Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦ ରନ୍ଧନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ମହିମା ବର୍ଣ୍ଣନା ବେଳେ ଆମେ ଜାଣିଲେ ଏହା ମା ଲଷ୍ମୀଙ୍କ ଦ୍ୱାରା ହେଉ ଅବା ମାତାଙ୍କ ଦ୍ୱାରା ରନ୍ଧନ ହେଉ, ଏହାର ମହନୀୟତା ବଜାୟ ରହେ କେବଳ ଏହାର ଅପୂର୍ବ ସୁଗନ୍ଧ ଓ ସ୍ୱାଦ ଯୋଗୁ । ଆଉ ଏହି ସ୍ୱାଦ ଓ ସୁଗନ୍ଧ ଆସିଥାଏ ଏହାର ସ୍ୱତନ୍ତ୍ର ରନ୍ଧନ ଶୈଳୀ ଯୋଗୁ । ଆସନ୍ତୁ ତେବେ ଜାଣିବା ସେହି ପଦ୍ଧତି କ’ଣ ? ଶାସ୍ତ୍ର ମତରେ ଆମେ କହିଲେ ଶ୍ରୀମହାପ୍ରସାଦ ମା ଲଷ୍ମୀଙ୍କ ହାତ ରାନ୍ଧଣା ବୋଲି। କିନ୍ତୁ ବାସ୍ତବରେ ଏହି ରାନ୍ଧଣା କାର୍ଯ୍ୟରେ ନିଯୁକ୍ତ ହୋଇଥାନ୍ତି ଅନେକ ସେବକ (ସ୍ୱତନ୍ତ୍ର ଭାବରେ ଏହାର ଆଲୋଚନା ଆଗରୁ ହୋଇଛି । ସାମଗ୍ରିକ ଭାବରେ କହିଲେ ସୁଆର ମହାସୁଆର ନିଯୋଗର ସେବକମାନେ ଏହି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି। ରନ୍ଧନରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀଠାରୁ ଆରମ୍ଭ କରି ରନ୍ଧନଵିଧିର ମୌଳିକତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ଉଦାହରଣ ସ୍ୱରୂପ ବିଲାତି ଆଳୁ, ବିଲାତି ବାଇଗଣ କୋବି ଇତ୍ୟାଦି ବିଦେଶୀ ପରିବାକୁ ରନ୍ଧନ କାର୍ଯ୍ୟରେ ସାମିଲ କରାଯାଏନି। ସେହିପରି ରସୁଣ, ପିଆଜ, ସଜନା ଛୁଇଁ, ଲାଉ ଇତ୍ୟାଦି ପରିବାକୁ ଆମିଷ ତୁଲ୍ୟ ବିବେଚନା କରି ଏହାର ପ୍ରବେଶ ନିଷେଧ କରାଯାଇଛି। କେବଳ ସ୍ୱତନ୍ତ୍ର ରୂପେ ନିର୍ମିତ୍ତ ମାଟି କୁଡୁଆମାନଙ୍କରେ ଏହା ରନ୍ଧନ ହୋଇଥାଏ। ଏହି ରନ୍ଧନ ଶୈଳୀ ମଧ୍ଯ ଏକ ସ୍ୱତନ୍ତ୍ର ଧରଣର। ଛଅ ଝିଙ୍କା ବିଶିଷ୍ଟ ଚୁଲିରେ ଯାହାକୁ ଷଟ କୋଣ ବିଶିଷ୍ଟ ଅଗ୍ନି ଯନ୍ତ୍ର ମଧ୍ଯ କୁହାଯାଏ। ସାଧାରଣତଃ ତିନି ପ୍ରକାର ଅଗ୍ନି ଯନ୍ତ୍ର ଅବା ଚୁଲି ବ୍ୟବହାର କାରାଯାଏ ।

୧ . ଅନ୍ନଚୁଲି
୨ . ଅହିଆ ଚୁଲି
୩ . ପିଠା ଚୁଲି

ଏହି ସ୍ୱତନ୍ତ୍ର ଚୁଲିଗୁଡିକ ଭୂମିଠାରୁ ପ୍ରାୟ ତିନି ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତି। ବିଶିଷ୍ଟ ସୁପକାର ବିଶ୍ୱନାଥ ସାମନ୍ତରାଙ୍କ ଉଲ୍ଲେଖ ପ୍ରକାରେ ବର୍ତ୍ତମାନ ୧୪୨ ଟି ପ୍ରସ୍ପୁଟିତ ପଦ୍ମ ଚୁଲି,୩୦ ଟି ଓଲଟ ପଦ୍ମ ଚୁଲି ଓ ୭୦ ଟି ଅହିୟା ଅଛି। ସର୍ବମୋଟ ୨୪୨ ଟି ଚୁଲି ମଧ୍ୟରୁ କିଛି ଚୁଲି ବିଭିନ୍ନ ମଠମାନଙ୍କ ମାରଫତରେ ରହିଥିବା ସମୟରେ କିଛି ବରାଦି ଖଟଣି ରନ୍ଧନ ପାଇଁ ସେବକମାନେ ବ୍ୟବହାର କରନ୍ତି । ପ୍ରସ୍ଫୁଟିତ ପଦ୍ମ ସ୍ୱରୂପ ଚୁଲିରେ କେବଳ ଅନ୍ନ ରନ୍ଧନ ହୁଏ। ଏକାଥରକେ ନଅ ଗୋଟି ଅନ୍ନ ହାଣ୍ଡି ଗୋଟିଏ ଚୁଲିରେ ବସlଯାଇଥାଏ। ଓଲଟ ପଦ୍ମ ସ୍ୱରୂପ ଦିଶୁଥିବା ଚୁଲିରେ ସାଧାରଣତଃ ପିଠା ଇତ୍ୟାଦି ପ୍ରସ୍ତୁତ ହୋଇଥାଏ। ଅହିୟା ଚୁଲିରେ ତୁଣ ଇତ୍ୟାଦି ପସ୍ତୁତ ହୋଇଥାଏ। କାରଣ ଏଥିରେ କାଠ କୋଇଲାର ରଡ଼ ପ୍ରସ୍ତୁତ ହୋଇ ତହିଁରେ ରନ୍ଧନ ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ପୃଥିବୀର ସବୁଠାରୁ ବୃହତ ରୋଷଶାଳ ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପାଠ ।

ସଂସାର ଦେଖେ ସ୍ବପ୍ନ ପ୍ରାୟ
ସେ ମୋହେ ନୋହେ ପରାଜୟ ।
ଯା ଗୃହେ ଅତିଥି ଆଗତ
ଭାବେ ପୁଜଇ ଶୁଦ୍ଧଚିତ୍ତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.