Latest Odisha News

ଘାଣ୍ଟ

 ଜ୍ଞାନ ରଞ୍ଜନ କର

ନରାଜ ବ୍ୟାରେଜ ପାଖରେ ସକାଳୁ ସକାଳୁ କାଖରେ ତିନିଟା ଖାଲି ଜରି ବ୍ୟାଗ ଜାକି, ଚା ପି’ ସାରି, ତଳତଳିଆ ଖଦଡା ଚା’ ପତି ପାଟିରେ ଲାଗିଲାରୁ କପଟି ଫୋପାଡ଼ି, ମଟର ସାଇକେଲଟା ଉପରେ ବସୁଥାନ୍ତି ମିଶ୍ର ବାବୁ। କାଲି ପରା ‘ଘାଣ୍ଟ’, ଆଉ ପ୍ରତିବର୍ଷ ପରି ସାହି ପଡିଶାରେ ଚଖେଇ ଘର ପାଖିଆ ବନ୍ଧୁ ବାନ୍ଧବଙ୍କ ପାଖକୁ ପାର୍ସଲ ନ ପଠେଇଲେ ଘାଣ୍ଟଟାରେ ଦଶଟା ଓଉ ପଡିଲା ଭଳିଆ ଖଟା ଲାଗିବନି!! ଏତେ ଆୟୋଜନ ପାଇଁ ପରିବା ପନ୍ଦର କିଲୋ ସେ ପୁଣି ସଜ ସଜ ନହେଲେ ନ ଚଳେ, ସେଥିପାଇଁ ବାଙ୍କି ଆଡେ ରାସ୍ତା କଡରୁ ବ୍ୟାଗଟା ନେଇ ମଟର ସାଇକେଲ ଛୁଟେଇଥାନ୍ତି ମିଶ୍ରବାବୁ।

ଲୋକ କହନ୍ତି ସିଆଡେ କୁଆଡେ ସୁନା ଫଳେ, ମହାନଦୀ କୂଳର ଯେତିକି ପଟୁ, ସବୁ ସେଇ ପରିବା ଦିହରେ । ଆଉ ଏଇ କଟକ ସହରର ଯେତେ ପରିବା, ସେଥିରୁ ସଜ ଗୁଡା ବାଛିଦେଲେ, ସେଗୁଡା ସେଇ ବାଙ୍କି ଆଡ଼ର । ପାଥପୁର ପାଖରେ ରାସ୍ତା କଡୁଆ ଚାଷୀ ଦେଖି ଗାଡ଼ିଟା ଠିଆ କରି, କଖାରୁ ଦିଟା ଆଉ ପାଣିକଖାରୁ ଦିଟା ଆଗ କିଣିବେ ବୋଲି, ମନେ ମନେ ଓଜନ ସହ ରେଟର ଗାଣିତିକ ହିସାବ ମୁଣ୍ଡରେ ଚଢ଼ିଲାଣି ମିଶ୍ରବାବୁଙ୍କର। ବସନ୍ତ ସାହୁ ଦହିବରା ଆଳୁଦମ ଦେଖି ଟିକେ ପାଟିରୁ ଲାଳ ଢୋକୁଥାନ୍ତି ମିଶ୍ରବାବୁ, ହେଲେ କାଳେ ଡେରି ହେଇଗଲେ ପରିବା ଗୁଡା ବଛିଆରି ହେଇଯିବ ଭାବି ଗାଡି ଛୁଟେଇଥାନ୍ତି ସେ ।

ହେଲମେଟ ଭିତରେ ଚେହେରାଟି ଧିରେ ଧିରେ କୁଞ୍ଚିତ ହେବାକୁ ଲାଗିଥାଏ, ଆଖିର ଗହ୍ୱର ସଙ୍କୁଚିତ ହୋଇ ପତା ଦୁଇଟି ଆଖିର ଡୋଳାକୁ ଆସ୍ତେ ଆସ୍ତେ ଢାଙ୍କିବାକୁ ଲାଗୁଥାନ୍ତି। ସାମ୍ନାରେ ଥାଏ ବିଭୀଷିକା, ଜଳାର୍ଣ୍ଣବ ମହାନଦୀର ମହୋଦଧିରେ ପରିଣତ ରୂପ। ରାସ୍ତା କଡରେ ଅନେଇ ରହିଥାଏ କେତେଟା ଝୁମ୍ପୁଡି ଚାଳ ଯୋଉଠି କେବେ ପରିବା ବିକା ହେଉଥିଲା, ଆଉ କେତେଟା ଜାଗାରେ ସେ ଚାଳିଆରେ ମୁଣ୍ଡରେ ହାତ ଦେଇ ବସିଥିବା ଚାଷୀଟିଏ, ଯାହାକୁ ଚାଉଳ ତ ମିଳିଯିବ ହେଲେ ସେ ଧାନ ବିଲର ଖୁସି କେବେ ନୁହେଁ ।

ସାମ୍ନାରେ କେତେଟା ଶିମ୍ବ କଲରା ଭଳି ଲତା ଗଛ ଗୁଡାର ଅଗ ଗୁଡା ଖାଲି ଦୋହଲା ପବନରେ ହସି ଦେଉଥାନ୍ତି, ହେଲେ ତାଙ୍କର ବି ଅଣ୍ଟା ଯାଏଁ ପାଣି। ବାକି କେତେ କଖାରୁ ଗଛ କେତେ ବାଇଗଣ ବୁଦା, ସବୁ ସେଇ ପାଣି ତଳେ ଜଳ ସମାଧିରେ। ସେ ପାଣିରେ ବଞ୍ଚିଛି ତ କେବଳ ଦଳ, ପୁଳା ପୁଳା ଦଳ। ସେ ବିଲର ଜଗୁଆଳି, ବିଚରା ପାଳଭୂତଟା ଦିହର ଗୋଟାଏ ତମ୍ପ ସାପଟା ଗୁଡେଇ ହେଇ ଖରା ଖାଉଛି। ଯେଉଁ ଜମିଟାରେ ଦିନେ ବାଲ୍ଟିଏ ପାଣି କୋଷେ ଦୂରରୁ ବୁହା ହଉଥିଲା ସେଇଟା ଆଜି ନଳିତା ଚାଷ ପାଇଁ ପୁରା ପ୍ରଯୁଜ୍ୟ। ଯୋଉ କିଆରୀ ଚାଳିଆଟାରେ ସୋଇ ତରଭୁଜ ଜଗା ହୁଏ ତା ମଥାନ ଉପରେ ଆଜି ମାଗୁର ମାଛ ଲାଞ୍ଜ ବାଡେଇ ଯାଉଛି। ଓଃ!! କି ବିଭତ୍ସ। ଏଠି ପ୍ରକୃତି କେମିତି ନିଜକୁ ଏମିତି ହତ୍ୟା କରିପାରେ…….!!

ସାମ୍ନାରେ ଦିଟା ବୁଢା ଲୋକ ବସିଥାନ୍ତି ମିଶ୍ରବାବୁଙ୍କର। ସେଇଠି ମିଶ୍ରବାବୁ ଗାଡି ନେଇ ରଖିଲେ। ପ୍ଲାଷ୍ଟିକ ପାଲ ଉପରେ ଗଡୁଥାଏ ଦୁଇଟି କଖାରୁ। କଖାରୁର ଗୋଟିଏ ପଟେ ଲାଗିଥାଏ ହାଲ୍କା ପଙ୍କ । ସେଇ ପଟଟି ଟିକେ ପଚିଲା ପଚିଲା ଜଣା ପଡୁଥାଏ। କଣ ହେଲା କେଜାଣି ମିଶ୍ର ବାବୁ ପଚାରିଲେ, “ମଉସା କେତେ ଟଙ୍କା?” ମଉସା ଜଣଙ୍କ ଉତ୍ତର ଦେଲେ, “ବାବୁ ପଚି ଆସିଲାଣି। ମିଛ କାଇଁ କହିବି। ଯାହା ଦଉଚ ଦିଅ। ” (ଘରେ ପାଣି, ତଥାପି ଆଖିରେ ସଚ୍ଚୋଟତା। )

ମିଶ୍ରବାବୁ: ୨ ଟା ନଉଚି ୨୦ ଟଙ୍କା ଦେବି।
ମଉସା: ୨୦ ଟଙ୍କା!! ଦିଟା ଭଲ ଥିଲେ ୧୦୦ ଟଙ୍କା ହେଇଥାନ୍ତା, ୮ କିଲ ହବ. ହଉ ବାବୁ, ଯାହା ଦଉଛ ଦିଅ।

ମିଶ୍ରବାବୁ ନୋଟଟା ହାତକୁ ବଢ଼େଇ ଗାଡି ପାଖକୁ ଫେରି ଆସୁଥାନ୍ତି। ମଉସାଙ୍କ ଆଖିକୁ ଠିକରେ ଦେଖା ବି ଯାଉନଥାଏ। ଆଖି ପାଖକୁ ନେଇ କଣ ଦେଖିଲେ କେଜାଣି, ପକେଟ ଆଡକୁ ନଉଥାନ୍ତି। ପାଖରେ ଥିବା ଆର ମଉସା ଜଣଙ୍କ କହୁଥାନ୍ତି, “ଏଇଟା ବା ୨୦୦ ଟଙ୍କିଆଟା”

ଆଉ ଏପଟେ ମୁରୁକି ମୁରୁକି ହସି ମିଶ୍ର ବାବୁ ଗାଡିଟା ଷ୍ଟାର୍ଟ କରୁଥାନ୍ତି।

ଏଇ ତ ଜୀବନ, କିଛି ଦୁଃଖରେ ଟିକେ ଖୁସି ଫେଣ୍ଟିଦେଲେ ତ ତିଆରି ହୁଏ ଘାଣ୍ଟ । ବନ୍ୟା ପାଣିରେ ଯେତେବେଳେ କିଏ ବିଲ ମଝିରୁ ବାଳିଆ ଗୋଟାଏ ଧରି ପକାଏ ହୁଏତ ସେଇ ମୁହୂର୍ତ୍ତରେ ଧାନ ନଷ୍ଟ ହେବାଠୁ ବାଳିଆ ଧରିବାର ଖୁସି ବେସି ଜଣା ପଡେ। ହୁଏତ କିଛି ମୁହୂର୍ତ୍ତ ପାଇଁ…. ଯେମିତି କି ଏଇ ଘାଣ୍ଟ, ବାସ ଗୋଟିଏ ଦିନ ପାଇଁ। ହେଲେ ଏଇ ଜୀବନ ଘାଣ୍ଟରେ ଯେତେ ଘାଣ୍ଟିହୁଅ, କେତେବେଳେ ଏଇ ଜୀବନଟା ସାରୁ ପାଟିରେ ବାଜି ଥୁ ଥୁ କଲେ , କେତେବେଳେ ପୁଣି ମାଟି ଆଳୁ ଦାନ୍ତରେ ଚୋବେଇ ଭିତରକୁ ଢ଼ୋକିନେବ!!

(ହାଣ୍ଡିଭଙ୍ଗା, ଅସୁରେଶ୍ୱର, କଟକ)

Comments are closed.