Latest Odisha News

କବିତା : ମୁଁ ନାରୀ

ସାଧନା ପଣ୍ଡା

ଅଭିଶାପ ଅବା ଆଶୀର୍ବାଦ ଇଏ
ଜାଣି ତ’ ନପାରେ ମୁହିଁ,
କେବେବି ହୋଇନି ହେବି ବି’ ତ ନାହିଁ
ଅଇରୀ କାହାର ତହିଁ ।୧।

ନାହିଁ ମୋ’ ଶୋଚନା ତିଳେ ହେଲେ ଆଜି
ତିଳ ତିଳ ଜଳି ବାକୁ,
ଜଳୁ ଅଛି ଆଜି ସଳିତାର ସମ
ଆଲୋକ ବିତରି ବାକୁ ।୨।

ଅନେକ ବେଦନା କେତେ ତ ଯାତନା
ହୃଦେ ମୋ ରହିଛି ଭରି ,
ନ ପାରେ ମୁଁ ଆଜି କିଛି ତ’ ବଖାଣି
ଅହଲ୍ଯା,(ମୁଁ) ଆଜିର ନାରୀ।୩।

କରମ ଆଦରି ରହେ ଏଇ ପରି
କାହାକୁ ବା’ ଦେବି ଦୋଷ ,
ମନ କଥା ମୋର ଦୁନିଆ କି’ ବୁଝେ
କି ପାଇଁ କରିବି ରୋଷ ? ୪।

ଖୋଲିଲେ ଅଧର ହେବ ନାରଖାର
ଏ’ ସାରା ସଂସାର ପରା ,
ଶୁଣି ଶୁଣି ନିନ୍ଦା କଟିବ ଜୀବନ
ଅପବାଦ ଦେବେ ସାରା ।୫।

ନୁହେଁ ମୁଁ ଦ୍ରୌପଦୀ, କୁନ୍ତୀ ମନ୍ଦୋଦରୀ
ନୁହେଁ ଅହଲ୍ଯା ବା ତାରା,
ଆଜିର ନାରୀ ମୁଁ ଆଜିର ଅହଲ୍ଯା
ସମାଜ ରମଣୀ ପରା …!! ।୬।

ଭୁବନେଶ୍ବର

Comments are closed, but trackbacks and pingbacks are open.