Latest Odisha News

BREAKING NEWS

ଆସନ୍ତାକାଲିଠୁ ସାହି ଯାତରେ କମ୍ପିବ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ପବିତ୍ର ରାମନବମୀ । ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ସାହିଯାତର ହେବ ଶୁଭାରମ୍ଭ । ରମନବମୀ ଠାରୁ ଶ୍ରୀକ୍ଷେତ୍ରର ପାରମ୍ପାରିକ ସମର କଳା ନୃତ୍ୟ ସାହି ଯାତ ଆରମ୍ଭ ହୋଇଥାଏ । ରାମଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ଭଗବାନ ରାମଚନ୍ଦ୍ରଙ୍କ ଜୀବନର କଥାବସ୍ତୁକୁ ନେଇ ଏହି ସାହି ଯାତ ଅନୁଷ୍ଠିତ ହୋଇଥାଏ । ତେବେ ରାତି ପାହିଲେ ସାହି ଯାତ ହେବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।

ରାମଲୀଳାର ପୌରାଣିକ କଥା ଉପରେ ଆଧାରିତ କଥାବସ୍ତୁ ଓ ପାରମ୍ପରିକ ବାଦ୍ୟନୃତ୍ୟରେ କମ୍ପିବ ପୁରୀର ଗଳି କନ୍ଦି । ତେବେ ସାହି ଯାତରେ ମୁଖ୍ୟ ଆକର୍ଷଣ ସଜିଥାନ୍ତି ରାବଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ହେଉଛି ବହୁ ପ୍ରାଚୀନ ସାଂସ୍କୃତିକ ପୀଠ । ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ପକ୍ଷରୁ କାହିଁ କେଉଁ କାଳରୁ ଶ୍ରୀରାମ ନବମୀ ଠାରୁ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଥିବା ସାହିଯାତ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ବର୍ଷ ପରେ ବର୍ଷ ବଦଳିଛି ସତ କିନ୍ତୁ ଶ୍ରୀକ୍ଷେତ୍ର ବାସୀ ତାଙ୍କ ପରମ୍ପରାକୁ ଭୁଲି ନାହାଁନ୍ତି । ଜାଗା ଆଖଡ଼ାର କଳାକାର ମାନେ ସାହିଯାତ ଅବସରରେ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିଥାନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହିଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଥାଏ।

ଆସନ୍ତା ରାମନବମୀ ଅବସରରେ ରାମଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ୧୮ରେ ଯଜ୍ଞ ରକ୍ଷା ନୀତି, ୧୯ରେ ପର୍ଶୁରାମ କଳାହରଣ ଓ ସୀତା ବିବାହ, ୨୦ରେ ରାମ ବନବାସ, ୨୨ରେ ସୀତା ଚୋରି, ୨୩ରେ ଲଙ୍କା ପୋଡ଼ି, ୨୪ରେ ସେତୁ ବନ୍ଧ ନୀତି ସହ ୨୬ରେ ରାବଣ ବଦ୍ଧ ଓ ମେ ୧ ତାରିଖରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ଅନୁଷ୍ଠିତ ହେବ । ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ଆଠସାହି ଆଖଡ଼ାର ଯୁଗ୍ମ ସମ୍ପାଦକ ।

Leave A Reply

Your email address will not be published.