Latest Odisha News

BREAKING NEWS

ବୟସର ଅର୍ଦ୍ଧଶତକରେ କ୍ରିକେଟର ମାଂଉଟ ଏଭେରେଷ୍ଟ ସଚିନ

ମୁମ୍ବାଇ: କ୍ରିକେଟର ଭଗବାନ, ରନ ମେସିନଠାରୁ ଆରମ୍ଭ କରି ଅନେକ ନାମରେ ସଚିନ ତେନ୍ଦୁଲକର ନାମିତ । ଭାରତ ପାଇଁ ସେ କ୍ରିକେଟର ଆଶୀର୍ବାଦ । ଖେଳୁଆଡ ମନୋଭାବର ସେ ଥିଲେ ଜ୍ୱଳନ୍ତ ଉଦାହରଣ । ଭାରତକୁ ଆଧୁନିକ କ୍ରିକେଟରେ ଭାରତକୁ ଆଗଧାଡିରେ ସାମିଲ କରାଇବାରେ ସଚିନଙ୍କ ଭୂମିକା ଅବର୍ଣ୍ଣନୀୟ । ମ୍ୟାଚ ଫିକ୍ସିଂ, ରାଜନୀତି ଏବଂ କ୍ରିକେଟ କଳଙ୍କ ସମୟରେ ସଚିନ କିନ୍ତୁ ଦୃଢ଼ ଭାବେ ଠିଆ ହୋଇ ରହିଥିଲେ । ଆଜି ତାଙ୍କ ବୟସର ଅର୍ଦ୍ଧଶତକ । ସମସ୍ତ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

୯୦ ଦଶକରେ ସଚିନଙ୍କ ପ୍ରତି ଭାରତୀୟ କ୍ରିକେଟପ୍ରେମୀଙ୍କ ଏତେ ବିଶ୍ୱାସ ଥିଲା ଯେ, ସଚିନ ଆଉଟ ତ ଟିଭି ବନ୍ଦ । ୨୪ ବର୍ଷ ଧରି ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ୩୪,୨୫୭ ରନ ସଂଗ୍ରହ କରି ସେ ଏବେ ବି ଶୀର୍ଷ ସ୍ଥାନରେ ରହିଛନ୍ତି । ୧୦୦ ଶତକ ହାସଲ କରିଥିବା ଏହି ମହାରଥୀଙ୍କ ଆଖପାଖରେ ବି କେହି ନାହାନ୍ତି । ସେ ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି । ବିରାଟ କୋହଲି ୩ଟି ଯାକ ଫର୍ମାଟରେ ୭୫ ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଦିନିକିଆରେ ୪୬୩ ମ୍ୟାଚ ଖେଳି ସେ ୧୮,୪୨୬ ରନ ସଂଗ୍ରହ କରିଛନ୍ତି । କୁମାର ସଙ୍ଗକାରା ୧୪,୨୩୪ ରନ ସହ ତାଙ୍କ ପଛକୁ ରହିଛନ୍ତି । ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଅପରାଜେୟ ବାଦଶାହ ସାଜିଛନ୍ତି । ୨୦୦ ମ୍ୟାଚରୁ ୧୫୯୨୧ ରନ (୫୧ ଶତକ, ୬୮ ଅର୍ଦ୍ଧଶତକ) କରିଥିବା ବେଳେ ରିକି ପଂଟି ୧୩୩୭୮ ରନ ସହ ଦ୍ୱିତୀୟରେ ରହିଛନ୍ତି । ଏହା ବ୍ୟତୀତ ଦିନିକିଆରେ ପ୍ରଥମ ଦ୍ୱିଶତକ, ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୨୦୫୮ ଚୌକା, ଦିନିକିଆ ବିଶ୍ୱକପରେ ୪୫ ମ୍ୟାଚରୁ ୨୨୭୮ ରନ କରି ଏବେ ବି ଆଗରେ ରହିଛନ୍ତି ।

ସଚିନଙ୍କୁ ଟିଭିରେ ଦେଖି ବୀରେନ୍ଦ୍ର ସେହ୍ୱାଗ, ଯୁବରାଗ ସିଂ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ଏବେ କ୍ରିକେଟ ଦୁନିଆରେ ରାଜ କରୁଛନ୍ତି । ଏଥିପାଇଁ ସଚିନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି । ୧୫ ନଭେମ୍ବର ୧୯୮୯ରେ ସେ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିଥିଲେ ଏବଂ ୧୬ ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । କ୍ୟାରିୟର ଶେଷ ହୋଇ ଆସୁଥିବା ସଚିନଙ୍କୁ ବିଶ୍ୱକପ ନ ଜିତିବା ଆଶା ଖାଉଥିଲା । ୨୦୧୧ରେ ଭାରତ ବିଶ୍ୱକପ ଜିତିଲା, ଆଉ ଏହା ଦେଇଥିଲା ସଚିନଙ୍କୁ କ୍ରିକେଟ ଜୀବନର ସବୁଠାରୁ ଆନନ୍ଦମୟ କ୍ଷଣ ।

Comments are closed.