ବୋଉ – ଏକ ଦେବୀଟିଏ
ସୁଶିର କୁମାର ସ୍ୱାଇଁ
ଧ୍ୟାନମଗ୍ନ ଋଷି ପରି
ବୋଉ ମୋର ସବୁଦିନେ
ଆମପାଇଁ ଅତ୍ୟନ୍ତ ଗମ୍ଭୀର
ସତେ ଅବଅବା ଜାନୁଆରୀ ସକାଳର
ମେଞ୍ଚାଏ କାକର ।
ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା
ପିଉଥାଏ ଧୂ ଧୂ ଖରାର ଜହର
ତା ଛାତିରେ ଆଙ୍କିଅଛି କେତେ ମୁହିଁ
ପଦରେଖା ଚିତ୍ର ।
ଆମେସବୁ ରୁକ୍ଷ କଞ୍ଚାମାଟି
ବୋଉ ଗୋଟେ ଦକ୍ଷ କାରିଗର
ମାଡ ନାହିଁ, ଗାଳି ନାହିଁ,
ମମତାର ପାଣିଦେଇ, ତିଆରିଛି ଏମିତି କଣ୍ଢେଇ
ମୂଲଯାର ଦେଇହେବ ନାହିଁ ।
ଆଖିତଳେ ଖେଳେ କେତେ ସ୍ଵପ୍ନର ଲହଡି
ତାହାପୁଣି ନିଜ ପାଇଁ ନୁହେଁ,
ବାଜିଗଲେ କଣ୍ଟାଟିଏ ପାଦରେ ଆମର
ବୋଉର ଛାତିରୁ ଝରେ ରକତର ଗାର ।
ବୋଉ ଗୋଟେ ରାସ୍ତାକଡ ଝରାଫୁଲ ଟିଏ
ଗଙ୍ଗଶିଉଳିର ।
ବୋଉକୁ ମୁଁ ‘ବୋଉ’ ଡାକିଦେଲେ
ସେ ଦେବୀ ହେଇଯାଏ
ଝୁଣା, ଦୀପ, ଧୂପର ଗନ୍ଧରେ
ସାରାଘର ଲାଗେ ମତେ ମନ୍ଦିର ମନ୍ଦିର ।
—
ବ୍ୟକ୍ତିଗତ ସହାୟକ, ରାଜ୍ୟପାଳ ଆନ୍ଧ୍ରପ୍ରଦେଶ ରାଜଭବନ, ବିଜୟୱାଡ଼ା
Comments are closed.