Latest Odisha News

ନାଁ ନନେଇ କାହାକୁ ଟାର୍ଗେଟ କଲେ ସଚିନ ପାଇଲଟ?

ଜୟପୁର: ଶେଷ ହେବାକୁ ଯାଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା। ଏହାପରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଦଳ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତା ସଚିନ ପାଇଲଟ ନିଜ ଦଳର ସରକାରକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତାଙ୍କର ବିବାଦ କାହାକୁ ଅଛପା ନଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଘଟଣା କଥା କହି ପାଇଲଟ ଯେଉଁ ବୟାନ ଦେଇଛନ୍ତି ତାହା ଆଗାମୀ ଦିନରେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ବଢାଇପାରେ।

ପ୍ରଶ୍ନପତ୍ର ଲିକ୍ ଘଟଣା ସମ୍ପର୍କରେ କଂଗ୍ରେସ ନେତା ସଚିନ ପାଇଲଟ୍ ନିଜ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୋମବାର କହିଛନ୍ତି, “ପ୍ରଶ୍ନପତ୍ର ଲିକ୍ ବାରମ୍ବାର ହେଉଛି, ଏଥିପାଇଁ ଏକ ସମାଧାନର ରାସ୍ତା ଖୋଜି ବାହାର କରିବା ଉଚିତ୍। କିଛି ମାଷ୍ଟରମାଇଣ୍ଡ ନିଶ୍ଚିତ ରହିଛନ୍ତି। ଏହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଭବିଷ୍ୟତରେ ଯେପରି କୌଣସି ଏପରି ଆଉ ଭୁଲ କରିବେ ନାହିଁ। ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।”

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ‘ଛୋଟ ଦଲାଲ’କୁ ଧରିବା ପରିବର୍ତ୍ତେ ‘ମାଷ୍ଟରମାଇଣ୍ଡ’ ଧରାଯିବା ଉଚିତ। ପାଇଲଟ ସୋମବାର ପାର୍ବତସରଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେଉଁଥିରେ ବହୁ ସଂଖ୍ୟାରେ ଯୁବକ ଓ କୃଷକ ଉପସ୍ଥିତ ଥିଲେ।

ପାଇଲଟ କହିଛନ୍ତି, “ଆମେ ସମସ୍ତେ ଯୁବକଙ୍କ ଭବିଷ୍ୟତ ପାଇଁ ଚିନ୍ତିତ। ମୁଁ ସତ କହୁଛି ଯେ ଯେତେବେଳେ ମୁଁ ଖବରକାଗଜରେ ପଢେ, ଦେଖେ ଯେ ଆମ ରାଜ୍ୟରେ ବେଳେବେଳେ ପ୍ରଶ୍ନପତ୍ର ଲିକ୍ ହୁଏ, ବେଳେବେଳେ ପରୀକ୍ଷା ବାତିଲ ହୁଏ, ତା’ପରେ ମୋର ମନକୁ ଆଘାତ ଲାଗିଥାଏ”।

ଲକ୍ଷ ଲକ୍ଷ ଯୁବକଙ୍କ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ସଚିନ୍ ପାଇଲଟ୍ କହିଛନ୍ତି ଯେ ଯେତେବେଳେ ଗରୀବ ଯୁବକ ଗାଁରେ ପ୍ରସ୍ତୁତ ହୁଅନ୍ତି, ସେତେବେଳେ ତାଙ୍କ ପିତାମାତା ଏବଂ ତାଙ୍କ ପରିବାରକୁ ଅନେକ ଯନ୍ତ୍ରଣା ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ସେ କହିଛନ୍ତି ଯେ ପ୍ରତିକୂଳ ପରିସ୍ଥିତିରେ ଅଧ୍ୟୟନ କରି ଗାଁର ଯୁବକମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ଯେତେବେଳେ ଏଭଳି ଘଟଣା ସାମ୍ନାକୁ ଆସେ, ସେତେବେଳେ ପ୍ରକୃତରେ ହୃଦୟକୁ ଆଘାତ ଲାଗିଥାଏ।

କାହାର ନାମ ନନେଇ ପାଇଲଟ୍ କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଆଗାମୀ ଦିନରେ ଛୋଟ ଦଲାଲଙ୍କ ବଦଳରେ ଏପରି ଘଟଣା ଘଟିବାକୁ ଅନୁମତି ଦେଉଥିବା ମାଷ୍ଟରମାଇଣ୍ଡ ଧରାଯିବା ଉଚିତ। କଂଗ୍ରେସ ନେତା କହିଛନ୍ତି ଯେ ଯଦି ଏହି ଦେଶର ଯୁବକମାନେ ସେମାନଙ୍କର ପରିଶ୍ରମର ସଠିକ୍ ଫଳାଫଳ ନ ପାଆନ୍ତି, ତେବେ ସେମାନଙ୍କର ବିଶ୍ୱାସ କମିବ, ଯାହା ଆମ ସମାଜ, ରାଜ୍ୟ ତଥା ଆମ ଦେଶ ପାଇଁ ଭଲ ସଙ୍କେତ ହେବ ନାହିଁ।

Comments are closed.