ପ୍ରିୟମ୍ବଦା ସାମଲ
ପ୍ରତ୍ୟୁଷର ଆଗମନ ପୂର୍ବରୁ
ରାତ୍ରିର ନିସ୍ତବ୍ଧ ପ୍ରହର ଯାଏଁ
ଝରଣା ପରି ପ୍ରବାହମାନ
କାର୍ଯ୍ୟରତ ଦାୟିତ୍ଵର ନିବିଡ଼ ବନ୍ଧନେ
ଅବସନ୍ନ କ୍ଳାନ୍ତ ଜରାଜୀର୍ଣ୍ଣ ତନୁ ମନରେ
ଏତେ ମହକ ଆସେ କିପରି
ହସୁଥାଏ ରସୁଥାଏ ମୋହୁଥାଏ
ତାର ପରିପାର୍ଶ୍ୱକୁ
ଆଖ ପାଖର ଜନମନକୁ।
ନିଜ ପାଇଁ ସମୟ ନାହିଁ
ସବୁରି ପାଇଁ ତ ତା’ର ସୃଷ୍ଟି
ତା’ ଉପରେ ସବୁରି ଦୃଷ୍ଟି
ପିଲାଙ୍କ ଯତ୍ନ ଆଦର ତାର ପାରିବାରପଣ
ସ୍ବାମୀଙ୍କ ସର୍ବସୁଖ ମନାସ ତାର ସୌଭାଗ୍ୟ
ପରିବାରର ସବୁରି ସେବା ତାର ଧର୍ମ
କାର୍ଯ୍ୟାଳୟର ଦାୟିତ୍ଵ ତାର କର୍ମ
ସେ ଏସବୁକୁ ଏଡାଇ ଦେଇ ପାରେକି ?
ଲୋକେ ବୋଲିବେ କଣ?
ଅପାରଗ ଅଳସୁଆ
ଦାୟିତ୍ବହୀନା ଆଖ୍ୟା ଦେବେ
ମନରେ ନିଆଁ ଲଗାଇ ଦେବେ
କେହି କେହି ଘୃତ ବି ଢାଳିବେ
ହେଲେ କେହି କେବେ ପଚାରିବେନି
ତା’ର ଇଚ୍ଛା ଅନିଚ୍ଛା ସୁଖ ଶାନ୍ତି
ଆରମକୁ, କେବେ ବି ନୁହେଁ।
ସବୁ କରୁଥା ନିନ୍ଦା ଅପବାଦ
ଅପମାନ ଶୁଣୁଥା ନିଜର ପ୍ରାପ୍ୟ ଯେପରି।
ସୃଷ୍ଟିର ଆରମ୍ଭରୁ
ସୀତା ଦ୍ରୌପଦୀ କୁନ୍ତୀ ରାଧା ଗାନ୍ଧାରୀଙ୍କ
ତ୍ୟାଗ ବଳିଦାନ ଗୁଣର
ଚର୍ଚ୍ଚା ଅପେକ୍ଷା ଅଧିକ ଆଲୋଚନା
ବିରୋଧାଭାଷ ଅଳଙ୍କାରର
ଅନ୍ୟକୁ ଖୁସି କରିବା ତାର କର୍ତ୍ତବ୍ୟ
ସବୁରି କଥା ଶୁଣିବା ପରମ ସୌଭାଗ୍ୟ
ନିନ୍ଦା ଅପମାନ ଅପବାଦ ତାର ଅଳଙ୍କାର
କହିବା ଲୋକର ମୁହଁ ଖୋଲା
କାହାର ମୁହଁରେ ହାତ ରଖି ବନ୍ଦ ତ
କରି ହେବନି ତାର କଟୁତାକୁ
ଏ ଦୁନିଆ ସେପରି
ଯେତେ ସହୁଥିବୁ ସେତେ ଶୁଣୁଥିବୁ
ମୁହଁ ଖୋଲିଲେ ପ୍ରଳୟ ।
ତେଣୁ ଶୁଣୁଥା ସହିଯା ହସୁଥା
ଈଶ୍ଵରଦତ୍ତ ମହାର୍ଘ୍ୟ ନାରୀ ଜୀବନକୁ
ନେଇ ଜୀବନ ଅଙ୍କ କଷୁଥା
ଗୁଣୁଗୁଣେଇ ଗାଉଥା ଜୀବନର ସ୍ୱର
କଲମରେ ଲେଖୁଥା ଅଭିମାନିନୀ
ମନର ଭାବକୁ ଭାଷା ଦେଇ ରଙ୍ଗୀନ କରି
ହସି ହସି ଆଗେଇ ଚାଲୁଥା
ଅସ୍ତ ବ୍ୟସ୍ତ ଜୀବନ
ଅସ୍ତ ହେବା ଯାଏଁ
ନିଃଶ୍ୱାସ ଚାଲିବା ଯାଏଁ
ମାଟିରେ ମିଶିବା ଯାଏଁ।
ଛତିଶଗଡ଼/ନନ୍ଦନ ବିହାର,ଭୁବନେଶ୍ୱର
Comments are closed.