Latest Odisha News

BREAKING NEWS

କବିତା : ଦେଶ

ରଶ୍ମି ରଞ୍ଜନ ରାଉତ

କିଏ ଜିତୁ, କିଏ ହାରୁ
ଯିଏ ସରକାର ଗଢୁଛି ଗଢୁ
କିଛି ପରବାୟ ନାହିଁ

ଅଥଚ ଦେଶ ସୁକ୍ଷିତ ରହୁ ।

ଅଧର୍ମର ଧ୍ୱଜାଧରି
କେହି ନଗାଆନ୍ତୁ ମୋ ଦେଶର
ଜାତୀୟ ସଙ୍ଗୀତ ।

ରକ୍ତ ରଙ୍ଗରେ ନବଦଳୁ
ଗଙ୍ଗା, ଜମୁନା କି ମହାନଦୀର ଜଳ ।
ନଭାଙ୍ଗୁ ବିଶ୍ୱାସର ମନ୍ଦିର
ମାନବତାର ମସଜିଦ୍‌

ଯେଉଁ ଦେଶ ପାଇଁ ଦିନେ
ଆମ ପୂର୍ବପୁରୁଷ ଖାଇଥିଲେ ଲାଠି,
ଗୁଳିକୁ ପାତିଥିଲେ ଛାତି
ଅଖଣ୍ଡ ସେହି ମାଟି ମଣ୍ଡଳ

ଅଥଚ ଆମ ଭିତରେ ଘୃଣା ବାଣ୍ଟିବାକୁ
ଗଢା ଚାଲଛିି ଭିନ୍ନ ଭିନ୍ନ ଦଳ,
ହିଂସାରେ ପାଖରେ ହାଣ ଖାଉଛି
ଆମ ବିବେକ ଓ କପାଳ ।

ଅହିଂସାର ବାଡ଼ି ଧରିଥିବା
ସେ ଫୁଙ୍ଗୁଳା ଲୋକଟା ଭଲା
ଆଜି ବଞ୍ଚିଥାଆନ୍ତା
ହୁଏତ ! ଆଜି ଦେଶରେ ନଥାଆନ୍ତା
ମିଛ, ଲାଞ୍ଚ, ଲୁଟ୍‌, ରକ୍ତପାତ, ପ୍ରବଞ୍ଚନାର
ପଞ୍ଚ ପ୍ରମାଳ ।

ବିକାଶର ପାହାର ଖାଇ
ଦେଶ ପିଠିରେ ଏବେ ଖାଲି ଗାଡ଼ ଆଉ ଗାଡ଼
ଦାଶେ ବଞ୍ଚିଥିଲେ
ସେ ଗାଡ଼ ଭରିବାକୁ ଯାଚି ଦେଇଥାଆନ୍ତେ
ନିଜ ରକ୍ତ, ମାଂସ, ହାଡ଼ ।

ଏମିତି ଆନେକ ଦୁଃଖ ଲୁଚେଇ ରଖିଛି ଦେଶ ।

ଜାତି, ଧର୍ମ, ବିଭାଜନ,
ପକ୍ଷପାତ କଣ ଜାଣିନି ଦେଶ
ସମାନ ଭାବେ ଗଢିଛି ଦୁଇଟି ମାଟିପିଣ୍ଡ
ବଞ୍ଚିବା ପାଇଁ ଫଳେଇଛି

ଫୁଲ, ଫଳ,ବନସ୍ପତି ପାଣି, ପବନ
ହେଲେ ପ୍ରତିବଦଳରେ
ଦେଶକୁ ଦେଲେ କ’ଣ ?
ବରଂ ଜଣେ ହେଲା ଦେଶୀ ଜଣେ ଦୁସମନ୍ ।

ଜଣେ ଦେଶ ଗଢଣରେ ଜୀବନ ହାରୁଛି ।
ଜଣେ ଦେଶ ଭିତରେ ଆତଙ୍କ ରଚୁଛି ।

ଛାଡ଼, ଯିଏ କମାଣ ଧରୁଛି ଧରୁ ଯିଏ ବି ଧରୁ କଲମ
ଦେଶ ପାଇଁ ସମସ୍ତେ ସମାନ

ତା ଭିତରେ ଚିରକାଳ ସାଇତି ରଖିଥାଉ
ଉପସମର ମଲମ ।

୨୪ ପ୍ରହରୀ ମଣ୍ଡପ, ନାୟକାଣୀଡିହି, ଭଦ୍ରକ
ମୋ- ୭୮୦୯୦୩୭୬୦୮

Leave A Reply

Your email address will not be published.