବୁ ଶଗଡ଼ିଆ ମୁନୀମଜୀଙ୍କ ଚିଠି ନେଇ ଯିବାକୁ ଏକ ଗୌରବର କଥା ବୋଲି ମଣନ୍ତି । କମିଶନଙ୍କ ଗତିବିଧି ଓ ଅନ୍ୟାନ୍ୟ ଖବର ବିଷୟରେ ମୁନୀମଜୀ ଫି’ଦିନ ସୁଧାନୀକୁ ଚିଠି ଲେଖି ଖବର ପଠାନ୍ତି ।’

ଶ୍ରୀଲାଲ ଜାଣିବାକୁ ପଚାରିଲା, ସୁଧାନୀ ଡିପୋକୁ ସବୁଦିନ ମେସିନରେ ବଡ଼ଲାଟଙ୍କ ବିଷୟରେ ଯେଉଁସବୁ ଖବର ଆସେ, ସେସବୁ କ୍ୟାସବହିରେ ଲେଖାଯାଉଚି ନା ନାଇଁ । ସେ ପ୍ରତିବାଦ କଲାଭଳି କହିଲା, ‘ଗଲା କେଇଦିନ ତଳେ ସେ ମୁନୀମଜୀଙ୍କ ଚିଠିକୁ ଡିପୋରେ ଦେବାବେଳେ ସେମାନେ ତାକୁ ଗୋଟିଏ ଖାତାରେ କପି କରି କିଛି ଲେଖିଲେ । ପୁଣି ମୁଁ ଯେଉଁ ଉତ୍ତର ସେମାନଙ୍କଠାରୁ ଆଣିଲି, ବହିର କିଛି ଖବର ମଧ୍ୟ ସେଥିରେ ଲେଖାଯାଇଥିଲା ।’ ‘ହୋଇଥାଇପାରେ । ସେଇଟା ତ ବଡ଼ ଗୋଦାମ । ଆମର ଏମିତିକା ଛୋଟକାଟିଆ
ଦୋକାନପାଇଁ ସେସବୁ କିଛି ଦରକାର ନାହିଁ । ରାମଜୀଙ୍କ ଦୟାରୁ ଆମେ ଯଦି ତୁମର କିଛି ସେବା କରିପାରିଲୁ, ସେଥିରେ ଖୁସ୍‍ । ସେ ଯାହାହେଉ, ଆଜି ମିଶ୍ରିଲାଲ ଚିଠି ନେଇ ଯିବ । ହଁ, ଶ୍ରୀଲାଲ, ଶୁଣ୍‍ । ଆସନ୍ତାକାଲି ମୁନୀମଜୀ ନିଜେ ସୁଧାନୀ ଯିବେ । ତୁ ତୋ ଶଗଡ଼ରେ ତାଙ୍କପାଇଁ ବରଡ଼ାତାଟ ଯୋଗାଡ଼ କରି ପାରିବୁନି? ମୁନୀମଜୀ ତ ଏମିତିକିଆ ଲୋକ ଯିଏ ଇଜରାଦାରଙ୍କ ଠାରୁ କିଛି ହେଲେ ସାହାଯ୍ୟ ନେବେନି । ସେ ତ ଖାଌକ୍ଷଗ୍ଧ;ି ଲୋକ । ସଦାବେଳେ ନିଜ ମାନସମ୍ମାନକୁ ଜଗିଥିବେ । ତେଣୁ ଆସନ୍ତାକାଲି ଆମର ଜଣେ ଖାସ୍‍ ବିଶ୍ୱସ୍ତ ଶଗଡ଼ିଆ ଦରକାର । ମୁନୀମଜୀଙ୍କ ପାଖରେ ଲୋକମାନେ ଜମା ଦେଇଥିବା ଟଙ୍କାରୁ ଚାଉଳ କିଣା ପରେ ସୁଦ୍ଧା ଅଳ୍ପ
କିଛି ଟଙ୍କା ବଳିଥିଲା । ସେଇ ଜନତାଙ୍କ ଟଙ୍କାକୁ ଡିପୋରେ ଜମା କରିବା ଲାଗି ମୁନୀମଜୀ ଯିବେ । ଏ ଜାଗାରେ ତ ଚୋର ତସ୍କର ଭର୍ତ୍ତି । ଏତେଗୁଡ଼ାଏ ଟଙ୍କା ପାଖରେ ଧରି ରହିବା ନିରାପଦ ନୁହଁ । ପରେ ଯେତେବେଳେ ଏସବୁ ଗଣ୍ଡଗୋଳ ତୁଟିବ, ସମସ୍ତେ ତାଙ୍କ ପୂରା ଡିପୋଜିଟ୍‍ ଟଙ୍କା ଫେରସ୍ତ ପାଇବେ । କାହାରି ପାହୁଲାଟିଏ କଟିବନି । କିନ୍ତୁ ଏ ଜାଗାଟା ତ ଗଣ୍ଡଗୋଳିଆ । ଦୋକାନିଆଜୀଙ୍କ ଡିପୋ କଥା ତ ବଟଲାଟଙ୍କ ବି ଜଣା ।’

ଯିଏ ଯେଉଁଆଡ଼େ ଯାଇ ମୁନୀମଜୀଙ୍କ କଥା ସମସ୍ତେ କଥାବାର୍ତ୍ତା ହେଉଥିଲେ । ସମସ୍ତଙ୍କ ତୁଣ୍ଡରେ ତାଙ୍କରି ପ୍ରଶଂସା । ଏବେ ତ ମୁନୀମଜୀଙ୍କୁ ଗାଧୋଇବାକୁ କି ଖାଇବାକୁ ସୁଦ୍ଧା ତର ନ ଥିଲା । ଏତେ ଗୁଡାଏ ଅସହାୟ ଶରଣାର୍ଥୀ ଲୋକଙ୍କୁ ଯେମିତି ହେଲେ ଥଇଥାନ କରିବାକୁ ପଡ଼ିବ । ସେଇଥିଲାଗି ସେ ଅକ୍ଳାନ୍ତ ପରିଶ୍ରମ କରିଚାଲିଥିଲେ । ଦର୍ପଣ ସିଂହର ବାପାକୁ ମୁନୀମଜୁ କିଛି ଅଗ୍ରିମ ଟଙ୍କା ଦେବେ ବୋଲି କଥା ଦେଇଥିଲେ । ଇର୍ଫାନକୁ ପାନେ ଚଖେଇବା ହେଲା ବୁଢ଼ାର ଉଦ୍ଦେଶ୍ୟ । ଇର୍ଫାନର କମ୍‍ ସାହସ ନୁହେଁ- ସେ ରାଜବଂଶୀ
ପରିବାରର ଝିଅକୁ ବାହାହେବ ବୋଲି ଚାହୁଁଛି! ସବୁ ପ୍ରକାର ଆପଦବିପଦ ସତ୍ତ୍ୱେ, ବୁଢ଼ାର ଷାଠିଏ ବିଘା ଜମିକୁ କିଣିବା ସକାଶେ ମୁନୀମଜୀ ରାଜି ହୋଇଥିଲେ । ତା’ହେଲେ ଇର୍ଫାନ ବୁଝିପାରିବ ସମାଜରେ ତା’ ସ୍ଥାନ କେଉଁଠି । ତା’ଛଡ଼ା ଡିପୋ ଇଷ୍ଟେଟର ଆଭୁ ନଦତସର ବିଘା ଜମି ଦର୍ପଣକୁ ଦେବେ ବୋଲି ମୁନୀମଜୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମିଶନଙ୍କ ରିପୋର୍ଟ ବାହାରିବା ପରେ ସେ ଜମି ମିଳିବ ବୋଲି ସେ କହିଥିଲେ ।

ମୁନୀମଜୀଙ୍କ କାର୍ଯ୍ୟଦକ୍ଷତା ଉପର ବିହାର ଓ ବଙ୍ଗଳା ସରକାରଙ୍କ ଅଧିକାରୀମାନେ ଖୁବ୍‍ ଖୁସି ଥିଲେ । କଲିକତାର ରିଲିଫ ସୋସାଇଟି ତ ତାଙ୍କୁ ଭୂରି ଭୂରି ପ୍ରଶଂସା କରୁଥିଲା । ହିନ୍ଦୁ ଲୋକମାନେ ତାଙ୍କ ନିକଟରେ କୃତଜ୍ଞ ଥିଲେ । କିନ୍ତୁ ମୁସଲମାନ ଲୋକମାନେ ତାଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ । ‘ଅଗଷ୍ଟ ପନ୍ଦର ତାରିଖ ସୁଦ୍ଧା ହିନ୍ଦୁସ୍ତାନ ସ୍ୱାଧୀନ ହୋଇଯିବ ବୋଲି ମୁନୀମଜୀ ବଜାରର ସବୁ
ଦୋକାନୀମାନଙ୍କୁ ନିର୍ଭରବାଣୀ ଶୁଣାଇଥିଲେ ।

:‘ଆଉ ପାକିସ୍ତାନ?’
:‘ଆରେ ହଁ, ସେଇ ଦିନ ପାକିସ୍ତାନ ବି ଜନ୍ମଲାଭ କରିବ ।’

ତାଙ୍କ କଥା ଶୁଣିବାକୁ ସେଠାରେ ରୁଣ୍ଡ ହୋଇଥିବା ଶହ ଶହ ଲୋକଙ୍କର ପଚାରିବାକୁ ଇଚ୍ଛା ହେଉଥିଲା- ‘ଏ ଘଟଣାକୁ କେମିତି ହେଲେ ବାତିଲ କରି ହୁଅନ୍ତାନି?’ ସତେ ଯେମିତି ତାଙ୍କ ନୀରବତାର ପ୍ରଶ୍ନକୁ ବୁଝିପାରି ମୁନୀମଜୀ ଉତ୍ତର ଦିଅନ୍ତି, ‘ନେଇଯାଅ ନ ହେଲେ ଛାଡ଼ିଦିଅ । ଆଉ ବିଳମ୍ବ କଲେ ପଛରେ ପସ୍ତେଇବାକୁ ପଡ଼ିପାରେ ।’ ଏକଥା ତାଙ୍କ ତୁଣ୍ଡରୁ ବାହାରିବା ପୂର୍ବରୁ ପଞ୍ଝାଏ ମୁସଲମାନ ଲୋକ ହଠାତ୍‍ ଆସି ସେଠାରେ ହାଜର ହୋଇଯାଇଥିଲେ । ଦିନାଜପୁର ଓ ମାଲଦାରୁ ଆସିଥିବା ଶରଣାର୍ଥୀମାନଙ୍କ ମୁହଁରେ ଭୟ ଓ ଆଶଙ୍କାର କଳାବାଦଲ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

ସେମାନେ ପ୍ରାୟ ଏକ ସ୍ୱରରେ ପଚାରିଲେ, ‘ଆଉ କମିଶନଙ୍କ ରିପୋର୍ଟ? କମିଶନ କ’ଣ ଫଇସଲା ଶୁଣାଇଲେ?’

‘ଆଉ ଦିନ କେଇଟା ପରେ ସେକଥା ଜଣା ପଡ଼ିଯିବ । କିନ୍ତୁ ଏକଥା ଏବେଠାରୁ ସ୍ପଷ୍ଟ ହୋଇସାରିଲାଣି ଯେ ପୂର୍ଣ୍ଣିଆ, ମାନେ ଆରୁଆ ଖୋଆ ପାକିସ୍ତାନକୁ ଯାଉନି ।’ ସେଠାରେ ଠିଆ ହୋଇଥିବା ପୂର୍ଣ୍ଣିଆ ଅଞ୍ଚଳର କିଛି ଲୋକଙ୍କ ତୁଣ୍ଡରୁ ଶୁଭିଲା, ‘ମହାତ୍ମା ଗାନ୍ଧୀକୀ ଜୟ!’ ବିଶେଷ କରି ଆରୁଆଖୋଆର ବ୍ୟବସାୟୀମାନେ ଏଭଳି ସୂଚନା ପାଇ ବେଶ୍‍ ଖୁସି ହୋଇପଡ଼ିଥିଲେ । ସେମାନେ ଯେଝା ଯେଝା ଛତା, ଚପଲ କି ରୁମାଲ ଉପରକୁ ଫିଙ୍ଗି ମନଇଚ୍ଛା ଖୁସି ମନାଇଲେ । ଆନନ୍ଦରେ ଅଧୀର ହୋଇ ପଡ଼ିଥିବା ପାନଦୋକାନୀ ଯଦୁ ଲୋକମାନଙ୍କୁ ମାଗଣାରେ ସବୁତକ ପାନ ବାଣ୍ଟିଦେଲା । ମାଲଦା ଓ ଦିନାଜପୁର ଇଲାକାର କିଛି ଲୋକ ପୂର୍ଣ୍ଣିଆରେ ଥିବା ମୁନୀମଜୀଙ୍କ ଜମି ଭାଗରେ
ନେଇ ଚାଷବାସ କରିବା ସକାଶେ ତାଙ୍କୁ ଅନୁରୋଧ କଲେ ।

ପୂର୍ଣ୍ଣିଆର ଏ ଅଞ୍ଚଳଟା ସଦାବେଳେ ମେଲେରିଆ ନ ହେଲେ କଳାଜ୍ୱରପ୍ରବଣ । ସେଇଥିପାଇଁ ଲୋକମାନଙ୍କର ବାଟି ବାଟି ଜମି ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିଥାଏ । ଲୋକଙ୍କ ପାଖରେ ଚାଷବାସ ଲାଗି ପଇସାର ଅଭାବ, ଆଉ ତା’ସାଙ୍ଗକୁ ମୂଲିଆ ମଜୁରିଆ ବି ମିଳନ୍ତିନି । ଏବେ
ଭାଗଚାଷୀଙ୍କ ସଂଖ୍ୟା କଳି ହେଉ ନ ଥିଲା । ଏପରିକି ସେମାନେ ଅଧିକ ସଲାମୀ ଦେଇ ଜମି ଚାଷ କରିବାକୁ ନେବାକୁ ପ୍ରସ୍ତୁତ ଥିଲେ । ଏ ଇଲାକାର ଅଧିକାଂଶ ଜମିରେ ଭାଗଚାଷ ହିଁ ହୁଏ, ନ ହେଲେ ମାଗଣାରେ ଚାଷବାସ କରିବାକୁ ଜମି ମାଲିକମାନେ ଛାଡ଼ି ଦେଇଥାଆନ୍ତି । ସେସବୁ ନିଷ୍କର ଜମି । ଏଇ ତ ଆଶୀର୍ବାଦ । ଆଉ ଶୁଣାଯାଉଥିଲା ସରକାର କାଳେ ଜମିଦାରୀ ପ୍ରଥା ଉଚ୍ଛେଦ କରିଦେବେ । ତେଣୁ ଆଗକୁ ତାଙ୍କ ମୁଣ୍ଡରେ ଲକ୍ଷ୍ମୀ ଧନବର୍ଷା କରିବାକୁ ଯାଉଛନ୍ତି ବୋଲି ମୁନୀମଜୀଙ୍କୁ ଜଳଜଳ ହୋଇ ଦୃଶ୍ୟ ହେଉଥିଲା । ସେ ନିଶ୍ଚିତ ମଧ୍ୟ ଥିଲେ । ତେଣୁ ଲୋକମାନଙ୍କ ଅନୁରୋଧରେ ସେ କିଛି ସହସା ଉତ୍ତର ନ ଦେଇ ଚୁପ୍‍ ରହିଲେ । ତାଙ୍କର ଏଭଳି ନୀରବତା ସ୍ପଷ୍ଟ କରୁଥିଲାଯେ ଦୁସ୍ଥ ଲୋକମାନଙ୍କୁ ସେ ଜଣାଇ ଦେବାକୁ ଚାହୁଁଥିଲେ – ସେମାନଙ୍କ ଇଚ୍ଛା ହେଲେ ଜମି ନିଅନ୍ତୁ ନ ହେଲେ ଛାଡ଼ିଦିଅନ୍ତୁ । ଏ
ବିଷୟରେ ସେ ଅଧିକ ମୂଲଚାଲ କରିବାକୁ ଚାହାନ୍ତିନି । ଆମେ ସେ ଜମିଜମା, ଭାଗଚାଷ କଥା ପରେ ଦେଖିବା । ବର୍ତ୍ତମାନ ଅନ୍ୟ କଥା ଆଲୋଚନା କରିବା ଜରୁରି । ଶରଣାର୍ଥୀମାନେ ନିଜ ସାଙ୍ଗରେ ଏତେଗୁଡ଼ାଏ ଗାଈଗୋରୁ, ଛେଳିମେଣ୍ଢା, ମଇଁଷିଙ୍କୁ ଧରି ଆସିଛନ୍ତି ।

ସେମାନଙ୍କୁ ତ ଆଉ ଚାରିଆଡ଼େ ମନଇଚ୍ଛା ଚରିବୁଲିବାକୁ ଛାଡ଼ିଦେଇ ହେବନି । ସ୍ଥାନୀୟ ଲୋକମାନେ ଏକଥା କଦାପି ବରଦାସ୍ତ କରିବେନି । ମୁଁ ଭାବୁଚି ଶସ୍ତାରେ ସେମାନଙ୍କ ପାଇଁ କିଛି ଗୋଚର ଜମି ଛାଡ଼ିଦେବି । କିନ୍ତୁ ସେଥିପାଇଁ ତୁମମାନଙ୍କୁ କିଛି ପାଉଣା
ଦେବାକୁ ପଡ଼ିବ ।’

ଏଇ ଗୋଟିଏ ସମସ୍ୟାର ସମ୍ଭାବ୍ୟ ସମାଧାନ ସୂତ୍ରକୁ ସମର୍ଥନ କରିବା ସକାଶେ ସହସା ଅନେକ ଲୋକଙ୍କ ସମ୍ମତିଭରା ସ୍ୱର ଶୁଭିଲା । ସବୁ ଲୋକ ପ୍ରଥମେ ନିଜ ଗାଈଗୋରୁଙ୍କ ଲାଗି ଚାରଣ ଅଧିକାର ହାସଲ କରିବାକୁ ବ୍ୟଗ୍ର ହୋଇପଡ଼ିଲେ । ପୋଲ ଆରପଟେ ରୁଣ୍ଡ ହୋଇଥିବା ଲୋକ ଅନ୍ୟମାନଙ୍କ ଖୁସି ଓ ଉତ୍କଣ୍ଠାକୁ ଲକ୍ଷ୍ୟ କରି ଚଳଚଞ୍ଚଳ ହୋଇପଡ଼ିଲେ । ସେମାନେ ଅନୁମାନ କଲେ, ବୋଧହୁଏ କିଛି ଗୋଟିଏ ବଡ଼ ଘଟଣା ଘଟିଛି ।

ତେଣୁ ସେମାନେ ନିଜ ନିଜ ଭିତରେ ପଚରାଉଚରା ହେଲେ,‘କଥା କ’ଣ? କି ଖବର ଆସିଲା ଯେ ସେମାନେ ଏତେ ଖୁସି ଜଣା ପଡ଼ୁଚନ୍ତି? ତେବେ ଆମର ଭୟ କରିବାର କିଛି ନାହିଁ ।’ ଇକବାଲ ମୁହଁରେ ଚୁଙ୍ଗାଟା ଲଗେଇ ବଡ଼ ପାଟିରେ ଚିଲ୍ଲେଇ ଉଠିଲା, ‘ନାରା ଏ ତକବୀର!’ ଅନ୍ୟମାନେ ସମସ୍ୱରରେ ଚିତ୍କାର ଛାଡ଼ିଲେ, ‘ଆଲ୍ଲା ହୋ ଆକବର!’

:‘ତୁମେ ସବୁ କ’ଣ ମୁର୍ଦ୍ଦାର ନା ଆଉ କିଛି? ତୁମ ତୁଣ୍ଡରୁ କଥା ବାହାରୁନି? ମୋ ଇଚ୍ଛା ହେଉଛି ତୁମ ସମସ୍ତଙ୍କୁ ଏ ନଈରେ ଡୁବେଇ ମାରିବାକୁ ।’

ନଦୀ ଆରପଟେ ଲୋକମାନଙ୍କ ଖୁସିର କାରଣ ଜାଣିବାକୁ ହନିଫ ଓ ଇକବାଲ କେଇ କାହୁଣ୍ଡ ଆଗକୁ ଉହୁଙ୍କିଗଲେ ।

:‘ଏ ନାରାବାଜି କରି ଚାଲ । ଅଟକି ଯାଅନି । ଆମେ ଖବର କ’ଣ ଜାଣିବାକୁ ଚେଷ୍ଟା କରୁଚୁ । ବୁଝିପାରୁଚ ତ?’
:‘ଆରେ ସେ ଶଗଡ଼ିରେ ବସି କିଏ ଯାଉଚି?’
:‘ତାକୁ ଭଲଭାବେ ତଲାସୀ କର । ସାବଧାନ! ସେମାନେ ଯେମିତି ପାକିସ୍ତାନରୁ କିଛି ହେଲେ ଚୋରେଇ ନନିଅନ୍ତି ।’

ଏକଥା ଶୁଣିବା ମାତ୍ରେ ଇର୍ଫାନ ଯାଇ ସେମାନଙ୍କ ପାଖରେ ପହଞ୍ଚିଗଲା ଓ ପଚାରିଲା, ‘କିଏ ଦିଦିମନୀ? ଜାମାଇ ବାବୁ? କୁଆଡ଼େ ପଳେଇ ଯାଉଚ? ଆମେମାନେ କ’ଣ ଏଠାରେ ନାହୁଁ? ଖୋକାବାବୁ ତ ଏଇଠି ବଢ଼ିଚନ୍ତି । ସେତେ ଯେମିତି ମତେ ଦେଖି ଡରୁଚନ୍ତି । ଦିଦିମନୀ, ତୁମେ କାହାକୁ ଡରୁଚ? ବାପାଙ୍କୁ ଦେଖାକରି ତୁମେ ଜଲଦି ଲେଉଟି ଆସିବ । ଜାମାଇବାବୁ, ଏମିତି ଲାଙ୍ଗୁଡ ଜାକୁଚ କାଇଁକି? ମୁଁ ତ ଭାବୁଥିଲି ତୁମେ ଜଣେ ସାହସୀ ଲୋକ ବୋଲି?’

ବିଚରା ଜାମାଇବାବୁଙ୍କ ପାଟି ଏବେ ଖନି ମାରି ଯାଉଥିଲା । କ’ଣ କହିବେ, ତାଙ୍କୁ କିଛି ବୁଦ୍ଧିବାଟ ଯୁଟୁ ନ ଥିଲା । ସେମାନଙ୍କ ସାନ ପୁଅଟି ହାତରେ ଇର୍ଫାନ ଗୋଟିଏ ଲିଗ୍‍ ପତାକା ଧରେଇଦେଇ ପଚାରିଲା, ‘ସୁନ୍ଦରିଆ ଦିଶୁଚି ନା, ଖୋକାବାବୁ?’

ତା’ପରେ ସେମାନେ ନିରାପଦରେ ଶଗଡ଼ଟିକୁ କାଠପୋଲ ଆରପଟକୁ ପାର କରାଇଦେଲେ । ଦର୍ପଣ ସିଂହଙ୍କ ଜ୍ୱାଇଁକୁ ବିଦାୟ ଦେବା ପୂର୍ବରୁ ଇର୍ଫାନ କହିଲା, ‘ବିଚରା ପାଦଚଲା ରଜା! ଶଗଡ଼ରେ ବସି ଲୁଚି ପଳଉଚି!’

ଏ ଖବର ସେମାନଙ୍କ ଜଣାପଡ଼ିବା ପରେ, ଇକବାଲ ସାଙ୍ଗରେ ଯାଉଥିବା ପୂର୍ଣ୍ଣିଆର ମୁସଲମାନମାନେ ଇଜରାଦାର ଉପରେ ରାଗିପାଚି ଅଗ୍ନିଶର୍ମା ହୋଇଗଲେ । ‘ତା’ହେଲେ ସେ ଚାନ୍ଦାଭେଦା ଠକେଇଥିଲା । ସେ ବେଇମାନକୁ ଭଲକରି ପାନେ ଚଖେଇବାକୁ ପଡ଼ିବ । ଏବେ ସେ ବୋଧହୁଏ ଆରୁଆଖୋଆରେ ଅଛି । ତୁମେ କ’ଣ ଭାବୁଚ ହିନ୍ଦୁମାନେ ତାଙ୍କ ଲାଞ୍ଚ ଖୁଆଇ ନିଜ ସପକ୍ଷରେ କରିନେଲେ? ଆଜି
ରାତିରେ ସିଏ ତା’ ମୁହଁ ଦେଖାଉ, ତା’ କଥା ବୁଝାଯିବ ।’

ମୁନୀମଜୀ ଯାହା କିଛି ଖବର ଆଣନ୍ତି ଉଭୟ ପକ୍ଷ ଲୋକଙ୍କ ଭିତରେ ତାହା ବେଶ୍‍ ଆଲୋଡ଼ନ ସୃଷ୍ଟି କରିଥାଏ । ଏପରିକି ଦର୍ପଣ ସିଂହର ବୁଢ଼ାବାପ ମୁହଁରେ ବି ତାଙ୍କ କଥା ହସ ଫୁଟାଇଥାଏ । ଆଉ କେତେ ଦିନ ଭଲ ମଣିଷ ମନ ଦୁଃଖରେ ବସି ଭାବିହେବ ଯେ ସୀତାପୁର ହିନ୍ଦୁସ୍ତାନକୁ ଫେରିବ? ସଦାବେଳେ ଜୀବନ ଯନ୍ତ୍ରଣା ଓ ନିତିଦିନିଆ ଗୁଜରାଣ ଆବଶ୍ୟକତା ସେମାନଙ୍କୁ ଆଗକୁ ଠେଲୁଥିଲା । ସେମାନେ ପୁଣି ଥରେ କାଠପୋଲ ଦେଇ ଏପଟ ସେପଟ ଯାତାୟାତ ଆରମ୍ଭ କଲେ । ଦୀର୍ଘବର୍ଷର ପ୍ରାଚୁର୍ଯ୍ୟର ସ୍ମୃତି ସେମାନଙ୍କ ଆଗରେ ଆରପଟେ ବିଛାଡ଼ି ହୋଇ ପଡ଼ିଥିଲା । ପୁଣି ତ ଥରେ ମୂଳରୁ ସମ୍ପର୍କ ଆରମ୍ଭ କଲେ କ୍ଷତି କ’ଣ? ନାଗରର ପଶ୍ଚିମପଟ ଅଞ୍ଚଳକୁ ତ ସେମାନେ ସଦାବେଳେ ମେଲେରିଆପ୍ରବଣ ବୋଲି ନାକ ଟେକୁଥିଲେ । ଆଉ ଆଜି ତାକୁ ‘ସୁବର୍ଣ୍ଣ ହିନ୍ଦୁସ୍ତାନ’ ବୋଲି ମୁଣ୍ଡରେ ଟେକି ଧରିବା ହାସ୍ୟାସ୍ପଦ କଥା ହେବନି? ବୁଢ଼ାର ସେଇ ବିଜ୍ଞ ଉପଦେଶ ଅନୁସାରେ ମଷିଷ ଦୋ ଦୋ’ପାଞ୍ଚ ହେଲେ ଜୀବନ ଯିବା ସୁନିଶ୍ଚିତ । କିନ୍ତୁ ସେ ବୁଝିପାରୁ ନ ଥିଲା, ଏକଥା ଘଟିଲା ଅବା କାହିଁକି!

ଏପରିକି ଯେତେବେଳେ ଗାନର ନଈ ସେମାନଙ୍କର ସବୁକିଛି ଧୋଇ ନେଉଥିଲା, ସେମାନେ ରାସ୍ତାକଡ଼ରେ ମଞ୍ଚା ବାନ୍ଧି ତା’ରି ଉପରେ ଦିନ ଦିନ ଧରି ବସି ରହୁଥିଲେ । ସେତେବେଳେ ଗୋଟିଏ ମୁହୂର୍ତ୍ତ ଲାଗି କେହି କାହାକୁ ଶତ୍ରୁ ବୋଲି ଭାବୁ ନ ଥିଲେ । ପୁଣି ବୁଢ଼ାର ମନେ ପଡ଼ିଲା ଇର୍ଫାନ କଥା । ହଠାତ୍‍ ତା’ର ବିବେକବୁଦ୍ଧି କୁଆଡ଼େ ଉଭେଇଗଲା ଓ ମନ କ୍ରୋଧରେ ଭରିଉଠିଲା । ଏଇ ଉତ୍କଣ୍ଠା ଭିତରେ ଲୋକମାନେ ମୁନୀମଜୀଙ୍କୁ ପଚାରିବାକୁ ଭୁଲି ଯାଇଥିଲେ ଯେ ଛଅଟା ଶଗଡ଼ରେ ଲଦି ସେ ସେମାନଙ୍କପାଇଁ କ’ଣ ସବୁ ଆଣିଚନ୍ତି?’
ମୁନୀମଜୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ । ପୋଲର ଉଭୟ ପକ୍ଷ ଲୋକଙ୍କ ଭିତରେ କୌଣସି କଥାକୁ ନେଇ ଯେମିତି କିଛି ହେଲେ ବିବାଦ ନଉପୁଜେ । ଯାହା କିଛି ଘଟିଗଲା ସେସବୁ ଅତୀତ । ପନ୍ଦର ତାରିଖ ଦିନ ସମସ୍ତେ ମିଳିମିଶି ଉତ୍ସବ ମନାଇବେ ।

ମୁଜୀମଜୀ ନିଜେ ପୋଲ ଆରପଟକୁ ଯାଇ ଲୋକମାନଙ୍କ ସାଙ୍ଗରେ କଥାବାର୍ତ୍ତା କଲେ । ଏପର୍ଯ୍ୟନ୍ତ ସେ ନଦୀ ଆରପଟକୁ ପାଦ ବଢ଼ାଇ ନ ଥିଲେ । କାଠ ପୋଲ ମଝି ଯେମିତି ଥିଲା ‘ନୋ ମ୍ୟାନସ୍‍ ଲ୍ୟାଣ୍ଡ’ । ତାଙ୍କ ଧାପ ସେଇ ପର୍ଯ୍ୟନ୍ତ ଥିଲା । ଏବେ ସେ ସେମାନଙ୍କ କ୍ୟାମ୍ପ୍‍ ପର୍ଯ୍ୟନ୍ତ ଗଲେ । ସମସ୍ତେ କଥାବାର୍ତ୍ତା ହେଉଥିଲେ- ‘ଲୋକଟାର ଢେର୍‍ ସାହସ!’

ଯଥାଶୀଘ୍ର ସେ ଲୋକମାନଙ୍କ ସହ ମୁନୀମଜୀ ଗୋଟିଏ ବୁଝାମଣା କରିନେଲେ – ଉଭୟ ପକ୍ଷ ଲୋକ ଆଉ ପରସ୍ପରଙ୍କୁ ଗାଳିଗୁଲଜ କରିବେନି । ପୁଣି ସେ ସେମାନଙ୍କୁ ପଚାରିଲେ, ‘ତୁମମାନଙ୍କ ପାଖରେ ପାକିସ୍ତାନ ପତାକା ଅଛି ନା ନାହିଁ? ନା, ଏଇଟା ନୁହେଁ, ଏଇଟା ପୁରୁଣା ପତାକା, ମୁସଲିମ୍‍ ଲିଗର । ତୁମେ କ’ଣ ନୂଆ ପତାକା କଥା ଶୁଣିନ? ମୋତେ କୁହ, ତୁମର ସେ ପତାକା ଦରକାର କି?
ସମସ୍ତଙ୍କୁ ସୁହାଇଲା ଭଳି ଦରରେ ସେସବୁ ମିଳୁଚି । ମୁଁ ବ୍ୟବସ୍ଥା କରିଦେବି ।’

ଏସବୁ ପରେ ଏପଟ ଲୋକଙ୍କୁ ବି ମୁନୀମଜୀ ସେଇ ନୂଆ ଖବର ଶୁଣାଇଲେ -’ ହିନ୍ଦୁସ୍ତାନର ବି ଗୋଟିଏ ନୂଆ ପତାକା ପ୍ରସ୍ତୁତ ହୋଇଛି ।’
:‘ଆମେ ସେସବୁ କେଉଁଠୁ ପାଇବୁ?’

‘ମୁଁ ପରା ସେ ଦାୟିତ୍ୱ ନେଇଚି । ସମସ୍ତଙ୍କପାଇଁ ପତାକା ଶସ୍ତା ଦରରେ ମିଳିବ ।’ ଏକଥା ଶୁଣିବା ମାତ୍ରେ ମୁନୀମଜୀଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହୋଇଉଠିଲେ । ଠିକଣା ସମୟରେ ଠିକଣା କଥା- ତୁମ ତୁଣ୍ଡରୁ କଥା ବାହାରିବା ମାତ୍ରେ ମୁନୀମଜୀ ନୂଆ ପତାକା ଆଣି ହାଜର କରେଇଦେଲେ । ଏବେ ରିଲିଫ କ୍ୟାମ୍ପ ଆଗରେ ଉତ୍ସବ ଲାଗିଲା ପରି ମନେ ହେଉଥିଲା । ବିଲାତର ଭାଇ କଲିକତାର
ଗୋଟିଏ ଚଟକଳରେ କାମ କରୁଥିଲା । ଅଗଷ୍ଟ ପନ୍ଦର ତାରିଖ ଦିନ ଗଣ୍ଡଗୋଳ ଲାଗିପାରେ ବୋଲି ସେମାନେ ଆଶଙ୍କା କରୁଥିଲେ । ତେଣୁ ଦଶବର୍ଷର ପୁଅକୁ ସାଙ୍ଗରେ ଧରି ସେ ସେଠାରୁ ପଳେଇ ଆସିଥିଲା । ଗଲା ଦି’ଦିନ ହେବ ବାପପୁଅ ରିଲିଫ ସୋସାଇଟିରେ କାମ କରୁଥିଲେ । ସହରରୁ ଆସିଥିବାରୁ ବିଲାତର ଭାଇ ଗାଁ ପିଲାଙ୍କ ଉପରେ ନାଲିଆଖି ଦେଖେଇ ସେମାନଙ୍କୁ ଜବତ କରି ରଖିଥିଲା । ସେ ସେମାନଙ୍କୁ ଗୋଟିଏ ନୂଆ ଖେଳ ଶିଖେଇ ଦେଉଥିଲା । ଅବଶ୍ୟ ସହରରୁ ଆସିଥିବା ରିଲିଫ କର୍ମଚାରୀମାନେ ହିଁ ସେ ଖେଳ ଆଣିଥିଲେ । ଖେଳଟି ହେଲା, ଗୋଟିଏ ଦଳ ପିଲାଙ୍କ ଭିତରେ ଜଣେ ହିନ୍ଦୁ ଭୂତ ରହିବ ଓ ଅନ୍ୟ ପଟେ ଗୋଟିଏ ମୁସଲମାନ ଭୂତ । ପ୍ରଥମ ଦଳଟି ବେଲଗଛ ମୂଳେ ରହିବେ ଓ ଅନ୍ୟଦଳଟି ରହିବେ କବରଖାନା ପାଖରେ । ସେମାନଙ୍କ ମଝିରେ ଗୋଟିଏ ବାଉଁଶ ତଲେଇ ଲଗାହୋଇ ପରସ୍ପରଙ୍କ ଠାରୁ ପୃଥକ୍‍ କରାଯାଇଥିଲା । ଆଉ ଭୂଇଁରେ ଟଣାଯାଇଥିଲା ଗାରଟିଏ । ଯେଉଁମାନେ ନୂଆଖାଲିରେ ମୃତ୍ୟୁବରଣ କରିଥିଲେ ସେମାନେ ହେଲେ ହିନ୍ଦୁଭୂତ, ଆଉ ଯେଉଁମାନେ ବିହାରରେ ମରିଥିଲେ ସେମାନେ ହେଲେ ପଠାଣ ଭୂତ ।ଯଦି ଜଣେ ଖେଳାଳି କବରଖାନା ପାଖକୁ ଆସେ ପଠାଣ ଭୂତମାନେ ନାକରେ ଏକପ୍ରକାର ବିଚିତ୍ର ସ୍ୱରରେ ଚିତ୍କାର ଛାଡ଼ନ୍ତି, ‘ଆରେ ଦେଖ, ଇଏ ବିହାରରୁ ଆସିଚି ।’ ଆଉ ଯଦି ବେଲଗଛ ନିକଟକୁ ଯାଏ, ଅନ୍ୟ ଦଳର ପିଲାମାନେ ଚିତ୍କାର ଛାଡ଼ନ୍ତି, ‘ତୁ କ’ଣ ନୂଆଖାଲିରୁ ଆସିଚୁ?’ ସେମାନଙ୍କୁ ଉତ୍ତର ଦେବାକୁ ଶିଖାଯାଇଥାଏ, ‘ନା, ଚିତପୁରରୁ ।’

ପିଲାମାନେ ବିଭିନ୍ନ ସ୍ଥାନର ନାଁ କହିଲା ବେଳକୁ ତାକୁ ବିକୃତ କରି ଭିନ୍ନ ଭିନ୍ନ ପ୍ରକାରେ ଉଚ୍ଚାରଣ କରୁଥିଲେ । ବୟସ୍କ ଲୋକମାନେ ସେମାନଙ୍କ କଥା ଶୁଣି ହସି ହସି ବେଦମ୍‍ ହୋଇପଡ଼ୁଥିଲେ । ମୁନୀମଜୀ ପିଲାମାନଙ୍କୁ ଆକଟ କରି ଖେଳ ବନ୍ଦ୍‍ କରିବା ଲାଗି ଧମକାନ୍ତି, ‘କି ତାମସା ଚାଲିଛି? ପୁଣି ଥରେ ଗଣ୍ଡଗୋଳ ଲଗେଇବ ନା କ’ଣ? ବନ୍ଦ୍‍ କର । ଆଉ ଥରେ ଯଦି ଏମିତି ଖେଳ ଖେଳିବାର ଦେଖିବି, ଗୋଟା ଗୋଟାଙ୍କୁ ଟେକିନେଇ ପୋଲ ଉପରୁ ନଈକୁ ଗଳେଇଦେବି ।’ ତା’ପରେ ସେ ରିଲିଫ୍‍ କର୍ମଚାରୀମାନଙ୍କ ଆଡ଼େ ଚାହିଁ କହନ୍ତି, ‘ତୁମମାନଙ୍କଠାରୁ ତ ଦାୟିତ୍ୱବାନ ଆଚରଣ ଆମେ ଆଶା କରିବୁ ।’

କେଇଟା ଦିନ ଭିତରେ ଚଢ଼ା ଦରରେ ପତାକା ବିକ୍ରି ଜୋରସୋରରେ ଚାଲିଲା । ହାଜି ସା’ବ ତାଙ୍କ ଲୋକଙ୍କ ସୁରକ୍ଷା ଲାଗି ସେଠାରୁ ଖସି ଚମ୍ପଟ ମାରିଲେ । ତାଙ୍କ ଜଗୁଆଳୀମାନେ କହିଲେ ଯେ ପାଟନା ଯାଇଚନ୍ତି । ତାଙ୍କର ଜରୁରି କାମ ଅଛି । ପରିଶେଷରେ ଅଗଷ୍ଟ ପନ୍ଦର ତାରିଖ ଆସିଲା । ସବୁ ଲୋକ ହର୍ଷଉଲ୍ଲାସ ଭିତରେ ସ୍ୱାଧୀନତା ମନେଇଲେ । ପୋଲର ଗୋଟିଏ ପଟେ ହିନ୍ଦୁସ୍ତାନର ତ୍ରିରଙ୍ଗା ଫରଫରହୋଇ ଉଡ଼ିଲା; ଆଉ ଆର ପଟେ ପାକିସ୍ତାନୀ ପତାକା । କାଠପୋଲଟା ଉପରେ ଗୋଲାପ ପାଖୁଡ଼ା ସାଙ୍ଗକୁ ଅତର ଛିଞ୍ଚା
କେମିତି ଅବାସ୍ତବ ଲାଗୁଥିଲା । ଏବେ ପୋଲଟାର ଅଧେ ପାକିସ୍ତାନରେ ଓ ଆର ଅଧକ ହିନ୍ଦୁସ୍ତାନରେ । ଆଉ ମଝିରେ କିଛି ଅଂଶ ଅନିର୍ଦ୍ଧାରିତଭାବରେ ଝୁଲୁଥିଲା । ପୋଲଟା ପାଖରେ ଠିଆହୋଇ ଦର୍ପଣ ସିଂହ ସେ ଉତ୍ସବକୁ ଦେଖୁଥିଲା । ଏବେ ସେ ଆରୁଆଖୋଆରେ ଥିଲା, କିନ୍ତୁ ତା’ର ମନ ଯାଇ ଥିଲା ଶିରପୁରରେ । ସତେକି ତା’ ହୃଦୟ ଓ ଶରୀର ମଧ୍ୟରେ ସେଇ ପୋଲଟା ଥିଲା ଏକମାତ୍ର
ସଂଯୋଗକାରୀ ସାଧନ । ଏଇ ପୋଲଟି ଥିଲା ବୋଲି ତ ସେ ପ୍ରାଣ ନେଇ ଏପଟକୁ ପଳେଇ ଆସି ପାରିଥିଲା । ଯଦି ଈଶ୍ୱରଙ୍କ କୃପା ଥାଏ, ତେବେ ପୁଣି ଥରେ ସେ ନିଜ ଭିଟାମାଟିକୁ ଲେଉଟି ପାରିବ । ସେ ପୁଣି ଭାବୁଥିଲା, ଈଶ୍ୱରଙ୍କ ଇଚ୍ଛା ନା କମିଶନଙ୍କ ମର୍ଜି? କମିଶନ କ’ଣ ଭଗବାନଙ୍କଠାରୁ ଶକ୍ତିଶାଳୀ!

ପୋଲ ମଝିଯାଏ ଯିବା ଲାଗି କେବଳ ରିଲିଫ କର୍ମଚାରୀମାନଙ୍କ ହିଁ ଅନୁମତି ଥିଲା । ସେଥିପାଇଁ ଉଭୟ ପକ୍ଷର ଲୋକେ ସହମତ ହୋଇଥିଲେ । ରିଲିଫ୍‍ କର୍ମଚାରୀମାନେ ହାତରେ ଗୋଟିଏ ଲେଖାଏଁ ପତାକା ଧରି ସେପର୍ଯ୍ୟନ୍ତ ଯାଉଥିଲେ । ପଞ୍ଝାଏ ପିଲା ଦେହରେ ୟୁନିୟନ୍‍ ଜ୍ୟାକ୍‍ ଗୁଡେଇ ହୋଇ ପୋଲ ଉପରେ ଟହଲ ମାରୁଥିଲେ । ସେମାନଙ୍କ ଆଖିରୁ ଟୋପା ଟୋପା ଲୁହ ନିଗିଡ଼ି ପଡ଼ୁଥିଲା । ସେମାନେ ସେଇ ଅକାମୀ ହୋଇପଡ଼ିଥିବା ପତାକାରେ ତାକୁ ପୋଛି ପକାଉଥିଲେ । ସେମାନଙ୍କ ପଛକୁ ଥିଲେ ଆଉ ଦୁଇଦଳ ପିଲା- ଯେଉଁମାନଙ୍କ ହାତରେ ଥିଲା କଂଗ୍ରେସ ଓ ଲିଗର ପତାକା । ସେମାନେ ବି ସେଇ ପତାକାକୁ ଦେହରେ ବେଢ଼େଇ ହୋଇଥିଲେ । କଂଗ୍ରେସ ପତାକାଧାରୀଙ୍କ ମନ ଖୁବ୍‍ ଖୁସି ଥିଲା । ଲିଗ୍‍ ପତାକାଧାରୀମାନେ ସତେକି ମହରମ୍‍ ଭଳି ଉତ୍ସବ ମନାଇବା ପରି ଲାଗୁଥିଲେ । ସେମାନଙ୍କ ପଛକୁ ଥିଲେ ଦି’ଦଳ ଭାରତ ଓ ପାକିସ୍ତାନ ପତାକାଧାରୀ ପିଲା । ସେମାନଙ୍କ ତୁଣ୍ଡରେ ହିନ୍ଦୁସ୍ତାନ ଓ ପାକିସ୍ତର୍ର ପ୍ରଶଂସାର
ଧ୍ୱନି । ସେମାନେ ପରସ୍ପରଙ୍କୁ ଖୁସିରେ କୋଳାକୋଳି ହେଉଥିଲେ । ଏ ଦୃଶ୍ୟ ଦର୍ଶନ ସିଂହର ବାପା ମୁହଁରେ ସୁଦ୍ଧା ହସ ଫୁଟେଇଥିଲା ।
ସଭିଏଁ ସ୍ୱାଧୀନତାର ଉଲ୍ଲାସରେ ମସଗୁଲ ଥିଲେ । କେବଳ ଯାହା ଶରଣାର୍ଥୀମାନଙ୍କ ମନ କମିଶନଙ୍କ ରିପୋର୍ଟ ଅପେକ୍ଷାରେ ଥିଲା । ସେମାନେ ଚେଷ୍ଟା କରି ସୁଦ୍ଧା ହସି ପାରୁ ନ ଥିଲେ । ସେତିକିବେଳେ ମୁନୀମଜୀ ହଠାତ୍‍ ଘୋଷଣା କଲେ, ‘କମିଶନଙ୍କ ଫଇସଲା ଆସିଯାଇଚି ।’ ସବୁ ଲୋକ ଦୌଡ଼ାଦୌଡ଼ି ହୋଇ ଯାଇ ତାଙ୍କ ଚାରିକଡ଼େ ଘେରିଗଲେ । ‘ଶିରିପୁର ହିନ୍ଦୁସ୍ତାନକୁ ମିଳିଚି ।’

ଦର୍ପଣ ସିଂହ ନିଜର ଭାବାବେଗକୁ ସମ୍ଭାଳି ନ ପାରି ମୁନୀମଜୀଙ୍କୁ କୁଣ୍ଢେଇ ଧରିଲା । ତା’ର ମା’ ସେ ଖବରରୁ କ’ଣ ବୁଝିଲା ସେକଥା କାହାକୁ ଜଣାନଥିଲା । କିନ୍ତୁ ବୁଢ଼ୀ ଆଖିରୁ ଦି’ଧାର ଆନନ୍ଦାଶ୍ରୁ ବହିଆସିଲା । ଦର୍ଶନ ସିଂହର ବାପା ବୁଢ଼ା ସର୍ଦାର ବାହେଗୁରୁ ଓ କମିଶନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରିଲା । ଶେଷରେ କମିଶନ ସେମାନଙ୍କ ଗୁହାରି ଶୁଣିଚନ୍ତି ।

ମୁନୀମଜୀ ପୁଣି ଶୁଣେଇଲେ, ‘ହରିପୁର ଥାନା ପାକିସ୍ତାନ ପଟେ ରହିବ ।’
:‘ଆଉ ମାଲଦା?’
:‘ତୁ ହିନ୍ଦୁସ୍ତାନରେ ହିଁ ମରିବୁ ସୁଖଦେବ । ତୁ ଜିତିଚୁ ।’

ମୁଣ୍ଡରେ ପୁଳାଏ ଭସ୍ମ ଲେପି ହୋଇଥିବା ପୋଡା ଗୋସେଇଁ ଏକଥା ଶୁଣି ଆଗକୁ ମାଡ଼ି ଆସିଲେ । ଧଇଁସଇଁ ହୋଇଉଠି ସେ କହିଲେ, ‘ମୁଁ ଏଇଲାଗେ ଆସି ପହଞ୍ଚୁଚି । ଶଗଡ଼ରୁ ଓହ୍ଲେଇଲାବେଳେ ଶିରିସାହୁ ଦୋକାନ କାନ୍ଥରେ ‘କାପସ୍ତାନ’ ବୋଲି ଲେଖା ହୋଇଥିବା ଦେଖି
ଆସିଲି । ଦଣ୍ଡେ ଚିନ୍ତାକଲି, ଏଇଟା ‘ପାକିସ୍ତାନ’ ନୁହେଁ ତ? ଉର୍ଦ୍ଦୁରେ ଆଉ ପାକିସ୍ତାନକୁ କାପସ୍ତାନ ବୋଲି ଲେଖା ହୁଏନି ତ? ତା’ପରେ ଜଣେ ମତେ କହିଲା, ସେଇଟା ଗୋଟିଏ ସିଗାରେଟ୍‍ ବ୍ରାଣ୍ଡ୍‍ । ଆଚ୍ଛା, ମୁନୀମଜୀ, ଆଉ ସବୁ ନୂଆ ଖବର କ’ଣ?’

ମୁନୀମଜୀ ତାଙ୍କ କଥା ଶୁଣି ନ ଶୁଣିଲା ପରି ଚୁପ୍‍ ରହିଲେ । ସେମାନଙ୍କ କୁଳ ପୁରୋହିତଙ୍କୁ ଏମିତି ହେୟଜ୍ଞାନ କରିବା ଦେଖି ରାଜବଂଶୀମାନଙ୍କ ଭଲ ଲାଗିଲାନି ।

ଶେଷରେ ମାଧ୍ୟହୋଇ ମୁନୀମଜୀଙ୍କୁ ସେଇ ଦୁଃଖଦ ସମ୍ବାଦଟି ଖୋଲି କହିବାକୁ ପଡ଼ିଲା । ‘ଜଳପାଇଗୁଡ଼ିର ତିତିଲିଆ ଥାନା ଇଲାକା ପାକିସ୍ତାନରେ ମିଶିଚି ।’
:‘ନା! ଏମିତି କହିଦେଲେ କ’ଣ ମିଶିଯିବ ନା କ’ଣ?’

ପୋଡ଼ା ଗୋସେଇଁ ନିଜ ବଙ୍କୁଲିବାଡ଼ିଟିରେ ଭରାଦେଇ ଠିଆ ହୋଇ ସବୁ ଶୁଣୁଥିଲେ । ଏକଥା ଶୁଣିବା ମାତ୍ରେ ସେ ଲଥ୍‍କରି ଖଟଟା ଉପରେ ବସିପଡ଼ିଲେ । ତାଙ୍କ ତୁଣ୍ଡରୁ ବାହାରି ଆସିଲା, ‘ହେ ଭଗବାନ! ଶେଷରେ ମୋ ପ୍ରତି ତୁମର ଏତେ ଅନ୍ୟାୟ କରିବାର ଥିଲା? ମୁଁ ମଲେ କ’ଣ ମୋତେ କବର ଦିଆଯିବ? ସେମାନେ ମୋତେ ମନ୍ଦିରକୁ ସୁଦ୍ଧା ଯିବାକୁ ଦେବେନି? ମୋ ଫଟା କପାଳରେ କ’ଣ ଏଇଆ ଲେଖାଥିଲା?’

ଅଧିକାଂଶ ଶରଣାର୍ଥୀଙ୍କ ଲାଗି ଏ ଖବରଟି ସତେକି ଏକ ଦୁଃସ୍ୱପ୍ନର ଅନ୍ତ ପରି ଥିଲା । ପୁଣି ଥରେ ସେଇ ଏକା ଦୃଶ୍ୟ । ମାତ୍ର ଗୋଟିଏ ଦିନ ଭିତରେ ସେଠାରୁ ରିଲିଫ୍ କ୍ୟାମ୍ପ ସବୁ ଉଠିଗଲା । ଲୋକ, ଗାଈଗୋରୁ, ଶଗଡ଼ ସବୁ ପୁଣି ପିମ୍ପୁଡ଼ି ଧାର ଭଳି ଲେଉଟିଗଲେ । ସେମାନଙ୍କ ମୁହଁ ଖୁସିରେ ବେଶ୍ ସତେଜ ଲାଗୁଥିଲା । ସଭିଏଁ ଭାବୁଥିଲେ ସତେ ଯେମିତି ସେମାନେ ଗଡ଼ ଜିଣିଛନ୍ତି, ସେମାନଙ୍କ ବିଜୟ ଘଟିଛି । ସ୍ତ୍ରୀଲୋକମାନେ ଭାବୁଥିଲେ ଯେମିତି ସେମାନେ ବାଘ ମୁହଁରୁ ବର୍ତ୍ତି ଯାଇଛନ୍ତି! ଦୁନିଆ ଖୁବ୍ ଜଲଦି ବଦଳି ଚାଲିଥିଲା । ଯେଉଁମାନେ ଏତେଦିନ ଧରି ଚଳେଇ ଆସୁଥିଲେ ସେମାନେ ବି ଭାବି ନ ଥିଲେ ଯେ ସେମାନଙ୍କୁ ଏମିତି ଧଇଁସଇଁ ହେବାକୁ ପଡ଼ିବ । ସେମାନେ ଏତେ ଲୋକଙ୍କୁ ହଠାତ୍ ସାମ୍ନା କରିବେ ବୋଲି କଦାପି ଚିନ୍ତା ସୁଦ୍ଧା କରି ନ ଥିଲେ । ଇକବାଲର ମନକୁ କ’ଣ ଆସିଲା
କେଜାଣି ସେ ହଠାତ୍ ପୋଲ ଉପରେ ଉଡ଼ୁଥିବା ପାକିସ୍ତାନୀ ପତାକାଟିକୁ ସେଠାରୁ ହଟେଇଦେଲା । ଏମିତିକା ଫାର୍ଶର କୌଣସି ଆବଶ୍ୟକତା ନାହିଁ । ସବୁ କେବଳ ନିଷ୍ଠୁର ଉପହାସ ପରି ତାକୁ ଲାଗୁଥିଲା । ବ୍ରିଟିଶରଙ୍କ ପତାକାକୁ ଏ ଭୂଇଁରୁ ହଟେଇବା ଲାଗି ଦି’ଶହ ବର୍ଷ ଲାଗିଗଲା ।

ଆଉ ସେ ନିଜେ ବାନ୍ଧିଥିବା ପତାକାକୁ ହଟେଇବା ଲାଗି ମାତ୍ର ଦିନ ତିନିଟା ଲାଗିଲାନି! ନିଜ ଦୁଃଖକୁ ସହ୍ୟ କରିହେବ, ଯନ୍ତ୍ରଣାକୁ ସହ୍ୟ କରିହେବ- କିନ୍ତୁ ଲଜ୍ଜାରୁ ବର୍ତ୍ତିବାକୁ ଉପାୟ କାହିଁ? ପୋଲର ଗୋଟିଏ ଫାଳ ଶରଣାର୍ଥୀରେ ଭର୍ତ୍ତି, ବଜାର ସାରା ଲୋକଙ୍କ ଗହଳି- ସେମାନେ ସମସ୍ତେ ଏ ତାମସା ଦେଖୁଥିଲେ, ଉପଭୋଗ ବି କରୁଥିଲେ । ଇକବାଲକୁ ଲାଗୁଥିଲା, ତା’ ମୁହଁ ଜଳିଯାଉଛି; ତା’ର ଇଚ୍ଛା
ହେଉଥିଲା ଏଇ ନଈକୂଳ ବାଲି ଭିତରେ ସେ କୁଆଡ଼େ ହଜିଯାଆନ୍ତା କି… ମିଳେଇ ଯାଆନ୍ତା କି… ପାଣିରେ କୁଆଡ଼େ ଭାସିଯାଆନ୍ତା କି… କି ଭାବାବେଗରେ ସେ ଏ ପତାକାଟିକୁ ବାନ୍ଧିଥିଲା! ରାମଜୀ ସାହୁ ତାକୁ ଟାପରା କରି କହିଲେ, ‘ଭିକାରୀଗୁଡ଼ାଙ୍କର ଖୁସି ଦିନ
ତିନିଟାରେ କୁଆଡେ ଫସର ଫାଟିଗଲା!’ ଏକଥା କାନରେ ପଡ଼ିଲା ବେଳକୁ ତାକୁ ଲାଗୁଥିଲା ସତେକି କିଏ ତାକୁ ଗଡ଼ ଗଡ଼ କରି କାଟି ପକାଉଛି । ଏବେ ସେମାନେ ସେଇ ସ୍ଥାନରେ ତ୍ରିରଙ୍ଗା ବାନ୍ଧି ଉଡ଼େଇବେ । ହିନ୍ଦୁସ୍ତାନର ଜାତୀୟ ପତାକା । ଏଇଥିପାଇଁ କ’ଣ ଆମେ
ପାକିସ୍ତାନ ପତାକା ତଳେ ଠିଆହୋଇ ଗଳାଫଟେଇ ଚିତ୍କାର ଛାଡ଼ୁଥିଲୁ ‘ପାକିସ୍ତାନ ଜିନ୍ଦାବାଦ୍‌!’ ଆସନ୍ତାକାଲି ବୋଧହୁଏ ଶିରପୁରର ପିଲାମାନେ ଏ ପତାକାକୁ ଦେହରେ ଗୁଡ଼େଇହେବେ ଓ ଅଦରକାରୀ ପତାକାକୁ କୁଆଡ଼େ ଚିରି ଫିଙ୍ଗି ପକେଇବେ । ଯେତେବେଳେ
ସାରା ଦୁନିଆ ତା’ ବିପକ୍ଷରେ ସିଏ ଅବା କାହା ଆଗରେ ଗୁହାରି କରିବ? ଉପରକୁ ନଚାହିଁ, ଇକବାଲ ଅବନମିତ ପତାକାଟିକୁ ବାଡ଼ିସହ ନେଇ ନିଜ କାଖରେ ଚାକିଲା ଓ ଉତ୍ତରମୁହାଁ ଚାଲିବାକୁ ଆରମ୍ଭ କଲା – ସେଇ ଦିଗରେ ସମ୍ଭବତଃ ଏ ପତାକା ଏବେ ଅଲୋଡ଼ା ନୁହେଁ ।

ଏସବୁ ଘଟଣା ପ୍ରତି ଆଦୌ ଆଗ୍ରହୀ ନ ଥିବା ଭଳି ହନିଫ ଖଣ୍ଡିଏ ବିଡ଼ିରେ ନିଆଁ ଧରେଇ ଟାଣିବା ଆରମ୍ଭ କଲା । ସେ ଭାବୁଥିଲା ବିଡ଼ିର ନିଆଁଝୁଲ ପକେଇ ଚାଲିଲେ କାଠପୋଲଟାରେ ନିଆଁ ଲାଗିରିବ । ଖୁବ୍ ବଢ଼ିଆ କଥା ହେବ । ସବୁଦିନ ଲାଗି ଆରୁଆଖୋଆ ଆଉ ଶିରପୁର ଭିତରେ ସମ୍ପର୍କ ତୁଟିଯିବ । ସେ ଜାଣିଥିଲା ତା’ର ଏ ପ୍ରୟାସ ନିରର୍ଥକ । ତଥାପି ଏକଥା ଭାବି ସେ ମନେ ମନେ ଖୁବ୍ ଖୁସି ହେଉଥିଲା ।

ନଈର ଆରପଟେ ଥିବା ଇଜରାଦାରଙ୍କ କ୍ୟାମ୍ପ ଉପରେ ମୁନୀମଜୀ କବ୍‌ଜା କରି ବସିଥିଲେ । ନଳିତା କ୍ଷେତ ଭିତରେ ଲୁଚିଥିବା ଗୋଟିଏ ପରିବାରର ଲୋକଙ୍କୁ ଟୋକାମାନେ ଘୋଷାରି ଘୋଷାରି ବାହାରକୁ ଆଣୁଥିଲେ । କିଏ ଜାଣେ, ସେମାନେ ଝୋଟରେ ନିଆଁ ଲଗେଇ ନ ଦେବେ!

:‘ଆରେ, ଇଏ ତ ଅଚ୍ଛିମଡ଼ି!’

ଅଚ୍ଛିମଡ଼ି ଏତେ ଲୋକଙ୍କୁ ଦେଖି କାନ୍ଦିବାକୁ ଆରମ୍ଭ କଲା । ହାତଯୋଡ଼ି ଗୁହାରି କରିଚାଲିଲା, ‘ଆମେ ହରିପୁର ଆଡ଼ୁ ଫେରୁଥିଲୁ । ଗଲା ଦି’ଦିନ ତଳେ ମୀରପୁର ହିନ୍ଦୁସ୍ତାନର ହେଇ ଯାଇଚି । ସେମାନେ କହୁଚନ୍ତି, ଆମକୁ ପୂର୍ବ ଦିଗକୁ ମୁହଁକରି ପ୍ରାର୍ଥନା କରିବାକୁ ପଡ଼ିବ । ଆମକୁ କୁକୁଡ଼ାଟିଏ ସୁଦ୍ଧା ମାରିବାକୁ ସେମାନେ ଅନୁମତି ଦେବେନି । ସେଇଥିପାଇଁ ଘରଦ୍ୱାର ଛାଡ଼ି ଆମେ ଲୁଚି ପଳେଇ ଆସିଚୁ । ଭାବିଥିଲୁ ଏଇ ନଳିତା କିଆରିରେ ଦିନସାରା ଛପି ରହିବୁ, ଆଉ ସନ୍ଧ୍ୟା ପରେ…’ ଏତିକି କହି ସେ ବୋବାଳି ଛାଡ଼ି ମୁନୀମଜୀଙ୍କ
ପାଦ ଧରି ତଳେ ପଡ଼ିଗଲା ।

:‘ଆରେ, ତାକୁ ଯିବାକୁ ଦିଅ । ମୁଁ ତାକୁ ଚିହ୍ନିଚି ।’
:‘ହଜୁର, ଦୟାବନ୍ତ ଲୋକ ।’

:‘ମୁନୀମ ସା’ବକୀ ଜୟ’, ‘ମହାତ୍ମା ଗାନ୍ଧୀକୀ ଜୟ’ ସମବେତ ଜନତାଙ୍କ ଚିତ୍କାରରେ ଚତୁର୍ଦିଗ କମ୍ପିଉଠିଲା ।

ନଦୀ ଆରପଟେ ରୁଣ୍ଡ ହୋଇଥିବା ଲୋକମାନଙ୍କୁ ମୁନୀମଜୀ ବୁଝାଉଥିଲେ, ‘ତୁମକୁ ଆସନ୍ତାକାଲି ସକାଳ ସୁଦ୍ଧା ସବୁ ପାକିସ୍ତାନୀ ପତାକାକୁ ହଟେଇବାକୁ ପଡ଼ିବ । ତୁମେ ସେସବୁକୁ ଆଣି ମୋ ଜିମ୍ମା ଦେଇପାର । ମୁଁ ସରକାରଙ୍କ ପାଖରେ ସେସବୁକୁ ପୈଠ କରିଦେବି ।

ହିନ୍ଦୁସ୍ତାନରେ ପାକିସ୍ତାନୀ ପତାକା ଧରିବା ବେଆଇନ କାମ । ଦଣ୍ଡନୀୟ ଅପରାଧ ।’ ଯେଉଁ ପତାକାକୁ ମୁନୀମଜୀ ବିକ୍ରି କରିଥିଲେ ଏବେ ସେଇ ପତାକା ପୁଣି ଥରେ ତାଙ୍କ ନିକଟକୁ ମାଗଣାରେ ଫେରସ୍ତ ଆସିଗଲା । ଆସନ୍ତାକାଲି ସେସବୁ ତତଲିଆରେ ଦରକାର ହେବ ବୋଲି ମୁନୀମଜୀ ମନେ ମନେ କହି ହେଉଥିଲେ । ସେ ପୋଡ଼ା ଗୋସେଇଁଙ୍କ ଖାଲିଘର ପାଖରେ ରହିବେ । ସେଇ ମଉକାରେ ପୁରୋହିତଙ୍କ କ୍ଷେତବାଡ଼ି ଉପରେ ବି ନଜର ପକେଇ ପାରିବେ । ସେଠାରେ ପାକିସ୍ତାନୀ ପତାକା ବିକ୍ରି ହେବ ଓ ହିନ୍ଦୁସ୍ତାନୀ ପତାକା ଫେରସ୍ତ ମିଳିବ ।

ଗୋଟିଏ ଜିନିଷକୁ ଦି’ ଦି’ଥର ବିକ୍ରି । ମୁନୀମଜୀ ମନେ ମନେ ଭାବୁଥିଲେ ଏଥିରୁ ତାଙ୍କୁ ମୋଟ କେତେ ଟଙ୍କା ମୁନାଫା ମିଳିବ । କମିଶନ ତ କିଛି ଲୋକଙ୍କୁ ଢେର୍ ପଇସା ଦେଇଚନ୍ତି । ଅନ୍ୟମାନଙ୍କ ଠାରୁ ବି ପ୍ରଚୁର ନେଇଚନ୍ତି । ହେଲେ ମୁନୀମଜୀଙ୍କୁ ହତାଶ କରି ନାହାନ୍ତି । କମିଶନଙ୍କ ରାୟରୁ ତାଙ୍କୁ ପ୍ରଚୁର ଫାଇଦା ମିଳିଛି । ତେଣୁ କମିଶନଙ୍କ ଫଇସଲାକୁ ସେ ପସନ୍ଦ କରୁଥିଲେ । ସେଥିରେ କିଛି ଦୋଷତ୍ରୁଟି ନାହିଁ ବୋଲି ଭାବୁଥିଲେ । ବାହାରେ ‘ମୁନୀମ ସା’ବକୀ ଜୟ’ ଧ୍ୱନି ତଥାପି ଶୁଭୁଥିଲା । କିନ୍ତୁ ମୁନୀମଜୀଙ୍କ ମନରେ କାହିଁକି କେଜାଣି ଅଜଣା ଆଶଙ୍କା ଦାନା ବାନ୍ଧୁଥିଲା । ବୋଧହୁଏ ଆଗରୁ ନିଜପାଇଁ ଖଦୀ ଟୋପିଟିଏ କିଣିଥିଲେ ଭଲ ହୋଇଥାନ୍ତା । ତାଙ୍କୁ ସମସ୍ତେ ସହଜରେ ଚିହ୍ନି ପାରିଥାଆନ୍ତେ । ସମ୍ଭବତଃ ସେ ଛୋଟ ଭୁଲ୍‍ଟିଏ କରି ବସିଥିଲେ । ଏବେ ସେ କଥା ଛାଡ଼ । ରାମଜୀ ତାଙ୍କ ଉପରେ ଯେତିକି କୃପା କରିଛନ୍ତି, ସେତିକି ଯଥେଷ୍ଟ । ସେତିକିରେ ସନ୍ତୁଷ୍ଟ ରହିବା ଭଲ । ମୁନୀମଜୀ ତାଙ୍କ ହିସାବଖାତାକୁ ଧରି ସେଇଠି ବସିପଡ଼ିଲେ ଓ ଜଣେ ପୋଖତ ଗୁମାସ୍ତାଙ୍କ ପରି ନିଜ ହିସାବକିତାବରେ ଧ୍ୟାନ ଦେଲେ ।

ଅନୁସୃଜନ: ସୁଭାଷ ଶତପଥୀ 

Leave A Reply

Your email address will not be published.