ତୁମର ପଳାୟନର ଦିନ ଆକାଶରେ ପଦ୍ମ ଫୁଟେ
ଓ ମୁଁ ପୁଣି ଆଉଥରେ ଚାଲିପାରେ,
ମୋ ଦୁଃଖର ପତଳା ପାରଦ ଉପରେ ।
ତୁମର ପଳାୟନର ଦିନ
ମୋ ବଗିଚାର ସୂର୍ଯ୍ୟମୁଖୀମାନେ
ଠୋ ଠୋ ହୋଇ ହସନ୍ତି,
ଯେପରି ଦଳେ ବେଶ୍ୟା ନିର୍ଲଜ ନିର୍ମମ ।
ଏବଂ ସେମାନଙ୍କର କଣ୍ଠସ୍ୱର ଶୁଭେ,
ତୁମ ନିରବତାର ବିଷ୍ଫୋରଣର ପ୍ରତିଧ୍ୱନି ସମ ।
ତୁମର ପଳାୟନର ଦିନ,
ତୁମ ସ୍ମୃତିର ବାରୁଦ, ଅଦିନିଆ ବର୍ଷା ପରି
ଝରିପଡ଼େ, ଝରିଝରିପଡ଼େ ।
ଆଉ ମୋ’ ଦେହର ପ୍ରତିଟି ଲୋମକୂପେ ପଶି,
ନିରବ, ଅସହ୍ୟ ଯେତେ ଅତ୍ୟାଚାର କରେ ।
ଲେଖକୀୟ ଟୀକା: ଏହି କବିତାଟି ପ୍ରଥମେ ଓଡ଼ିଆରେ ଲେଖାଯାଇଥିଲା । ମାତ୍ର ଏହା ଆଗେ ଇଂରାଜୀ ଓ ହିନ୍ଦୀ ଭାଷାରେ ବାହାରୁଥିବା ଦ୍ୱିଭାଷୀ ସାହିତ୍ୟ ପତ୍ରିକା ପ୍ରତିଲିପି ର ୨୦୧୧ ମସିହାର ନଭେମ୍ବର ଅଙ୍କରେ କବିଙ୍କ ଦ୍ୱାରା ଇଂରାଜୀକୁ ସ୍ୱ-ଅନୁଦିତ ହୋଇ ପ୍ରକାଶିତ ହୋଇଥିଲା ।
Comments are closed.