Latest Odisha News

BREAKING NEWS

କବିତା : ଅଣସରର ଅନ୍ଧାର

ବଳରାମ ପୂଜାରୀ

ଦେହରୁ ଓହ୍ଲାଇଯାଉଥିଲେ ସବୁତକ ଛାଇ
କାଳେ କିଏ ଦେଖିନେବ ?
ଛାଇଗୁଡା ସବୁ ନିଜର ନ ଥିଲେ ,
କିଛି କିଛି ଅର୍ଜିତ ,କିଛି ଏଇମିତି
କୋଉକାଳୁ ବସାବାନ୍ଧିଥିବା
ସୁଖବାସୀ ,ଭୂମୀହୀନ ଛାଇ ?

କିଛି ତ କୋରି କୋରି ସଫା କରୁଥିଲେ
ସବୁତକ ମୋ ସହ ସମ୍ପର୍କର ଚିହ୍ନବର୍ଣ୍ଣ ?
ମୋ ଦେହ ମାପର ମୁଠାଏ ଆୟୁଷ,
ଅର୍ଜିତ ପାପକୁ ଛାଡି ?
ବାକି ସମସ୍ତେ ବାଛି ନେଉଥିଲେ
ନିଜ ନିଜ ଅଣଲେଉଟା ,ଅଫେରନ୍ତା ଆସ୍ଥାନ ?

ମୋତେ ,ଉଜୁଡା କ୍ଷେତର ପାଳଭୂତ କରି
ଚାରିଆଡେ ବୁଲୁଥିଲେ ପଲ ପଲ ଅନ୍ଧାର ?
ଆଲୁଅରେ ଧୋଇଧାଇ ,ଶବ ପାଲଟୁଥିଲେ
ଯନ୍ତ୍ରଣା ଜର୍ଜରିତ ଅଳନ୍ଧୁ ଲେସା ପାପ ?
ନିଜ ଶବକୁ କାନ୍ଧରେ ବୋହି ,
ଛାଇ ଅନ୍ଧାରରେ ଖୋଳି ଚାଲୁଥିଲେ
ନିଜ ନିଜ ମାପର ସମାଧି ,
ମୋତେ ମିଳିଥିଲା ଦାୟିତ୍ବ ?
ଲେଖିବାକୁ ! ମୋ ଭୋକିଲା
ଦୁଃଖମାନଙ୍କ ଓଦା ଓଦା ଆତ୍ମ ଇତିହାସ ?

ଦୀର୍ଘଶ୍ୱାସ ଛାଡୁଥିଲା ,ମୋ ଆବୁଡା ଖାବୁଡା ଛାଇ
ଛାଇ ବିନା, ଶରୀରର ସଂଜ୍ଞା କଣ ଯେ ?
ଛାଡି ଯିବା ପୂର୍ବରୁ ଶୁଣାଇ ଯାଅ
ହେ , ଅଣସରର ଅନ୍ଧାର ?
ମୋ ତମାମ ଆୟୁଷ ମାନଙ୍କ ଦୋଷ ?
ହାତଛାଡୁଥିବାର ଅସଲ ରହସ୍ୟ ?
ସମସ୍ତ ବିଶ୍ବାସ ମାନଙ୍କୁ ଅବିଶ୍ବାସ ଦୃଷ୍ଟିରେ
ଦେଖି ଦେଖି, ସତ ବି ପାଲଟିଯାଇଥିଲା
ମିଛ ମରିଚିକାର ଛାଇ ଛାଇକା ଛଦ୍ମଦେହୀ ?

ଆଲୁଅ ଅଗ୍ନିରେ ଦଗ୍ଧ ହେବା ପୂର୍ବରୁ
ମୋ ମସ୍ତିସ୍କରୁ କାଢିନିଅ ,
ତୁମ ପ୍ରତି ଥିବା ଅସରାଏ ଅସୁୟା ?
କ୍ଷୟ ହୋଇଯାଉ, ନିର୍ବାଣ ପାଇଁ ସଞ୍ଚିତ
ମୋ ; ସବୁତକ ବୌଦ୍ଧିତ୍ୱ ?
ଲେଉଟାଇ ନିଅ,ତୁମ ମୋହଗ୍ରସ୍ତ ତଥାସ୍ତୁ ?
ମୋ ଆୟୁଷ ; ପାଲଟି ଯାଉ ?
ଅମୁହାଁ ଦେହ ଦେଉଳର ଭସ୍ମୀଭୂତ
ଭଗ୍ନାବଶେଷ ?
ଛାଇଛୁଉଁ ନଥିବା ନୂଆଁଣିଆ ନାଟମଣ୍ଡପର
ମୋହଗ୍ରସ୍ତ ମୂଖଶାଳା ।

Comments are closed.