Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସର ଶେଷ ଭାଗ: କୁକୁର କାହାଣୀ (୧୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ଶେଷ ଭାଗ)

୧୧: ଯୁଦ୍ଧ: ସ୍ୱେଦ, ରକ୍ତ, ଅଶ୍ରୁ

ପରଦିନ ସକାଳ ଦେଖିଲା ଏକ ଅଭୂତପୂର୍ବ ଦୃଶ୍ୟ । ସାରା ଭରତପୁରରେ ମଣିଷ ଆଉ କୁକୁର ଭିତରେ ଲଢେ଼ଇ । କୁକୁରମାନେ ମଣିଷ ଦେଖିଲାମାତ୍ରେ ସେମାନଙ୍କ ଆଡ଼କୁ ଗୋଡେ଼ଇ ଯାଇ, କାହା ଉପରକୁ ଡେଇଁପଡ଼ି କାମୁଡ଼ିବାକୁ ଆମ୍ପୁଡ଼ିବାକୁ ଲାଗିଲେ । ଅନ୍ୟପକ୍ଷରେ ଦଳଦଳ ଲୋକ ଲାଠି ଆଉ ତେଣ୍ଟା ଧରି କୁକୁର ଦେଖିଲାମାତ୍ରେ ଆକ୍ରମଣ କରିବାକୁ ଲାଗିଲେ ।

ସାରା ଭରତପୁରରେ ଏମିତି ଅବସ୍ଥା କେହି କେବେ ଦେଖିନଥିଲେ । ରାସ୍ତା ଜନଶୂନ୍ୟ । ସ୍କୁଲ କଲେଜ ଅଫିସ କଚେରି ବନ୍ଦ । ଦୋକାନ ବଜାର ବନ୍ଦ । ଚାରିଆଡେ଼ ଆତଙ୍କର ପରିବେଶ । ରାସ୍ତାରେ କେବଳ ଟହଲ ମାରୁଛନ୍ତି ଦଳ ଦଳ ଲାଠିଧାରୀ ଲୋକ । କୁକୁର ଦେଖିଲାମାତ୍ରେ ଚାରିପଟୁ ଘେରିଯାଇ ସେମାନଙ୍କ ଉପରେ ଜାଲ ଫୋପାଡ଼ି ଦେଇ ଧରି ନେଉଛନ୍ତି ଆଉ ତା ପରେ ପିଟି ପିଟି ମାରିଦେଉଛନ୍ତି । ଆଉ କିଛି ଲୋକ ଗୋଟେ ରାସ୍ତାରେ ଜାଲ ବିଛେଇଦେଉଛନ୍ତି । ଆଉ ଆରପଟରୁ କୁକୁରଙ୍କୁ ଗୋଡେ଼ଇ ନେଇ ଆସୁଛନ୍ତି । ପ୍ରାଣ ବିକଳରେ ଦଉଡ଼ୁଥିବା କୁକୁରଟି ଜାଲରେ ଛନ୍ଦି ହୋଇଯାଉଛି ।

ଏମିତି ଏକ ଦଳ ସହିତ ଥିଲେ ହରିପଦ ବାବୁ । ଭରତପୁର ପଶୁ କ୍ଳେଶ ନିବାରଣୀ ସଂଘର ସମ୍ପାଦକ । ଆଉ ତାଙ୍କ ସହିତ ଏ ସଂଘର ଆଉ ଚାରି ଜଣ ସଭ୍ୟ । ସମସ୍ତଙ୍କ ହାତରେ ଲାଠି । ଅତୀତରେ ଏ ସଂଘ ବୁଲା ଗାଈଗୋରୁ କୁକୁର ବିଲେଇଙ୍କୁ ଯେମିତି କେହି କ୍ଲେଶ ନ ଦିଅନ୍ତି ସେଥିପାଇଁ ଅନେକ ଜନ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ସ୍କୁଲ କଲେଜରେ ଯାଇ ସଭାସମିତିମାନ କରିଛନ୍ତି । ଏ ସମୟରେ ସେମାନଙ୍କୁ ଲାଠି ହାତରେ ଦେଖି କିଏ ଜଣେ ପଚାରିଲା, ଆରେ ହରିପଦବାବୁ ଆପଣ ଏଠି? ଆଉ ଆପଣଙ୍କ ହାତରେ ଲାଠି?

– ହଁ, ଶଳା ବୁଲା କୁକୁରଗୁଡ଼ାକୁ ଆଜି ମୁଁ ଖତମ କରିବି ।
– ଆପଣ ଖତମ କରିବେ?
– ହଁ । ଜାଣିଛନ୍ତି, ମୋ ପୁଅକୁ କାଲି କାମୁଡ଼ିଦେଇଛି କିଛି କୁକୁର । ଇଂଜେକସନ ତ ଯାହା ନେଲା, ଏ ପର୍ଯ୍ୟନ୍ତ ଟ୍ରମାରେ ଅଛି ପୁଅ ମୋର । ଡରରେ ଥରୁଛି । ଡାକ୍ତର କହିଲେ, ଏମିତି ଅବସ୍ଥା ରହିଲେ ତାକୁ ସାଇକ୍ରିୟାଟିଷ୍ଟ ଦେଖେଇବାକୁ ପଡ଼ିବ । ମୁଁ ଛାଡ଼ିବିନି । ଚାରି ଛଟା କୁକୁରର ମୁଣ୍ଡ ନେବି ।
– କିନ୍ତୁ ଆପଣ ପରା ବୁଲା କୁକୁରଙ୍କୁ ମାରିବା ବିରୋଧରେ..
– ମାରିବା ନୁହେଁ । ମୁଁ ପଶୁମାନଙ୍କୁ କ୍ଳେଶ ମାନେ କଷ୍ଟ ଦେବା ବିରୋଧରେ ।
– ଆଉ ମାରିବା କଥା କହୁଛନ୍ତି…
– ହଁ କହୁଛି । ମୃତ୍ୟୁ ହେଲା ସବୁ କ୍ଳେଶର ଅବସାନ । ମରିଗଲେ ଆଉ କଷ୍ଟ କାହିଁ! ତେଣୁ ଏ ବଜ୍ଜାତ ପଶୁମାନଙ୍କର ସବୁ କଷ୍ଟର ମୁଁ ଆଜି ଅନ୍ତ କରିଦେବି । ଗୋଟା ଗୋଟାକୁ ଶେଷ କରିଦେବି ।
…. …. ….

ଭରତପୁର ସ୍କୁଲ ପାଖରେ ଭୋଳୁ ଧରାପଡ଼ିଗଲା ଏକ ଦଳ ବିଛେଇଥିବା ଜାଲରେ । ତାର ସାମ୍ନା ଗୋଡ଼ଟି ଜାଲ ଭିତରେ ପଶିଗଲା ଯେ ସେ ଆଉ ତାକୁ ବାହାର କରି ପାରୁନଥିଲା । ତାକୁ ରକ୍ଷା କରିବାକୁ ଯାଇ ରକି ବି ଜାଲରେ ପଡ଼ିଗଲା । ଉଭୟେ ଲାଠି ମାଡ଼ରେ ରକ୍ତାକ୍ତ, ତେଣ୍ଟାର ଶାଣିତ ଇସ୍ପାତ-ଫଳକ ସେମାନଙ୍କ ଦେହକୁ ବାରମ୍ବାର ବିଦ୍ଧ କରୁଛି, ମୃତ୍ୟୁ ଯେତେବେଳେ ନିକଟେଇ ଆସିଲା- ପରସ୍ପରକୁ ଶାନ୍ତ୍ୱନା ଦେଲେ: ଏକାଠି ମରୁଛୁ । ପରଜନ୍ମ ବୋଲି ଯଦି କିଛି ଥାଏ- ତେବେ ଆମେ ପୁଣି କୁକୁର ଜନ୍ମ ନେବା । ଗୋଟିଏ ମାର ପେଟରୁ ଜନ୍ମ ନେବା । ଭାଇ, ମଣିଷ ଜନ୍ମ ନେବାନି । ହେ ଈଶ୍ୱର ଆମକୁ ମଣିଷ କରି ଜନ୍ମ ଦେବନି ।
…. …. ….

ଭୋଳୁକୁ ଜାଲରେ ଧରିବା ଦଳ ଭିତରେ ସୁଖମୟ ବାବୁ ନ ଥିଲେ । ସେ ପାଖରେ ଠିଆ ହୋଇ ଏ ଦୃଶ୍ୟ ଦେଖୁଥିଲେ । କିଛି ଲୋକଙ୍କୁ ରକ୍ତ, ଯନ୍ତ୍ରଣାରେ ଛଟଫଟ ହେଉଥିବା ପ୍ରାଣୀମାନଙ୍କୁ ଦେଖିବାକୁ ବୋଧେ ଭଲ ଲାଗେ । ସେମାନେ ଦୁର୍ଘଟଣାର ଦୃଶ୍ୟ ପାଖରେ ଠିଆ ହୋଇ ଦେଖନ୍ତି କିଏ କେତେ ଆହତ ହୋଇଛି । ଭୋଳୁ ଯେତେବେଳେ ଜାଲରେ ପଡ଼ିଗଲା, ରକି କେଉଁଠି ଥିଲା ଝପଟି ଆସିଲା ଆଉ ତାକୁ ବଞ୍ଚେଇବାକୁ ଚେଷ୍ଟା କଲା । କିନ୍ତୁ ଭୋଳୁକୁ ଜାଲରୁ ଛଡେ଼ଇବା ବଦଳରେ ସେ ବି ଜାଲରେ ଫସିଗଲା । ସୁଖମୟ ବାବୁ ଯେତେବେଳେ ଦେଖିଲେ ରକି ଜାଲରେ ଫସିଯାଇଛି- ଜାଲରୁ ଯେତେ ନିଜକୁ ମୁକୁଳାଇବାକୁ ଚେଷ୍ଟା କରୁଛି- ସେତେ ଜଡେ଼ଇ ହୋଇ ଯାଉଛି- ସେ ଗୋଟେ ବଡ଼ ପଥର ଉଠେଇ ତା ଉପରକୁ ଜୋରରେ ଫୋପାଡ଼ିଦେଲେ । ପଥରଟା ବାଜିଲା ରକି ପିଠିରେ । ରକି ବୁଲି ଦେଖିଲା ଆଉ ସୁଖମୟ ବାବୁଙ୍କ ଆଡ଼କୁ ଝପଟି ଆସିବାକୁ ଚେଷ୍ଟା କଲା । କିନ୍ତୁ ନାଇଲନର ମଜବୁତ ଜାଲ ଛିଡେ଼ଇବା ତା ପକ୍ଷରେ ସମ୍ଭବ ନ ଥିଲା । ସେ ଗର୍ଜନ କରି ଉଠିଲା । ସୁଖମୟ ବାବୁ ଗୋଟେ ମୋଟା ଲାଠି ନେଇ ଆଗେଇ ଯାଇ ତା ମୁଣ୍ଡକୁ ଶକ୍ତ ପାହାରଟିଏ ଦେଲେ । ଶଳା- ମୋ ପାଦ ତଳେ ରହିବା କୁକୁର, ମୋ ଆଡ଼କୁ ଝପଟି ଆସୁଛୁ! ରକିର ମୁଣ୍ଡ ଫାଟି ରକ୍ତ ଝରି ଆସିଲା ।

ଏ ଘଟଣା ଯେଉଁଠି ଘଟୁଥିଲା ତା ପାଖ ଗଳିରେ ଗୋଟେ ଗୁମୁଟି ତଳେ ଲୁଚି ଥିଲେ ରାନି ଆଉ ଭୋଳୁ ଦଳର ପାଞ୍ଚଟି କୁକୁର । ସୁଖମୟ ବାବୁ ରକି ମୁଣ୍ଡକୁ ଲାଠିରେ ପିଟୁଛନ୍ତି ଦେଖି ରାନି ଲୁଚିଥିବା ଜାଗାରୁ ବାହାରି ଝପଟି ଗଲା ସୁଖମୟ ବାବୁ ଆଡ଼କୁ । ତା ପଛେ ପଛେ ପୋଟଳ, ଖଗା, ବୁଲା ସମସ୍ତେ ଝପଟି ଗଲେ । ଆଉ ଡେଇଁ ପଡ଼ିଲେ ସୁଖମୟ ଉପରକୁ । ସୁଖମୟ ବାବୁ ବା ସେଠି ଉପସ୍ଥିତ ଲୋକମାନେ ଧାରଣା କରି ପାରିନଥିଲେ ହଠାତ ଦଳେ କୁକୁର ଏମିତି ଭାବରେ ଆକ୍ରମଣ କରିବେ । ସେମାନେ ଛିନଛତ୍ର ହୋଇ ଧାଇଁ ପଳେଇଲେ । ସୁଖମୟ ବାବୁ ମୋଟା ଲୋକ । ସେ ଦୁଲଦାଲ କଚାଡ଼ି ହୋଇ ତଳେ ପଡ଼ିଲେ । ରାନି ପ୍ରଚଣ୍ଡ ରାଗରେ ସୁଖମୟ ବାବୁଙ୍କ ତଣ୍ଟିିକୁ କାମୁଡ଼ି ଧରିଲା । ତାର ଯେତେ କ୍ରୋଧ, ଯେତେ ପ୍ରତିଶୋଧର ନିଆଁ ଥିଲା ସବୁ ତକ ଦେଇ କାମୁଡ଼ି ଧରିଲା । ସୁଖମୟ ବାବୁ ଛାଟି ପିଟି ହଉଥିଲେ । ନିଜକୁ ମୁକ୍ତ କରିବାର ଆପ୍ରାଣ ଚେଷ୍ଟା କରୁଥିଲେ । ସେତେବେଳେକୁ କିଛି ଲୋକ ତାଙ୍କୁ ରକ୍ଷା କରିବା ପାଇଁ ରାନି ଆଉ ଅନ୍ୟ କୁକୁରମାନଙ୍କୁ ଟେକା ପଥର ମାରିବାକୁ ଲାଗିଲେ । ଅନ୍ୟମାନେ ପ୍ରାଣବିକଳରେ ପଳେଇ ଗଲେ । କିନ୍ତୁ ରାନି ସୁଖମୟର ତଣ୍ଟିକୁ କାମୁଡ଼ି ଧରିଥାଏ । ଲୋକମାନେ ପାଖକୁ ଆସି ଲାଠିରେ ତାକୁ ପିଟିବାକୁ ଲାଗିଲେ । ହେଲେ ରାନି ତାର ସବୁତକ ଶକ୍ତି ଦେଇ କାମୁଡ଼ି ଧରିଥିଲା ସୁଖମୟବାବୁଙ୍କ ତଣ୍ଟି ।

ତାପରେ ରାନି ଖତମ । ସୁଖମୟବାବୁ ବି ଖତମ ।
…. …. ….

୨୪ ଘଣ୍ଟା ନୁହେଁ । ଦୁଇ ଦିନ ଲାଗିଲା । ଦୁଇ ଦିନ ଭିତରେ ଅପରେସନ କ୍ଲିନ-ଅପ ଶେଷ । ଏସପି କଲେକ୍ଟର ଉପରକୁ ଖବର ଦେଲେ: ଅପରେସନ କ୍ଲିନ-ଅପ ସକସେସଫୁଲ । ଯେଉଁ କୁକୁରଗୁଡ଼ିକ ମଣିଷଙ୍କୁ କାମୁଡ଼ିଥିଲେ ସବୁ ନିଉଟ୍ରାଲାଇଜଡ । ସମସ୍ତଙ୍କୁ ମାରି ଦିଆଯାଇଛି । ମୋଟ ୪୫ଟି କୁକୁର ମାରି ଦିଆଯାଇଛି । ସବୁ ବଡି ସାଇଣ୍ଟିଫିକାଲି ହାଇଜେନିକାଲି ଡିସପୋଜ କରି ଦିଆଯାଇଛି । ଅନ୍ୟ କୁକୁରମାନଙ୍କୁ ଜନ୍ମ ନିୟନ୍ତ୍ରଣ ଅସ୍ତେ୍ରାପଚାର କରିବାର ଯୁଦ୍ଧକାଳୀନ ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କୁ ଆଣ୍ଟି-ରାବିଜ ଇଂଜେକସନ ଦେବାର ବି ବ୍ୟବସ୍ଥା କରାଯାଉଛି ।
…. …. ….

ସହର ପ୍ରଶାସକ ଡଗ ସ୍କୋଆଡର ଲୋକମାନଙ୍କୁ କହିଲେ, ଆବେ ବଡ଼ ଗାତ ଖୋଳ । ସେଥିରେ ମଲାକୁକୁରଗୁଡ଼ାକୁ ପକାଅ । ସେଥିରେ ଦଶବାର ବସ୍ତା ଲୁଣ ପକାଅ । ଡିକମ୍ପୋଜ ଶୀଘ୍ର ହେବ । ଦୁର୍ଗନ୍ଧ ହେବନି । ବାସ । ସେ ଗାତକୁ ପୋତ । ତା ଉପରେ ବୃକ୍ଷରୋପଣ କରିଦିଅ । ବାସ । ବୃକ୍ଷରୋପଣ ବି ହେଲା । ଲାସ ବି ଠିକଣା ହୋଇଗଲା ।

– ହେଲେ ସାର, ଏଇ ଶରତରେ ବୃକ୍ଷରୋପଣ । ଏବେ ଗଛଚାରା ଲଗେଇବା ସମୟ ନୁହେଁ ।
– ସଟଅପ । ମଣିଷର ରମଣର ଯେମିତି କିଛି କିଛି ନିର୍ଦ୍ଧଷ୍ଟ ସମୟ ନାହିଁ, ସେମିତି ସରକାରୀ ବୃକ୍ଷରୋପଣରେ ବି କିଛି ଫିକସଡ ଟାଇମ ନାହିଁ । ଯେତେବେଳେ ଇଚ୍ଛା, ଯେତେବେଳେ ମଉକା ମିଳୁଛି କରି ପକାଅ । ବାସ । କଉ ଶଳା ସେ ଗଛ ବଞ୍ଚିବ? ଆମେ ଲଗେଇବା କଥା । ଯଦି ବଞ୍ଚିିଲା ତେବେ ସେ ଗଛର ଭାଗ୍ୟ । ଆମେ ନିମିତ୍ତମାତ୍ର ।
…. …. ….

ମାସେ ପରେ । ଭରତପୁରକୁ ଦେଖିଲେ ଜାଣିହେଉନି ଏଠି ମଣିଷ ଆଉ କୁକୁର ଭିତରେ ଏତେ ବଡ଼ ଲଢେ଼ଇଟିଏ ହୋଇଥିଲା । ବଜାରହାଟ, ସ୍କୁଲ କଲେଜ ସବୁ ସ୍ୱାଭାବିକ ଭାବେ କାମ କରୁଛି । କେବଳ ଭରତପୁରରେ କୁକୁର ସଂଖ୍ୟା କମିଯାଇଛି । ଭୋଳୁ ଆଉ ରକି ଆଉ ନାହାନ୍ତି । ରାନି ବି ନାହିଁ ।

ବିଉଟି ବଂଚିଛି । ତା ବେକରେ ପଟିଟା ଥିଲା । ସେଥିରୁ ସେ ଯେ ପୋଷା-କୁକୁର ତାହା ଜଣାପଡ଼ିଲା । ପୋଷା-କୁକୁର ମାରିବାକୁ ବାରଣ ଥିଲା । ତେଣୁ ତାକୁ କେହି ମାରିଲେନି । ତାପରେ ସେ ଯେତେ ସୁନ୍ଦରୀ ତାକୁ ବୁଲାକୁତ୍ତି ବୋଲି କେହି ବିଶ୍ୱାସ କଲେନି । ଡଗ ସ୍କ୍ୱାଡର ଲୋକେ ତାକୁ ଆଣି ସହର-ପ୍ରଶାସକଙ୍କୁ ଦେଲେ । ସହର ପ୍ରଶାସକ ତାକୁ ନିଜ ଘରକୁ ନେଇଗଲେ । ସେ ଏବେ ସହର-ପ୍ରଶାସକଙ୍କ ଘରେ ଅଛି । ଏବେ ବି ସେ ଭୋଳୁକୁ ଝୁରୁଛି ।
…. …. ….

ଏ ଘଟଣା ପରେ ଦାଶୁକୁ ଆଉ ଭରତପୁରରେ ଦେଖା ଯାଇ ନାହିଁ । ସେ କୁଆଡେ଼ ଗଲା କେଜାଣି!

(ଶେଷ)

Leave A Reply

Your email address will not be published.