Latest Odisha News

କବିତା : ତୁଠ ପଥର

ପ୍ରିୟମ୍ବଦା ସାମଲ 

ଗାଆଁ ମୁଣ୍ଡ ଶେଷ ପୋଖରୀ କୂଳରେ
କିଅବା ନଦୀ କୂଳରେ
ତୁଠ ପଥରଟି ପଡ଼ି ରହିଥାଏ
ନୀରବ ନିର୍ବିକାରରେ।

ରୁଣୁଝୁଣୁ ଧ୍ଵନି ପାଦର ନୂପୁର
ଯେତେବଳେ ଛୁଇଁ ଦିଏ
ଏକଲା ପଣରେ ଜିଇଁ ଉଠେ ସତେ
ମନ ତାର ଗୀତ ଗାଏ।

ସୁକୁମାରୀ ବାଳା ପାଦର ପରଶେ
ଲଭେ ସ୍ବର୍ଗ ସୁଖ ସେହି
ପାଦଟିକୁ ଘଷି ସଫା କରେ ଯେବେ
ଆନନ୍ଦରେ ଯାଏ ଶୋଇ।

ହଳଦୀ ଅଳତା ଧୋଇ ହୋଇ ଯେବେ
ତା ଶରୀର ଆଚ୍ଛାଦଇ
ପଥର ଦେହରେ ରଙ୍ଗ ଲାଗିଯାଏ
ଧୀରେ ସବୁଜ ଦିଶଇ।

ଗ୍ରାମ ବଧୂଗଣ ମଇଳା ଲୁଗାକୁ
ସଫା କରନ୍ତି ଆଦରେ
ନିଜର ପିଠିକୁ ଦେଖାଇ ଖୁସିରେ
ଲାଗେ ତାଙ୍କରି ସେବାରେ।

ଅଲୋଡା ଆଖୋଜା ଅଚିହ୍ନା ପରାୟ
ପାହାଡ କୋଳରେ ଥିଲା
ଗ୍ରୀଷ୍ମର ଅନଳ ଦାବ ଦହନରେ
ଜ୍ୱଳନରେ ଜଳୁଥିଲା।

ତୁଠ ପଥରଟି ହୋଇଗଲା ଯେବେ
କେତେ ପରଶ ପାଇଲା
କେତେ ଖୁସିଗପ କେତେ ହସକାନ୍ଦ
ନୂତନ ଜୀବନ ଦେଲା।

ବନ୍ଧୁର କର୍କଶ ଶରୀର ତାହାର
ହୋଇଲା କ୍ରମେ ଚିକ୍କଣ
ଲୋକଙ୍କ ସେବାରେ ଲାଗୁଥାଏ ସଦା
ଜୀବନ ତା ହେଲା ଧନ୍ୟ।

ଏ ଜୀବନ ତୁଠ ପଥର ପରାୟ
ସହଇ କେତେ କଷଣ
ନୀରବେ ନିମଗ୍ନେ ନିଜ କର୍ମ ପଥେ
ସଦା ରଖି ଥାଏ ମନ।

ଛତିଶଗଡ଼/ନନ୍ଦନ ବିହାର,ଭୁବନେଶ୍ୱର

Comments are closed.