ରବି ପଣ୍ଡା
ଏକ ଅଲିଖିତ ଘୋଷଣାନାମାରେ
ଦସ୍ତଖତ କରିସାରିଛି କେଉଁ ଦିନରୁ
ମା’ଠାରୁ ମାଟିକୁ ଛୁଇଁବାଠାରୁ ମୋ ସତ୍ତା
ଚୁକ୍ତି କରି ଦେଇଛି , ହାତକାଟି ଜନ୍ମ କୁଣ୍ଡଳୀରୁ।
ମୁଁ ଚାଲିବି, ଚାଲୁଥିବି ସୂର୍ୟ୍ଯାସ୍ତର ରଙ୍ଗ ସବୁ
ଲିଭି ଯିବା ପୂର୍ବ ପର୍ଯ୍ୟନ୍ତ /ମୋ ପ୍ରୁଥିବୀର
ଦିଗ୍ ବଳୟରୁ।
ସେଇଥିପାଇଁ ତ ମୋ ମୁଣ୍ଡ ଉପରେ ଡହକୁଥିବା
ଆକାଶ, ପାଦତଳେ ଧସକି ପଡୁଥିବା ମାଟିକୁ
ଜବତ୍ କରି ଥାପିଦେଇଚି ପାଦ
ଦୁଃସାହସର ଆଙ୍ଗୁଳି ଦେଖାଇ ଦେଇଛି ଭାରଭାର
ବୋଝର ଆକାଶକୁ।
ମୁଁ ଜାଣେନା ମୋତେ କିଏ ଶିଖେଇଛି
ଯୁଦ୍ଧ ମନ୍ତ୍ର କିଏ ବତେଇ ଦେଇଛି
ଚକ୍ରବ୍ୟୁହ ଭେଦ କରିବାର କୌଶଳ
ଖାଲି ଏତିକି ଜାଣେ ସଂଘର୍ଷ ହିଁ
ମୋ ଭାଗ୍ଯର ନିହିତ ଲକ୍ଷଣ।
ତେଣୁ ତ ରୋଗ, ଶୋକ, ଦୁଖ, ଦୈନ୍ଯ
ବିଡ଼ମ୍ବିତ ସ୍ୱପ୍ନମାନେ ମୋପାଇଁ ଗଜରାମାଳ
ଅଙ୍ଗ ଆଭୂଷଣ।
ସବୁ ବିମର୍ଷ ଭାଗ୍ଯକୁ ଆପଣେଇ ନେଲାପରେ
ଯନ୍ତ୍ରଣାକୁ କବଚକୁଣ୍ଡଳ କରି ଝୁଲେଇ
ସାରିଲାପରେ ଦେହରେ/ଲୁହକୁ ଶୋଷର ଆଶ୍ରା
କରିଦେଇ ଓଠର ଅଙ୍ଗୀକାର କରିନିଏ
ସବୁ ମୋର ଦୁର୍ଭାଗ୍ଯ ଓ ନି ପାରିଲା ପଣ।
ତଥାପି ଲଢିବାକୁ ହବ ବୋଲି ଲଢୁଛି
ଓ ଲଢିବାର ଆନନ୍ଦରେ ରକ୍ତାକ୍ତ ହେଉଛି।
ଜାଣିଛି , ଜିତିବାକୁ ହେଲେ
ଚିତା କାଟିବାକୁ ହୁଏ ରକ୍ତର
ହାରିଗଲେ ସନ୍ଧି କରିବାକୁ ହୁଏ
ତମାମ୍ ଜୀବନ ଅସମର୍ଥ ପରାଜୟର।
ତେଣୁ ତ ଠିଆ ହେଇଚି ମଝିରେ
ସବୁ ସ୍ପର୍ଦ୍ଧା ଓ ଆସ୍ଫାଳନକୁ ପୁଞ୍ଜିକରି ଯୁଝୁଛି
ଜୀବନର ଗୋଲେଇ ଛକରେ।।
Comments are closed.