ଲକ୍ଷ୍ମଣ ସାହୁ
ଏଠି ଖଣ୍ତିଏ ଘର ଥିଲା
କିଛି ଲୋକ ବାସ କରୁଥିଲେ
ସତ ମଣିଷ , ମାଟି ମଣିଷ
ଗଛର ପତ୍ର ଖସୁନଥିଲା
ଧୂଳି ବି ଟିକେ ଉଡୁନଥିଲା
ଚନ୍ଦନ ବାସ୍ନାରେ ମହମହ
ପ୍ରାଙ୍ଗଣଟି ପିଲାଙ୍କ ସହ ପରିପୂର୍ଣ୍ଣ ଥିଲା ।
ବର୍ତ୍ତମାନ ଏଠାରେ ପାଗ ବଦଳି
ସଭ୍ୟତାର ଖୋଳପା ମଧ୍ୟରୁ
ଉତୁରି ଆସିଥିବା ମଣିଷ
ଅତ୍ୟନ୍ତ ଦୁଃଖଦାୟକ ସାଜିଛି
କେମିତି ଯେ ବୁଝା ପଡୁନି
ସବୁ କିଛି ବଦଳି ଯାଇଛି ।
ଘର ଜଳି ଯାଇଛି
ଘର ଗୁଡ଼ିକର ମୂଳଦୁଆ କମ୍ପୁଛି
ଗୋଟିଏ ଦିନରେ ସଭ୍ୟତା
ଚୁପଚାପ୍ ଆକାଶ ଦେଖୁଛି
କିଛି କିମ୍ବଦନ୍ତୀ ଏଠି ନିଶ୍ୱାସ ପ୍ରଶ୍ୱାସ ଛାଡୁଛି
ନୀରବତାର ତାଳଗଛ ଛାୟା ଲମ୍ବିଛି
ବୋଧହୁଏ ଲେଉଟାଣି ସୂର୍ଯ୍ୟ
ବାୟା ଚଢ଼େଇର ବସା ଦୋହଲୁଛି
ପ୍ରତି ମୁହୂର୍ତ୍ତର କିଚିରି ମିଚିରି ସ୍ୱର ଥମିଛି ।
ସମସ୍ତେ ସ୍ୱପ୍ନ ଦେଖନ୍ତି
ଘରଟିଏ ନିର୍ମାଣ କରେ
ଆଉ ଦିନେ ସେ ଖାଲି ଅଛି
କିଛି ଦିନ ନେମପ୍ଲେଟ୍ ଝୁଲେ ଅବାଧରେ
ଏବେ କିନ୍ତୁ କେବଳ ସ୍ମୃତିରେ ତାଲା ପଡିଛି ।
ତାରା ନିଳୟ, ପ୍ଳଟ୍ ୮୫୪/ଏ
ଚାଚେରା ଶବର ସାହି, ମୁକୁନ୍ଦ ପ୍ରସାଦ
Comments are closed.