Latest Odisha News

BREAKING NEWS

ଗପ ସବୁଠି ଥାଏ, ଲେଖିପାରିଲେ ହେଲା: ଅଧ୍ୟାପକ ବିଶ୍ୱରଂଜନ

ବିଦ୍ୟାଧର ପଣ୍ଡାଙ୍କ ‘ପ୍ରଥମ ପ୍ରେମ’ ଓ ‘ତଲାସ’ ଲୋକାର୍ପିତ

ଭୁବନେଶ୍ୱର ୭/୯: ଗପ ସବୁଠି ଥାଏ, ଦେଖିପାରିଲେ ହେଲା, ଲେଖିପାରିଲେ ହେଲା । ତୂଳୀତଳ୍ପ ଶଯ୍ୟାରେ ଶୋଇ, ଗଗନଶ୍ଚୁମ୍ଭୀ ପ୍ରାସାଦରେ ବସି କବିତା ଲେଖାଯାଇପାରେ, ମାତ୍ର ଗଳ୍ପ ନୁହେଁ। ଗଳ୍ପ ଲେଖିବା ପାଇଁ ଜୀବନର ସୁଖ-ଦୁଃଖ, ହସ-କାନ୍ଦ, ସ୍ୱପ୍ନ-ସଂଗ୍ରାମକୁ ନେଇ ଗଭୀର ଅନୁଭୂତି ଆବଶ୍ୟକ । ଇଂଜିନିୟର ବିଦ୍ୟାଧର ପଣ୍ଡାଙ୍କ ଯୁଗ୍ମ ଗଳ୍ପ ସଂକଳନ ‘ପ୍ରଥମ ପ୍ରେମ’ ଓ ‘ତଲାସ’ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ଏପରି ମତବ୍ୟକ୍ତ କରିଛନ୍ତି ।

ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମପାସ୍‍ ପକ୍ଷରୁ ସ୍ଥାନୀୟ ହୋଟେଲ କେଶରୀଠାରେ ଆୟୋଜିତ ଏହି ମନୋରମ ପୁସ୍ତକପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ଓ ବାଗ୍ମୀ ଅଧ୍ୟାପକ ବିଶ୍ୱରଂଜନ । ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ କବି ସଂପଦ ନାୟକ ଓ କଥାକାର ମନୋଜ ଦଳବେହେରା । ଏହି ଅବସରରେ ଲେଖକ ଶ୍ରୀ ପଣ୍ଡା ନିଜ ଗଳ୍ପଲେଖାର ପୃଷ୍ଠଭୂମି ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ଯୁବକବି ବେଦପ୍ରକାଶ ନାୟକ ସଂଚାଳନ କରିଥିବାବେଳେ ସ୍ୱାଗତଭାଷଣ ପ୍ରଦାନ କରିଥିଲେ ଟାଇମ୍‍ପାସର ନିର୍ଦ୍ଦେଶକ ସରୋଜ ବଳ । ଉତ୍ସବ ସଂଚାଳନରେ ଅବିନାଶ ସାହୁ, ବଳରାମ ନାୟକ, ପ୍ରିୟାଂଶୁ ପ୍ରିୟଦେବ ପ୍ରମୁଖ ସହଯୋଗ କରିଥିଲେ ।

ସଭାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଂଚିଥିବା ଆଠ ଜଣ ଦର୍ଶକଙ୍କୁ ଟାଇମପାସ୍‍ ପକ୍ଷରୁ ‘ସମୟାନୁବର୍ତ୍ତୀ ସମ୍ମାନ’ ସହ ଉପହାର-ପୁସ୍ତକ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଚନ୍ଦନ ପଣ୍ଡା, ଶ୍ରୀମା ଶତପଥୀ, ଗଣେଶ କୁମାର ନାଏକ, ଦିଗମ୍ବର ସ୍ୱାଇଁ, ସ୍ୱପ୍ନେଶ୍ୱର ଦାସ, ସୁଦାମବନ୍ଧୁ ଭଟ୍ଟମିଶ୍ର, ଶାରଦା ପ୍ରସାଦ ମହାପାତ୍ର ଏବଂ ବିପିନ ମହାନ୍ତି । ମଂଚାସୀନ ଅତିଥିଙ୍କ ବ୍ୟତୀତ ଦର୍ଶକମଣ୍ଡଳୀରେ ଉପସ୍ଥିତ ଥିବା ସୀତେଶ ତ୍ରିପାଠୀ, ଭିକାରୀ ଧଳ, କନକ ମଂଜରୀ ସାହୁ, ସୁଷମା ମିଶ୍ର, ମିନତି ମିଶ୍ର ପ୍ରମୁଖ ଲେଖକଲେଖିକାଗଣ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ ।

ପ୍ରକାଶନର ପରଂପରା ଅନୁଯାୟୀ ପୁସ୍ତକର ପ୍ରଥମ କପି ନିଲାମ ଜିତିଥିଲେ ଯୁବକବି ଆନ୍‍ପା ମାରଣ୍ଡି । ପୁସ୍ତକ ଦୁଇଟିର କ୍ରୟ ମୂଲ୍ୟ ୨୯୦ ଟଙ୍କା ଥିବାବେଳେ ସେ ସର୍ବାଧିକ ୬୦୦ ଟଙ୍କାର ନିଲାମ ଡାକିଥିଲେ । ଲେଖକଙ୍କ ଅଟୋଗ୍ରାଫ୍‍ ସହ ତାଙ୍କୁ ପୁସ୍ତକ ଦ୍ୱୟ ପ୍ରଦାନ କରାଯାଇଥିଲା ।

ଶେଷରେ କବି ଓ ଶିଶୁସାହିତ୍ୟିକ ପ୍ରକାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.