ବାସନ୍ତୀ ଲତା ଜେନା
ମାଟିରେ ଜନମ ମାଟିରେ ମରଣ
ମାଟି ମୋର ପୂଣ୍ୟ ଭୂମି
ଏମାଟି ଚନ୍ଦନ ଶୀତଳ ପବନ
କରେ ମୁଁ ତାକୁ ନମାମି ।
ମାଟି ନୁହେଁ ସେତ ମାଆଟି ଆମର
ସହେ ଅଳି ଅରଦଳୀ
ସର୍ବଂସହା ଦେବୀ ଧରିତ୍ରୀ ଜନନୀ
ମମତା ଦେଉଛି ବୋଳି ।
ଏମାଟି କୋଳରେ ଜନମ ନେଇଛି
ଖେଳିଛି ତା କୋଳେ ହସି
ରାଗରେ କେତେ ମୁଁ ଗୋଡ଼ କଚାଡିଛି
ଦିନେ ନ ଯାଇଛି ଋଷି ।
ଜନ୍ମ ଭୂମି ଆମ କର୍ମ ଭୂମି ଆମ
ଆମେ ତା ଟିକି ସନ୍ତାନ
ଖାଦ୍ୟ ଜଳ ଦେଇ ଜୀବନ ବଞ୍ଚାଏ
ନ କରେ ସେ ଅଭିମାନ ।
ନର ପଶୁ ପକ୍ଷୀ କୀଟ ତରୁଲତା
ସଭିଙ୍କୁ ଆହାର ଦିଏ
ବନ ଉପବନେ ଫୁଲ ଫଳ ଭରା
ସବୁଜ ଶୋଭା ବଢାଏ ।
ରତ୍ନଗର୍ଭା ମାଟି ବିଭବ ସଂପୂର୍ଣ୍ଣା
ସାଇତିଛି ମଣି ମୁକ୍ତା
ସାଗର ଯାହାର ଚରଣ ଧୂଉଛି
ଇତିହାସ ଗାଏ ଗାଥା ।
ମାଟିର ମହକ ଭିଜା ଭିଜା ବାସ୍ନା
ସଭିଙ୍କୁ କରେ ବିଭୋର
ମାଟି ଅଛି ବୋଲି ଆମେତ ଜିଉଁଛୁ
ଏହି ଶୋଭାଗ୍ୟ ଆମର ।
ମାଟିରେ କୃଷକ ଶସ୍ୟ ଉପୁଯାଏ
ଢାଳି ଲହୁ ଲୁହ ଧାର
ସାରା ଜଗତକୁ ଆହାର ଯୋଗାଏ
ନାହିଁ ତାର ପଟାନ୍ତର ।
ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ କାମ
ମାଟିରେ ଯେ କରି ଥାନ୍ତି
ହାଣ୍ଡି ଗଢି ଥାନ୍ତି ମୂର୍ତ୍ତି ଗଢି ଥାନ୍ତି
କୂପ ଖନନ କରନ୍ତି l
ଦିନେ କହି ନାହିଁ କଷ୍ଟ ହୁଏ ମାଟି
ସବୁ ସହେ ନୀରବରେ
ଶକ୍ତିମୟୀ ସିଏ ପ୍ରୀତି ମନ୍ଦାକିନୀ
ସରଗୁ ପିୟୁଷ ଝରେ ।
ମାଟିର ସୁରକ୍ଷା ଆମେ ଯେ କରିବା
ଆମେ ତା ଯୋଗ୍ୟ ସନ୍ତାନ
ତା ଚରଣ ଧୂଳି ମସ୍ତକରେ ବୋଳି
ହୋଇବା ଯେ ଭାଗ୍ୟବାନ ।
ନବରଙ୍ଗପୁର