ସଂଘମିତ୍ରା ରାଏଗୁରୁ
ପ୍ରେମକୁ ପଞ୍ଜୁରୀ
ଘୃଣାକୁ ଆକାଶ ଯାଚିଦେଇ
ଯିଏ ପାଲଟିଯାଏ ଇଶ୍ଵର
ତାକୁ ସଭିଙ୍କର ଡର
ରକ୍ତ ନଈରେ ପହଁରି ହୁଏନା ବୋଲି
ମୁଁ ତୋଳେ ସମୁଦ୍ରରେ ଘର ।
କାନ୍ଥ-ବାଡ,ଝରକା-କବାଟ…ପ୍ରତି ଅବୟବ
ତରଳି ବୋହି ଯାଉଥିଲା ବେଳେ
ନଥିବା ଅଗଣାରୁ ଶୁଭେ ମେଘର ମହ୍ଲାର
ବିଜୁଳି ଘଡଘଡି ପବନର ଇଲାକାରେ
ଅସଂଖ୍ୟ ଫୁଲର ଚିତ୍ର
କିନ୍ତୁ କେବେ ବି ଫୁଟେ ନାହିଁ ସେଇ ଇପ୍ସିତ ଫୁଲ ।
ଭଙ୍ଗା କାଚ
ଆଉ
ଚଡକି ଯାଇଥିବା ହୃଦୟ
ଏକ ଇ ପ୍ରକାର ବୋଧେ
ଗୋଟେ କାମରେ ଲାଗେନି-
ଆରଟିର ଦାମ୍ ହିଁ ନାହିଁ
ତୁମେ ଯୋଡଟେ ହୋଇପାରିଥାନ୍ତ !
ମଲମ ଦେଇପାରିଥାନ୍ତ !
ହେଲେ,
ଅପେକ୍ଷାଟେ ମାଖିଦେଇ
ପ୍ରତିଥର ଉଆଁସୀ ଆଖିରେ
ତୁମେ ପୁନେଇଁର ଜହ୍ନ ଆଙ୍କିଦିଅ ।
ଚିତ୍ର ଓ ଚରିତ୍ର
ଚରିତ୍ର ଓ ଚିତ୍ର
ଆଖିର ଖେଳ-ମନର ଭୂଗୋଳ
ରଙ୍ଗ-ତୁଳି -କାନଭାସ୍
ହାତରେ ଥାଉ ଥାଉ
କେଉଁଠି ନା କେଉଁଠି
ବତୁରୁଥାଏ ଭୁଷୁଡୁଥାଏ ମାଟି
ଯାବତୀୟ ଚେଷ୍ଟା ସତ୍ତ୍ବେ
କେବେ ବି ଗଢିହୁଏନା ମନଲାଖି ଜୀବନ-ମହଲ ।।
Comments are closed.