ସୁଜାତା ମିଶ୍ର
ଚେନାଏ ଆକାଶ ଛୁଇଁ
ଚହଟି ଯାଏ ଚହଲା ବାଦଲ,
ଆସିବ, ଲାଗୁଛି ..
ତୃଷାର୍ତ୍ତ ମାଟି ଦେହରେ
ସବୁଜିମା ଢାଙ୍କିବାର ବେଳ,
ରଜ ଆସେ ମହ ମହ
ଖୁସି ନେଇ..
ରଜ ଦୋଳିରେ ଝୁଲେ
ପଲ୍ଲୀବାଳା ..
ମାଟିର ମଣିଷ
ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ..
ପୁଣି ମାଟିକୁ ଫେରି ଆସେ
ଧୀରେ..!
ରଜ ଆସିଗଲେ
ପଲ୍ଲୀ ଗାଁ ଦିଶେ ମଧୁର..
କୋମଳ..
ଉତ୍ସବମୁଖର,
ପୋଡ଼ପିଠା, ପୂରକାକରା,
ଛୁଞ୍ଚି ପତ୍ରର ବାସ୍ନାରେ
ମହକି ଯାଏ ହାଣ୍ଡିଶାଳ..!
ନିଦାଘର ଝାଞ୍ଜି ଆଉ
ଗୁଳୁଗୁଳି ଭିତରେ
ବୟସୀ କୃଷ୍ଣଚୁଡ଼ା ହସେ ,
ଡହ ଡହ ଖରା ମାଖି
ଲଣ୍ଠନ ଫୁଲ ଜଳୁଥାଏ
ପ୍ରଚଣ୍ଡ ସୂର୍ଯ୍ୟାଗ୍ନି ପରଶେ..!
ମୌସୁମୀର ପହିଲି ବାରତା
ମିଳେ ରଜର ଏ ପାର୍ବଣ ଲଗନେ,
ରଜସ୍ଵଳା ହୁଏ ମାଟି..
ବିଶ୍ରାମର ବେଳ ଏ ଯେ..
କଟା,ବଟା,କୃଷି କାମ
ସବୁ ବନ୍ଦ
ରଜ ତିନି ଦିନେ..!
ସ୍ନାନ ସାରି
ପଲ୍ଲୀର କିଶୋରୀ
ନୂଆ ଜାମା,
ଚୁଡ଼ି,ଟିକିଲି,କଜଳ,
ଅଳତାରେ ହୁଏ ସଜବାଜ,
ଗାଆଁ ଦାଣ୍ଡ ଉଛୁଳାଇ
ରୁମୁ ଝୁମୁ ପାଉଁଜି ଶବଦେ..
ଦୋଳି ଖେଳେ
ପଣତ ଉଡ଼େଇ..
ବରଷକେ ଥରେ ଯେ
ଆସିଚି ଏଇ ରଜର
ମଉଜ..!
ନାନାବିଧ ରଜ ପିଠା,
ଆରିସା,କାକରା,ମଣ୍ଡା,
ନୂଆ ଲୁଗା,ଫଳର ଭାର,
ନେଇ ଯିବାକୁ ହେବ
ଦୂର ଗାଆଁ ଝିଅ ଶାଶୁ ଘର..
ଅଳପ ଧନ ବିକଳ ମନ ବାପାର ମଥାରେ ତାର..
ଚିନ୍ତାର ଗାର..!
ଆଜି ନାହିଁ ଚାଷ କାମ..
ଘରେ ଘରେ ପିଠା ପଣା,
କୁଆଁରୀ କଣ୍ଠରେ ଶୁଭେ
ରଜ ଦୋଳି ଗୀତ,
ଦୋଳି କରେ କଟ କଟ,
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ..!
ଘରେ ଘରେ ଖୁସିର ଆସର,
ଅଗଣାରେ ପୁଚି,
ତାସ୍ ଆଉ କଉଡ଼ିର ଖେଳ,
ନାହିଁ ମସଲା ବଟା ,
ନାହିଁ ବି ପରିବା କଟା ..
ପ୍ରଜାପତି ପରି ଗ୍ରାମ ଲଳନାର ଦଳ ଘୂରୁ ଥାଏ
ଏ ସାହି,ସେ ସାହି..
ଭଙ୍ଗା ଯାଏ ଯତନରେ
ଖିଆହୁଏ..
ମିଠା
ରଜ ପାନ..,
ମାଟି ଛୁଇଁବାକୁ ମନା..
କଦଳୀ ପଟୁକା ପିନ୍ଧେ ଆସେ ଯେବେ
ଭୂଇଁ ଦଅଣ ..,
କ୍ଷେତରେ
ଭରା ଫସଲର କାମନାରେ
ପଲ୍ଲୀର ଗୃହିଣୀ
ଶିଳ ଶିଳପୁଆ ପୂଜେ..
କରି ବସୁମତୀ ସ୍ନାନ..!
ଏ ମାଟିର ସ୍ୱର ଗାଇ ଆସେ ଆମ
ଗଣପର୍ବ ଏହି ଆମ
ରଜର ଉତ୍ସବ,
ଏହି ଛୋଟ ଛୋଟ ଖୁସି,
ଏହି ଆପଣାର ପଣ,
ବାଗୁଡ଼ି ଖେଳର ମଜା,
ପଲ୍ଲୀ ଜନଜୀବନର
ଏକତାର ପ୍ରତୀକ ଯେ,
ଓଡ଼ିଆର ପରମ୍ପରା,
ଆଉ ଗଉରବ!
କସ୍ମୋପଲିସ
ଭୁବନେଶ୍ୱର
Comments are closed.