ତରୁଣ କୁମାର ମିଶ୍ର
ଗାଆଁ ମୁଣ୍ଡେ କାଲି ଅଗି ଜଳା ଦେଖି
ସକାଳୁ ମାଘୁଆ ଶୀତ ,
ତା ପେଡ଼ି ପୁଟୁଳା ରୁଣ୍ଡାଇ ଗୋଟାଇ
ସଡ଼କେ ଯାଉଛି ଦେଖ ।
ଆସିଥିଲା ଯେବେ କହୁଥିଲା ବୁଲି
ଶିବରାତ୍ରୀ ଯାଏଁ ରହି ,
ଫେରିବା ଟିକଟ କରିଛି ଆଗରୁ
ଜାଗରରେ ଯିବା ପାଇଁ ।
ତା ଆସିବାବେଳେ ଗେଣ୍ଡୁ ଗୋଲାପରେ
ସ୍ବାଗତିଲେ ତାକୁ ଜନ ,
ଭୋଜି ଭାତ ସାଥେ ହୋଇଥିଲା ପୁଣି
କେତେ ପିଠାପଣା ମାନ ।
ରେଜେଇ କମ୍ବଳ ଗରମ ପୋଷାକ
ସ୍ବେଟର ଓ ମଫଲର ,
ଏ ସବୁରେ ଜନ ଘୋଡ଼ାଇ ଶରୀର
ଶୀତକୁ କଲେ ଜୁହାର ।
ପ୍ରକୋପ ବଢ଼ାଇ ମାଡ଼ିଯାଏ ଯହିଁ
ତାଟି କବାଟ ପଡ଼ଇ ,
ରାସ୍ତାଘାଟ ସବୁ ହୁଏ ଜନଶୂନ୍ଯ
ରାତି ଯାଏ ବଢ଼ି ବଢ଼ି ।
କାକର ଭିଜା ତା ହାତରେ ଯାହାକୁ
ପାଏ ଆଲିଙ୍ଗନ କରେ ,
ଓଦା ଛାପ ଟିକେ ଛୁଆଁଇ ଆମକୁ
ପୁଣି କୁତୁ କୁତୁ କରେ ।
ଏବେ କିନ୍ତୁ ସିଏ ସଡ଼କର ଯାତ୍ରୀ
ବିଦାୟ ନେଉଛି ଜାଣି ,
ଫୁଲ ସବାରୀରେ ଫୁଲେଇ ଫଗୁଣ
ଝୁଲି ଝୁଲି ଆସି ଲାଣି ।
ପ୍ରଥମ ଦିନରେ ଗୋଲାପର ଫୁଲ
ବଢ଼ାଇ କହୁଛି କିଏ ,
ମୋପାଇଁଏବେ ତୁ ଖୋଜିଦେଫଗୁଣ
ମନଲାଖି ପ୍ରିୟା ଟିଏ ।
ଦୋଳରେ ଏଥର ପ୍ରିୟାକୁ ଧରିକି
ଖେଳିବି ରଙ୍ଗର ହୋଲି ,
ତନୁମନ ମୋର ଭରିବି ଆନନ୍ଦେ
ପ୍ରୀତିର ଅବିର ବୋଳି ।
କୃଷ୍ଣଚୂଡ଼ା ଓଠେ ନାଲି ରଙ୍ଗ ବୋଳି
ନିଦାଘ ଦେଉଛି ଡାକ ,
ଫଗୁଣ ଫେରିବା ଡେରୀ କରିବୁନି
ହେଲିଣି ମୁଁ ଅଧା ବାଟ ।
Comments are closed.