ସ୍ମୃତି ରଞ୍ଜନ ତ୍ରିପାଠୀ
ପଚାରନା ମୋ ଘର ଠିକଣା
ଏଇ ସେ ସରହଦ୍ ବାହାରେ କୁଆଡେ
ଏବେ ଏବେ ଶବ ମୁହଁରେ
ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା
ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ,
କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା
ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର ଶିରୋନାମା
ହଁ ! ମୁଁ ଏଡ଼େ ନୀଡ଼ମୁହାଁ।
ମୋତେ ଶଙ୍ଖୁଳେଇଲେ କିଛି ସ୍ବର୍ଗୀୟ ମୁହୂର୍ତ୍ତ
ଯୋଉଠି ପାଉଁଜିର ରୁଣଝୁଣରେ ଘୁମେଇ ଉଠେ କୋଟିଏ ସକାଳ,
ଚାଷୀଟିଏ ଲହୁକୁ କାଟି ଦେଶ ପାଇଁ ତିଆରେ ଆଲୁଅର ରାସ୍ତା
ସଧବା ସାଜୁଥାଏ ଫିକା ଫିକା ଜ୍ୟୋଷ୍ଣର କଢ଼
ସବୁଜିମା ଭରା ବ୍ୟସ୍ତ ପାହୁଣ୍ଡ ମୁଣ୍ଡେଇ ନେଉଥାଏ
ନଈ କଡ଼ର ଚିହ୍ନା ଚିହ୍ନା ପାହାଚ ଆଡେ।
କଡ଼ ଲେଉଟାଏ ମଧ୍ୟାନ୍ନ
ବାର୍ତ୍ତା ବାଣ୍ଟୁଥାଏ ଦେଶର, ଜୀବନର
ପୁଣି ଆଉ ଗୋଟେ ସିନ୍ଦୁରିଆ ଅଭିଯୋଗ ଆସିବା ପୂର୍ବରୁ
ବୁଝାମଣା ଚାଲିଥାଏ ବିସ୍ତାରି ଚାଲିଥିବା ଧର୍ମର ତରଙ୍ଗରେ
ହୁଳହୁଳି ଶଙ୍ଖନାଦରେ ଦେଶଟିଏ ଜୀବନ୍ୟାସ ନେଉଥାଏ ଓଁ ର ଚରିତାର୍ଥ ପ୍ରହରରେ।
ଫେରିଯିବା ପୂର୍ବରୁ ଭେଟହେଲେ
ଗୋଟାପଣ ଭିଜୁଥିବା ଯୋଜନା ସବୁ
ନିରର୍ଥକ ଲୁହରେ ପୂର୍ବ କୀର୍ତ୍ତିରାଜି ଭୋଗୁଥାନ୍ତି ସରକାରୀ ତାଛଲ୍ୟ,
ଏଠି ହୁଏ ସମର୍ପଣ ର ଆଲିଙ୍ଗନ
ଦେଶଭକ୍ତିର ତାଳେ ତାଳେ
ସମୟକୁ କିଳିଦିଅନ୍ତି ଶେଷ ଦୀକ୍ଷାର ପୂଜକ
ମୁଁ ତ ବାର୍ତ୍ତାଟିଏ ଦେଶ ଦେଶାନ୍ତରର
ଛୁଆଁ, ଅଛୁଆଁ, ଧର୍ମ ଅଧର୍ମ, ଶାନ୍ତି ମୈତ୍ରୀର
ବିବେକାନନ୍ଦଙ୍କ ଆଦ୍ୟାର୍ଥରେ ଏବେ ବି ପଣ ସ୍ବୀକାରେ ସିଦ୍ଧାର୍ଥ।
ହେଉ ଅବା ସେ ମାୟାବିନୀ ଭାରତୀର କବିତା ଛଳ ଛଳ
ମୁଁ କିନ୍ତୁ ବିଭୋର ଏ ଦେଶର ସଂଜ୍ଞାରେ ଶବ୍ଦ କି ଅପଶବ୍ଦ
ତୁମେ ଗଢିଥିବା ପ୍ରତ୍ୟୟର।
ଶୀତଳ ସନ୍ଧ୍ୟାର ତନ୍ଦ୍ରୀୟ ପରଶ
ମନ୍ଦିର, ମସଜିଦ, ଗୀର୍ଜା ସବୁଠି ଖୋଜା ଗୋଟିଏ ମୁହଁ,
ସତରେ ଭାରତ ପିନ୍ଧିଥାଏ ଶତାବ୍ଦୀ ପ୍ରମେୟର ଗହଣା ଅକିଞ୍ଚନ ପ୍ରାର୍ଥନାର।
ରାତ୍ରିର ଘୋର ଅନ୍ଧାର,
ଗୁମୁରି ଉଠେ ପ୍ରେମର ପିଚକାରୀ
ଆଲ୍ହାଦିତ ହୁଅନ୍ତି କ୍ରାନ୍ତିକାରୀ ଭୋରଯାଏଁ
ପ୍ରତିପକ୍ଷକୁ ମାତ୍ ଦେଇ ମୁକ୍ତିର ବାହାନା ଖୋଜୁଥାନ୍ତି
ଅଳ୍ପ ଉଙ୍କି ମାରୁଥିବା ଛିଟା ଛିଟା କଳଙ୍କମାନେ।
ରାତି ପାହିଲେ ଅରଟ ଛନ୍ଦରୁ ମୁକୁଳିବେ
ଇତିହାସ ନାଁ ରେ ଲେଖା ପାହାଡ଼ି ଝରଣା,
ଅପେକ୍ଷା କର! ଜହ୍ନ ଟିକେ ସୂର୍ଯ୍ୟ ହେଉ,
ପ୍ରଭାତଫେରିରେ ଆହୁରି ଫର୍ଚ୍ଚା ଦିଶିବ କୋଟିଏ ଗାଁ’ର ଭାଗ୍ୟ,
ଲାଲକିଲ୍ଲାରେ ଶୁଭିବ କିମାଶ୍ଚର୍ଯ୍ୟମର ବୀଣା,
ଉଜ୍ଵଳ ଦିଶୁଥିବ ଏ ଦେଶର ବୈଭବ।
ବିଦାୟ ନେବା ପୂର୍ବରୁ ପରିବ୍ରାଜକ ବାହାନାରେ
ପହଞ୍ଚେଇ ଦେଇଛି ତୁମେ ଛାଡି ଆସିଥିବା ଗୋଟିଏ ଦେଶ,
ଆଉ ସାଙ୍ଗରେ ନେଇ ଯାଉଛି ଗୋଟେ ସୈନିକର ଠିକଣା,
ହଁ ! ମୁଁ ଏବେ ନୀଡ଼ମୁହାଁ।।।
ଜଟଣୀ, ଖୋର୍ଦ୍ଧା
Comments are closed.