Latest Odisha News

କବିତା : ଏଥର ବି ଅପେକ୍ଷା

ସଂଘମିତ୍ରା ରାଏଗୁରୁ

ହେ ସ୍ରଷ୍ଟା !
ତୁ କି ଦେଖିନୁ
କ’ଣରୁ କ’ଣ ପାଲଟିଯାଇଛି
ତୋ ହାତଗଢା ସୃଷ୍ଟି

ଆଶ୍ଚର୍ଯ୍ୟ !
ଏତେ ପରେ ବି ତୋ ନୀରବତା
ଅସମ୍ଭବ ଜଡତା
କିଏ ଜାଣେ
କି ଲାଗି ଏ ବେପରୁଆ ନୀତି

ତଥାପି , ଫି ଥର ପରି
ଏଥର ବି
ଆଶାର ଦୀପଟେ ଜାଳିଛି
ନନ୍ଦିଘୋଷକୁ ଅପେକ୍ଷା କରିଛି

ଶୁଣିଛି-‘କରି କରାଉ ଥାଉ ତୁହି
ତୋ ବିନୁ ଅନ୍ୟ ଗତି ନାହିଁ’
କ’ଣ ବୁଝିବି ଏଥିରୁ, ତୁ ହିଁ କହ
ନା ବତୁରେଇବି ଚୁପଚାପ
ଛାତିରେ ଜମାଟ ବାନ୍ଧିଥିବା କୋହ
ଚକାଆଖି ବୋଲେଇ ତୁ ଆଜି ଅନ୍ଧ
ଆଉ ମୁଁ ନିଃସଙ୍ଗ

ଥରେ ତ ଆଖି ଖୋଲି ଦେଖ
କେମିତି ବଦଳିଛି
ସଜେଇଥିବା ତୋ ବଗିଚାର ଢଙ୍ଗ
ଉଡିଯାଇଛି ଫୁଲଙ୍କର ରଙ୍ଗ
ପ୍ରେମ ଫେରାର୍
ଭଅଁର ଶାୟରୀ ଭୁଲିଛି
ଖାଲି ଯାହା ତା’ କାମନାର ଅନଳରେ
ହୁତୁହୁତୁ ବିଚରା ପାଖୁଡା ଜଳୁଛି
ପବନରେ ଲହୁ ଆଉ ଲୁହର ଚିତ୍କାର
ପ୍ରତି ଗଳିକନ୍ଦିରେ
ନିର୍ଭୟାଟେ କାହାଣୀ ସାଜୁଛି

ତୁ ପରା ସର୍ବବ୍ୟାପୀ
ତୋତେ କ’ଣ ଅଛପା
କହ କାହିଁକି ଅଜଣା ସାଜିଛୁ
ବୋଧେ,
ନିଜ ସଂସାରକୁ ଭାଙ୍ଗିରୁଜି
ଚୁରମାର ହେବାର ତାମସା ଦେଖୁଛୁ

ଯଦି ନା
ତା’ ହେଲେ ତରଳି ଯା
ବରଷିଯାଉ ଆଷାଢରେ କରୁଣାର ବାରି
ହଟିଯାଉ ଆକାଶରେ
ଘୋଟିଥିବା ମିଛର କାଳିମା
ନୂଆ ସକାଳ ଛୁଆଁରେ
ପ୍ରସରିଯାଉ ପ୍ରୀତି ଅରୁଣିମା ।।

ରାଞ୍ଚି, ଝାରଖଣ୍ଡ

Comments are closed.