Latest Odisha News

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ବିୟୋଗ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି। ଶିରୋମଣି ଅକାଳି ଦଳର ପ୍ରତିଷ୍ଠାତା ହେଉଛନ୍ତି ପ୍ରକାଶ ସିଂ ବାଦଲ। ନିକଟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ବାର୍ଦ୍ଧକ୍ୟ ଜନତି ସମସ୍ୟାରେ ସେ ପୀଡ଼ିତ ଥିଲେ ମଧ୍ୟ ରାଜନୀତିରେ ରୁଚି ରଖୁଥିଲେ ଏହି ଭେଟେରାନ ନେତା। ତାଙ୍କର ବିୟୋଗ ପରେ ପଞ୍ଜାବ ରାଜନୀତିରେ ଗୋଟିଏ ବଡ଼ ଶୂନ୍ୟସ୍ଥାନ ଦେଖାଦେଇଛି।

BjdElectrycity

ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାଦଲଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ପଞ୍ଜାବର ପାଞ୍ଚଥର ମୁଖ୍ୟମନ୍ତ୍ରୀ ୯୫ ବର୍ଷୀୟ ବାଦଲଙ୍କୁ ମଧ୍ୟ ଗତ ବର୍ଷ ଜୁନ୍ ମାସରେ ଗ୍ୟାଷ୍ଟ୍ରାଇଟିସ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟ-କୋଭିଡ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଫେବୃଆରୀ ୨୦୨୨ ରେ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ବର୍ଷ ଜାନୁଆରୀରେ ବାଦଲ କରୋନା ସଂକ୍ରମିତ ହୋଇ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ଅଭିଜ୍ଞ ନେତା ମଧ୍ୟରୁ ଅନ୍ୟତମ ଥିଲେ। ପ୍ରକାଶ ସିଂ ବାଦଲଙ୍କ ରାଜନୈତିକ କ୍ୟାରିୟର ଦେଶ ସ୍ୱାଧୀନ ହେବା ପୂର୍ବରୁ ଆରମ୍ଭ ହୋଇଥିଲା। ସେ ୧୯୪୭ ରେ ସରପଞ୍ଚ ଭାବରେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ବ୍ଲକ୍ ମୁଖ୍ୟ ହୋଇଥିଲେ ଏବଂ ଶିରୋମଣି ଅକାଳି ଟିକେଟରେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ପ୍ରକାଶ ସିଂହ ବାଦଲ ଶିରୋମଣି ଅକାଳି ଦଳର ପ୍ରଥମ ବିଧାୟକ ଥିଲେ। ସେ ମୋଟ ୧୦ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୭୦ ରେ ପ୍ରଥମ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଶିରୋମଣି ଅକାଳି ଦଳ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏର ସହଯୋଗୀ ଦଳ ଥିଲା । କିନ୍ତୁ ସଂସଦରେ ତିନି କୃଷି ବିଲ୍ ପାରିତ ହେବା ପରେ ୨୦୦୦ ସେପ୍ଟେମ୍ବରରେ ଏନଡିଏରୁ ଓହରି ଯାଇଥିଲା ପଞ୍ଜାବର ଏହି ଦଳ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେଇଥିଲେ। ପରେ କିନ୍ତୁ କେନ୍ଦ୍ରର ମୋଦୀ ସରକାର ତିନି କୃଷି ବିଲକୁ ରଦ୍ଦ କରିଥିଲେ।

Leave A Reply

Your email address will not be published.