Latest Odisha News

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ

ଠିକ୍ ମାଣବସା ପରଦିନ,
ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ।
ହାତରେ ଆଉ ନଥାଏ ସେ ସେନେହ ପରଶ।
ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି।
ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା।
ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା।
ରୋଷ ଘର ଏବେ ଖାଲି।

ଘର ସାରା ଖାଁ ଖାଁ।
ଶୁଭୁନି ଆଉ ହସ।
ଓଠରୁ ଆଉ ଝରୁ ନାହିଁ ବାପ ଘର କାହାଣୀ,
ପୋଖରୀ ତୁଠର କଥା,
ତୁଠ ପାଖ ବରଗଛର କଥା,
ବାଡ଼ି ବାଇଗଣର କଥା,
ହଜି ଯାଇଥିବା ଲୋକଙ୍କ କଥା।
ଆଖିରୁ ହଜି ଯାଇଛି
ବଡ଼ ଦେଉଳ ଦେଖିବାର ସ୍ବପ୍ନ।
ଖୁଦୁରକୁଣୀ ଓଷାରେ ଆଉ ସଜା ହଉନି ଥାଳି।
ପଞ୍ଚୁକ କି ଜହ୍ନି ଓଷାରେ
ଆଉ ଗୋବର ନାଲି ମାଟିରେ ଲିପା ହେଉନି
ଚଉରା ମୂଳ।
ଆଉ ଦିଅଁ ଦେବତା ନାହାନ୍ତି।
ସେମାନେ ବି ଚାଲି ଗଲେଣି ଲକ୍ଷ୍ମୀଙ୍କ ସହ
ଏବେ ଖାଲି କାଠ ପଥର ମୂର୍ତ୍ତିଙ୍କ ମଥାରେ ଚନ୍ଦନ ଲାଗେ, ଫୁଲ ସାଜେ।

ଦୀପ ଲିଭି ସାରିଲାଣି।
ଏବେ ଚାରି ଆଡ଼େ ଖାଲି ଅନ୍ଧାର।
ହେଲେ ସେ ଅନ୍ଧାରକୁ ଦୂରେଇ ଦେବା ପାଇଁ
ଆଉ ଡିବିରି ଜାଳି ଦେଇ ପାଖରେ ବସି
ଦୋକାନ ଟୁଙ୍ଗୀରେ ଲୁଚି ଭାଗବତ କଥା ଶୁଣୁଥିବା
ଭୂତମାନଙ୍କ କଥା କହୁ ନାହାନ୍ତି ଲକ୍ଷ୍ମୀ।
ସେ ଭୂତମାନେ ବି ଏବେ ଚାଲି ଗଲେଣି ଲକ୍ଷ୍ମୀଙ୍କ ସହ।
ଏବେ ଖାଲି ଭାଗବତ ବହି ପଡ଼ି ରହିଛି।
ଆହୁରି ବି ପଡ଼ି ରହିଛି କାର୍ତ୍ତିକ ମାହାତ୍ମ୍ୟ ବହି।
କାର୍ତ୍ତିକ ଆସୁଛି ସବୁ ସନ।
ପଞ୍ଚୁକରେ ମୁରୁଜ ଧରି ଥରଥର ଜାଡ ହାତରେ
ଦିଅଁ ଆଙ୍କୁଥିବା ଆଉ ଦିଅଁଙ୍କ ଦେହରେ
ରଙ୍ଗ ଭରୁଥିବା ଛୁଆ ମାନେ ଅଛନ୍ତି।
ହେଲେ ଆଉ ଲକ୍ଷ୍ମୀଙ୍କ ହାତ ତିଆରି ପୋଡ଼ ପିଠା ଭୋଗ ଲାଗୁନି।

ଖନି ଜାଡ଼ି ଆଉ ଗୋବର ଗାଡିଆ ଜଗୁ ନାହାନ୍ତି।
ନା ବଗ ବଗୁଲୀ ପାଳୁଛନ୍ତି ପଞ୍ଚୁକ ।
ସେମାନେ ବି ସବୁ ଚାଲିଗଲେଣି ଲକ୍ଷ୍ମୀଙ୍କ ସହ।
ଏବେ ଖାଲି ଠିଆ ହୋଇ ରହିଛି ଚଉରା।
ହେଲେ ବୃନ୍ଦାବତୀ କେବେଠୁ ଶୋଇ ଗଲେଣି।
ବୋଧ ହୁଏ ମାଣବସା ପରଦିନଠାରୁ।

ଦେବଜ୍ୟୋତି ଅବିନାଶ
ସ୍ନାତକୋତ୍ତର ଇଂରାଜୀ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ।
ମୋବାଇଲ ନମ୍ବର : ୬୩୭୨୦୫୫୨୦୭

Comments are closed.