ଭୁବନେଶ୍ୱର: ରବିବାର ସଂଧ୍ୟା । ବାହାରେ ବେହେଲା ବଜାଉଥିଲା ବର୍ଷା । ପୋଲିସ ଭବନର ଭବ୍ୟ ପ୍ରେକ୍ଷାଳୟରେ ଲାଗିଥିଲା ଭିଡ଼ । ଓଡ଼ିଶାର ନାମୀଦାମୀ ଦିଗ୍ଗଜ ଲେଖକ-ଲେଖିକା ଖୁନ୍ଦି ହେଇଥିଲେ ହଲ୍ ସାରା । ଏପରି ଏକ ସଂଭ୍ରାନ୍ତ ଓ ସଲଜ୍ଜ ପରିବେଶରେ ଲୋକାର୍ପିତ ହେବାକୁ ଥିଲା ଜ୍ଞାନପୀଠ ବିଜୟିନୀ ଭାରତୀୟ ଲେଖିକା ଡକ୍ଟର ପ୍ରତିଭା ରାୟଙ୍କ ସଦ୍ୟତମ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ ।
ପ୍ରେକ୍ଷାଳୟରେ ପଶୁପଶୁ ଅତିଥିମାନଙ୍କୁ ବାଟ କଢେ଼ଇ ନିଆଯାଉଥିଲା ଜଳଯୋଗ ଗୃହକୁ । ସ୍ୟାଣ୍ଡ୍ଉଇଚ୍, କଟଲେଟ୍, ଘୁଘୁନି ସାଙ୍ଗକୁ ଗରମ ଗରମ ବରା ଓ ଆଳୁଚପ୍ । ତା ସହିତ ସ୍ୱାଦିଷ୍ଟ ମିଷ୍ଟାହ୍ନ ଓ ଚା । ନିଜେ ଲେଖିକା ବୁଲିବୁଲି ସମସ୍ତଙ୍କ ଖାଇବା କଥା ବୁଝୁଥିଲେ । ହସଖୁସି କରୁଥିଲେ । କେହିଜଣେ ଶୁଭେଚ୍ଛା ଜଣେଇ ଲେଖିକାଙ୍କ ହାତକୁ ବଢେ଼ଇ ଦେଇଥିଲେ ମହାପ୍ରସାଦ ପୁଡ଼ିଆଟିଏ । ବୋଧେ ସେ ଅତିଥି ପୁରୀରୁ ଆସିଥିଲେ!
ସଂଧ୍ୟା ସାତଟା ପାଖାପାଖି । ପ୍ରେକ୍ଷାଳୟର ଆଲୁଅ ଲିଭିଗଲା । ଦୃପ୍ତ ଗଂଭୀର ସ୍ୱରରେ ଭାସିଆସିଲା ଉପନ୍ୟାସର କିଛି ଅଂଶ । ସାରା ହଲ୍ ନିଶ୍ଚୁପ । ଶବ୍ଦମାନେ ଘଟଣା ଓ ଚରିତ୍ର ହୋଇ ଦିଶିଯାଉଥିଲେ ସେଇ ଅନ୍ଧାର ଭିତରେ । ହଠାତ୍ ଫେରିଆସିଲା ଆଲୁଅ ଏବଂ ମଂଚପ୍ରବେଶ କଲେ ବିଶିଷ୍ଟ କଥାକାର ତଥା ଉତ୍ସବର ସଂଚାଳକ ଦେବପ୍ରସାଦ ଦାଶ । ସୂଚନା ଓ ସ୍ୱାଗତ ଭାଷଣ ପରେ ମଂଚାସୀନ ହେଲେ ନିମନ୍ତ୍ରିତ ଅତିଥିଗଣ । ପ୍ରଦାନ କରାଗଲା ପୁଷ୍ପଗୁଚ୍ଛ । ପ୍ରଜ୍ଜ୍ୱଳିତ ହେଲା ପ୍ରଦୀପ । ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେଲା ଡକ୍ଟର ପ୍ରତିଭା ରାୟଙ୍କ ୨୩ତମ ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ର ଅନାବରଣ ଉତ୍ସବ ।
କାହାର ଏ ପୃଥିବୀ? କିଏ ପ୍ରେରକ? କିଏ ପ୍ରାପକ? ଗୋଟେ କୁଆଁରୀ ମାତାଠାରୁ ଜନ୍ମନେଇଥିବା ନବଜାତ ଶିଶୁର ‘କୁଆଁକୁଆଁ’ ମନ୍ତ୍ରଧ୍ୱନି ହୋଇ ଘୂରିବୁଲୁଥିଲା ଗଗନ ପବନ । ସେ କୁଆଁକୁଆଁର ନା ଥିଲା ଦେଶ, ନା ଥିଲା ଭାଷା, ନା ଥିଲା ଜାତି, ନା ଥିଲା ଧର୍ମ । ସେ ନବଜାତକୁ ପୃଥିବୀର ଠିକଣାରେ ଉତ୍ସର୍ଗ କରୁଥିଲା କୁଆଁରୀ ମାତା !
ଲେଖିକାଙ୍କ ଉପସ୍ଥିତିରେ ଏମିତି ଏକ ଅଦ୍ଭୁତ ଓ ଆକର୍ଷଣୀୟ ଉପସଂହାର ଥିବା ଉପନ୍ୟାସ ‘ପ୍ରାପ୍ତେଷୁ ପୃଥିବୀ’ର ଲୋକାର୍ପଣ କରିଥିଲେ ଜ୍ଞାନପୀଠ ବିଜେତା ବିଶିଷ୍ଟ କବି ଡ. ସୀତାକାନ୍ତ ମହାପାତ୍ର, ସୁଲେଖକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ପ୍ରଫେସର ବସନ୍ତ କୁମାର ପଣ୍ଡା ଏବଂ ସମାଜର ସଂପାଦକ ବାମାପଦ ତ୍ରିପାଠୀ । ଡକ୍ଟର ରାୟଙ୍କର ଏହା ଥିଲା ୨୩ତମ ଉପନ୍ୟାସ, ଯାହା ତାଙ୍କର ପୂର୍ବବର୍ତ୍ତୀ ଉପନ୍ୟାସ ‘ଶେଷ ଈଶ୍ୱର’ର ଥିଲା ସିକ୍ୱେଲ୍ ବା ଉତ୍ତରପର୍ବ ।
ଉତ୍ସବର ଆଦ୍ୟପର୍ବରେ ନିଜ ଅନ୍ତରଙ୍ଗ ବାନ୍ଧବୀ ପ୍ରଫେସର ଅଗସ୍ତି ମହାନ୍ତିଙ୍କୁ ଉନ୍ମୋଚିତ ପୁସ୍ତକର ପ୍ରଥମ କପି ପ୍ରଦାନ କରିଥିଲେ ଡକ୍ଟର ରାୟ । ପ୍ରଫେସର ମହାନ୍ତି ପ୍ରତିକ୍ରିୟାରେ ଉପନ୍ୟାସ ଗଢ଼ଣ ବେଳର କିଛି ରୋଚକ ଘଟଣା ବର୍ଣ୍ଣନା କରିଥିଲେ ।
ନିଜ ଲେଖକୀୟ ବକ୍ତବ୍ୟରେ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆକାଶରୁ ତୋଳିକି ଉପନ୍ୟାସ ଲେଖାଯାଏ ନାହିଁ, ସେଥିପାଇଁ ମାଟି ଦରକାର । ଦୀର୍ଘ ଆଠ ମାସ ଧରି ସେ ଉପନ୍ୟାସର ଚରିତ୍ର ଓ ପରିବେଶ ଭିତରେ ବୁଡି ରହିଥିଲେ । ପାଠକମାନେ ହେଉଛନ୍ତି ପ୍ରଶ୍ନକର୍ତ୍ତା, ଲେଖକ କେବଳ ଜଣେ ପରୀକ୍ଷାର୍ଥୀ । ନିଜ ଲେଖା ମାଧ୍ୟମରେ ସେ କେବଳ ଉତ୍ତର ଦେଇ ·ଲିଛନ୍ତି । ଧ୍ୱଂସର ଭୟ ପ୍ରତିଟି ଲେଖକଙ୍କୁ ଭୟଭୀତ କରେ । ସେଇ ଧ୍ୱଂସାଭିମୁଖୀ ପୃଥିବୀର ଭୟ ହିଁ ଲୋକାର୍ପିତ ଉପନ୍ୟାସର ଭିତ୍ତିଭୂମି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ସୀତାକାନ୍ତ ମହାପାତ୍ର କହିଥିଲେ, ଆମର ପୃଥିବୀକୁ କ’ଣ ଫେରାଇବା ଆବଶ୍ୟକ, ଏହା ପ୍ରତି ଆମର କ’ଣ କର୍ତ୍ତବ୍ୟ ରହିଛି- ତାହା ବି·ର କରିବାର ସମୟ ଆସିଛି । କାରଣ ଏହି ସୁନ୍ଦର ପୃଥିବୀ ଯୋଗୁଁ ମାନବ ସଭ୍ୟତାର ସୃଷ୍ଟି । ମାନବ ଜାତି ସବୁୁକିଛି ଏହି ଧରାପୃଷ୍ଠରୁ ପାଇଛି । ଜୀବତତ୍ତ୍ୱ ବୁଝିବାକୁହେଲେ ଆମକୁ ପ୍ରଥମେ ପୃଥିବୀର ସଂରଚନା ବୁଝିବାକୁହେବ । ଏହା ଆମକୁ କ’ଣ ବାର୍ତ୍ତା ଦେଉଛି ତାହା ଉପଲବ୍ଧି ତଥା ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ପୃଥିବୀ ଓ ମାନବ ଭିତରର ଗଭୀର ସଂପର୍କକୁ ନେଇ ରଚିତ ‘ପ୍ରାପ୍ତେଷୁ ପୃଥିବୀ’ ଏକ ସୁନ୍ଦର ସୃଷ୍ଟି ।
ବିଶିଷ୍ଟ ସମାଲୋଚକ ପ୍ରଫେସର ବସନ୍ତ କୁମାର ପଣ୍ଡା ପୁସ୍ତକଟିର ସମୀକ୍ଷା କରି କହିଥିଲେ ଯେ ‘ପ୍ରାପ୍ତେଷୁ ପୃଥିବୀ’ ଏକ ମନନଶୀଳ, ଭାବଗମ୍ଭୀର ଓ ସ୍ୱୟଂସଂପୂର୍ଣ୍ଣ ଉପନ୍ୟାସ । ପାଠକର ମନରେ ପ୍ରଶ୍ନାଘାତ କରି ଆତ୍ମାକୁ ଛୁଇଁ ପାରୁଥିବା ଏହି ଉପନ୍ୟାସଟି ଏକ ଦିବ୍ୟ ମାନବବାଦୀ ସୃଷ୍ଟି । ସମକାଳର ଏକ ମହାର୍ଘ କୃତି ହେଉଛି ଏ ଉପନ୍ୟାସ ।
ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଏହି ଉପନ୍ୟାସଟି ସମଗ୍ର ଭାରତୀୟ ସାହିତ୍ୟର ନବଜାତକ । ସମସାମୟିକ ବିଶ୍ୱର ସମସ୍ୟାକୁ ନେଇ ରଚିତ ଏହି ଉପନ୍ୟାସ ବିଶ୍ୱ ସାହିତ୍ୟ ପାଇଁ ଏକ ଅନବଦ୍ୟ ଅବଦାନ ।
ସଭାରେ ଅଧ୍ୟକ୍ଷତା କରୁଥିବା ଡ. ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ମତ ଥିଲା- ଏହି ଉପନ୍ୟାସରେ ପୃଥିବୀର ସାମର୍ଥ୍ୟ, ସଙ୍ଗୀତ ଓ ମୂର୍ଚ୍ଛନା ରହିଛି । ଏହା ନିଶ୍ଚିତ ଭାବେ ପାଠକୀୟ ଆଦୃତି ଲାଭ କରିବ।
ଏହି ଅବସରରେ ସଂଚାଳକ ଦେବପ୍ରସାଦ ଦାଶ ତାଙ୍କର ସ୍ପଷ୍ଟ ଓ ସଂକ୍ରାମକ ସ୍ୱରରେ ଉପନ୍ୟାସର ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଂଶ ପାଠ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଆଦ୍ୟା ପ୍ରକାଶନୀ ଓ ‘ପ୍ରତିଭା ରାୟ ଫାଉଣ୍ଡେସନ୍ ଟ୍ରଷ୍ଟ’ ତରଫରୁ ସ୍ୱାଗତ ଭାଷଣ ତଥା ଧନ୍ୟବାଦ ପ୍ରଦାନ କରିଥିଲେ ଡକ୍ଟର ରାୟଙ୍କ ସୁକନ୍ୟା, ଜଣାଶୁଣା ଲେଖିକା ଓ କଣ୍ଠଶିଳ୍ପୀ ଆଦ୍ୟାଶା ଦାସ ।
ପ୍ରେକ୍ଷାଳୟର ପଛଭାଗରେ ଆଦ୍ୟା ପ୍ରକାଶନୀ ତରଫରୁ ଉପଲବ୍ଧ ପୁସ୍ତକ ବିକ୍ରୟକେନ୍ଦ୍ରରେ ଡକ୍ଟର ରାୟଙ୍କ ଉପନ୍ୟାସ ଉପରେ ଦିଆଯାଉଥିଲା ୪୦ ପ୍ରତିଶତ ଆକର୍ଷଣୀୟ ରିହାତି । ଅଟୋଗ୍ରାଫ୍ ଓ ଫଟୋଗ୍ରାଫ୍ରେ ସମାପ୍ତ ହୋଇଥିଲା ଏହି ଉତ୍ସବମୁଖର ସଂଧ୍ୟା ।
Comments are closed.