Latest Odisha News

BREAKING NEWS

ଆଦିତ୍ୟ ଠାକରେଙ୍କ କାର୍କେଡ୍ ଉପରେ ପଥର ମାଡ଼

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ଶିବସେନା ବିଧାୟକ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ କାର୍‌କେଡ୍ ଉପରେ ପଥରମାଡ଼ ହୋଇଛି। ମଙ୍ଗଳବାର ଔରଙ୍ଗାବାଦର ଭାଇଜୀପୁର ଏରିଆରେ ୟୁବିଟି ଶିବସେନା ‘ଶିବ ସମ୍ବାଦ ଯାତ୍ରା’ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଭାଇଜୀ ଏରିଆରେ ଆଦିତ୍ୟ ଏକ ବୈଠକରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ତାଙ୍କ ଉପରେ ପଥର ମାଡ଼ ହୋଇଥିବା ବରିଷ୍ଠ ଶିବସେନା(ୟୁବିଟି) ନେତା ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର ବିରୋଧୀ ଦଳର ନେତା ଅମ୍ବାଦା ଦାନୱେ ମହାରାଷ୍ଟ୍ର ପୁଲିସ ନିର୍ଦ୍ଦେଶକଙ୍କୁ ଏନେଇ ଚିଠି ଲେଖିଛନ୍ତି। ଆଦିତ୍ୟଙ୍କ କାର୍ଯ୍ୟକ୍ରମରେ ସୁରକ୍ଷାରେ ତ୍ରୁଟି ଦର୍ଶାଇବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାନୱେ ପୁଲିସ ଡିଜିଙ୍କୁ ଚିଠିରେ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଜିଲ୍ଲା ଏସ୍‌ପି ପଥର ଫିଙ୍ଗା ଘଟଣାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟକ୍ରମ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ନାରାବାଜୀ ହୋଇଥିଲା। କିନ୍ତୁ କୌଣସି ପଥର ମାଡ଼ ହୋଇ ନାହିଁ। ପିଟିଆଇକୁ ସୂଚନା ଦେଇ ଜିଲ୍ଲା ଏସ୍‌ପି  ମନୀଶ କଲୱାନିୟା ଏପରି କହିଛନ୍ତି।

ଅନ୍ୟପଟେ ଅମ୍ବାଦାସ ଦାନୱେ କହିଛନ୍ତି ମହାଲଗାଓଁରେ ବୈଠକ ଚାଲିଥିବା ବେଳେ ବୈଠକ ଆଡ଼କୁ ଦୁଇ-ଚାରି ପଥର ମାଡ଼ ହୋଇଛି। ବୈଠକ ପରେ ଠାକ୍‌ରେ କାର୍ଯ୍ୟକ୍ରମ ଛାଡ଼ିଯାଉଥିବା ବେଳେ ଏହି ପଥରମାଡ଼ କରାଯାଇଥିଲା ବୋଲି ଦାନୱେ ଅଭିଯୋଗ କରିଛନ୍ତି। ହିନ୍ଦୁ ଓ ଦଳିତ ସମ୍ପ୍ରଦାୟ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାକୁ ଏହି ପଥରମାଡ଼ ହୋଇଛି ବୋଲି ସେ କହିଛନ୍ତି।

ତେବେ ଲୋକେ ସ୍ଥାନୀୟ ବିଧାୟଙ୍କ ରମେଶ ବର୍ଣ୍ଣାରେଙ୍କ ସମର୍ଥନରେ ନାରା ଦେଉଥିଲେ। ଦୁଇ ଗ୍ରୁପ ମଧ୍ୟରେ ହିଂସା ସୃଷ୍ଟି କରିବା ପାଇଁ ଅସାମାଜିକ ବ୍ୟକ୍ତିମାନେ ଏପରି କରିଥିବା ଅମ୍ବାଦାସ କହିଛନ୍ତି। ଅପରାଧିକଙ୍କ ସମେତ ସୁରକ୍ଷା ଯୋଗାଇ ଦିଆଯାଇ ନଥିବାରୁ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଦାନୱେ।

Leave A Reply

Your email address will not be published.