ରାମକୃଷ୍ଣ
ଯେମିତି ବ୍ଲାକହୋଲ ସୁଡୁକିନିଏ
ଗ୍ରହ ନକ୍ଷତ୍ର, ଯେମିତି
ଅଗସ୍ତିର ବଡବାନଳରେ ନିଶେଷ
ସପ୍ତ ସମୁଦ୍ରର ଜଳ
ସେମିତି ସବାଖିଆ ମଣିଷର
ଭୋକ ବ୍ୟାଦାନକୁ ଧସେଇ ପଶୁଛି
ପୃଥିବୀ ସମେତ ସମଗ୍ର ଜୀବଜଗତ
ସତେବା ପ୍ରଳୟ ନିଶ୍ଚିତ ଜାଣି
ଯୁଦ୍ଧ ଭିତ୍ତିରେ ଆମେ ସାଇତି ରଖୁଛୁ
ସବୁ ପ୍ରଜାତିର ବୀଜ, ଶବ୍ଦରେ ବାନ୍ଧି
ସଂରକ୍ଷିତ କରି ରଖୁଛୁ ଗ୍ରନ୍ଥାଗାରରେ
ଚିତ୍ରରେ ଆଙ୍କି ରଖୁଛୁ ରଙ୍ଗ ରୂପ
ଇତିହାସରେ ଟିପି ରଖୁଛୁ
ବିବର୍ତ୍ତନର ଧାରା ବିବରଣୀ
ଏପରିକି ଈଶ୍ବରଙ୍କ ଶୁକ୍ରକୀଟକୁ
ଲୁଚାଇ ରଖୁଛୁ କାଠ ପଥରର ମୂର୍ତ୍ତିରେ
ଯାହାର ଅଦୃଶ୍ୟ ମୂଳଦୁଆ ଉପରେ
ଛିଡା ହେବ ଆଉ ଏକ ବିକଳ୍ପ କାହାଣୀ ।
ହଠାତ୍ ଘୋଟିଆସିବ ବୋଲି ଅକାଳ ଅଂଧାର
ନିଜ ଛାଇରେ ଆମେ ଲୁଚାଇ ରଖୁଛୁ ମୁହଁ
କଳ୍ପନାର ପେଡିରେ ସାଇତି ରଖୁଛୁ
ମୈଥୁନର ସୁଖ, ନଷ୍ଟ ଅତୀତର ଫସିଲ୍
ଆଉ ଅଜନ୍ମା ଆଗାମୀର ଅମୃତ ।
ହୃଦୟର ଆହୁରି ପାଦେ ଆଗରେ
ଫଣା ତୋଳି ଛିଡା ହୋଇଛି
ଆମର ଅମୋଘ ଜ୍ଞାନ କୌଶଳ,
ମମି, ଫସିଲ୍, ଛାଇ, ଚିତ୍ର, ବିଶ୍ବାସ
କଫିନ୍ ଭିତରୁ ଉଠି ଆସିବାର
ଆବଶ୍ୟକତା ଆଉ ନାହିଁ କାହାର ।
ଏଣିକି ପୁରୁଣା କଥାପରି
ରୋଗ ଦୁଃଖ ବାର୍ଧକ୍ୟ
କିମ୍ବଦନ୍ତୀ ପାଲଟି ଯିବେ
ସମାଧିନେବେ ପୁରାଣର କଳ୍ପନାରେ
ଆଗକୁ ମୃତ୍ୟୁର ବାଟ ଓଗାଳି ରହିଛି
ଗୋଟେ ଯନ୍ତ୍ର ଦାନବ
ଅବିନାଶୀ ଜୀବନର କାୟାକଳ୍ପରୁ
ଶୋଷି ନେବାକୁ ଆଗଭର
ସବୁ ରାସାୟନିକ ତରଙ୍ଗ
ଜୀବନ ବିନିମୟରେ
ଆମେ ଅମର ହେବାର ବେଳ ଉପଗତ ।
Comments are closed.