Latest Odisha News

BREAKING NEWS

କବିତା : କିଛି କୁହୁଡ଼ି,କିଛି କାକର ଆଉ ଡିସେମ୍ବର

ସୁଜାତା ମିଶ୍ର

ଡିସେମ୍ବର ଆସିଲେ
ଘାସ ଗାଲିଚାରେ
କାକର ଖୋଲେ କାଚ ଆଖି..,
କୁହୁଡ଼ିର ଝୀନ ଓଢଣୀ ତଳୁ
ଝାପ୍ସା ଦିଶେ ପ୍ରକୃତିର ତନୁ..,
ଆହା କେଡ଼େ ମନଲାଖି..!
ପାଚିଲା ଧାନ ରଙ୍ଗର ପାଟ ଶାଢ଼ୀ
ପିନ୍ଧି ହସୁଥାଏ ପଲ୍ଲୀ କ୍ଷେତ..,
ମୁଣ୍ଡ ଝାଳ ରକ୍ତ ହୋଇ ବହି ଥାଏ
ଯେତେ ଏଇ ମାଟିର ବାସ୍ନାରେ..
ପାଳଭୂତ ଅଟେ ତାର ସାକ୍ଷୀ!

ଡିସେମ୍ବର ଆସିଲେ ସାଥେ ନେଇ
ଆସେ ମହ ମହ
ଧୂପ ଦୀପ ଝୁଣା ଧୁଆଁ..
ମାଟି ଅଗଣା ହସି ଉଠେ
ପାଇ ଲିପାପୋଛା
ପଲ୍ଲୀ ବଧୂର କୋମଳ ହାତର ଛୁଆଁ..,
କୁନି କୁନି ଲକ୍ଷ୍ମୀ ପାଦେ
ପଦ୍ମ ଫୁଲ ପାଖୁଡ଼ାରେ ପାଦ ଥାପି
ସୁନେଲୀ ଧାନ କେଣ୍ଡାରେ..
ଭରା ମାଣରେ.. ବିଜେ କରନ୍ତି ସିନ୍ଧୁସୁତା ବିଷ୍ଣୁପ୍ରିୟା କମଳିନୀ ମାତା..,
ଘରେ ଘରେ ପିଠା ପଣା
ଭୋଗରାଗ
ଲକ୍ଷ୍ମୀ ପୁରାଣର ଗାଥା..!
ଏଣ୍ଡୁରୀ ପିଠାର ହଳଦୀ ପତ୍ରିଆ
ମହକ ନେଇ ଆସେ
ନରମ ଖରା,
ଧୂନି ଜାଳି ନିଆଁ ପୋଉଁ ଥାଏ
ଜେଜି ମା ସାଥିରେ ମକରା

ପୁଣି ଆସେ ସାନ୍ତା କ୍ଲଜ୍
ସ୍ଲେଜ୍ ଚଢ଼ି ବଲ୍ଗା ହରିଣର ସାଥେ
ଥଳୀ ଭରା ଉପହାର ନେଇ, ଗୀର୍ଜା ଘରେ ବାଜେ ଘଣ୍ଟା..
ଶୋଭା ପାଏ
ବଡ଼ ଦିନ ତାରା!
ଡିସେମ୍ବର ଆସିଲେ
ଗାଆଁ ମୁଣ୍ଡେ ଝଟକେ
ସୋରିଷ କ୍ଷେତର ସୁନା ଛାଉଣୀ..,
ଶୀତୁଆ ଅପରାହ୍ନେ
ଛାଇ ଛାଇକା ଖରାର
ପୁଲକ ଝରେ..
ଫୁଲର ଉପତ୍ୟକା ସାଜେ
ପାହାଡୀ ସହର..,
କାକରବୋଳା
ଆଖିପତା ତଳୁ
ରଙ୍ଗଭିଜା ପାଖୁଡ଼ା
ମେଲାଏ ବଗିଚା..
ଫ୍ଲକ୍ସ ଆଉ ଆଷ୍ଟର୍,
ପିଟୁନିଆ, ପ୍ୟାନ୍ସି, ଜେରାନିଆମ୍
ଫୁଲରେ ଫୁଲରେ..,
ମହୁମାଛିର ଗୁଞ୍ଜନ ଆଣେ
ଖୁସି ଭରା ଶିହରଣ,
ହୃଦୟରେ ଆଙ୍କି ହୋଇ ଯାଏ ଶୀତୁଆ ଲଗନର
ମିଠା ସମ୍ମୋହନ..!

କସ୍ମୋପଲିସ
ଭୁବନେଶ୍ୱର

Leave A Reply

Your email address will not be published.