Latest Odisha News

BREAKING NEWS

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର

କାର୍ତ୍ତିକ ଫେରିଲା ମଗୁଶିର ଏବେ
ପ୍ରବେଶ ହେଲା ଜଗତେ ,
ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ
ଆମକୁ ଚାହିଁକି ହସେ ।

ଶସ୍ଯର କେଦାର ଦିଶେ ମନୋହର
ପୂର୍ଣ୍ଣଗଭା ରୂପ ଯହିଁ ,
ପବନ ଦୋଳାରେ ଝୁଲୁଥାଏ ଧୀରେ
ଆନନ୍ଦରେ ଗୀତ ଗାଇ ।

ବଇଶାଖୀ ହଳ ଭାଦ୍ର ବେଉଷଣ
ସଙ୍ଗେ ମଉସୁମୀ ଖେଳ ,
ଚଷାପୁଅକ୍ଷେତ ସଙ୍ଗେକ୍ଷେତହୋଇ
ବୁହାଇଛି ଦେହୁ ଝାଳ ।

ବରଷ ଯାକର ପରିଶ୍ରମ ଫଳ
ଚଷାପୁଅ ଦେଖୁଥାଏ ,
ସୁନେଲି କ୍ଷେତରେ ତା ସ୍ବପ୍ନର ଘର
ପବନେ ଦୋହଲୁ ଥାଏ ।
ମାଆ ଲକ୍ଷ୍ମୀଙ୍କର କରୁଣା ଅପାର
ଢାଳନ୍ତି ଆଶିଷ ବାରି ,
ପରିଶ୍ରମ ଆଜି ସାର୍ଥକ ହୋଇଛି
ସୁନା ଖେଳଇ ଲହଡ଼ି ।

ଗରଭଣା ଦିନ ଆସି ଚଷାପୁଅ
ବିଲେ ଖଡ଼ା ପୋତିଥିଲା ,
ସବୁଜ କେଦାର ପେଟେ ଥୋଡ଼ ରଖି
ତାକୁ ସ୍ବାଗତ କରିଲା ।

ଆଜି ଦେଖେ ଆସି ସବୁଜ କେଦାର
ସୁନାର ପରଶ ପାଇ ,
ପାଚିଲା ଶରୀରେ ଦୋଳି ଖେଳୁଅଛି
ଅତି ମତୁଆଲା ହୋଇ ।

ମାଆଙ୍କୁ ଡାକି ସେ କହଇ ବିନୀତେ
ଝଡ଼ ବତାସି ଓ କୀଟ ,
ଏମାନଙ୍କଠାରୁ ରଖିବୁ ମାଆ ମୋ
ଫସଲକୁ ସୁରକ୍ଷିତ ।

ଦୁଇ ହାତ ଯୋଡ଼ି କହଇ ଭକ୍ତିରେ
ମାଆ ତୋ କରୁଣା ଥାଉ ,
ଦୁଇବେଳା ଭାତ ପରିବାରେ ମୋର
ଅଭାବ କେବେ ନହେଉ ।

ଖଣ୍ଡଗିରୀ ,ଭୁବନେଶ୍ବର

Leave A Reply

Your email address will not be published.