Latest Odisha News

BREAKING NEWS

ଏନଆଇଏର ଦାବି: ମନସୁଖଙ୍କୁ ମାରିବାକୁ ସଚିନ ବାଜେ ଦେଇଥିଲେ ୪୫ ଲକ୍ଷ

ମୁମ୍ବାଇ: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ ଆଗରୁ ଜବତ ହୋଇଥିବା ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓର ମାଲିକ ମନସୁଖ ହିରେନଙ୍କୁ ମାରିଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ଏହି ଘଟଣାର ତଦନ୍ତ ଅଧିକାରୀ ସଚିନ ବାଜେ ସେତେବେଳେ ପ୍ରଦୀପ ଶର୍ମାଙ୍କୁ ୪୫ ଲକ୍ଷ ଟଙ୍କା ଦେଇଥିଲେ। ଏନଆଇଏ ଏହି ମାମଲାର ତଦନ୍ତ କରୁଛି । ଜେରା ବେଳେ ଏକଦା ମୁମ୍ବାଇ ପୁଲିସର ସବୁଠାରୁ ବଡ ପୁଲିସ ଅଧିକାରୀ କୁହାଯାଉଥିବା ସଚିନ ବାଜେ ଏହା ଏନଆଇଏକୁ କହିଛନ୍ତି। ହାଇକୋର୍ଟରେ ଏନଆଇଏ ଏହି ସୂଚନା ଦେଇଛି। ପ୍ରଦୀପ ଶର୍ମା ମଧ୍ୟ ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ପୋଲିସ ଅଫିସର।

ଏନଆଇଏର ଏହି ଦାବି ପରେ ମହାରାଷ୍ଟ୍ର କିଭଳି ଜଣେ ଅପରାଧୀ ପୁଲିସ ଅଧିକାରୀକୁ ସୁରକ୍ଷା ଦେଉଥିଲା ସେ ନେଇ ପ୍ରଶ୍ନ ଉଠିଛି । ଆଉ ପୁଲିସର ନାକ ତଳେ ଏତେ କଥା ହେଉଥିବା ବେଳେ ଡିଜି କେମିତି କିଛି ଜାଣିପାରିଲେନି ତାହା ମଧ୍ୟ ପ୍ରଶ୍ନ ଘେରରେ।

ପ୍ରଦୀପ ଶର୍ମା ଜାମିନ ପାଇଁ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଯାହାକୁ ବିରୋଧ କରି ଏନଆଇଏ ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି ମନସୁଖ ହିରେନଙ୍କୁ ହତ୍ୟା କରିବା ପଛରେ ପ୍ରଦୀପ ଶର୍ମାଙ୍କ ଭୂମିକା ରହିଛି। ତେଣୁ ତାଙ୍କ ଜାମିନ ଖାରଜ ହେବା ଦରକାର। ସେହିପରି ମନସୁଖ ହିରେନ ହତ୍ୟା ମାମଲାର ଷଡଯନ୍ତ୍ର ସେତେବେଳର ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହଙ୍କ ଅଫିସ ଭିତରେ ହୋଇଥିଲା। ଯିଏକି ଏବେ ବଟି ଆଦାୟ ମାମଲାରେ ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୭ ଜୁଲାଇରେ ରହିଛି। କିଛି ମାସ ପୂର୍ବରୁ, ଏନଆଇଏ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ଆଣ୍ଟିଲିଆ ବୋମା ମାମଲା ସମ୍ପର୍କିତ ଚାର୍ଜସିଟ୍ ଉପସ୍ଥାପନ କରିଛି। ଚାର୍ଜସିଟ୍ ଦାଖଲ କରିବା ସମୟରେ ତଦନ୍ତକାରୀ ଅଧିକାରୀ ତଥା ଏନଆଇଏ ଅଧ୍ୟକ୍ଷ ବିକ୍ରମ ଖାଲେଟ୍ ମଧ୍ୟ ଉପସ୍ଥିତ ଥିଲେ। ଏଥି ସହିତ, ଏହି ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ୨୦ ପ୍ରମୁଖ ସାକ୍ଷୀଙ୍କ ସୁରକ୍ଷା ପାଇଁ ଦାବି କରିଥିଲେ।

ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ ମଧ୍ୟ କହିଛନ୍ତି। ଏନଆଇଏ ଏହାର ଚାର୍ଜସିଟରେ କହିଛି ଯେ, ସଚିନ ବାଜେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା, ପିଏ ସୁନୀଲ ମେନ, ଏପିଆଇ ରିୟାଜୁଦ୍ଦିନ୍ କାଜୀଙ୍କ ସମେତ ସମସ୍ତ ୧୦ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ପ୍ରମାଣ ଦାଖଲ କରିଛି। ଚାର୍ଜସିଟରେ ୩୦୦ରୁ ଅଧିକ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।

Leave A Reply

Your email address will not be published.