Latest Odisha News

କବିତା : କାହାଣୀ ନୁହେଁ

ଅଚ୍ୟୁତାନନ୍ଦ ପତି

ଗୋହିରୀ ସେ ମୁଣ୍ଡ ଢେଉ ଢେଉକିଆ
ଶାଗୁଆ ପାହାଡ଼ ସେ ପଟେ
ହୋରି ମଉଛବେ ମନଇଚ୍ଛା ନାଚି
ନାଳିଆ ସୁରୁଜ ଲପଟେ।।

ମାଳି ମାଳି ବସା ବାହୁଢ଼ା ଚଢ଼େଇ
ଡେଣା ଢାଳି ଢାଳି ଆକାଶେ
ଶାମଳ କପାଳେ ଟିପି ଟିପି ପାଟି
ଗୋରଚନା ଚିତା ବିକାଶେ।।

ଦିହେ ଯଉବନ ଭୋଅର ପହର
କାଖେ ହଲେ ଖାଲି କଳସୀ
ଓଠକଡ଼ୁ ଝଡ଼େ ଆଡ଼ ଆଡ଼ ହସ
ସରୁ ଆଶକତ ଅଳସୀ।।

ନଉଲି ବୟସୀ ସାଇ ସୁକୁମାରୀ
କିଶୋରୀ ପାଣିକି ବାହାର
ବେଳ ବହକିଲା ସାଙ୍ଗ ସାରିସାଙ୍କୁ
ଡାକି-ହାକି ଯିଏ ଯାହାର।

ବତାସିଆ ବାଆ କା ଛାତି ପଣତ
ଟାଣି ବାଦ ସାଧେ ଜିଦିଆ,
ଭୋଦେଇ ବଉଦ ଫାଟୁ ଚହଟେକି
ଚାନ୍ଦିଛିଆ ଚାନ୍ଦ ଉଦିଆ।।

 

( ବି. ଦ୍ର : ଅଚ୍ୟୁତାନନ୍ଦ ପତିଙ୍କ ପ୍ରଥମ କବିତା ସଙ୍କଳନ ‘କାହାଣୀ ନୁହେଁ’ରୁ ଉଦ୍ଧୃତ )

 

Comments are closed.