ସୁପ୍ରିୟା ପଣ୍ଡା
ଗୁଡ଼ାଏ ମାୟାଜାଲ ଭିତରେ
ଯେତେବେଳେ ଛନ୍ଦିହୁଏ
ତୁମେ ଖୁବ୍ ମନେପଡ଼ ସିଦ୍ଧାର୍ଥ
ଦୁଃଖ, ଯନ୍ତ୍ରଣା, କାମନା, ବାସନା
ସମସ୍ତେ ମିଶି ତୁମକୁ ଗୌତମ ଡାକିବା ପାଇଁ
ଯେମିତି ବାଧ୍ୟ କରିଦିଅନ୍ତି ।
ଥରେ ଗୌତମ ଉଚ୍ଚାରି ଦେଲେ
ଶାନ୍ତ ହୋଇଯାଏ
ସବୁତକ ଉଦବେଳନ
ହୃଦୟରୁ ଆତ୍ମା ଯାଏଁ ସଞ୍ଚରିଯାଏ
ତୁମ ଜୀବନ ଦର୍ଶନ
ପ୍ରବଳ ପ୍ରଶାନ୍ତି କୋଳରେ
ନିର୍ବାଣର ଆମନ୍ତ୍ରଣ।
ପୁଣି କାହିଁକି ଉଙ୍କିମାର ସିଦ୍ଧାର୍ଥ ?
କ୍ଷମତା, ପ୍ରତିପତ୍ତି, ସୁଖ,ସ୍ୱାଚ୍ଛନ୍ଦ୍ୟର
ନକ୍ସା ତିଆରି
ଛଟପଟ ହେବାର
ଲାଳସା ଭିତରେ ଛାଡ଼ିଦିଅ ।
ନିଜ ହାତରେ ବନ୍ଦ କରେଇଦିଅ
ମୁକ୍ତିର ବାଟ
କର୍ତ୍ତବ୍ୟର ଦ୍ୱାହିରେ
କାମନାର କୁଟିକମ ବେଡ଼ି ଜଡ଼େଇ
ଓହ୍ଲେଇ ନିଅ ତୁମ ବୁଦ୍ଧତ୍ଵ।
କ୍ଷଣେ ରହିଯାଅ ସିଦ୍ଧାର୍ଥ
ଢେର ହେଲା
ପ୍ରାପ୍ତି ଭିତରେ ଅପ୍ରାପ୍ତିର ଯନ୍ତ୍ରଣା
ବୁଦ୍ଧତ୍ଵ ନମିଳୁ,
କାମନା ବାସନାରେ ଜର୍ଜରିତ
ହୋଇଯାଉ ପ୍ରାଣ
କ୍ଷତ ବିକ୍ଷତ ହେଉ ଅସ୍ତିତ୍ବ
ମୁଁ ଅଜେୟ, ଅମର,
ତୁମେ ଦେଖିନିଅ ସିଦ୍ଧାର୍ଥ
ଗୌତମ ଉଚ୍ଚାରି ହୋଇଗଲେ
କୋଳାହଳ ସବୁ ଶୂନ୍ୟ
ଶବ୍ଦ ସବୁ ଧ୍ୱନିହୀନ
ନିଃଶବ୍ଦରୁ ନିର୍ବାଣ
ନିଃଶବ୍ଦରୁ ନିର୍ବାଣ।
Comments are closed.