Latest Odisha News

ସତୀତ୍ୱ

ସତୀତ୍ୱ

ବିଭୂତି ପଟ୍ଟନାୟକ

ବହି ପୁରୁଣା ହେଲେ ତାର ଦାମ ବଢେ଼, କିନ୍ତ ବୋହୂ ପୁରୁଣା ହେଲେ ତାର ଦାମ କମେ । ଠିକ ନୁହେଁ?

ଜରାଜୀର୍ଣ୍ଣ ପୁସ୍ତକରୁ ନିଜର ଦୃଷ୍ଟି ଉତ୍ତୋଳନ କରି ଗବେଷକ ସୀତାକାନ୍ତ ନିଜର ବର୍ଷିୟସୀ ପତ୍ନୀର ମୁହଁକୁ ଚାହିଁଲେ ।

ସୌଦାମିନୀଙ୍କ ମୁହଁରେ ଭାଙ୍ଗପଡେ଼ । ମାଂସପେଶୀ ହୁଗୁଳା ହୋଇଯାଏ । ବହି ପୁରୁଣା ହେଲେ ତାର ରଙ୍ଗ ହଳଦିଆ ବର୍ଣ୍ଣ ଧାରଣ କରେ । ପୃଷ୍ଠା ଛାଡିଛାଡି ଯାଏ । ଆଉ ଯେଉଁ ବହି ବର୍ତ୍ତମାନ ବହୁ କଷ୍ଟରେ ପଢ଼ୁଛନ୍ତି ସେ ବହିଟିର ସବୁ ପୃଷ୍ଠାରେ ଘୁଣପୋକର ଫୁଟା ଦାଗ ।

ସୌଦାମିନୀ ପ୍ରସଙ୍ଗ ପରିବର୍ତ୍ତନ କଲେ ।

କେବେ ରାତି ହେବ? ରୁଟି ଶୁଖି କାଠ, କ୍ଷୀର ଦୁଇଥର ଗରମ କରି ରଖିଲିଣି । ଥଣ୍ଡା ହୋଇଗଲାଣି । ଥଣ୍ଡା କ୍ଷୀର ଥୁ ଥୁ କରି ଢାଳି ଦେବ । ପତ୍ନୀଙ୍କ କଣ୍ଠରେ ଏଥର ଅନୁଯୋଗର ଉତ୍ତାପ ସଂଚାରିତ ହେଲା ।

ସୀତାକାନ୍ତ ସେତେବେଳଯାଏ ସୁଦ୍ଧା ସ୍ତ୍ରୀଙ୍କ ସେଇ ପ୍ରଥମ କଥା ଭାବୁଛନ୍ତି । ପୁରୁଣା ବହି ଆଉ ପୌଢ଼ା ପତ୍ନୀ ମଧ୍ୟରେ କି ଚମତ୍କାର ମେଳନ?

ଅଥଚ ଏଭଳି ଧାରଣାର ଗର୍ଭଧାରଣା ହେବାପାଇଁ ସୌଦାମିନୀଙ୍କର ଶିକ୍ଷାଗତ ଯୋଗ୍ୟତା?

ଗବେଷକ ସୀତାକାନ୍ତ ନିଜ ମନକୁ ନିଜେ ବୁଝାଇଲେ – ନାରୀ ପାଠ ନ ପଢ଼ି ସୁଦ୍ଧା ଯେପରି ଜନନୀ ହୋଇପାରେ, ବିନା ଶିକ୍ଷାରେ ମଧ୍ୟ ସେହିଭଳି ନୂଆ ନୂଆର ଚିନ୍ତାର ଜନ୍ମଦାତ୍ରୀ ହୋଇପାରେ ।

ସୀତାକାନ୍ତଙ୍କର ବୟସ ହୋଇଯାଇଛି । କିନ୍ତୁ ଗବେଷଣା କାର୍ଯ୍ୟରୁ ସେ ନିବୃତ୍ତ ହୋଇ ନାହାନ୍ତି । ଜୀବନଟା ସାରା ପିଲାଙ୍କୁ ଇତିହାସ ପଢ଼ାଇ ପଢ଼ାଇ ବିତିଗଲା । ଇତିହାସ ଗବେଷଣା ବାକି ରହିଥିଲା ବାର୍ଦ୍ଧକ୍ୟ ପାଇଁ ।

ଆଖିର ଦୃଷ୍ଟି ଶକ୍ତି କମି ଆସୁଛି । ଖୁବ ମୋଟା ଲେନସର ଚଷମା ପିନ୍ଧୁଛନ୍ତି ସୀତାକାନ୍ତ । ଚଷମା କାଚର ଶକ୍ତି ଜରିଆରେ ଅତୀତ ସାମାଜିକ ପୃଷ୍ଠଭୂମିରେ ସେ ଓଡ଼ିଆ ନାରୀର ଚାରିତ୍ରିକ ବୈଶିଷ୍ଟ୍ୟ ବୁଝିବାକୁ ଚେଷ୍ଟା କରୁଛନ୍ତି ।

ଯେଉଁ ପ୍ରାଚୀନ ଗ୍ରନ୍ଥଟି ଏଇ କେତେଦିନ ହେଲା ତାଙ୍କ ଆଖିରୁ ନିଦ୍ରା ଅପହରଣ କରି ନେଇଛି, ସେଇଟି ହେଉଛି ଇଂରେଜୀ ଶାସନ ପ୍ରାକ କାଳରେ ଜଣେ ଓଡ଼ିଆ ରମଣୀର ଆତ୍ମଜୀବନୀ । ବହିଟି କିପରି ଭାବରେ ତାଙ୍କ ହାତକୁ ଆସିଥିଲା, ସେକଥା ତାଙ୍କର ସ୍ମରଣ ନାହିଁ । କିନ୍ତୁ ବହିଟିର ଛପା ତାରିଖ ଦେଖି ଖୁବ ଉଲ୍ଲସିତ ହୋଇ ଉଠିଥିଲେ । ବହିଟି ତାଙ୍କର ମନଯୋଗ ଆକର୍ଷଣ କରିଥିଲା ।

ଭଦ୍ରମହିଳାଙ୍କ ବାପା ବାଲେଶ୍ୱର ଖ୍ରୀଷ୍ଟିୟାନ, ମିଶନାରି ଜଣେ ପ୍ରଚାରକ ଥିଲେ । ଯେଉଁ ଅଳ୍ପ କେତେଜଣ ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜଗତର ତ୍ରାଣକର୍ତ୍ତା ବୋଲି ଗ୍ରହଣ କରି ବାଲେଶ୍ୱରରୁ ହିନ୍ଦୁ ଧର୍ମ ତ୍ୟାଗ କରିଥିଲେ ଭଦ୍ରମହିଳାଙ୍କ ଜନକ ନିଶାକର ରାଉତ ଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ।

କିନ୍ତୁ ନିଶାକର ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ମାଆ ରମା ସୁନ୍ଦରୀ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଥିଲେ ନୈଷ୍ଟିକ ହିନ୍ଦୁ । ପାଞ୍ଚବର୍ଷର କନ୍ୟା ସ୍ୱର୍ଣ୍ଣଲତାକୁ ସାଙ୍ଗରେ ଧରି ସେ ବାପଘରକୁ ଚାଲିଯାଇଥିଲେ ।

ସ୍ୱର୍ଣ୍ଣଲତା ବାଲେଶ୍ୱର ବାଳିକା ବିଦ୍ୟାଳୟରେ ପାଠ ପଢ଼ିଲାବେଳେ ବାପା ନିଶାକର ତା ସହିତ ନିୟମିତ ଦେଖା କରୁଥିଲେ ।

ବାପ ଝିଅଙ୍କ ଭିତରେ ଚର୍ଚ୍ଚାର ବିଷୟ ଥିଲା ହିନ୍ଦୁ ଧର୍ମର ଅସାରତା ଏବଂ ଖ୍ରୀଷ୍ଟଧର୍ମର ମହତ୍ୱ ପ୍ରତିପାଦନ ।

ସ୍ୱର୍ଣ୍ଣଲତା ଖ୍ରୀଷ୍ଟଧର୍ମର ମହତ୍ତ୍ୱକୁ ଅସ୍ୱୀକାର କରୁ ନ ଥିଲେ ସୁଦ୍ଧା ହିନ୍ଦୁ ଧର୍ମ ତ୍ୟାଗ କରିବାକୁ ରାଜି ହୋଇ ନଥିଲେ ।

ଶେଷରେ ଧର୍ମତତ୍ତ୍ୱ ଛାଡ଼ି ନିଶାକର ଝିଅକୁ ଖ୍ରୀଷ୍ଟଧର୍ମର ଅର୍ଥତତ୍ତ୍ୱ ବୁଝାଇଥିଲେ । ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ ମିଶନାରି, କଲିକତାରେ ତାର ପଢ଼ା ଖର୍ଚ୍ଚ ବହନ କରିବେ ଏବଂ ସେ ବଡ଼ ଏକ ସରକାରୀ ଚାକିରୀ ଲାଭକରି ପିତା ତଥା ଜନ୍ମଭୂମିର ମୁଖ ଉଜ୍ଜ୍ୱଳ କରିବ, ଏଇଭଳି ଯୁକ୍ତିଥିଲା ନିଶାକରଙ୍କର ।

କିନ୍ତୁ ରମାସୁନ୍ଦରୀଙ୍କ ପ୍ରଭାବ ଯୋଗୁଁ ଶେଷ ପର୍ଯ୍ୟନ୍ତ ସ୍ୱର୍ଣ୍ଣଲତା ଖ୍ରୀଷ୍ଟଧର୍ମ ଗ୍ରହଣ କରି ନ ଥିଲେ ।

ତାପରେ ଓଡ଼ିଶାରେ ପ୍ରତିଷ୍ଠିତ ହେଲା ଇଂରାଜୀ ଶାସନ । ଜଣେ ନିମକମାହାଲ ସିରସ୍ତାଦାର ମଦନ ମୋହନ ଦାସଙ୍କ ସହ ସ୍ୱର୍ଣ୍ଣଲତାଙ୍କ ବିବାହ ହୋଇଥିଲା ।

ତା’ ପରବର୍ତ୍ତୀ କେତେ ପୃଷ୍ଠା ଛିଡ଼ିଯାଇଛି ।

ସୀତାକାନ୍ତ ପୃଷ୍ଠା ମିଳାଇ ଦେଖିଲେ ପ୍ରାୟ ଚବିଶ ପୃଷ୍ଠା । ଶେଷରେ ସ୍ୱର୍ଣ୍ଣଲତା ଲେଖିଛନ୍ତି:

ବାପାଙ୍କ ବ୍ୟାକୁଳ ନିବେଦନ, ଉଚ୍ଚଶିକ୍ଷା, ବଡ଼ ଚାକିରିର ଲୋଭ ଏଡ଼ାଇ ମୁଁ ମାଆଙ୍କ ଉପଦେଶମାନି ସ୍ୱଧର୍ମ ଛଡ଼ିନଥିଲି । କିନ୍ତୁ ହିନ୍ଦୁ ଧର୍ମ ମୋ ତ୍ୟାଗର ମୂଲ୍ୟ କ’ଣ ଦେଲା? ମୋ ସ୍ୱାମୀ ମଦନମୋହନ ମତେ ତୁଚ୍ଛାଟାରେ କୁଳଟା ବୋଲି କହି ଘରୁ ତଡ଼ି ଦେଲା ପରେ ହିନ୍ଦୁ ପଡେ଼ାଶୀମାନେ ମୋ ମୁହଁ ଚାହିଁବା ପାପ ବୋଲି ଭାବିଲେ । ମୁଁ କାହା ଦାଣ୍ଡ ବାରଣ୍ଡାକୁ ଉଠିଗଲେ ସେମାନେ ସେ ଅପବିତ୍ର ଯାଗାକୁ ପବିତ୍ର କରିବା ପାଇଁ ଗୋବର ପାଣି ଛିଞ୍ଚିଲେ । ଧୋବା ମୋର ଲୁଗା ଧୋଇବାକୁ ନେଲାନାହିଁ । ଦୋକାନୀ ମତେ ସଉଦା ଦେଲେନାହିଁ ।

ଏତିକିବେଳେ ମୋ ବାପାଙ୍କ କଥା ମୋର ମନେ ପଡ଼ିଲା । ଜଗତର ତ୍ରାଣକର୍ତ୍ତା ଯୀଶୁହିଁ ସବୁ ପାପୀଙ୍କୁ କ୍ଷମା କରନ୍ତି । ଆଦରରେ ନିଜ କୋଳକୁ ତୋଳି ନିଅନ୍ତି । ମୁଁ କିିଛି ପାପ କରି ନ ଥିଲେ ମଧ୍ୟ ସମାଜ ଆଖିରେ ପାପୀ ହେଲି । ତେଣୁ ମୁଁ ଦିନେ ଚର୍ଚ୍ଚରେ ପାଦ୍ରୀଙ୍କ ପାଖରେ ସବୁକଥା ଖୋଲି କହିଲି । ବାପା ସେତେବେଳେ ଜୀବିତ ନ ଥିଲେ । କିନ୍ତୁ ପାଦ୍ରୀ ସାହେବ ନିଜ ବାପାଙ୍କଠାରୁ ବଳି ଅଧିକ ସ୍ନେହରେ ମତେ ଗ୍ରହଣ କଲେ ।

ଖ୍ରୀଷ୍ଟଧର୍ମ ଗ୍ରହଣ କରି ମୁଁ ନୂତନ ଜୀବନ ଲାଭକଲି ।

ସୀତାକାନ୍ତ ବହିର ଏ ଶେଷ କେତେଧାଡ଼ି ଯେତେ ଥର ପଢ଼ିଛନ୍ତି, ସେତେଥର ତାଙ୍କ ଆଖିଲୁହରେ ଛଳ ଛଳ ହୋଇ ଆସିଛି ।

ସେ ନିଜକୁ ନିଜେ ପ୍ରଶ୍ନ କରିଛନ୍ତି – ଝିଅଟି କ’ଣ ପ୍ରକୃତରେ ପର ପୁରୁଷ ପ୍ରତି ଆସକ୍ତ ଥିଲା? ବିବାହିତା ଜୀବନରେ ନୀତି ନିୟମର ଲକ୍ଷଣଗାର ଡେଇଁ ଯାଇଥିଲା? ତାହେଲେ ସେ ନିଜକୁ ନିରପରାଧିନୀ ବୋଲି ଦୃଢ଼ ସ୍ୱରରେ କହୁଛି କିପରି?

ସୀତାକାନ୍ତ ଇତିହାସର ଅଧ୍ୟାପକ, କିନ୍ତୁ ନାରୀ ମନସ୍ତତ୍ତ୍ୱର ଗବେଷକ ନୁହନ୍ତି । ସେଥିପାଇଁ ସେ ପ୍ରାଚୀନ ଗ୍ରନ୍ଥର ଛିନ୍ନ ବତ୍ରିଂଶ ପୃଷ୍ଠା ତାଙ୍କ ଆଖିରେ ଏକ ପ୍ରହେଳିକା ହୋଇ ରହିଯାଏ । ସେ ରହସ୍ୟର ମାୟାଜାଲ ଭେଦ କରିପାରନ୍ତି ନାହିଁ ।

ବାଲେଶ୍ୱର ଗଳି କନ୍ଦି, କଲେକ୍ଟରଙ୍କ ଅଫିସରେ ପୁରୁଣା ଦଲିଲ ଘାଣ୍ଟି ନିଶାକର ରାଉତ, ମଦନ ମୋହନ ଦାସ, ରମା ସୁନ୍ଦରୀ ଆଉ ସ୍ୱର୍ଣ୍ଣଲତାଙ୍କ ସମ୍ପର୍କରେ ଯଦି କିଛି ତଥ୍ୟ ମିଳେ, ତାର ଅନୁସନ୍ଧାନ କରିଥିଲେ ସୀତାକାନ୍ତ । ବାଲେଶ୍ୱର ଚର୍ଚ୍ଚରେ କେବଳ ନିଶାକର ରାଉତଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିଲା । କିନ୍ତୁ ସ୍ୱର୍ଣ୍ଣଲତାଙ୍କ ଆତ୍ମଜୀବନୀରୁ ହଜି ଯାଇଥିବା ବତିଶି ପୃଷ୍ଠାର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କୌଣସି ତଥ୍ୟ ସେଥିରେ ନ ଥିଲା ।

ସ୍ୱର୍ଣ୍ଣଲତାଙ୍କ ଚରିତ୍ରକୁ କାହିଁକି ସନ୍ଦେହ କରି ମଦନ ମୋହନ ତାକୁ ବିତାଡିତ କରିଥିଲେ, କେଉଁ ପରିସ୍ଥିତିରେ ସେ ହିନ୍ଦୁଧର୍ମ ଛାଡି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ, ସେ ସମ୍ପର୍କରେ କେହି କିଛି କହି ପାରିଲେ ନାହିଁ ।

ଦୀର୍ଘ ଦେଢ଼ଶହ ବର୍ଷର ଇତିହାସ ବିସ୍ତୃତିର ବାଲିଚର ମଧ୍ୟରେ ଚାପା ପଢ଼ି ଯାଇଛି । କେତେ ବାଲି ଘାଣ୍ଟିବେ ସୀତାକାନ୍ତ?

କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱର୍ଣ୍ଣଲତାକୁ ସେ ଭୁଲି ପାରିଲେ ନାହିଁ । ସେହି ଭାଗ୍ୟବିଡମ୍ବିତା ନାରୀ ତାଙ୍କ ମନରେ ଦରଜାରେ ସମୟ ଅସମୟରେ କରାଘାତ କରିବାକୁ ଲାଗିଲା ।

ସ୍ୱର୍ଣ୍ଣଲତା କଲେଜରେ ପଢ଼ି ନ ଥିଲେ ସୁଦ୍ଧା ସେ ସମୟରେ ଓଡ଼ିଶାର ଅନୁନ୍ନତ ଶିକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ନିଶ୍ଚୟ ଥିଲେ ସେ ଜଣେ ଶିକ୍ଷିତା ମହିଳା । ବାହାର ଜଗତ ସହିତ ତାଙ୍କର ସମ୍ପର୍କ ସ୍ୱାଭାବିକ ଥିଲା । ସେହି ସୁଯୋଗରେ ହୁଏତ କୌଣସି ଲମ୍ପଟ ପୁରୁଷ ତାଙ୍କ ସହ ଘନିଷ୍ଠ ହେବାକୁ ଚେଷ୍ଟା କରିଥିଲା । ମଦନମୋହନ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ହୁଏତ ଘରୁ ତାଙ୍କୁ ବିତାଡ଼ିତ କରିଥିଲେ ।

ସ୍ୱର୍ଣ୍ଣଲତାଙ୍କ ପ୍ରେମିକ କ’ଣ ଥିଲେ ଜଣେ ଖ୍ରୀଷ୍ଟିଆନ?

ସମାଜରୁ ବହିଷ୍କୃତ ହେଲା ପରେ ସେ କ’ଣ ସ୍ୱର୍ଣ୍ଣଲତାଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେବାପାଇଁ ପ୍ରରୋଚିତ କରିଥିଲେ?

କାଳ୍ପନିକ ସନ୍ଦେହର ମେଘରେ ସୀତାକାନ୍ତଙ୍କ ମନ ଆଚ୍ଛନ୍ନ ହୋଇଯାଏ । କିନ୍ତୁ ସମାଧାନର କୌଣସି ସୂତ୍ର ମିଳେ ନାହିଁ ।

ଦିନେ ସୌଦାମିନୀ ପଚାରିଲେ – ତମେ ରାତି ଦିନ କଅଣ ଏତେ ଭାବୁଛ?

ସୀତାକାନ୍ତ ସ୍ୱର୍ଣ୍ଣଲତା ଉପାଖ୍ୟାନ ବର୍ଣ୍ଣନା କରି ପଚାରିଲେ – କହିଲ ଦେଖି ସ୍ୱର୍ଣ୍ଣଲତା କ’ଣ ପ୍ରକୃତରେ ଅନ୍ୟ କୌଣସି ପର-ପୁରୁଷ ପ୍ରତି ଆସକ୍ତ ଥିଲେ? ତାହାହେଲେ ତାଙ୍କୁ ଅସତୀ ବୋଲି କହି ସ୍ୱାମୀ ତାଙ୍କର ଘରୁ ତଡ଼ି ଦେଲେ କାହିଁକି?

ସ୍ୱାମୀଙ୍କ ପ୍ରଶ୍ନ – କଣ୍ଟକିତ ମୁହଁକୁ ଚାହିଁ ସୌଦାମିନୀ ହସିଲେ ।

କହିଲେ – ଯେଉଁ ସମୟ କଥା ତମେ କହୁଛ, ସେ ସମୟରେ ପର-ପୁରୁଷ ପ୍ରତି ଆସକ୍ତ ନ ହୋଇ ସୁଦ୍ଧା ଜଣେ ନାରୀ ଅସତୀ ବୋଲି ସମାଜରେ ନିନ୍ଦିତ ହେଉଥିଲା । ଅସହାୟା ନାରୀମାନେ ସେ ନିନ୍ଦା ଅପମାନକୁ ସହ୍ୟ କରି ନ ପାରି କଟକ ତେଲେଙ୍କା ବଜାରରେ ରୂପର ପସରା ମେଲି ଦେଉଥିଲେ, ନ ହେଲେ ବୃନ୍ଦାବନରେ ବୈଷ୍ଣବୀ ଜୀବନ ଯାପନ କରୁଥିଲେ । କିିନ୍ତୁ ସ୍ୱର୍ଣ୍ଣଲତା ଥିଲା ଶିକ୍ଷିତା ନାରୀ । ତାର ବାପା ଖ୍ରୀଷ୍ଟିୟାନ ହୋଇ ସାରିଥିଲେ । ରକ୍ଷଣଶୀଳ ହିନ୍ଦୁ ସମାଜର ଅତ୍ୟାଚାରରୁ ମୁକ୍ତି ପାଇ ସୁସ୍ଥ ସାମାଜିକ ଜୀବନଯାପନ କରିବା ପାଇଁ ଖ୍ରୀଷ୍ଟଧର୍ମ ଗ୍ରହଣ ସେତେବେଳେ ଥିଲା ସହଜ ପନ୍ଥା । ମନେରଖ, କାଗଜପତ୍ରରେ ନ ହେଲେ ସୁଦ୍ଧା ଲୋକମତ ଅନୁସାରେ ଖ୍ରୀଷ୍ଟଧର୍ମ ସେତେବେଳେ ଥିଲା ରାଜଧର୍ମ ।

ସୀତାକାନ୍ତ ତଥାପି ପତ୍ନୀଙ୍କ କଥାରେ ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ । ପଚାରିଲେ – ଜଣେ ପର ପୁରୁଷ ପ୍ରତି ଆସକ୍ତ ନ ହୋଇ ସୁଦ୍ଧା ଜଣେ ନାରୀକୁ ଅସତୀ ବୋଲି କିପରି ସମାଜ ଶାସ୍ତି ଦେଇ ପାରିବ?

ସୌଦାମିନୀ ମୃଦୁ ହସି କହିଲେ – ତମେ ଜଣେ ସାମାଜିକ ଲୋକ, କିନ୍ତୁ ତମ ସମାଜରେ ଚରିତ୍ର ତମେ ଠିକ ଭାବରେ ବୁଝିନାହଁ । ସ୍ୱର୍ଣ୍ଣଲତା କେଉଁ ସମୟରେ ଅସତୀ – ଅଭିଯୋଗରେ ସ୍ୱାମୀ – ପରିତ୍ୟକ୍ତା ହୋଇଥିଲା ମୁଁ ଜାଣେ ନାହିଁ । କିନ୍ତୁ ମୋ ଜେଜେମାଆଙ୍କ ଠାରୁ ସେଇ ସମୟର ଅନ୍ୟ ଏକ ଘଟଣା ମୁଁ ଶୁଣିଛି ।

ତାଙ୍କ ଗ୍ରାମର ଜଣେ ଯୁବତୀ – ବିଧବା ସ୍ୱାମୀର ଚିତାବଳୀରେ ପ୍ରବେଶ କରି ସତୀ ହେଲାନାହିଁ ବୋଲି ଗ୍ରାମରେ ପଞ୍ଚାୟତ ବସି ତାକୁ ଅସତୀ ବୋଲି ଘୋଷଣା କରିଦେଲା । ମନେରଖ, ସେତେବେଳକୁ ସତୀଦାହ ବିରୋଧୀ ଆଇନ ଇଂରେଜ ସରକାର ଜାରୀ କରି ସାରିଥିଲେ । ସେଥିପାଇଁ ଜୋର କରି ତାକୁ ସ୍ୱାମୀର ଚିତା ନିଆଁରେ ପୋଡ଼ି ଦିଆଗଲା ନାହିଁ । କିନ୍ତୁ ସମାଜରୁ ସେ ବାସନ୍ଦ ହୋଇଗଲା । ପରେ ଝିଅଟି ଆତ୍ମହତ୍ୟା କରି ହିନ୍ଦୁ ସମାଜର କୋପ ଦୃଷ୍ଟିକୁ ବଞ୍ଚି ଯାଇଥିଲା ବୋଲି ଜେଜେମାଆ କହୁଥିଲେ ।

ପତ୍ନୀଙ୍କ କଥା ଶୁଣି ସୀତାକାନ୍ତଙ୍କ ଗବେଷକ ଦୃଷ୍ଟି ହଠାତ କୋମଳ ହୋଇ ଆସିଲା । ସ୍ୱର୍ଣ୍ଣଲତା ଯେଉଁ ସମୟରେ ବଂଚିଥିଲା ସେ ସମୟରେ ନାରୀର ସତୀତ୍ୱ ତା’ର ଚରିତ୍ରରେ ନୁହେଁ, ସମାଜର ଦୃଷ୍ଟି ମଧ୍ୟରେ ହିଁ ଆବଦ୍ଧ ଥିଲା । ନମକମାହାଲ ସିରସ୍ତାଦାର ସ୍ୱାମୀ ଯଦି ଅକାରଣରେ ନିଜ ସ୍ତ୍ରୀକୁ ଅସତୀ ବୋଲି କୌଣସି କାରଣରୁ ଘୋଷଣା କରେ, ତା’ର ପ୍ରତିବାଦ କରିଥାଆନ୍ତା କିଏ?

ସୀତାକାନ୍ତ ସୌଦାମିନୀଙ୍କ ମୁହଁକୁ ଚାହିଁଲେ । ସେ ବୁଝିପାରିଲେ, ତାଙ୍କର ପତ୍ନୀ ତାଙ୍କ ଭଳି ବହୁତ ପାଠ ପଢ଼ି ନାହାନ୍ତି, କିନ୍ତୁ ସେ ଅଶିକ୍ଷିତା ନୁହନ୍ତି ।

ସେ ଯୁଗରେ ସତୀତ୍ୱ ଯେପରି ନାରୀର ଚରିତ୍ରରେ ନ ଥିଲା, ଏ ଯୁଗରେ ଶିକ୍ଷା କେବଳ ବହିର ପୃଷ୍ଠାରେ ନାହିଁ ।

Comments are closed.