Latest Odisha News

BREAKING NEWS

ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ: ରବି ପଣ୍ଡା

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ରବି ପଣ୍ଡା ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ।

ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ ଯୋଡିବାର ଯେଉଁ ପ୍ରଗଳ୍ଭ ପ୍ରୟାସ ତାଙ୍କର ଗଳ୍ପଗୁଡିକରେ ଦେଖାଯାଇଥାଏ ତାହାହିଁ ତାଙ୍କର ଗଳ୍ପକୁ ଐଶ୍ୱର୍ଯ୍ୟ ମଣ୍ଡିତ କରିଥାଏ। ଅନ୍ୟ ପକ୍ଷରେ ଅନ୍ତରଙ୍ଗ ଆବେଗପୂର୍ଣ୍ଣଭାବ ଆଉ ଭାଷା କାରିଗରୀକୁ ନେଇ ଠିଆ ହେଇଥିବା ତାଙ୍କର ଗପଗୁଡ଼ିକ ପାଠକ ମାନଙ୍କ ପାଇଁ ସୁଖପାଠ୍ୟ ସ୍ମରଣୀୟ ହୋଇଥାଏ।

‘ଶୂନ୍ୟାରୋହଣ’ , ‘ପାଦତଳର ପୃଥିବୀ’, ‘ଏକାବନଟି ଛୋଟଗପ’, ‘ଛାଇଘର, କୁଆଡ଼େ ଗଲା ପ୍ରମୋଦ’, ‘ଜହ୍ନ ତଥାପି, ଖରାରେ ଠିଆହୋଇ ଥିବା ଲୋକ’ , ‘ଗଛ’ ଓ ‘ଅନ୍ୟାନ୍ୟ ଗଳ୍ପ’ , ‘ହେନା ଫୁଲର ବାସ୍ନା’ ପରି ଅନେକ କାଳଜୟୀ ସୃଷ୍ଟିର ସ୍ରଷ୍ଟା ସେ। ତାଙ୍କ ରଚନା ଗୁଡ଼ିକ ବାସ୍ତବ ଜୀବନର ଘଟଣା ଓ ଚରିତ୍ର ପରି ଜୀବନ୍ତ।

ତାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ” । 

୧ . ଗଳ୍ପର ସଂଜ୍ଞା କଣ ?

ଉତ୍ତର :  ଗଳ୍ପର ସଠିକ୍ ସଂଜ୍ଞା  ତଥାପି ଅନିର୍ଦ୍ଧାରିତ। ବିଭିନ୍ନ ସମୟ ଖଣ୍ଡ କୁ ନେଇ ବିଭିନ୍ନ ମତ ଆସେ ଗପକୁ ନେଇ। ତେବେ ଘଟଣା, ଚରିତ୍ରର ଅନ୍ତରଙ୍ଗ ଅନ୍ୱେଷଣ ସହିତ ଦୃଶ୍ୟଠାରୁ ଅଦୃଶ୍ୟ ପ୍ରତି ଅଧିକ ସଚେତନ ହେବା ଓ ଆତ୍ମାନୁଭବକୁ କଳା କୌଶଳରେ ରୂପ ଦେବା ପ୍ରକ୍ରିୟାକୁ ଗପ କୁହାଯାଇପାରେ। ସତରେ, ଗପ ବାସ୍ତବତାର କାଳ୍ପନିକ ରୂପ। ମିଛକୁ ସତପରି ଓ ସତକୁ ମିଛ ପରି ଠିଆ କରି ପାଠକକୁ ବିସ୍ମୟାଭିଭୂତ କରି ପାରିବା ଗପର ଏକ ମୌଳିକ ଲକ୍ଷଣ।

୨. ଲେଖା ଲେଖି କେବେ ଆରମ୍ଭ କଲେ ?

ଉତ୍ତର: ସଚେତନ ଭାବେ ଲେଖାଲେଖି ଭିତରକୁ ଆସିବାର ପୃଷ୍ଠଭୂମି ଅତ୍ୟନ୍ତ ମର୍ମନ୍ତୁଦ ଓ ବେଦନା ଦାୟକ। ଏହାକୁ ଯଦି ଏକମାତ୍ର ସୄଜନଶୀଳତା କୁହାଯାଏ ତାହା ବିଳମ୍ବିତ। କିନ୍ତୁ ଆବାଲ୍ୟରୁ ମୋର ବିଭିନ୍ନ ଧରଣର ସୄଜନଶୀଳତା ଥିଲା। ଆଦ୍ୟ କୈଶୋରରେ ଜଣେ ଚିତ୍ରଶିଳ୍ପୀ ହେବା ଓ  ଯୌବନ ରେ ଜଣେ ଅଭିନେତା ହେବାର ଯଥେଷ୍ଟ ଅଭୀପ୍ସା ଓ ସମ୍ଭାବନା ଥିବା ସତ୍ତ୍ବେ ତତ୍କାଳୀନ ସ୍ଥିତି ଓ ଦୁଃସମୟ ମୋର ସମସ୍ତ ପ୍ରିୟ ପୋଷିତ ଇଚ୍ଛାକୁ ଭୂଲୁଣ୍ଠିତ କରିଦେଲା। ତାହା ଏବେ ଏକ ଅବସୋସମୟ ଅତୀତ । ହୁଏତ ସେଇ ସେଇ ବିଷଣ୍ଣ ସବୁ ପରବର୍ତ୍ତୀ ସମୟରେ ଲେଖା ମନସ୍କ କରାଇଲା। ଅବରୁଦ୍ଧ ଆବେଗ ତ ଗୋଟେ ମାର୍ଗ ଖୋଜେ ଆବଦ୍ଧ ଜଳ ଭଳି ଯେ ବହି ଯିବାକୁ ଚାହେଁ। ଆଉ ଆଉ ସମ୍ଭାବନା ସବୁ ନିଃସଙ୍ଗ ଓ ନିଃସ୍ୱ କରିଦେଇ ଅପସରି ଗଲାପରେ ହୁଏତ ଟିକେ ଆଶ୍ୱାସନାର ସମ୍ଭାବନା ପାଇଲା ପରି ପଶିଗଲି ଏଥିରେ, ଗୋଟେ ପୀଡ଼ା ମୁକ୍ତିର ମାର୍ଗଟେ ପାଇଲା ପରି।

୩ . ଗପ ଲେଖିଲା ବେଳେ ଅନୁଭୂତିର ଆଶ୍ରୟ ନିଅନ୍ତି କି ?    

ଉତ୍ତର : କହିଛି, ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ। କବିତାଠାରୁ ଗଳ୍ପ ଓ ଉପନ୍ୟାସର ସଂପର୍କ ଏହା ସହିତ ସାନ୍ଦ୍ର ଓ ନିବିଡ଼। ତା’ଅର୍ଥ ନୁହେଁ ଯେ ଯେତେ ଗପ ଲେଖିଛି ସବୁଥିରେ ମୋ ଅନୁଭବ ନିବିଡ଼। ବହୁ ସମୟରେ କଳ୍ପନାର ଲେଖାରୂପ ଅନୁଭବ ଭଳି ପ୍ରତୀୟମାନ ହୁଏ, ସେଠାରେ ଲେଖକର ଗଭୀର ଆତ୍ମନିଷ୍ଠ ଅଭିନିବେଶ କାମ ଦେଇ ଥାଏ। ଗଳ୍ପ ବାସ୍ତବତାର କାଳ୍ପନିକ ରୂପ। ସେ କାଳ୍ପନିକତା  ଯେତେ ପ୍ରାଣବନ୍ତ ହୁଏ ଲେଖା ସେତେ ପ୍ରାଞ୍ଜଳ ହୁଏ। ତେବେ ସେଥିରେ ମୋର ବ୍ୟକ୍ତିଗତ ଅନୁଭବ ଯେ ସାମିଲ ହୋଇ ଯାଏ ନାହିଁ, ତାହା କହିପାରିବି ନାହିଁ। କାରଣ ଗଳ୍ପ ଜୀବନ ଜ୍ୱଳନର ଆବେଗମୟ ପରିପ୍ରକାଶ ।

୪ . ଗପ ଲେଖିଲା ବେଳେ ଆପଣ କେଉଁ ଦିଗକୁ ଅଧିକ ଧ୍ୟାନ ଦିଅନ୍ତି ?

ଉତ୍ତର : ଗପ ଲେଖିଲାବେଳେ ଗୋଟେ ନିର୍ଦ୍ଧିଷ୍ଟ ଦିଗକୁ ଲକ୍ଷ୍ୟ ରଖି ମୁଁ ଗପ ଲେଖେ ନାହିଁ। ସବୁ ସତ୍ତ୍ବେ ମଣିଷ ବହୁ ବିଷମତା ଓ ବିସଙ୍ଗତି ଭିତରେ ଜୀଉ ଥାଏ। ଯେତେ ମଣିଷ ସେତେ ମାନସିକତା। ଜୀବନ ଅସରନ୍ତି ପ୍ରଶ୍ନର ସମାହାର। ଶେଷ ଉତ୍ତରଟି ନ ମିଳିଲା ଯାଏ ସାହିତ୍ୟର ଅର୍ନ୍ତଯାତ୍ରା ଶେଷ ହେବନାହିଁ। ତେବେ ସାହିତ୍ୟ ସର୍ବଦା ଗୋଟେ ଉଜ୍ଜ୍ବଳ ଦିଗ ପ୍ରତି ଅଭିପ୍ରେତ। ସେହି ଦିଗ ପ୍ରତି ମୋର ନଜର ଥାଏ। ମଣିଷ ମଣିଷ ହେଇ ରହୁ, ଦେବତା ହେଲେ ହେଉ, ଅସୁର ନହେଉ .. ଏହି ଆବେଦନଟି ମୋ ଗପରେ ଥାଏ ।

୫ . ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?

ଉତ୍ତର:  ମୋର ଏ ଯାବତ୍ ସର୍ବଶ୍ରେଷ୍ଠ ସୄଷ୍ଟି କଣ ପ୍ରଶ୍ନ ଟିର ଉତ୍ତର ମୋ ପାଖରେ ନାହିଁ। କାରଣ ଏହାର ନିର୍ଦ୍ଧାରକ ମୁଁ ନୁହେଁ। ନିଜ ସୃଷ୍ଟିକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିବା ସ୍ରଷ୍ଟାର ଅକ୍ତିଆରର ବାହାରେ । କେଉଁ ଗପରେ ଆପଣ ସନ୍ତୁଷ୍ଟ କି ସଫଳ ବୋଲି ପଚାରିଲେ ସେ ପ୍ରଶ୍ନର ଉତ୍ତର ଦିଆଯାଇପାରେ । ତେବେ ଲେଖିଲାବେଳେ ମୁଁ ସଚେତନ ଥାଏ ଯେ, ଯାହା ମୁଁ କହିବାକୁ ଚାହୁଁଛି, ତାହା ଯେପରି ଠିକ୍ ଭାବରେ ଗପ ରୂପ ପାଏ। ନିଜ ଲେଖା କୁ ଶ୍ରେଷ୍ଠ କହିଦେଲା ପରେ ତ ଲେଖକର ନିର୍ବାଣ ହେଇଗଲା ପରି ଲାଗେ।

୬. ଆପଣ କବିତା ବି ଲେଖନ୍ତି । ତେବେ  ନିଜକୁ ଜଣେ ଗାଳ୍ପିକ ଭାବରେ କାହିଁକି ଦେଖନ୍ତି?

ଉତ୍ତର : ହଁ, କବିତା ମୋର ଆଦ୍ୟ ସୄଜନ। ହୃଦୟର ଆବେଗ ପ୍ରଥମେ କବିତା ହେଇ ଝରେ। ପିଲାବେଳେ ଶବ୍ଦକୁ ଶବ୍ଦ ଯୋଡ଼ି ଯାହା ମନକୁ ଆସିଲା ବୋଲି ଦେବା କି ଲେଖିଦେବା ଗୋଟେ ଉଲ୍ଲସିତ ପ୍ରକ୍ରିୟା ଥିଲା। ପରବର୍ତ୍ତୀ ସମୟରେ ତାହା କ୍ରମଃମାର୍ଜିତ ହୋଇ ପଦ୍ୟ/ସଙ୍ଗୀତ କି କବିତାର ରୂପ ନେଲା ସଚେତନ ଭାବରେ। କବିତା ଲେଖିବାର ପ୍ରେରଣା ବା ବାଧ୍ୟବାଧକତା ଥିଲା କବିତା ପାଠୋତ୍ସବରେ ସାମିଲ ହେବା ଯୋଗୁଁ । କବିତା ବେଶ୍ କିଛି ଲେଖିଛି, ଏବେ ବି ଲେଖେ । କବିତା ବହି ବି ପ୍ରକାଶ ପାଇଛି। କିନ୍ତୁ ଗପରେ ମୁଁ ନିଜକୁୁ ବ୍ୟକ୍ତ କରିବାରେ ସ୍ୱଚ୍ଛନ୍ଦ ଓ ଅଧିକ ପରିସର ପାଇବାରୁ ଗପ ଲେଖିଲି ଓ  ସନ୍ତୁଷ୍ଟ ଅନୁଭବ କଲି। ଗପ ଅଧିକ ଆଦୃତ ହେବା ଓ ପାଠକୀୟତା ପାଇବା ମଧ୍ୟ ମୋତେ ଅଧିକ ଉତ୍ସାହିତ କଲା। କବିତାଠାରୁ ଗପରେ ମୋର ପରିଚୟ ମୁଖର ହେବାରୁ ସେଇଥିରେ ମୁଁ ସମର୍ପିତ ହୋଇଗଲି।

 ୭. ଓଡ଼ିଆ ସାହିତ୍ୟରେ ଗପ ର ପ୍ରଭାବ କେମିତି?

ଉତ୍ତର:   ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ ସର୍ବାଧିକ। ସମୟ ଥିଲା କବିତା ଥିଲା ପ୍ରଚଣ୍ଡ ପ୍ରଭାବଶାଳୀ । କିନ୍ତୁ ଆଙ୍ଗିକ ପରିବର୍ତ୍ତନ/ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ଦୁର୍ବୋଧ୍ୟତା ତଥା ଅତ୍ୟନ୍ତ ଦାର୍ଶନିକ ବୋଝ ଦାୟରେ କବିତାରୁ କୋମଳତା ହଜିଗଲା ପରେ ତାହା ପାଠକ ପ୍ରିୟ ହେଇ ଆଉ ରହିଲା ନାହିଁ । ଅନ୍ୟ ପକ୍ଷରେ ଲୋକ ଜୀବନର ବିବିଧ ସମସ୍ୟା ଓ ତାକୁ ପ୍ରଭାବିତ କରୁଥିବା ବିଭିନ୍ନ ନୂଆ ନୂଆ ଘଟଣାକୁ ନେଇ ତାର ପରିବର୍ତ୍ତିତ ମାନସିକତାକୁ ଗପରେ ପାଠକ ପାଇବା  ଫଳରେ ତା’ପ୍ରତି ଆକର୍ଷଣ ବଢିଲା। ସମୟର ଆବଶ୍ୟକତା ଓ ପାଠକୀୟ ରୁଚି ଗପକୁ ଅଧିକ ପ୍ରଭାବଶାଳୀ କରିଦେଲା।

୮. ଫକୀରମୋହନଙ୍କ ସମୟର ଗପ ଓ ଏବେର ଗପ ଭିତରେ କେଉଁ ସାମଞ୍ଜସ୍ୟ ରହିଛି?

ଉତ୍ତର:  ଫକୀର ମୋହନଙ୍କ ସମୟଠାରୁ ଏବର ସମୟ ମଧ୍ଯରେ ଶତାଧିକ ବର୍ଷର ବ୍ୟବଧାନ। କିନ୍ତୁ ଫକୀର ମୋହନ ତାଙ୍କର ମାତ୍ର କୋଡ଼ିଏଟି ଗପ ଭିତରେ ଯେଉଁ ଯେଉଁ ସାମାଜିକ ସମସ୍ୟା କଥା ଉଠାଇ ଥିଲେ, ତାହା ଏବେବି ଅଳ୍ପ ବହୁତ ମହଜୁଦ ଅଛି। ସେସବୁ ମୌଳିକ ସମସ୍ୟା ସହିତ ଆହୁରି ନୂଆ ସମସ୍ୟା ଆଜି ସମାଜ ଆଗରେ ମୁଣ୍ଡ ଟେକିଛି। ଗପ ସେଇ ସବୁକୁ ଆଧାର କରି ଗଢ଼ା ହେଉଛି। ହେଲେ ପରିବର୍ତ୍ତନ କାହିଁ? ସାମାଜିକ ପରିବର୍ତ୍ତନ ନହେଲେ ସାହିତ୍ୟ ପରିବର୍ତ୍ତିତ ହେବ ନାହିଁ। ଶିକ୍ଷା, ସଭ୍ୟତା, ସଂସ୍କୃତି ର ବହୁଳ ପରିବର୍ତ୍ତନ ହେବା ସତ୍ତ୍ବେ ସେ ସମୟର ମୌଳିକ ସମସ୍ୟା ଗୁଡିକ ଏବେବି ଗପର ଆଧାର ହୋଇ ଅଛି। ସୁତରାଂ ଫକୀର ମୋହନ ଏବେବି ପ୍ରାସଙ୍ଗିକ।

୯. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର:   ପାଠକୀୟ ପ୍ରତିକ୍ରିୟା ସବୁବେଳେ ଲେଖକକୁ ଉତ୍ସାହିତ କରେ। ତାର ସୄଜନ କର୍ମ ଟି ବି ପରୀକ୍ଷିତ ହୋଇଥାଏ ଏହାଦ୍ବାରା। ନକରାତ୍ମକ ମତ ଲେଖକକୁ ସଚେତନ କରାଏ । ଏ ବାବଦରେ ମୁଁ ଉଦାର ଓ ସହମତ। କିଛି ସଚେତନ ଓ ପ୍ରିୟ ଲେଖକ/ପାଠକ ମୋର କୌଣସି ଗପ କୁ ପ୍ରଶଂସା କରିବାରେ କାର୍ପଣ୍ୟ କରନ୍ତି ନାହିଁ। କିନ୍ତୁ ସନ୍ତୁଷ୍ଟ ନହେଲେ ନିଃସଙ୍କୋଚ ରେ ତୃଟି ଦର୍ଶାଇବାରେ ବି କୁଣ୍ଠା ରଖନ୍ତି ନାହିଁ। ମୁଁ ସ୍ୱାଗତ କରେ। ସଂଶୋଧନ କରେ। ସେମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ନ ହୋଇ ବରଂ କୃତଜ୍ଞ ହୁଏ। କିନ୍ତୁ ନିନ୍ଦୁକ  ମାନଙ୍କ କଥା ଅଲଗା। ସେମାନଙ୍କୁ ମାଛି ବୋଲି ଭାବେ।

୧୦ . ଜଣେ ସଫଳ ଗାଳ୍ପିକ କେମିତି ହୋଇ ପାରିବ?

ଉତ୍ତର: ଏକନିଷ୍ଠ ସାଧନା, ସମୟ(କାଳ) ସଚେତନତା, ବହୁପାଠିତା, ଗଭୀର ଅନୁଧ୍ୟାନ ଓ ଆତ୍ମଚିନ୍ତନ ତଥା ସୄଜନଶୀଳତା ପ୍ରତି ଗଭୀର ଶ୍ରଦ୍ଧା ଓ ସମର୍ପଣ ଭାବ ନ ରହିଲେ ଜଣେ ସଫଳତା ପାଇବା ସମ୍ଭବ ନୁହେଁ। କେବଳ ଗଳ୍ପ ନୁହେଁ, ସୄଜନଶୀଳତା ର ଯେକୌଣସି କ୍ଷେତ୍ର ପାଇଁ ଏହା ପ୍ରଯୁଜ୍ୟ ଅବଶ୍ୟ ।

୧୧ . ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ  ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର :   ଓଡ଼ିଆ ସାହିତ୍ୟ ସଂପ୍ରତି ବହୁ ଉଜ୍ଜ୍ବଳତା ଓ ସମ୍ଭାବନା ଭିତରେ ଅଛି। ଆଉ କେତୋଟି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ସଚେତନ ପ୍ରୟାସ କରାଗଲେ ତାହା ଆହୁରି ଋଦ୍ଧିମନ୍ତ ହୁଅନ୍ତା।

୧୨ . ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?

ଉତ୍ତର:    ବାର୍ତ୍ତା ଦେଲାଭଳି ଯୋଗ୍ୟତା ମୋର ନାହିଁ ବୋଲି ବିଚାର କରେ ବରଂ ବରିଷ୍ଠ ଭାବରେ କିଛି ପରାମର୍ଶ ଦେଇପାରେ। ନୂଆ ଲେଖକମାନେ ଆମ ସାହିତ୍ୟ ପରମ୍ପରା କୁ ଆଗେଇ ନେବାର ସକ୍ରିୟ ପ୍ରତିନିଧି। ସେମାନେ ତାତ୍କାଳିକ ସଫଳତା ଲାଳସୀ ଓ ପ୍ରଶଂସା ପ୍ରିୟ ହୋଇ ନ’ଯାଆନ୍ତୁ। ବିଭିନ୍ନତା ଭେଦରେ ଅଧ୍ୟୟନ, ଗଭୀର ଚିନ୍ତନ, ନୂତନ ଦୃଷ୍ଟିଭଙ୍ଗୀ  ସହ ସୃଜନ କର୍ମ ପ୍ରତି ସମର୍ପିତ ଭାବ ରଖିଲେ ସଫଳତା ଅବଶ୍ୟ ଆସିବ।

Comments are closed.