ଅର୍ଚ୍ଚନା ଦେଓ
ତୁମେ ଯେବେ ଆସ କିଛି ଅକୁହା ଯନ୍ତ୍ରଣାକୁ
ତୋଳି ଆଣି କୁହ ନିଅ
ତୁମ ପାଇଁ ଛୋଟିଆ ଉପହାର
ମୁଁ ବି ତାକୁ ଦେଖି ନ ଦେଖିଲା ପରି
ଗ୍ରହଣ କରି ନିଏ ମୋ ଅଧା ଆୟୁଷରେ।
ମୁଁ କୁହେ ଶୁଣ, ଆଜି ଟିକେ ସମୟ ପାଇଁ ଅଟକି ଯାଅ
ଏତେ ଦିନ ହେଲା ମନ ଖୋଲି କଥା ହୋଇ ନାହିଁ
ରହିଛି ଆମ ଭିତରେ କେତେ ଯେ ଅକୁହା କଥା
ତୁମେ କାମର ବାହାନା ଖୋଜ
ଏତେ ଗୁଡ଼ିଆ କାମ କରିବାକୁ ପଡ଼େ ଯେ
ସମୟ ନାହିଁ ଗପିବା ପାଇଁ।
ମୁଁ ଅଭିମାନରେ ମନ ମାରି ବସେ
କୌଣସି ପ୍ରଶ୍ନ ପଚାରିବା ମୋର ପୃଥିବୀ ବାହାରେ
ଆଜି କାଲି ଲାଗ କାଇଁ ଭାରି ଅଲଗା
ଯେପରି ତୁମେ ଏଠାକାର ନୁହଁ
ନୁହେଁ ତୁମେ ସେଇ ମଣିଷର ପ୍ରତିମୂର୍ତ୍ତି
ଯାହାକୁ ଜାଣେ ମୋ ଆତ୍ମାର ବନ୍ଧନ।
Comments are closed.