Latest Odisha News

BREAKING NEWS

ଭାଷା ଭାଗବତ : ସୁବକ୍ତା ଅଭିନେତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ମଂଚକୁ ଚଢ଼ିଲେ ସୁବକ୍ତା
ପାଲଟି ମଂଦ ଅଭିନେତା
ଅନ୍ୟ ଲୋକଂକ କଥା କହି
ମନକୁ ନେଇଥାଂତି ମୋହି

ମୋହିତ ହେବା ପାଇଁ ଶ୍ରୋତା
ଦେଖାଂତି ଛଦ୍ମ ଏକାଗ୍ରତା
ଶ୍ରୋତା ଓ ବକ୍ତା ଏକାଭଳି
ସଭାକୁ ନିଅଂତି ସଂଭାଳି

ନାଟକୀୟତା ଭଂଗୀଭରା
ସ୍ବରର ଚଢ଼ା ଓ ଉତୁରା
ସହିତ ହାତ, ମୁଂଡ ହଲା
ହୋଇଲେ ସଭା ସରିଗଲା

ଯିଏ ବି ‘ବାଗ୍ମୀ’ ଆଖ୍ୟା ପାଇ
ରାଇଜସାରା ବୁଲୁଥାଇ
ଯାଇ ଓ ଫେରି ସାରେ ବେଳ
ମିଳେନାହିଁ ବାଂଛିତ ଫଳ

କଂଠସ୍ଥ ମଧୁର ଭାଷଣ
ଶୁଣାଇଲେ ବି ଘନଘନ
ତହିଁର ସ୍ପଷ୍ଟ ପରିଣାମ
କେବଳ ଗଳା ପରିଶ୍ରମ

ଏପରି କଥା କହି, ଶୁଣି
ଲୋକେ ବୋଲାଂତି ଗୁଣୀ, ଜ୍ଞାନୀ
ଏହା ଏ ଭାଷାର କାହାଣୀ
ଅନେକେ ନେଇଛଂତି ମାନି

ଏଠି ପୁସ୍ତକ ଲୋକାର୍ପଣ
ସେଠି ପାଳଂତି ଜନ୍ମଦିନ
ସୁବିଦିତ ସ୍ମୃତିଚାରଣ
କରଂତି ଆମ ବକ୍ତାଗଣ

ବୌଦ୍ଧିକତାର ଏହି ସ୍ଥିତି
ଯୋଗୁଁ ଆମର ଏ ଦୁର୍ଗତି
କରିବା ଆମେ ଅବସାନ
ଅଳ୍ପ ଟିକିଏ ଦେଲେ ମନ

ଆମର ଗପୁଡ଼ି ସ୍ବଭାବ
ଯୋଗୁଁ ଭୋଗୁଛୁଁ ପରାଭବ
କାଳ ସହିତ ଦେଲେ ତାଳ
ଫୁଟିବ ଉଜ୍ଜ୍ବଳ ସକାଳ

ଭାଷାରେ ନ ଥିଲେ ବି ଖୁଣ
ଆମର ଯେତେ ଅବିଗୁଣ
କରଂତି ଏ ଭାଷାକୁ ନ୍ୟୂନ
ବୁଝଂତୁ ଜନସାଧାରଣ

Leave A Reply

Your email address will not be published.