Latest Odisha News

BREAKING NEWS

କବିତା : ଜୀବନ

ସୁକାନ୍ତି ରାଉତ 

ମୁଁ ଜାଣିଛି ଦୁଃଖ ଦିନେ ସରିବ
ଦୁଃଖ ସବୁ ସରିଗଲେ କହିଦେବି ତମକୁ
କେମିତି ମୁଁ କିଣିନେଲି ପୃଥିବୀର ସୁଖ
ପଚାରିବ ନାହିଁ ମୋତେ
ମୋ ଦୁଃଖର ଦିନ ସବୁ ଥିଲା କେମିତିକା
ମୋ ଲୁହର ରଙ୍ଗ ଧୂସର କି ନୀଳ
କହିଦେଲେ କାଳେ ଭୁଲ୍ ହେବ
ଜୀବନର ଜଟିଳ ଅଙ୍କ ।

ଭୁଲିନାହିଁ ଲୁହର
ସେ ଲୁହାର ପୃଥିବୀ
ଯେ ଦିନରେ ଲୁହା ଠାରୁ ବେଶୀ ଓଜନିଆ
ଲୁହ ମୋର ଥିଲା,
ରାତି ସବୁ ଦେଖୁଥିଲା ଚୁପଚାପ
ଯେ ଲୁହକୁ ତମେ କୁହ ‘ଲୁହ ନୁହେଁ, ମୋତି’ ।

ତମେ ଏକା ଜାଣିଥିଲ ସହରଟା ଚୁପଚାପ ଶୋଇଗଲା ପରେ
ଆଖି ଲୁହ ମୋର ନୀରବରେ ଝରୁଥିଲା ଅବିରତ
ଲାଗୁଥିଲା ଯେମିତିକା ଶ୍ରାବଣରେ ଝରୁଥିଲା ବର୍ଷା
କିଛି ଲୋକ ଥିଲେ ଦ୍ବନ୍ଦ୍ବରେ ଲୁହ ନା ଏ ବର୍ଷା
କିଛି ଲୁହ ପିଉଥିଲା ଆଖି ଆଉ କିଛି ଶୋଷୁଥିଲା ଓଠ ।

ସେଦିନ ତ ଆଜି ନାହିଁ
ଅଛି ଆଖି, ଲୁହ ନାହିଁ
ଅଛି ରାତି, ବର୍ଷା ନାହିଁ
ଅଛି ସେଇ ଝାଉଁ ବଣ,
ନାହିଁ ସେଠି ଆମ ପଦଚିହ୍ନ
ଈଶ୍ୱର ଅଛନ୍ତି ଭାବି ବୋଉ ମୋର ତାରା ହୋଇଗଲା
ପୃଥିବୀ ନିଶ୍ଚୟ ବଦଳିବ
ଅପେକ୍ଷା କରି ବାପା ମୋର ଆଖି ବୁଜିଦେଲେ
ସକାଳ ଆସିବ ଭାବି ସେମାନେ ବି ପଥର ହୋଇଗଲେ
ଅଛି ମୁଁ, ମୋର କିଛି ମନେ ନାହିଁ
ମନେ ନପଡିବାର ମୋର ବି ଦୋଷ ନାହିଁ
ଭଲହେଲା କିଛି ଆଉ ମନେ ନାହିଁ
ଶୋଷ ନାହିଁ କି ଅବସୋସ ବି ନାହିଁ
ଜୀବନ ଚାଲୁଛି, ଯେଣୁ ଜୀବନ ଅଛି ।

Comments are closed.