ଶୁଭ୍ରାଂଶୁ ଶେଖର ମାହୁନ୍ତ
ବ୍ରହ୍ମାଙ୍କ ତନୟା ତୁହି ଶ୍ବେତବର୍ଣ୍ଣା
ଅଟୁ ଦେବୀ ଯୋଗମାୟା,
ହଂସବାହିନୀ ତୁହି ବାଗଦେବୀ
ଆଦ୍ୟାଶକ୍ତି ଦେବୀ ମାଆ।
ରତ୍ନବିଭୂଷିତା କୁଣ୍ଡଳ କର୍ଣ୍ଣେ ତୋ
ପାଉଅଛି ସଦା ଶୋଭା,
ଧବଳବସ୍ତ୍ରରେ ଶ୍ବେତ ପଦ୍ମାସନେ
ବିଛୁରିତ ହୁଏ ଆଭା ।
ଶାରଦା ବରଦା ତୁହି ବୀଣାପାଣି
ଜ୍ଞାନର ଅଟୁ ପସରା,
ଅଜ୍ଞାନ ଅନ୍ଧାର ଦୂରୀଭୂତ କରୁ
ଆଲୋକିତ କରୁ ଧରା ।
ତୋ ଆଶିଷ ଲଭି ମୁର୍ଖ କାଳିଦାସ
ହୋଇଲେ ମହା ପଣ୍ଡିତ,
ଆଦିକବି ଭାବେ ସୁନାମ ଅର୍ଜିଲେ
ତ୍ରିଭୁବନେ ହେଲେ ଖ୍ୟାତ ।
କାବ୍ୟ କବିତା ରଚିଲେ ଅନେକ
ମେଘଦୂତ ରଘୁବଂଶ,
ଅନନ୍ୟ ପ୍ରତିଭା ହୋଇ ପରା ସିଏ
ସାଉଣ୍ଟିଲେ କେତେ ଯଶ ।
ତୋ କୃପା ବଳରେ ମହାମହା ମୁର୍ଖ
ରଚିଲେ କାବ୍ୟ କବିତା,
ସାରା ଜଗତରେ ଜ୍ଞାନ ବିତରିଲେ
ତୋ’ରି ପାଇଁ ହେ ମାତା ।
ବସନ୍ତ ପଞ୍ଚମୀ ମହାର୍ଘ ମୁହୂର୍ତ୍ତେ
ଏତିକି ମୋର ଗୁହାରି,
ସୁଖମୟ ହେଉ ଏ ସାରା ସଂସାର
ଝରୁ ତୋ କରୁଣାବାରି ।
ସାଳନ୍ଦୀ ବାଇପାସ୍, ଭଦ୍ରକ
Comments are closed.