ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧୦)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ଦଶମ ଭାଗ)

୧୦: ଶିକୁଳି ଛିଡେ଼ଇବାର ବେଳ

ରାତି ସେତେବେଳକୁ ଗଭୀର । ଭରତପୁର ବଜାରରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ମୂର୍ତ୍ତି ପାଖରେ ଠୁଳ ହୋଇଥିଲେ ତମାମ ଭରତପୁରର କୁକୁରମାନେ । ଭୋଳୁ ଆଉ ରଜନୀକାନ୍ତ ଉଭୟ ଦଳର କୁକୁରମାନେ ଥିଲେ ସେଠି । ମୂର୍ତ୍ତିକୁ ଡେରି ବସିଥିଲା ପାଗଳା ଦାଶୁ । ତାର ମେଜାଜଟା ଏବେ ବି ଭଲ ନାହିଁ । ଅପରାହ୍ଣରେ ପିଲାମାନେ ତା ଉପରକୁ ଯେଉଁ ଟେକାପଥର ମାରିଥିଲେ, ତା ଦେହର କେତେ ଜାଗା ଖଣ୍ଡିଆ ଖାବରା ହୋଇଥିଲା- ସେ ଜାଗାଗୁଡ଼ାକ ଜଳାପୋଡ଼ା ହେଉଛି ।

ଭରତପୁର ମହାତ୍ମା ଗାନ୍ଧୀ ବଜାର କୁକୁର ସମାଜର ଦଳପତି ନାଲୁ ପାଖରେ ପଡ଼ିଥିବା ଗୋଟେ ବେଞ୍ଚ ଉପରେ ଚଢ଼ିଯାଇ ଉପସ୍ଥିତ କୁକୁରମାନଙ୍କୁ ସମ୍ବୋଧନ କରି କହିଲା, ଭାଉ ଭାଉ । ବନ୍ଧୁଗଣ! ମୁଁ କୃତଜ୍ଞ ଯେ ଭରତପୁର ତଳ ସାହିର କୁକୁର ସମାଜ ବି ମୋର ନିମନ୍ତ୍ରଣ ସ୍ୱୀକାର କରି ଏଠି ଆସିଛନ୍ତି । ଆପଣମାନଙ୍କୁ ସମସ୍ତଙ୍କୁ ମୋର ସଂଗ୍ରାମୀ ଅଭିନନ୍ଦନ ।

ଉପସ୍ଥିତ କୁକୁରମାନେ ଭାଉ ଭାଉ । ଭାଉ ଭାଉ ଶବ୍ଦରେ ଅଭିନନ୍ଦନ ସ୍ୱୀକାର କଲେ ।

ନାଲୁ କହିଲା, ବନ୍ଧୁଗଣ ବଡ଼ ଦୁଃଖରେ ଏ ସଭା ଡାକିଛି ମୁଁ । ଆଜି ଦିନସାରା ଯେଉଁସବୁ ଘଟଣା ଘଟିଯାଇଛି ତାରି ପ୍ରେକ୍ଷାପଟରେ ଏ ସଭା । ଆମ ପ୍ରତି ମଣିଷମାନଙ୍କ ମନୋଭାବ ଓ ବ୍ୟବହାର ଏମିତି ହେଲାଣି ଯେ ମୁଣ୍ଡ ଉଚ୍ଚା କରି, ସମ୍ମାନର ସହ ବଞ୍ଚିବା ମୁସକିଲ ହୋଇଗଲାଣି । କଥା କଥାରେ ଆମ ଉପରେ ଅତ୍ୟାଚାର ହେଉଛି । ଆମ ଉପରେ ଆକ୍ରମଣ ହେଉଛି । ଆମେ ଯେ ଏ ସୃଷ୍ଟିର ଗୋଟେ ଜୀବ, ଆମର ବି ବଞ୍ଚିବାର ଅଧିକାର ଅଛି ସେ କଥା ମଣିଷମାନେ ସ୍ୱୀକାର କରିବାକୁ ନାରାଜ । ଆମକୁ ପୋକମାଛି ବୋଲି ଭାବୁଛତି ।

ବନ୍ଧୁଗଣ, ମନେ ରଖନ୍ତୁ ମଣିଷ ସମାଜ ହେଲା ଶକ୍ତିର ଗୋଲାମ । ଶକ୍ତିଶାଳୀ ଆଗରେ ମୁଣ୍ଡ ତଳକୁ କରନ୍ତି । ଯିଏ ଦୁର୍ବଳ ତା ଉପରେ ନାଲିଆଖି ଦେଖାନ୍ତି । ଯିଏ ସରଳ ତା ଉପରେ ଅତ୍ୟାଚାର କରନ୍ତି । ଆମର ଇତିହାସ ଟିକେ ମନେ ପକେଇଦଉଛି ଆପଣମାନଙ୍କୁ । ଇତିହାସ ଜାଣିବା ଦରକାର । ଯେଉଁ ଜାତି ନିଜ ଇତିହାସ ଭୁଲିଯାଏ ତାର ଭବିଷ୍ୟତ ଅନ୍ଧକାର ହୋଇଯାଏ । ଯେମିତି ଆମର ହୋଇଛି । ଆମେ କୁକୁରମାନେ ବଣ୍ୟପ୍ରାଣୀ ଥିଲୁ । ଏନସାଇକ୍ଲୋପେଡିଆ ବ୍ରିଟାନିକା ଅନୁସାରେ ଆମର ଇତିହାସ ପାଖାପାଖି ୬ କୋଟି ବର୍ଷ ପ୍ରାଚୀନ । ସେତେବେଳେ ଏକ ପ୍ରକାର ଜନ୍ତୁ ଥିଲେ । ସେମାନଙ୍କୁ କୁହାଯାଉଥିଲା ମିଆସିସ । ସେମାନଙ୍କଠୁଁ ବିବର୍ତ୍ତିତ ହୋଇ ଉତ୍ପତ୍ତି ହେଲା ସାଇନୋଡିକଟିସର । ଏମାନେ ହେଲେ କୁକୁର ପ୍ରଜାତିର ପୂର୍ବସୂରୀ । ଏଟା ୩ କୋଟି ବର୍ଷ ତଳ କଥା । ତାପରେ ସମୟ କ୍ରମେ ଏମାନଙ୍କଠୁଁ ଜନ୍ମ ହେଲେ ହେଟାବାଘ, ଶିଆଳ ଜାତୀୟ ପ୍ରାଣୀ । ହେଟାବାଘ, ଶିଆଳ ଏମାନେ ଥିଲେ ଆମର ପୂର୍ବ ପୁରୁଷ । ପାଖାପାଖି ୧୫,୦୦୦ ବର୍ଷ ତଳେ ଆମେ କ୍ରମଶଃ ମଣିଷର ପାଖାପାଖି ଆସିଲୁ । ମଧ୍ୟ ଏସିଆରେ, ଚୀନରେ ଆମେ କ୍ରମଶଃ ମଣିଷ କଥାରେ ପଡ଼ି ସେମାନଙ୍କ ବଶ୍ୟତା ସ୍ୱୀକାର କଲୁ । ମଣିଷର ବଶ୍ୟତା ସ୍ୱୀକାର କରିବାରେ ଆମେ ହେଲୁ ପ୍ରଥମ ଜନ୍ତୁ । ଆଉ କେତେକେ କହନ୍ତି ପାଖାପାଖି ୧୨୦୦୦ ବର୍ଷ ତଳେ ବର୍ତ୍ତମାନ ଯାହାକୁ ଭାରତବର୍ଷ ବୋଲି କୁହାଯାଉଛି ଏଇ ଭୂଖଣ୍ଡରେ ଶିଆଳରୁ ଆମର ସୃଷ୍ଟି ।

ମଣିଷ ପ୍ରଥମେ ଆମକୁ ତାର ବନ୍ଧୁ ବୋଲି ଗ୍ରହଣ କରିଥିଲା । ଜାଣି ରଖନ୍ତୁ ବନ୍ଧୁଗଣ! ମଣିଷ ସଭ୍ୟତାର ବିକାଶରେ ଆମର ଗୋଟେ ବଡ଼ ଭୂମିକା ରହିଛି । ଯାଯାବର ଭାବେ ଏଠି ସେଠି ବିଚରଣ କରି ଶିକାର କରି ଜୀବନ ବିତଉଥିବା ମଣିଷକୁ ଆମେ ଶିକାର କରିବାରେ ସାହାଯ୍ୟ କଲୁ । ଅନ୍ୟାନ୍ୟ ଜନ୍ତୁ ମାନଙ୍କ ଆକ୍ରମଣରୁ ରକ୍ଷା କଲୁ । ତାପରେ ୭୦୦୦ରୁ ୯୦୦୦ ବର୍ଷ ତଳେ ମଣିଷ ଯେତେବେଳେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ପୋଷା ମନେଇଲା- ଛେଳିି ମେଣ୍ଢା, ଗାଈଗୋରୁ – ସେତେବେଳେ ସେମାନଙ୍କୁ ଚରେଇବାରେ ସାହାଯ୍ୟ କରିବାରେ, ସେମାନଙ୍କୁ ଜଗିବାରେ ଆମେ କାମ କଲୁ । ଏ କାମ ଆମେ ଏବେ ବି କରୁଛୁ ।

କିନ୍ତୁ ମଣିଷର ଆବଶ୍ୟକତା ଅନୁସାରେ ଆମକୁ କ୍ରମଶଃ ଆମର ଅନ୍ୟାନ୍ୟ କାମରେ ବ୍ୟବହାର କରାଗଲା । ଆମେ ମଣିଷର ସାଂଗ ହେଲୁ । ସେମାନଙ୍କ ସୁଖଦୁଃଖର ସାଥୀ ହେଲୁ । ଘର ଜଗିଲୁ । ଯୁଦ୍ଧରେ ସେମାନଙ୍କ ସହିତ ଲଢ଼ିଲୁ । ଜୀବନ ଦେଲୁ । ଏବେ ଅନ୍ଧମାନଙ୍କ ଗାଇଡ ହେଉଛୁ । ପୋଲିସଙ୍କୁ ସାହାଯ୍ୟ କରୁଛୁ ମଣିଷ ତାର ଯେମିତି ଆବଶ୍ୟକ ସେମିତି ଆମକୁ ବ୍ରିଡ କରେଇଲା । ଯୁଦ୍ଧ ପାଇଁ ଅଲଗା କୁକୁର । ଶକ୍ତିଶାଳୀ । କୋଳରେ ଧରି ଗେଲ କରିବା ପାଇଁ ଅଲଗା କୁକୁର । କୋମଳ । ଲୋମଶ । ସାରା ପୃଥିବୀରେ ପାଖାପାଖି ୪୦୦ ପ୍ରକାରର କୁକୁର ରହିଛି । ନାନା କାମରେ ଆମକୁ ବ୍ୟବହାର କରେ ମଣିଷ । ଆପଣମାନେ ଜାଣିଛନ୍ତି ପ୍ରାଚୀନ ଇଜିପ୍ଟରେ କୁକୁରକୁ ପବିତ୍ର ଜୀବ ବୋଲି ମାନ୍ୟତା ଦିଆଯାଉଥିଲା । ପୂଜା କରାହେଉଥିଲା । ଭାରତର କେତେକ ଜାଗାରେ ଛୋଟ ପିଲାର ଦେହ ଖରାପ ହେଲେ ରୋଗ ଭଲ କରିବା ପାଇଁ ତାକୁ କୁକୁର ସହିତ ବାହା କରେଇ ଦିଆଯାଏ । କିଛି ଜାଗାରେ କୌଣସି ଝିଅ ମାଙ୍ଗଳିକ ହୋଇଥିଲେ.. ମାଙ୍ଗଳିକ ମାନେ ଯଦି କେହି ବୁଝି ପାରୁନଥିବେ ସେମାନଙ୍କ ବୁଝିବା ପାଇଁ କହିଦିଏ- ଯଦି କୌଣସି ଝିଅର ରାଶିରେ ଥିବ ଯେ ସେ ଯାହାକୁ ବାହାହେବ ସେ ଅକାଳରେ ମରିଯିବ, ଝିଅ ବିଧବା ହୋଇଯିବ- ସେମିତି ଝିଅକୁ ମାଙ୍ଗଳିକ କୁହାଯାଏ । ତ ସେମିତି ମାଙ୍ଗଳିକ ଝିଅକୁ ଆଗେ କୁକୁର ସହିତ ବାହାଘର କରେଇ ଦିଆଯାଏ । ତାପରେ ଆଉଥରେ ମନଲାଖି ବର ସହିତ ବାହାଘର କରାଯାଏା ଉଦେ୍ଧଶ୍ୟଟା ସରଳ । ମରିବାର ଯଦି ଥିବ ତେବେ କୁକୁରଟି ମରିବ । ଭାବନ୍ତୁ ମଣିଷ କେଡେ଼ ସ୍ୱାର୍ଥପର । କେତେକ ଏସୀୟ ଦେଶରେ କୁକୁର ମାଂସ ଖିଆ ଯାଏ । କେତେକ ଜାଗାରେ ତ କୁକୁର ମାଂସ ଡେଲିକେସିରେ ଗଣା ହୁଏ । ଚୀନର ୟୁଲିନରେ ଗତ କେଇ ବର୍ଷ ହେଲା ଜୁନ ଶେଷ ସପ୍ତାହରେ ବାର୍ଷିକ କୁକୁର-ମାଂସ ଉତ୍ସବ ହଉଛି । ହଁ କୁକୁର ମାଂସ ଉତ୍ସବ । ଦୂରଦୂରାନ୍ତରୁ ଲୋକ ଆସି ଏଠି କୁକୁରମାଂସରେ ତିଆରି ବିଭିନ୍ନ ବ୍ୟଞ୍ଜନ ଖାଆନ୍ତି । ଯଦିଓ ଚୀନ ସରକାର ଏପ୍ରକାର ଉତ୍ସବକୁ ନିରୁତ୍ସାହିତ କରିବାର ଚେଷ୍ଟା କରୁଛନ୍ତି, କେତେକେ ଏହାର ବିରୋଧ ବି କରୁଛନ୍ତି- କିନ୍ତୁ ଏ ଉତ୍ସବ ଚାଲିଛି । ବିଡ଼ମ୍ବନା ଦେଖ, କେତେକ ଦେଶରେ ଲୋକେ ଆଦରରେ କୁକୁର ମାଂସ ଖାଉଥିଲାବେଳେ କେତେକ ଦେଶରେ ତ ଲୋକେ କୁକୁରକୁ ରୀତିମତ ଘୃଣା କରନ୍ତି । ମଣିଷ କେତେ ଦୋମୁହାଁ ହୋଇପାରେ ଏଇଥିରୁ କଳ୍ପନା କରନ୍ତୁ ।

ନାଲୁ ଟିକେ ଦମ ନେଲା । ଏକାସାଙ୍ଗରେ ଏତେଗୁଡ଼ିଏ କଥା କହି ସେ ଟିକେ ଥକି ଯାଇଥିଲା । ତାର ବୟସ ହେଲାଣି । ଏବେ ଅଳ୍ପ ସମୟରେ ପରିଶ୍ରାନ୍ତ ହୋଇଯାଉଛି ସେ ।

କିନ୍ତୁ ତା ଛାତି ଭିତରେ ଆହରି ବହୁତ କଥା ଜମି ରହିଥିଲା । ସେ ତାକୁ ସମସ୍ତଙ୍କ ଆଗରେ କହିବାକୁ ଚାହୁଁଥିଲା ।

ବନ୍ଧୁଗଣ, ଏ ମଣିଷକୁ ଆମର ପ୍ରଭୁ ବୋଲି ସ୍ୱୀକାର କଲୁ । କ୍ରମଶଃ ପ୍ରଭୁଭକ୍ତ ହେଲୁ । ପ୍ରଭୁଭକ୍ତି ଆମର ସଂସ୍କାର ହୋଇଉଠିଲା । ଏହାକୁ ଆମର ଧର୍ମ ବୋଲି ଜ୍ଞାନ କଲୁ ଆମେ । କିନ୍ତୁ ବନ୍ଧୁଗଣ, ମଣିଷ ବଡ଼ ସ୍ୱାର୍ଥପର ଜୀବ । ଆମେ ସେମାନଙ୍କୁ ବନ୍ଧୁ ବୋଲି ଗ୍ରହଣ କଲୁ । ନିଜ ପ୍ରଭୁ ବୋଲି ମାନ୍ୟତା ଦେଲୁ । ହେଲେ ସେମାନେ କଲେ କଣ?

ସମବେତ କୁକୁରସମାଜ ଆଡ଼କୁ ଆଖି ବୁଲେଇ ନେଇ ନାଲୁ କହିଲା, ମୁଁ ମଣିଷଜାତିକୁ ପ୍ରଶ୍ନ କରିବାକୁ ଚାହୁଁଛି ବନ୍ଧୁଗଣ! କଣ କଲ ତମେ? ଆମକୁ ତମେ ପାଦଚଟା ବୋଲି ନୀଚ ଆଖିରେ ଦେଖିଲ । ଭାବି ଦେଖନ୍ତୁ ବନ୍ଧୁଗଣ, ସିଂହ ପ୍ରଭୁ ଭକ୍ତ ନୁହେଁ । କାହାକୁ ଅନୁସରଣ କରେନି । ତା ମର୍ଜିରେ ଚାଲେ । ତାକୁ ତମେ ବଡ଼ ଖାତିର କର । ତାକୁ ତମେ ବଡ଼ ବୋଲି ମାନ୍ୟ କର । ସିଂହାସନ । ସିଂହଦ୍ୱାର । ସିଂହନାଦ । ପୁଅକୁ କୁହ: ସିଂହ ଭଳି ହ । ସାହସୀ ଝିଅକୁ ବିଶେଷଣ ଦିଅ: ସିଂହକନ୍ୟା । କେହି କେବେ ଶୁଣିଛ ମଣିଷ ତା ପୁଅକୁ କହୁଛି: କୁକୁର ଭଳି ହ । ପିଲାଟିଏ ସାହସର କାମ କିଛି କଲେ କେହି କହେ କି: ଏକଦମ କୁତ୍ତା କା ବଚ୍ଚା । ନା । ସେ କହେ: ଏକସମ ଶେର କା ବଚ୍ଚା! କୁକୁର ଶବ୍ଦଟା ଗୋଟେ ଗାଳି ଭାବରେ ବ୍ୟବହାର ହୁଏ । ଶଳା କୁକୁର । ପାଦଚଟା କୁକୁର । କୁତ୍ତେ କା ବଚ୍ଚା । କୁତ୍ତା କମିନା । ଭାବନ୍ତୁ, ମଣିଷ ପାଇଁ କୁକୁର ତା ନିଜ ଜୀବନ ଦେଇ ଦିଏ । ସେ ହେଲା ପାଦଚଟା କୁକୁର । ବାଘ, ସିଂହ ତମକୁ ମାରି ପକାଏ । ସେମାନେ ହେଲେ ତମର ମଡେଲ । ସେମାନଙ୍କୁ ତମେ ମଞ୍ଚ ଉପରେ ବସାଅ । ମାନ୍ୟତା ଦିଅ । ଦୁର୍ଗାଙ୍କ ବାହନ କିଏ? ନା, ସିଂହ । ଜଗଦ୍ଧାତ୍ରୀଙ୍କ ବାହନ କିଏ? ନା, ବାଘ । ବାଘ ପୁଣି ଶିବପୁତ୍ର ଆୟପ୍ପାଙ୍କର ବି ବାହନ । ବିଶ୍ୱକର୍ମାଙ୍କ ବାହନ ହେଲା ହାତୀ । ଗଣେଶଙ୍କ ବାହନ ହେଲା ମୂଷା । ମା ଷଷ୍ଠୀଙ୍କ ବାହନ ହେଲା ବିଲେଇ । ଶୀତଳା ଦେବୀଙ୍କ ବାହନ ହେଲା ଗଧ । ଶନିଙ୍କ ବାହନ ହେଲା କୁଆ ଆଉ ଶାଗୁଣା । କୁକୁର କାହାର ବାହନ? ଭୈରବର । ସେ କିଏ? ସେ ହେଲେ ଶିବଙ୍କର କୁନି ଅନୁଚର । କୌଣସି ମୁଖ୍ୟ ଦେବାଦେବୀ କୁକୁର ବାହନରେ ନାହାନ୍ତି । ତା ଅର୍ଥ କଣ? ମାନେ ହେଲା ଆମର କିଛି ମାନ୍ୟତା ନାହିଁ ।

ଏଇ ସମୟରେ ଉପସ୍ଥିତ ସବୁ କୁକୁରମାନେ ଭାଉଭାଉ । ଭାଉଭାଉ ଶବ୍ଦରେ ନାଲୁର କଥାକୁ ସମର୍ଥନ କଲେ ।

ଏଇ ସମୟରେ ଦେଖାଗଲା ରକି ଧୀରେ ଧୀରେ ବେଞ୍ଚ ଉପରକୁ ଉଠିଗଲା । ନାଲୁ ପଚାରିଲା, ତୁମେ କଣ କିଛି କହିବ? ରକି କହିଲା, ହଁ । ନାଲୁ ବେଞ୍ଚ ତଳକୁ ଚାଲିଆସିଲା । ରକି ଗମ୍ଭୀର କଣ୍ଠରେ କହିବା ଆରମ୍ଭ କଲା ।

ବନ୍ଧୁଗଣ, ନାଲୁଭାଇ ଆପଣମାନଙ୍କୁ କୁକୁରର ଇତିହାସ କଥା କହିଛନ୍ତି । ଆମେ କୁକୁରମାନେ ଥିଲୁ ବଣ୍ୟ । ଆମେ ନିଜର ସ୍ୱଭାବ ବଦଳାଇଛୁ । ମଣିଷ ସମାଜର ପାଖପାଖି ରହିବାକୁ ଚେଷ୍ଟା କରିଛୁ । ତମର ବନ୍ଧୁ ହୋଇଛୁ । ତମକୁ ପ୍ରଭୁ ଭାବରେ ସ୍ୱୀକାର କରିଛୁ । ଏଇ ହେଲା ତାର ପ୍ରତିଦନ! ମଣିଷଠୁଁ କୃତଘ୍ନ ଜାତି ଆଉ କେହି ନାହିଁ । ତମେ କେବେ ଆମକୁ ନିଜର କଲ? ନିଜର ବନ୍ଧୁ ବୋଲି ଆପଣାର କଲ? ମୁଁ ନିଜେ ସୁଖମୟ ବାବୁଙ୍କ ଘରେ ପୋଷା ହୋଇ ଥିଲି । ଆମ ଭିତରୁ ଯେଉଁ ବନ୍ଧୁମାନେ ମଣିଷ ଘରେ ପୋଷା ଭାବରେ ଅଛନ୍ତି- ମୁଁ ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହଁ- ଆମ ବେକରେ ପଟି ଆଉ ପଟିରେ ଚେନ ବାନ୍ଧି ରାସ୍ତାରେ ଟାଣି ଟାଣି ନେଉଥିଲାବେଳେ ତମ ଭିତରେ କି ଭାବ ଜାଗ୍ରତ ହୁଏ? ବନ୍ଧୁ ଭାବ ନା ପ୍ରଭୁତ୍ୱର ଭାବ? ଆମେ ତମକୁ ସୁରକ୍ଷାଦେବୁ । ରାତିରେ ରାତିରେ ନିଜେ ନ ଶୋଇ ତମ ଘର ଜଗିବୁ । ତମେ ଘର ଆଗରେ ବୋର୍ଡ ମାରିବ: କୁକୁର ପ୍ରତି ସାବଧାନ । ଅର୍ଥାତ ଆମେ ହେଲୁ ତମପାଇଁ ଜୀଅନ୍ତା ପାଳଭୂତ । ତମେ ରୁଟି ଛିଡେ଼ଇ ପକେଇବ । ଆମେ ତାକୁ ଟାକଳା ଭଳି ଗୋଟେଇ ଖାଇବୁ । ତମେ ବିସ୍କୁଟରୁ ଭାଂଗି ଆକାଶକୁ ଫିଙ୍ଗିବ, ଆମେ ଡେଇଁ ପଡ଼ି ତାକୁ ପାଟିରେ ପୂରେଇବୁ । ତମେ ତାକୁ ଦେଖି ଖୁସୀ ହେବ । ଆମେ ସର୍କସର ଜୋକର? ତମ ଘରକୁ କେହି ଆସିଲେ ତମେ ଆମକୁ ସୋ ପିସ ଭଲି ଦେଖେଇ ହୁଅ । ତମେ ସିଟ କହିଲେ ଆମେ ବସିବୁ । ତମେ ଗୋ କହିଲେ ଯିବୁ । ଆମେ ତମର ବୋଲକରା ଚାକର । … ଶଳା ଭାଉ ଭାଉ । ଆମ ଦେହରେ ଏଯାଏଁ ଆଦିମ ବଣ୍ୟ ହେଟାବାଘର ରକ୍ତ ପ୍ରବାହିତ ହେଉଛି ।

ରଜନୀକାନ୍ତ ଏତେ ସମୟ ଧରି ନାଲୁ ଆଉ ରକିର ଭାଷଣ ଶୁଣୁଥିଲା । ସେ ଠିଆ ହୋଇ ପାଟି କଲା, ବନ୍ଧୁଗଣ! ଆମେ ଆଉ ମଣିଷର ଅତ୍ୟାଚାର ସହିବୁନି । ତମ ତଣ୍ଟି କଣା କରି ରକ୍ତ ପିଇଦେବୁ ଆମେ । କୁକୁର ସମାଜ ଜାଗି ଉଠ । ତମର ହରେଇବାର ଆଉ କଣ ଅଛି? ନିଜ ଆତ୍ମ ସମ୍ମାନ ତ ହରେଇ ସାରିଛ । ଆଉ କଣଟା ଅଛି ଯେ ହରେଇବ! ଜାଗ । ଏ ମଣିଷ ମାନଙ୍କ ବିରୋଧରେ ବିଦ୍ରୋହ କର । ମୋ ସହିତ ଏକ ସ୍ୱରରେ କୁହ: କୁକୁର ସମାଜ ଜିନ୍ଦାବାଦ । ଜିନ୍ଦାବାଦ । ଜିନ୍ଦାବାଦ । ଭାଉ ଭାଉ ଭାଉ ।

ମଣିଷ ଜାତି ମୁର୍ଦ୍ଧାବାଦ ।

ଭାଉ । ଭାଉ । ଭାଉ । ଭାଉ ।

ଭୋଳୁ ବି ଏଇ ସମୟରେ ଠିଆ ହୋଇ ପଡ଼ିଲା । କହିଲା, ବନ୍ଧୁଗଣ, ଆମେ ନିଜ ଶକ୍ତିକୁ ଜାଣିବା ଦରକାର । ଆମେ ମଣିଷଠୁଁ ଅଧିକ ଜୋରରେ ଦଉଡ଼ି ମାରିବୁ । ପିଟବୁଲ ଘଣ୍ଟାକୁ ୪୫ ମାଇଲ ମାନେ ପାଖାପାଖି ୭୦ କିଲୋମିଟର ବେଗରେ ଧାଇଁପାରେ । ମଣିଷ ଧାଇଁପାରିବ? ଖୁବ ଜୋରରେ ମଣିଷ ଘଣ୍ଟାକୁ ୪୫ କିଲୋମିଟର ବେଗରେ ଧାଇଁପାରିବ । ଆମେ ମଣିଷଠୁଁ ଅନେକ ଶୀଘ୍ର୍ର ଗୋଟ ଶବ୍ଦର ସୂତ୍ର ଜାଣିପାରିବୁ । ଆମେ ଆମ କାନକୁ ରାଡାର ବୋଲି ବ୍ୟବହାର କରିପାରୁ । ଆମେ ମଣିଷଠୁଁ ଚାରି ଗୁଣ ଦୂରର ଶବ୍ଦ ଶୁଣିପାରୁ । ଆମ ଶୁଂଘିବା ଶକ୍ତି ମଣିିଷଠୁଁ ଢେର ଅଧିକ । ଆମର ୨୦ କୋଟି ସ୍ମେଲ ପରସେପଟର ଅଛି । ମଣିଷର ମାତ୍ର ୫୦ ଲକ୍ଷ । ତଥାପି ଆମେ କାହିଁକି ମଣିଷର ଦାସ ହୋଇ ଜୀବନ ଜୀଇଁବୁ ।

ଉପସ୍ଥିତ ସବୁ କୁକୁରମାନେ ଭାଉଭାଉ ଶବ୍ଦରେ ଭୋଳୁକୁ ସମର୍ଥନ କଲେ । ଏଇ ସମୟରେ ରାନି ଠିଆହୋଇ କହିଲା: ଏ ସବୁ କଥା ତ ଠିକ । କିନ୍ତୁ ଆମେ କରିବା କଣ? ଆମର ପରବତ୍ତୀ କାର୍ଯ୍ୟପନ୍ଥା କଣ ହେବ?

ନାଲୁ କିଛି ସମୟ ବିଶ୍ରାମ ନେଇ ଏବେ ସୁସ୍ଥ ଅନୁଭବ କରୁଥିଲା । ସେ କହିଲା, ବନ୍ଧୁଗଣ! ପ୍ରଥମ କଥା ହେଲା, ଆମକୁ ଏକଜୁଟ ହେବାକୁ ପଡ଼ିବ । ଭରତପୁର ଭଳି ଛୋଟ ସହରରେ ଆମ କୁକୁର ସମାଜ ଦେଖ ଦୁଇଟି ଦଳରେ ବିଭକ୍ତ । ଉପରସାହିର କୁକୁର ସମାଜ ଆଉ ତଳ ସାହିର କୁକୁରସମାଜ ପରସ୍ପରର ଶତ୍ରୁ ହୋଇ ରହିଛି । ବନ୍ଧୁଗଣ! ଏ ଶତ୍ରୁତାକୁ ଭୁଲି ଆମକୁ ଏକାଠି ହେବାକୁ ପଡ଼ିବ । ମୁଁ ଖବର ପାଇଛି ଆଜିର ଘଟଣାରେ ଜଣେ ମଣିଷ ପିଲାର ମୃତ୍ୟୁ ଆଉ ପାଞ୍ଚ ଛ ଜଣ ଆହତ ହେଲା ପରେ ମଣିଷମାନେ ଆମ ଉପରେ ଆକସନ ନେବାକୁ ଯୋଜନା କଲେଣି ।

– ଆକସନ ମାନେ କଣ ଆକସନ? ଏ ପ୍ରଶ୍ନଟି ଅନେକଙ୍କ ମନରେ ଗୁଂଜରିବାକୁ ଲାଗିଲା । ଆଶଙ୍କାର ଏକ ବାଦଲ ଯେମିତି ଘୋଡେ଼ଇଦେଲା ଭରତପୁରର ଆକାଶକୁ ।

– ଆମକୁ ଧରିବା ପାଇଁ ଏବଂ ସମ୍ଭବ ହେଲେ ମାରିବା ପାଇଁ ଯୋଜନା କରାଯାଉଛି ।

ଗୋଟେ ଚାପା ଗୁଂଜରଣ ସୃଷ୍ଟି ହେଲା ସଭାସ୍ଥଳରେ ।

ନାଲୁ ନିଜ ସ୍ୱରକୁ ଉଚ୍ଚା କରି କହିଲା, ବନ୍ଧୁଗଣ! ଏ ସମୟରେ ଆମକୁ ଏକାଠି ହୋଇ ସେମାନଙ୍କ ମୁକାବିଲା କରିବାକୁ ପଡ଼ିବ । ତେଣୁ ମୁଁ ଆହ୍ୱାନ କରିବି ଆଜିଠୁଁ ମହାତ୍ମା ଗାନ୍ଧୀ ବଜାର ଆଉ ଉକ୍ରଳମଣି ନଗରର କୁକୁର ସମାଜ ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତୁ । ମୁଁ ଭୋଳୁ ଆଉ ରଜନୀକାନ୍ତଙ୍କୁ ଏଠି ଏକାଠି ହୋଇ ଥାବାମର୍ଦ୍ଧନ କରିବାକୁ ଅନୁରୋଧ କରିବି । ଏଇଠି ଘୋଷଣା କରି ଦେଉଛି ଏଇ ଶୀତଦିନଠୁଁ ମୋ ପରେ ଭୋଳୁ ହିଁ ହେବ ଉପରସାହି କୁକୁର ସମାଜର ଦଳପତି ।

ଭୋଳୁ ଆଉ ରଜନୀକାନ୍ତ ବେଞ୍ଚ ଉପରକୁ ଚଢ଼ିଆସି ପରସ୍ପରର ଆଗଗୋଡ଼ର ଥାବା ଛୁଆଁଇଲେ । ପରସ୍ପରର ମୁହଁରେ ମୁହଁ ଘସିଲେ । କୁକୁଚର ସମାଜରେ ଏହା ହେଲା ବନ୍ଧୁତ୍ୱର ଚିହ୍ନ ।

ସମବେତ କୁକୁର ସମାଜ ଭାଉ ଭାଉ ଶବ୍ଦରେ ଏହାକୁ ସାଧୁବାଦ ଦେଲେ । ବିଉଟି ଏକ ଳୟରେ ଭୋଳୁକୁ ଚାହିଁଥାଏ । ତା ଟିକି ଛାତି ଗର୍ବରେ ଫୁଲି ଉଠିଲା ।

ନାଲୁ କହିଲା, ବନ୍ଧୁଗଣ, ଦ୍ୱିତୀୟ କାମଟି ହେଲା ବଡ଼ କଠିନ । ଆମ ଭିତରୁ ଅନେକଙ୍କୁ ଏହା ଅତ୍ୟନ୍ତ ନିଷ୍ଠୁର ମନେ ହୋଇପାରେ । କିନ୍ତୁ ବର୍ତ୍ତମାନର କଠିନ ସମୟରେ ଏହା ଛଡ଼ା ମୋତେ ଆଉ କିଛି ବାଟ ଦିଶୁନି ।

– କି କାମ?

– କାଲି ସକାଳୁ ଭରତପୁରକୁ ମଣିଷ ମୁକ୍ତ କରିବାକୁ ପଡ଼ିବ ।

– ମଣିଷ-ମୁକ୍ତ? ମାନେ?

– ମାନେ, ଆମେ ମଣିଷମାନଙ୍କୁ ଭରତପୁର ଛାଡ଼ି ଚାଲିଯିବାକୁ ବାଧ୍ୟ କରିଦେବା ।

– କେମିତି?

– ଆମେ ସମସ୍ତେ ମିଶି ଭରତପୁରର ମଣିଷମାନଙ୍କୁ କାମୁଡ଼ି ଆମ୍ପୁଡ଼ି ଝୁଣି ପକେଇବା । ସେମାନେ ଏ ସହର ଛାଡ଼ି ଚାଲିଯିବେ । ଏ ସହରରେ କେବଳ କୁକୁରମାନେ ରହିବେ । ଇଏ ହେବ ଏ ଦେଶର ପ୍ରଥମ କେବଳ-କୁକୁର ସହର ।

ସଭାସ୍ଥଳରେ ଅକସ୍ମାତ ସମ୍ପୂର୍ଣ୍ଣ ନୀରବତାର ଏକ ଚାଦର ଯେମିତି ବିଛେଇଗଲା । ସମେସ୍ତ ଚୁପ । ସବୁ ମଣିଷଙ୍କୁ ଭରତପୁରରୁ ବାହାର କରିଦେବା…!

କିଛି ସମୟ ପରେ ଠିପି କହିଲା, ନାଲୁ ଅଜା! କଣ କହୁଛ ତମେ!

ରକି କହିଲା, ନାଲୁଅଜା ଠିକ କହୁଛି । ଡେସପରେଟ ଟାଇମସ ନିଡସ ଡେସପରେଟ ମେଜରସ । ଏମିତି ଜଟିଳ ପରିସ୍ଥିତିରେ ଏମିତି ପଦକ୍ଷେପ ହିଁ ଦରକାର । ଆପଣମାନଙ୍କ ଭିତରୁ ହୁଏତ ଅନେକେ ଗୋଟେ କଥା ଜାଣିନଥିବେ – ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୱାର୍ଲଡ ସୋସାଇଟି ଫର ପ୍ରୋଟେକସନ ଅଫ ଆନିମାଲସ ଆଉ ହ୍ୟୁମେନ ସୋସାଇଟି ଅଫ ୟୁନାଇଟେଡ ଷ୍ଟେଟସ ମଇ ୧୯୯୦ରେ ଗୋଟେ ଡଗ ପପୁଲେସନ ମ୍ୟାନେଜମେଣ୍ଟ ଗାଇଡଲାଇନ ତିଆରି କରିଥିଲେ । ଏ ଗାଇଡଲାଇନ ଅନୁସାରେ ବୁଲାକୁକୁରଙ୍କୁ ମାରିବାକୁ ମନା କରାଯାଇଛି । ବରଂ ସେମାନଙ୍କୁ ସେମାନଙ୍କ ଜାଗାରେ ଶାନ୍ତିରେ ରହିବାକୁ ଦେବା ଉଚିତ ବୋଲି କୁହାଯାଇଛି । ଆନିମାଲ ୱେଲଫେୟାର ବୋର୍ଡ ବି ସେଇ କଥା କହୁଛନ୍ତି । କିନ୍ତୁ ଏମାନେ ସେ କଥାକୁ ଅଣଦେଖା କରି ଆମକୁ ମାରିଦେବାର ଘୃଣ୍ୟ ଷଡ଼ଯନ୍ତ୍ର କରୁଛନ୍ତି । ବନ୍ଧୁଗଣ! ଦେଖିବାକୁ ଗଲେ- ମଣିଷ ହେଲା ଆମର ସବୁଠାରୁ ବଡ଼ ଶତ୍ରୁ । କେବଳ ଆମର ନୁହେଁ, ମଣିଷ ହେଲା ସବୁ ପଶୁପକ୍ଷୀମାନଂକ ଶତ୍ରୁ । ସମସ୍ତଙ୍କୁ ମାରି ପକେଇବେ ସେମାନେ । କାହାରି ପାଇଁ ଟିକିଏ ବି ଜାଗା ରଖିବେନି । ବହି ଖୋଲି ଦେଖନ୍ତୁ ବନ୍ଧୁଗଣ, ଗତ ଶହେ ବର୍ଷ ଭିତରେ କେତେ ଜାତିର ପଶୁପକ୍ଷୀକୀଟପତଙ୍ଗ ଏ ସଂସାରରୁ ବିଲୁପ୍ତ ହୋଇ ଗଲେଣି । ଏ ବିଶାଳ ପୃଥିବୀର ସବୁ ଜାଗା ତାଙ୍କର ଦରକାର । ବଣ୍ୟ ପ୍ରାଣୀ ରହିବା ଜାଗାକୁ ନିର୍ବିଚାରରେ ନଷ୍ଟ କରି ଚାଲିଛନ୍ତି ସେମାନେ । ସେମାନେ କେମିତି କେଉଁଠି ରହିବେ, କଣ ଖାଇବେ- କିଛି ଚିନ୍ତା ନାହିଁ । ପୃଥିବୀର ସବୁ ଖାଦ୍ୟ ତାଙ୍କର ଦରକାର । ଆମେ ଆମର ଯେତିକି ଦରକାର ତାଠୁଁ କେବେ ଅଧିକା ବ୍ୟବହାର କରୁନା । ସେମାନେ କରନ୍ତି । ଆଉ ତାପରେ ଜୀବଜନ୍ତୁମାନଂକ ଉପରେ ଦୋଷ ଲଦି ଦିଅନ୍ତି । ଏ ଶଳାଙ୍କୁ ମାରି ପକେଇଲେ ଭଲ । ଏମାନେ ନ ରହିଲେ ପୃଥିବୀ ଶାନ୍ତିରେ ରହିବ । ଇଏ ଏକ ବିଶାଳ ଆନେ୍ଦାଳନ । ଆମେ ତାର ସୂତ୍ରପାତ କରିବାକୁ ଯାଉଛୁ । ଚାଲ ଭାଇମାନେ ଆମେ ଭରତପୁରକୁ ମଣିଷମୁକ୍ତ କରିବା ।

ବିଉଟି କହିଲା, ଭୁକଭୁକ । କିନ୍ତୁ .. ମଣିଷ ବଡ଼ ଶକ୍ତିଶାଳୀ! ବଡ଼ ବୁଦ୍ଧିମାନ! ଆମେ କଣ ସେମାନଙ୍କୁ ପାରିବା?

– ଭାଉ ଭାଉ । ଭାଉ ଭାଉ । ରକି ଗର୍ଜନ କରି ଉଠିଲା, ବିଉଟି ମ୍ୟାଡାମ ନିଜ ଶକ୍ତିକୁ ଅଣ୍ଡରଏଷ୍ଟିମେଟ କରନ୍ତୁନି । କମ କରି ଦେଖନ୍ତୁନି କୁକୁର ଜାତିର ସାମୁହିକ ଶକ୍ତିକୁ । ଆମେ ଏକାଠି ହେଲେ ମଣିଷମାନଙ୍କୁ ଏ ସହର-ଛଡ଼ା କରିବାକୁ ବେଶି ସମୟ ଲାଗିବନି । ଏ ଅବସରରେ ମୁଁ ଭରତପୁରର ପୋଷା କୁକୁରମାନଙ୍କୁ ମଧ୍ୟ ଆହ୍ୱାନ କରୁଛି ସେମାନେ ବି ଏ ଆନ୍ଦୋଳନରେ ସାମିଲ ହୋଇଯାଆନ୍ତୁ । ପୋଷା କୁକୁରମାନଙ୍କୁ ମୁଁ କହିବାକୁ ଚାହେଁ- ବନ୍ଧୁଗଣ ମୁଁ ବି ଦିନେ ପୋଷା କୁକୁର ଥିଲି । ସ୍ୱାଧୀନତା ପାଇଁ ବାହାରି ଆସିଛି । ବିଉଟି ବି ବାହାରି ଆସିଛନ୍ତି । ଆମେ ଜାଣିଛେ ମଣିଷ କେତେ ସ୍ୱାର୍ଥପର । ଆମକୁ ଭଲ ପାଆନ୍ତି ବୋଲି ସେମାନେ ଯାହା କୁହନ୍ତି – ତାହା କେବଳ ଅଭିନୟ । ସେଥିରୁ ଭାସି ଯାଆନ୍ତୁନି ବନ୍ଧୁଗଣ । ଆମେ ସରଳ ବୋଲି ସେମାନଙ୍କ କଥାରେ, ଆଦରର ଅଭିନୟରେ ଭୋଳ ହୋଇଯାଉ ଆଉ ସେମାନଙ୍କୁ ଆମର ପ୍ରଭୁର ମାନ୍ୟତା ଦେଇ ଦେଉ । ଦାସତ୍ୱକୁ ନିଜ ଜୀବନର ଧ୍ୟେୟ ବୋଲି ଭାବି ନେଉ । ବନ୍ଧୁଗଣ, ଆମକୁ ଆମର ଦାସତ୍ୱର ଅଭ୍ୟାସ ବଦଳାଇବାକୁ ପଡ଼ିବ । ସର୍କସର ବାଘ ସିଂହ ବି ମଣିଷର ଦାସତ୍ୱ ସ୍ୱାକାର କରିଛି । ବସ କହିଲେ ବସେ । ଉଠ କହିଲେ ଉଠେ । ବଲ ଗଡ଼ାଏ । ଟେବୁଲରୁ ଟେବୁଲକୁ ଡିଁଏ । ହେଲେ ଏ ସବୁ ସେମାନେ ଦାୟରେ ପଡ଼ି କରନ୍ତି । ହେଲେ ଖୋଲାରେ ଛାଡ଼ିଦେଲେ ସେଇ ବାଘ ସିଂହ ମଣିଷକୁ ନିଜର ବୋଲି ଭାବିବେ କି? ନା । ଆମେ କାହିଁକି ସେମାନଂକୁ ନିଜର ବୋଲି ଭାବୁ? କାରଣ ଦାସତ୍ୱର ଶୃଙ୍ଖଳ ଆମ ଚେତନାକୁ ବାନ୍ଧି ରଖିଛି । ଜାଣି ରଖନ୍ତୁ ଭାଇମାନେ ମଣିଷ ହେଲା ଆମର ଶତ୍ରୁ ।

ମୁଁ ମୋର କୁକୁର ଭାଇମାନଙ୍କୁ ଅନୁରୋଧ କରିବି- ଭରତପୁରର ପ୍ରତ୍ୟେକ ଘରେ, ଯେଉଁଠି ପୋଷା କୁକୁର ଅଛି ସେଠି ଏ ବାର୍ତ୍ତାକୁ ନେଇଯାଆନ୍ତୁ । ପ୍ରତ୍ୟେକ କୁକୁର- ସେ ବୁଲା ହେଉ ବା ହେଉ ପୋଷା- ଏକାଠି ହୁଅନ୍ତୁ । ଆସନ୍ତୁ ସମସ୍ତେ ମିଶି ଏକ ହେବା ଆଉ ଭରତପୁର ସହରକୁ ମଣିଷ-ମୁକ୍ତ କରିବା । ଏ କଥାରେ ସମବେତ କୁକୁର ସମାଜରେ ଏକ ଉଦ୍ଧୀପନାର ଲହର ଖେଳି ଗଲା । ଉପସ୍ଥିତ କୁକୁରମାନେ ଭାଉଭାଉ ଶବ୍ଦରେ ଗଗନପବନ ପ୍ରକମ୍ପିତ କରି ପକାଇଲେ ।

ଭୋଳୁ କହିଲା, ଠିକ ଅଛି ତେବେ କାଲି ସକାଳୁ ଭରତପୁରର କୁକୁର ସମାଜ ମଣିଷ ବିରୁଦ୍ଧରେ ଆକସନରେ ଓହ୍ଲେଇବ । ଉପରସାହି ତଳସାହି ଦୁଇ ସାହିର କୁକୁରମାନେ ଏକାଠି ଏକମନରେ ଆକ୍ରମଣ କରିବେ । କୁହ ସମେସ୍ତ: କୁକୁର ସମାଜ ଜିନ୍ଦାବାଦ ।

ସମବେତ କୁକୁରମାନେ ସ୍ଲୋଗାନ ଦେଲେ: ଜିନ୍ଦାବାଦ । ଜିନ୍ଦାବାଦ ।

ନାଲୁ କହିଲା, ଉପରସାହି କୁକୁର ସମାଜର ନେତୃତ୍ୱ ନେବ ଭୋଳୁ । ଆଉ ତଳ ସାହିର ନେତା ହେଉଛନ୍ତି ରଜନୀ ।

ଭୋଳୁ କହିଲା, ବଜାରର ଦୁଇ ପଟରୁ ଆରମ୍ଭ ହେବ ଆକ୍ରମଣ ।

ରକି କହିଲା, ଭୋଳୁ ଭାଇ ମୁଁ ରହିବି ତମ ସାଙ୍ଗରେ ।

ରାନି କହିଲା, ରକି ଯେଉଁଠି ରାନି ବି ସେଇଠି ରହିବ ।

ବିଉଟି କହିଲା, ମୁଁ ବି ଭୋଳୁ ସହିତ ରହିବି ।

ଭୋଳୁ କହିଲା, ନା । ବିଉଟି, ତମେ ଆମ ସହିତ ଯିବନି । ତମେ ପଛରେ ରହିବ । ଏ ଯୁଦ୍ଧରେ ଆମ ଭିତରୁ ନିଶ୍ଚୟ କିଛି ଖଣ୍ଡିଆ ଖାବରା ହେବେ । ତୁମେ ସେମନଙ୍କ ଶୁଶ୍ରୁଷା କରିବ ।

– ନାଇଁ ମୁଁ ତମ ସାଂଗରେ ଯିବି ।

– ଭୋଳୁ କହିଲା, ଦେଖ ବିଉଟି ଯୁଦ୍ଧର ପ୍ରଥମ ନିୟମ ହେଲା ଦଳପତି ଯାହା କହିବେ ତାକୁ ମାନିବା । ଦଳପତି ଭାବରେ ମୁଁ ତମକୁ ଆଦଶ ଦେଉଛି ତୁମେ ପଛରେ ରହିବ ।

ବିଉଟିର ମନ ମାନୁ ନଥିଲେ ବି ବଡ଼ କୁଣ୍ଠିତ ଭାବରେ ହଁ ମାରିଲାା ଏକ ଅଜଣା ଆଶଙ୍କାରେ ତାର ଛାତି କେମିତି ଥରି ଉଠୁଥିଲା । ତାର କେମିତି ମନେ ହେଉଥିଲା ଭୋଳୁକୁ ପାଇ ତା ଜୀବନରେ ସୁଖର ଯେଉଁ ଆଶା ସେ ବାନ୍ଧିଥିଲା ତାହା ବୋଧହୁଏ ପାଣିଫୋଟକା ପରି ମିଳେଇ ଯିବ ।

ଠିକ ହେଲା- ତଳ ସାହିର ଆକ୍ରମଣର ନେତୃତ୍ୱ ନେବ ରଜନୀକାନ୍ତ । ତାର ଦୁଇ ସେନାପତି ଠିପି ଆଉ ବୋତଲ ଭୋ ଭୋ ଶବ୍ଦରେ କହିଲେ: ଆଜି ଆମକୁ ମଉକା ମିଳିଛି ଆମେ ମଣିଷ ଜାତିକୁ ତାଙ୍କ ଔକାତ ଦେଖେଇ ଛାଡ଼ିବୁ । ଏମିତି ଭାବରେ ସେମାନଙ୍କୁ ହଲାପଟା କରିବୁ ଯେ ସେମାନେ ବାପକୁ ମଉସା, ମାକୁ ମାଉସୀ ବୋଲି ଡାକି ଭରତପୁର ଛାଡ଼ି ପଳେଇବେ ।

ତା କଥାର ଭଙ୍ଗୀମାରେ ଅନେକ କୁକୁର ହସି ପକେଇଲେ । ଅବସ୍ଥା ଯେମିତି ହେଉ ନା କାହିଁକି- ମଣିଷ ହସି ପାରେ । କୁକୁର ବି ।

…. …. ….

କୁକୁରମାନଙ୍କ ସଭା ଆରମ୍ଭ ହେଲାବେଳୁ ବହୁ ସମୟ ଧରି ଦାଶୁ ଚୁପଚାପ ବସିଥିଲା । ତାପରେ ବୋଧହୁଏ ଶୋଇପଡ଼ିଥିଲା । ଏବେ ଉଠି ବସି କହିଲା: କଣ ହେଲା?
ଭୋଳୁ ତା ଦେହରେ ଘସି ହୋଇ କହିଲା, ଦାଶୁଭାଇ ଭଲ ହେଲା ତୁମେ ପାଗଳ । ମଣିଷ ନୁହଁ । ନହେଲେ କାଲି ତମର ବେଳ ବଡ଼ ଖରାପ ହୋଇଥାନ୍ତା ।
ଦାଶୁ କିଛି ବୁଝି ପାରିଲାନି । ବଲ ବଲ କରି ଚାହିଁଲା ।
ବୋତଲ କହିଲା, ଦାଶୁ ଭାଇ ତମେ କାଲି ସ୍କୁଲ ବାରଣ୍ଡାରେ ରହିବ । ରାସ୍ତାକୁ ବାହାରିବନି । ହେଲା । କଉ ସମୟରେ କଉ କଥା ।
ଦାଶୁ ଏକଥାର ବି କିଛି ମାନେ ବୁଝି ପାରିଲାନି । ଆଉ ପୁଣି ଶୋଇ ପଡ଼ିଲା ।
ସଭା ସାଂଗ ହେଲା ବେଳକୁ ଶେଷ ରାତ୍ରିର ଗଭୀର ଅନ୍ଧାର ପୃଥିବୀକୁ ଘେରି ଧରିଛି ।