ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ।
ତେବେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ବନାଇଥିବା ଖେଳାଳି ଅଟନ୍ତି। ଟେଷ୍ଟ ଓ ଏକଦିବସୀୟ ଫର୍ମାଟରେ ନିଜ ନାମରେ ଅନେକ ରେକର୍ଡ ମଧ୍ଯ ହାସଲ କରିଛନ୍ତି। ସେ ଏକଦିବସୀୟ ମ୍ୟାଚ୍ରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି।
ଅପରପକ୍ଷରେ ନିଜର ଏତେ ଲମ୍ବା କ୍ୟାରିୟର ମଧ୍ଯରେ ସେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
୫୧ ବର୍ଷୀୟ ସଚିନ ଭାରତ ପାଇଁ ୬୬୪ଟି ମ୍ୟାଚ୍ ଖେଳି ୩୪,୩୫୭ ରନ କରିଥିଲେ। ଏଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ସଚିନଙ୍କୁ ୨୦୨୪ ପାଇଁ ସିକେ ନାଇଡୁ ‘ଲାଇଫଟାଇମ୍ ଆଚିଭମେଣ୍ଟ’ ପୁରସ୍କାର ପ୍ରଦାନ କରାଯିବ। ତେବେ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏବଂ ପୂର୍ବତନ ୱିକେଟ କିପର ଫାରୁକ ଇଞ୍ଜିନିୟରଙ୍କୁ ମଧ୍ଯ ଏହି ପୁରସ୍କାର ପ୍ରଦାନ କରାଯିବ।
Comments are closed.